Jharkhand and Maharashtra Election: ମହା ୟୁତି ନା ମହା ବିକାଶ ଅଘାଡ଼ି ? ମହାରାଷ୍ଟ୍ରରେ କାହାର ହେବ ସରକାର ?

ମତଦାନ କେନ୍ଦ୍ରରେ ବଲିଉଡ୍ ସେଲିବ୍ରିଟିଙ୍କ ଭିଡ । ଭୋଟ୍ ଦେବାକୁ ପହଁଚିଥିଲେ ବି-ଟାଉନ୍ ର ନାମୀ ଦାମୀ କଳାକାର ।

କାହାର ହେବ ମହାରାଷ୍ଟ୍ର

ଭୋଟ୍ ଦେଲା ମହାରାଷ୍ଟ୍ର ଓ ଝାଡ଼ଖଣ୍ଡମହାରାଷ୍ଟ୍ରର ୨୮୮ ଆସନ ପାଇଁ ଆଜି ଗୋଟିଏ ପର୍ଯ୍ୟାୟରେ ସରିଛି ମତଦାନ । ସନ୍ଧ୍ୟା ୫ଟା ସୁଦ୍ଧା ୫୮ ପ୍ରତିଶତରୁ ଅଧିକ ଭୋଟିଂ ହୋଇଛି । ୨୦୧୯ ନିର୍ବାଚନରୁ ମହାରାଷ୍ଟ୍ର ତିନିଟି ସରକାର, ତିନି ଜଣ ମୁଖ୍ୟମନ୍ତ୍ରୀ ଏବଂ ୪ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ଦେଖିଲାଣି । ତେଣୁ ଏଥରର ନିର୍ବାଚନ ବେଶ୍ ଗୁରୁତ୍ବପୂର୍ଣ୍ଣ । ସେପଟେ ଝାଡଖଣ୍ଡରେ ଆଜି ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟରେ ୩୮ଟି ଆସନ ପାଇଁ ମତଦାନ ହୋଇଛି । ଏଠାରେ ପାଖାପାଖି ୬୮ ପ୍ରତିଶତ ମତଦାନ ହୋଇଛି ।

ମହା ୟୁତି ନା ମହା ବିକାଶ ଅଘାଡ଼ି ? ମହାରାଷ୍ଟ୍ରରେ କାହାର ହେବ ସରକାର ? ରାଜନୈତିକ ଛକାପଞ୍ଝା ମଧ୍ୟରେ ଆଜି ନେତା ବାଛିଛନ୍ତି ଜନତା । ମତଦାନ କେନ୍ଦ୍ରରେ ଖଚାଖଚ ଭିଡ଼ । ସକାଳୁ ସନ୍ଧ୍ୟା ଯାଏଁ ଲାଗିଥିଲା ଲମ୍ବା ଲାଇନ୍ । ତାରି ଭିତରେ ଭୋଟ୍ ଦେଇଛି ପୁରା ମହାରାଷ୍ଟ୍ର । ୨୮୮ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ସରିଛି ଭୋଟ୍ । ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଭୋଟ୍ ଦେଇଥିବା ବେଳେ ନାଗପୁରରେ ମତଦାନ କରିଥିଲେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ୍ । ଭୋଟ୍ ପରେ ସବୁ ଦଳ ଦମ୍ଭ ଦେଖାଇ କହିଛନ୍ତି, ଆମେ ଗଢିବୁ ସରକାର ।

ଅଧିକ ପଢ଼ନ୍ତୁ: ଝାଡ଼ଖଣ୍ତରେ ସରିଲା ଭୋଟ ଗ୍ରହଣ; ଆସିଲା ଏକଜିଟ ପୋଲ: ଜାଣନ୍ତୁ କିଏ କରିବ ସରକାର...

ମତଦାନ କେନ୍ଦ୍ରରେ ବଲିଉଡ୍ ସେଲିବ୍ରିଟିଙ୍କ ଭିଡ । ଭୋଟ୍ ଦେବାକୁ ପହଁଚିଥିଲେ ବି-ଟାଉନ୍ ର ନାମୀ ଦାମୀ କଳାକାର । ଲାଇନରେ ଠିଆ ହୋଇ ମତାଧିକାର ସାବ୍ୟସ୍ତ କରିଛନ୍ତି ଅନେକ ଫିଲ୍ମ ଷ୍ଟାର୍ । ପତ୍ନୀ କରୀନା କପୁରଙ୍କ ସହ ଅଭିନେତା ସୈଫ ଅଲ୍ଲି ଖାନ୍, ରିତେଶ ଦେଶମୁଖ-ଜେନିଲିଆ, ସଲମାନ ଖାନ୍, ଅକ୍ଷୟ କୁମାର, କାର୍ତ୍ତିକ ଆର୍ଯ୍ୟନ, ରାଜକୁମାର ରାଓ, ସୋନୁ ସୁଦ, ଅଲ୍ଲି ଫଜଲ ପ୍ରମୁଖ ଦେଇଛନ୍ତି ଭୋଟ୍ । ମୁମ୍ବାଇର ବାନ୍ଦ୍ରାରେ ଜାଭେଦ ଅଖତାର, ଫରହାନ୍ ଅଖତାର ଓ ଭଉଣୀ ଜୋୟା ଅଖତାର ମତଦାନ କରିଛନ୍ତି । ସେହିପରି ଅଭିନେତ୍ରୀ ମାଧୁରୀ ଦୀକ୍ଷିତ, ନିର୍ଦ୍ଦେଶକ ରୋହିତ ସେଟ୍ଟୀ, କବିର ଖାନ୍, ଭେଟେରାନ୍ ଆକ୍ଟର ଅନୁପମ ଖେର, ଲେଖକ ସଲିମ ଖାନ ଏବଂ ଗାୟକ କୈଳାସ ଖେର ମଧ୍ୟ ଦେଇଛନ୍ତି ଭୋଟ୍ । ପରେ କାଳି ଲଗା ଆଙ୍ଗୁଠି ଦେଖାଇ ଦେଇଛନ୍ତି ଫଟୋ ପୋଜ୍ ।

ଅଧିକ ପଢ଼ନ୍ତୁ: ଆଶ୍ଚର୍ଯ୍ୟ କଲା ମହାରାଷ୍ଟ୍ରରେ EXIT POLL; ଜାଣନ୍ତୁ କିଏ ଗଢିବ ସରକାର...

ମହାରାଷ୍ଟ୍ରରେ ମରାଠି ଅସ୍ମିତା ବନାମ ଧର୍ମ ଯୁଦ୍ଧ। ଗୋଟିଏ ପକ୍ଷରେ ସତ୍ତାଧାରୀ ବିଜେପି-ଶିବସେନା ଏବଂ ଏନସିପି ଅନ୍ୟ ପକ୍ଷରେ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ,ଏନସିପି ଶରଦ ପାୱାର ଗୋଷ୍ଠୀ ଏବଂ କଂଗ୍ରେସଏନସିପି ଓ ଶିବସେନା ଦୁଇ ଭାଗ ହୋଇ ଦୁଇ ପକ୍ଷରେ ଲଢୁଛନ୍ତି । କେଉଁଠି କେଉଁଠି ତ ଶିବସେନା ବନାମ ଶିବସେନା ଏବଂ ଏନସିପି ବନାମ ଏନସିପି ଲଢେଇ ହେଉଛି । ରୋଚକ କଥା ହେଲା,ମୈଦାନକୁ ଓହ୍ଲାଇଛନ୍ତି ମୋଟ୍ ୪ ହଜାର ୧୩୬ ପ୍ରାର୍ଥୀ । ତା ମଧ୍ୟରେ ୨ ହଜାର ୮୬ ସ୍ବାଧୀନ ପ୍ରାର୍ଥୀ । ତେବେ ଏଥର ନିର୍ବାଚନର ଫଳାଫଳ ସ୍ଥିର କରିବ ୭ଟି ପ୍ରମୁଖ ପ୍ରସଙ୍ଗ । ସବୁଠୁ ଆଗରେ ରହିଛି ଓବିସି ଏବଂ ମରାଠା ଭୋଟ୍ । ଯାହା ପକ୍ଷକୁ ଏମାନଙ୍କ ଭୋଟ୍ ଗଲା, ସରକାର ତାହାର । ମହାରାଷ୍ଟ୍ରର ୭୬ଟି ସିଟରେ ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି ସିଧାସଳଖ ଲଢେଇ ।

ସେହିପରି ଫୋକସରେ ରହିଛି ବିଦର୍ଭର ୧୧ଟି ଜିଲ୍ଲାର ୬୨ଟି ବିଧାନସଭା ସିଟ୍ । କୁହାଯାଉଛି, ଏଠି ହିଁ ରହିଛି ସତ୍ତାର ଚାବିକାଠି । ଘୋଷଣାପତ୍ରରେ ଦୁଇ ଦଳର ପ୍ରମୁଖ ପ୍ରତିଶ୍ରୁତି ବିଜେପିର ଲଡକି ବାହିନୀ ଯୋଜନାରେ ମହିଳାଙ୍କୁ ୧୫ଶହ ଟଙ୍କା ହେଉ ଅବା ମହାବିକାଶ ଅଘାଡିର ମହିଳାଙ୍କୁ ୩ ହଜାର ଟଙ୍କା ଦେବା ଘୋଷଣା, ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ସାଜିପାରେ । ଏଥିସହ ଚାଷୀ ସମସ୍ୟା ଓ ଗ୍ରାମାଂଚଳର ଉନ୍ନତି ପ୍ରସଙ୍ଗ ବି ସ୍ଥିର କରିବ ମହାରାଷ୍ଟ୍ରରେ ଏଥର କିଏ ଗଢିବ ସରକାର ?

ଏପଟେ ଝାଡଖଣ୍ଡରେ ପଡିଛି ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ । ୩୮ଟି ଆସନ ପାଇଁ ମୈଦାନରେ ୫୨୮ ପ୍ରାର୍ଥୀ । ଏଠି ଲଢେଇ ହେଉଛି, ଏନଡିଏ ଏବଂ ମହାଗଠବନ୍ଧନ ମଧ୍ୟରେ। ସନ୍ଧ୍ୟା ୫ଟାରେ ସରିଛି ମତଦାନ। ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, ତାଙ୍କ ପତ୍ନୀ କଳ୍ପନା ସୋରେନ ଏବଂ ବିରୋଧୀ ଦଳ ନେତା ଅମର କୁମାରଙ୍କ ଭାଗ୍ୟ ପରୀକ୍ଷା ହୋଇଛି । ସିଲ୍ ହୋଇଛି ଇଭିଏମ୍। ନେତାଙ୍କ ଭାଗ୍ୟ ସ୍ଥିର କରିସାରିଛନ୍ତି ଭୋଟର। ପରୀକ୍ଷା ସରିଛି, ଅପେକ୍ଷା ରେଜଲଟକୁ। ଶନିବାର ଉଭୟ ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।