• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୀର୍ଘ ବର୍ଷ ପରେ ଚେତିଲେ ସରକାର । ଡାକ୍ତର ଓ ନର୍ସଙ୍କ ଡ୍ୟୁଟିକୁ ଜଗିବ ବାୟୋମେଟ୍ରିକ୍ ବ୍ୟବସ୍ଥା । ପାରାମେଡିକାଲ ଷ୍ଟାଫ୍ ଓ ଅନ୍ୟ କର୍ମଚାରୀଙ୍କ ଉପରେ ବି ରହିବ ତୀକ୍ଷ୍ନ ନଜର । ଏଥିପାଇଁ ସରକାର ଆଣିବାକୁ ଯାଉଛନ୍ତି ବାୟୋମେଟ୍ରିକ୍ ଆଟେଣ୍ଡାଣ୍ଟ ସିଷ୍ଟମ୍ । ଡ୍ୟୁଟିକୁ ନ ଆସି ଆଉ ଠକି ପାରିବେନି ଡାକ୍ତର, ନର୍ସ ଓ ପାରାମେଡିକାଲ ଷ୍ଟାଫ୍ । ଉପାନ୍ତ ଅଞ୍ଚଳର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ହେଉ କି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଥବା ସରକାରୀ ମେଡିକାଲ କଲେଜ, ସବୁଠି ଲାଗିବ ବାୟୋମେଟ୍ରିକ୍ ମେସିନ୍ ।

ଅଧିକାଂଶ ସରକାରୀ ଡାକ୍ତରଖାନା ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡାକ୍ତର ଆସୁ ନଥିବାର ମାଳ ମାଳ ଅଭିଯୋଗ ଆସିବା ପରେ ୨୦୨୩-୨୪ ଆର୍ଥିକ ବର୍ଷରୁ ପାଇଲଟ୍ ପ୍ରକଳ୍ପ ଭାବେ ରାଜ୍ୟର ସବୁ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗୁ ହେବ ଆଧାର ଏନେବଲ୍ ବାୟୋମେଟ୍ରିକ୍ ବ୍ୟବସ୍ଥା । ଏମିତିକି କ୍ୟାପିଟାଲ ହସ୍ପିଟାଲରେ ଏନେଇ ବ୍ୟବସ୍ଥା ଆରମ୍ଭ ହୋଇଯାଇଛି ।

ଆଗକୁ ସାଧାରଣ ନିର୍ବାଚନ ଥିବାରୁ ୧୪୭ଟି ନିର୍ବାଚନ ମଣ୍ଡଳୀରେ ଆମ ହସ୍ପିଟାଲ ଖୋଲିବାକୁ ବଜେଟରେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଖର୍ଚ୍ଚ ହେବ ୭୫୦ କୋଟି ଟଙ୍କା । ସେପଟେ କିନ୍ତୁ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଡାକ୍ତର ଅଭାବ, ମେଡିକାଲ ଭିତ୍ତିଭୂମିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରୋଗୀ ଓ ସମ୍ପର୍କୀୟ । ଏମିତିକି ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍- ଓମ୍‌ସା କହିଛି, ରାଜ୍ୟରେ ୧୦ ହଜାର ୭୧୯ କ୍ୟାଡର ପୋଷ୍ଟ ଥିବା ବେଳେ ମାତ୍ର ୪୦ରୁ ୪୫ ପ୍ରତିଶତ ଡାକ୍ତରରେ କାମ ଚାଲିଛି । ତେଣୁ ସରକାର ଡାକ୍ତରମାନଙ୍କୁ ୨୪ ଘଣ୍ଟା କାମରେ ଖଟାଉଛନ୍ତି । କିନ୍ତୁ ସେହି ହିସାବରେ ସେମାନଙ୍କୁ ଆନୁଷଙ୍ଗିକ ସୁବିଧା ସୁଯୋଗ ମିଳୁନି । ତେଣୁ ସରକାରୀ ଡାକ୍ତରଖାନାରେ କାମ କରିବାକୁ ଚାହୁଁନାହାନ୍ତି ଯୁବ ଡାକ୍ତର ।

ଏସବୁ ଭିତରେ ରାଜ୍ୟରେ ଡାକ୍ତର ଓ ନର୍ସ ପଦବୀ ପୂରଣ ଲାଗି ଚଳିତ ବର୍ଷ ୫ ହଜାର MBBS ଡାକ୍ତର ଓ ୯ ହଜାର ଷ୍ଟାଫ୍ ନର୍ସ ନିଯୁକ୍ତ କରିବାକୁ ବଜେଟ୍‌ରେ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।