• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

ମିଆଁମାର ସୀମାରେ ଭାରତ ନିର୍ମାଣ କରୁଛି ତାରବାଡ଼ । ଦେଶର ସୁରକ୍ଷା ଦୃଷ୍ଟିରୁ ଭାରତ ୧୬୪୩ କିଲୋମିଟର ତାରବାଡ଼ ତିଆରି କରୁଛି । ୩୧୦୦୦ କୋଟି ଟଙ୍କାର ଏହି ପ୍ରକଳ୍ପ ୧୦ ବର୍ଷ ମଧ୍ୟରେ ସରିବ । ସୀମା ପାର ଚଳପ୍ରଚଳ ପାଇଁ ଗେଟରେ ବାୟୋମେଟ୍ରିକ ବ୍ୟବସ୍ଥା ରହିବ । ସ୍ଥାନୀୟ ଅଞ୍ଚଳର କିଛି ଲୋକ ଏହାକୁ ବିରୋଧ କରୁଥିବା ବେଳେ ଜାତୀୟ ସୁରକ୍ଷା ଓ ବ୍ୟବସାୟକୁ ନିୟନ୍ତ୍ରିତ କରିବା ପାଇଁ ଏହାର ଆବଶ୍ୟକତା ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । 

ବର୍ଡର ରୋଡସ୍ ଅର୍ଗାନାଇଜେସନ ( BRO ) ଏହି କାମକୁ ପର୍ଯ୍ୟାୟକ୍ରମେ ୧୦ ବର୍ଷ ମଧ୍ୟରେ ସାରିବ । ଏହି ପ୍ରକଳ୍ପ ଅଧିନରେ କେବଳ ତାରବାଡ଼ ତିଆରିରେ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ସୀମାରେ ୬୦ଟି ରାସ୍ତା ନିର୍ମାଣରେ ଖର୍ଚ୍ଚ ହେବ ୧୧୦୦୦ କୋଟି ଟଙ୍କା ।

ସରକାରୀ ସଂସ୍ଥା ଦ୍ୱାରା କରାଯାଇଥିବା ସର୍ଭେରୁ ଜଣାପଡିଛି ଯେ, ପ୍ରାୟ ୩ ଶହ କିଲୋମିଟର ଇଲେକ୍ଟ୍ରିକ ତାରବାଡ଼ ହେବ । ସୁରକ୍ଷା ଓ ଉତ୍ତର-ପୂର୍ବାଞ୍ଚଳରେ ସ୍ଥିରତା ପାଇଁ ଏହା ଜରୁରୀ ଥିବା କୁହାଯାଇଛି । ଏବେ ମଣିପୁରରେ ବିବାଦ ଲାଗି ରହିଥିବା ବେଳେ ଓ ପରିସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରିବାକୁ ନାଁ ଧରୁନଥିବା ବେଳେ ସରକାର ଏହି ବାଡ଼ ତିଆରି କରିବାକୁ ନିଷ୍ପତ୍ତି ନେଇଛନ୍ତି । କାରଣ ଏହି ସୀମା ଦେଇ ସ୍ମଗଲିଂ ହେଉଥିବା ଓ ମାନବ ଚାଲାଣ ହେଉଥିବା ନେଇ ଖବର ସରକାରଙ୍କ ପାଖରେ ରହିଛି । 

ଅଧିକ ପଢନ୍ତୁ:ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ; ଛାତ୍ରଛାତ୍ରୀଙ୍କୁ ଫେରାଇ ଦିଆଗଲା ଘରକୁ...

ମଣିପୁରରେ କୁକି-ଜୋ ଓ ମେଇତେଇ ସଂପ୍ରଦାୟ ମଧ୍ୟରେ ଚାଲିଥିବା ହିଂସାକାଣ୍ଡରେ ଗତ ବର୍ଷ ମ’ ମାସଠାରୁ ଆଜି ପର୍ଯ୍ୟନ୍ତ ଦେଢ ବର୍ଷ ଭିତରେ ପ୍ରାୟ ୨୫୦ ଜଣଙ୍କର ପ୍ରାଣହାନି ଘଟିଛି । ପ୍ରାୟ ୬୦ ହଜାର ଲୋକ ବାସଚ୍ୟୁତ ହୋଇଛନ୍ତି । ସୁରକ୍ଷା କର୍ମୀମାନେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି । ମିଆଁମାରରେ ମଧ୍ୟ ପରିସ୍ଥିତି ଭଲ ନାହିଁ । ସେନା ଓ ଅସ୍ତ୍ରରେ ସଜ୍ଜିତ ହୋଇଥିବା ବିରୋଧୀଙ୍କ ମଧ୍ୟରେ କଳହ ଲାଗିରହିଛି । ମିଆଁମାରରୁ ପ୍ରାୟ ୩୧ ହଜାର ଲୋକ ଶରଣାର୍ଥୀ ଭାବେ ଭାରତରେ ରହିବାକୁ ଚାହୁଁଛନ୍ତି । ଭାରତ-ମିଆଁମାର ସୀମା ନିକଟରୁ ଗତ ୭ ମାସ ଭିତରେ ପ୍ରାୟ ୧୧୨୫ କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଛି । ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ ଓ ମିଜୋରାମ ଏହି ୪ଟି ରାଜ୍ୟ ମିଆଁମାର ସୀମାକୁ ଲାଗିଛି । କେତେକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କର ଏହି ପାହାଡିଆ ଅଞ୍ଚଳରେ ମିଆଁମାର ଲୋକଙ୍କ ସହ ଭାବଗତ ସଂପର୍କ ରହିଛି । ତେଣୁ ଏହି ବାଡ଼ ନିର୍ମାଣକୁ ଅନେକ ବିରୋଧ କରୁଛନ୍ତି । କେତେକ ସଂପ୍ରଦାୟର ଲୋକଙ୍କର ମିଆଁମାରରେ ବନ୍ଧୁବାନ୍ଧବ ମଧ୍ୟ ଅଛନ୍ତି । ପ୍ରସ୍ତାବିତ ବାଡ଼ ସେମାନଙ୍କ ସଂସ୍କୃତି ଉପରେ ଆକ୍ରମଣ ବୋଲି ସେମାନେ ଭାବୁଛନ୍ତି । ତେବେ ବାଡ଼ ହେଲେ ମଧ୍ୟ ଯିବା ଆସିବାରେ କିଛି ଅସୁବିଧା ହେବନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି ।

ଅଧିକ ପଢନ୍ତୁ: ବୀଭତ୍ସ ... ବର୍ବର !! ପ୍ରଜାକୋର୍ଟରେ ସ୍ୱାମୀ ସାମନାରେ ପତ୍ନୀଙ୍କ ଗଳା କାଟି ହତ୍ୟା କଲେ ମାଓବାଦୀ 

OTV is now on Whatsapp

Join and get latest news update delivered to you via whatsapp

Join Now