• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sukanti Rout

ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ । ଦିନକୁ ଦିନ ପରିସ୍ଥିତି ଅତ୍ୟନ୍ତ ଜଟିଳ ହେବାରେ ଲାଗିଛି । ସୁରକ୍ଷାକର୍ମୀ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଗୁଳି ବିନିମୟ କ୍ରମାଗତ ବଢ଼ୁଛି ସିନା, କମିବାର ନାଁ ନେଉନାହିଁ । ହିଂସା ଯୋଗୁ ମାସକ ମଧ୍ୟରେ ମଣିପୁରରେ ମୋଟ୍‌ ୧୯ ଜଣଙ୍କର ମୃତ୍ୟୁ ହେଲାଣି । ତଥାପି ଚେତୁନାହାନ୍ତି କେହି। ଏପରି କି ଲୋକେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ବିଜେପି ଓ କଂଗ୍ରେସ ଅଫିସରେ ନିଆଁ ଲଗାଇ ଦେଇଛନ୍ତି । ନିଆଁ ଲଗାଇବା ବା ରାସ୍ତାରୋକ କରିବା ସମସ୍ୟାର ସମାଧାନ ନୁହେଁ, ଏହା ଦ୍ବାରା ଉଭୟ ପକ୍ଷର ଲୋକଙ୍କ କ୍ଷତି ହେଉଛି । ଏହାର ସରଳ ସମାଧାନ ବାହାର କରିବାକୁ ସରକାର ରଣନୀତି ପ୍ରସ୍ତୁତ କରିବା ଦରକାର । ଜିରିବାମ୍‌ ଥାନାର ୫୦୦ ମିଟର ମଧ୍ୟରେ ଏହି ହିଂସା ଉପୁଜିଛି । ଥାନାରେ ପୁଲିସ୍‌ ଅଫିସର ଓ ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ଏଥିରେ ରୋକ ଲଗାଇ ପାରୁନାହାନ୍ତି । ଅବଶ୍ୟ ପୁଲିସ୍‌ ହିଂସାକୁ ନିୟନ୍ତ୍ରଣକୁ ଆଣିବାକୁ ଇମ୍ଫାଲ ପୂର୍ବ ଏବଂ ପଶ୍ଚିମ ସମେତ ଅନେକ ଜିଲାରେ କର୍ଫ୍ୟୁ ଜାରି ରହିଛି ଏବଂ ଇଣ୍ଟର‌ନେଟ୍‌ ସେବା ବନ୍ଦ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଣିପୁରରେ ସୁରକ୍ଷା ସ୍ଥିତି ଆକଳନ କରିବା ସହିତ ଘନ ଘନ ବୈଠକ କରୁଛନ୍ତି। ମଣିପୁରରେ ୫ ହଜାରରୁ ଅଧିକ ସିଏପିଏଫ୍‌ ସଦସ୍ୟ ମୁତୟନ ହେଲେଣି । ପୁଲିସ ସଜା ରହିଛି। ଏତେ ସବୁ ପରେ ବି ପରିସ୍ଥିତିରେ ସୁଧାର ଆସିପାରୁନାହିଁ ।

ଅପହୃତଙ୍କ ମୃତଦେହ ମିଳିବା ପରେ ତେଜିଲା ଅସନ୍ତୋଷ

ଜିରିବାମ୍‌ର ଏକ ଶିବିରରୁ ନିଖୋଜ ହୋଇଯାଇଥିବା ୬ ଅପହୃତଙ୍କ ମୃତଦେହ ମିଳିବା ପରେ ଉପତ୍ୟକାରେ ଭଙ୍ଗାରୁଜା ଓ ଜଳାପୋଡ଼ା ଲାଗିରହିଛି । ଇତିମଧ୍ୟରେ ଅନେକ ବିଧାୟକ ଓ ମନ୍ତ୍ରୀଙ୍କ ଘରକୁ ମଧ୍ୟ ବିକ୍ଷୋଭକାରୀ ଟାର୍ଗେଟ କରିଛନ୍ତି । ଏପରି କି ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂଙ୍କ ଘରକୁ ମଧ୍ୟ ଅନୁପ୍ରବେଶ ଉଦ୍ୟମ ହୋଇଛି । ମଣିପୁରର ମେଣ୍ଟ ସରକାରରେ ଭାଗୁଆଳି ଥିବା କନରାଡ୍‌ ସାଙ୍ଗ୍‌ମାଙ୍କ ନେତୃତ୍ୱାଧୀନ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନ୍‌ପିପି) ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିବା ସହ ସମର୍ଥନ ପ୍ରତ୍ୟାହାର କରିଛି । ମଣିପୁରରେ ଗତବର୍ଷ ମେ’ ପରଠୁ ମୋଟ ୨୧୮ ସିଏପିଏଫ୍‌ କମ୍ପାନୀ ମୁତୟନ ହୋଇଛନ୍ତି । ଏଠାରେ ସବୁ ସମୟରେ ହିଂସା ହେଉଥିଲେ ବି ଏହାକୁ ନିୟନ୍ତ୍ରଣକୁ ନ ଆଣି ପାରିବା ସରକାରଙ୍କ ବଡ଼ ବିଫଳତା ବୋଲି ରାଜନୈତିକ ବିଶେଷଜ୍ଞଙ୍କ ମତ ।

ସଙ୍କଟରେ ମଣିପୁର ସରକାର

ବର୍ତ୍ତମାନ ମଣିପୁର ହିଂସା ନିଆଁରେ ଏନ. ବିରେନ ସିଂଙ୍କ ନେତୃତ୍ୱରେ ବିଜେପି ସରକାର ସଙ୍କଟ ଦେଇ ଗତି କରୁଛି। ରାଜ୍ୟର ପରିସ୍ଥିତିର ଆକଳନ ପାଇଁ ସିଏମ ବିରେନ ସିଂଙ୍କ ଅଧ୍ୟକ୍ଷତାରେ ଏଇ ନିକଟରେ ଡକାଯାଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ୩୭ ଜଣ ବିଜେପି ବିଧାୟକଙ୍କ ମଧ୍ୟରୁ ୧୯ ଜଣ ଯୋଗ ଦେଇନଥିଲେ । ଏଥିରେ ସ୍ପଷ୍ଟ ଅନୁମେୟ ଯେ, କେଉଁଠି ନା କେଉଁଠି ବିଜେପି ଉପରେ ସମସ୍ତ ନିର୍ବାଚିତ ନେତା ସନ୍ତୁଷ୍ଟ ନୁହଁନ୍ତି । ମଣିପୁରର କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଜାତି ବିବାଦ ଯୋଗୁଁଁ ମୁଖ୍ୟମନ୍ତ୍ରୀ ବିରେନ୍ ସିଂ ସଙ୍କଟ ଦେଇ କରୁଛନ୍ତି। ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ଅଧ୍ୟକ୍ଷତାରେ ଯେଉଁ ବୈଠକ ହୋଇଥିଲା, ସେଥିରେ ୫୩ ଏନଡିଏ ବିଧାୟକଙ୍କ ମଧ୍ୟରୁ କେବଳ ୨୭ ଜଣ ଯୋଗ ଦେଇଥିଲେ । ଏଥିମଧ୍ୟରୁ ବିଜେପିର ୧୮ ଜଣ ବିଧାୟକ, ଏନ୍‌ପିପି ଏବଂ ଏନ୍‌ପିଏଫ୍‌ର ଚାରିଜଣ ଏବଂ ଜଣେ ସ୍ୱାଧୀନ ବିଧାୟକ ଏହି ସଭାରେ ଭାଗ ନେଇଥିଲେ। ୧୯ ଟି ବିଜେପି ବିଧାୟକ ବୈଠକକୁ ଆସି ନ ଥିଲେ। ଏହି ୧୯ ଜଣ ବିଧାୟକଙ୍କ ଅନୁପସ୍ଥିତି ବିଜେପିକୁ ବି ଚିନ୍ତାରେ ପକାଇଛି ।

ଏତେ ଅସ୍ତ୍ରଶସ୍ତ୍ର କେଉଁଠୁ ଆଣୁଛନ୍ତି ଉଗ୍ରବାଦୀ

ଏତେ ଅସ୍ତ୍ରଶସ୍ତ୍ର ଉଗ୍ରବାଦୀ କେଉଁଠାରୁ ଆଣୁଛନ୍ତି ? ଆଧୁନିକ ଅସ୍ତ୍ରଶସ୍ତ୍ର ଦ୍ବାରା ସେମାନେ ଭାରତୀୟ ସେନାଙ୍କ ସହ କଡ଼ା ମୁକାବିଲା କରୁଛନ୍ତି। ଭାରତୀୟ ସେନାର ରଣନୀତି ପଛରେ ରହିଯିବା ପରି ମନେ ହେଉଛି। କାରଣ ଅନେକ ଥର ଉଗ୍ରବାଦୀ ମଣିପୁର ପୁଲିସଠାରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି । ଏତେ କଟକଣା ମଧ୍ୟରେ ସେମାନେ ଏପରି କିପରି କରିପାରୁଛନ୍ତି। ମଣିପୁରରେ ସକ୍ରିୟ ଥିବା ଉଗ୍ରବାଦୀଙ୍କ ପାଖରେ ପୁଲିସ ପାଖରୁ ଲୁଟ୍ ହୋଇଥିବା ଅସ୍ତ୍ରଶସ୍ତ୍ର ସହିତ ଚୀନ୍, ବାଂଲାଦେଶ ଏବଂ ମିଆଁମାରରୁ ଆସୁଥିବା ଅସ୍ତ୍ରଶସ୍ତ୍ର ରହିଛି । ସେମାନେ ଏସବୁ ଆଧୁନିକ ଅସ୍ତ୍ରଶସ୍ତ୍ର କ୍ରୟ କରୁଛନ୍ତି । ୧ ଜାନୁୟାରୀ ୨୦୨୪ରୁ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ମଣିପୁର ପୁଲିସ ପ୍ରାୟ ୧୬୧ ସ୍ଥାନ ଉପରେ ଚଢ଼ାଉ କରି ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରିଥିଲା । ରିପୋର୍ଟ ଅନୁସାରେ, ଉଗ୍ରବାଦୀ ହିଂସାତ୍ମକ ଆକ୍ରମଣ କରିବା ପାଇଁ ଏମ-୪-ଏ-୧ ସ୍ୱୟଂଚାଳିତ କାର୍ବାଇନ୍ ବ୍ୟବହାର କରୁଛନ୍ତି । ଏହା ୩୦ ରାଉଣ୍ଡ ପର୍ଯ୍ୟନ୍ତ ଗୁଳି ଚାଳନା କରିବାକୁ ସକ୍ଷମ ହୋଇଥାଏ । ସେହିଭଳି ଆମେରିକାର ନିର୍ମିତ କୋଲ୍ଟ ଏଆର-୧୫ ମଧ୍ୟ ଉଗ୍ରବାଦୀଙ୍କ ପାଖରେ ରହିଥିବା ଜଣାପଡ଼ିଛି । ଏହା ୬୦୦ମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାକୁ ସମର୍ଥ। ମଣିପୁରରେ ଉଗ୍ରବାଦୀଙ୍କ ପାଖରେ ଇନସାସ୍, ୭.୬୪ ମିଲିମିଟର ରାଇଫଲ, ଆର୍-୧୫ ସେମି ଅଟୋମେଟିକ୍ ରାଇଫଲ, ଏମଏ-୧, ଏମକେ-୩ ଭଳି ଆଧୁନିକ ବିସ୍ଫୋରକ ସାମଗ୍ରୀ ରହିଛି। ମଣିପୁରର କୁକି ବିଦ୍ରୋହୀମାନେ ଏକେ-୪୭, ଏମ-୪, ଏଚକେ-୪୧୬, ଏମଆଇ-୧୬ ପରି ଆଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛନ୍ତି । ସେମାନେ ବିସ୍ଫୋରଣ ପାଇଁ ଡ୍ରୋନ୍ ମଧ୍ୟ ବ୍ୟବହାର କରୁଛନ୍ତି। ଉଗ୍ରବାଦୀ ବ୍ୟବହାର କରୁଥିବା ଏକେ-୪୭ କିମ୍ବା ଏକେ-୫୬ର ଲକ୍ଷ୍ୟଭେଦ କ୍ଷମତା ୪୦୦ମିଟର ପର୍ଯ୍ୟନ୍ତ ରହିଛି । ଏକେ-୫୬ ଚାଇନାରେ ନିର୍ମିତ ଏବଂ ଏକେ-୪୭ ଭାରତୀୟ ସୈନ୍ୟବାହିନୀ ଦ୍ୱାରା ମଧ୍ୟ ବ୍ୟବହୃତ ହୋଇଥାଏ । ଉଭୟ ରାଇଫଲର ୬୦୦ ରାଉଣ୍ଡ ଧାରଣ କ୍ଷମତା ରହିଛି । ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି ।

ସୁରକ୍ଷିତ ଏବଂ ଶାନ୍ତିରେ ଜିଇଁବାକୁ ପ୍ରୟାସ ଜରୁରୀ

ମଣିପୁରରେ ସ୍ଥିତିରେ ସୁଧାର ଆଣିବାକୁ ରାଜନୀତିରୁ ଊର୍ଦ୍ଧ୍ବରେ ରହି ସବୁ ଦଳ ପ୍ରୟାସ କରିବା ଜରୁରୀ । ଅବଶ୍ୟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପତ୍ର ଲେଖି ତାଙ୍କ ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି । ୧୮ ମାସ ହେଲା ମଣିପୁରରେ ଶାନ୍ତି ଓ ସ୍ବାଭାବିକ ସ୍ଥିତି ଫେରାଇ ହେଉନାହିଁ। ଜନସାଧାରଣଙ୍କ ଦୁଃଖଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ସେମାନେ ଯେପରି ନିଜ ଘରେ ମର୍ଯ୍ୟାଦାର ସହ ଶାନ୍ତିରେ ରହିପାରିବେ, ସେଥିପ୍ରତି ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଚିନ୍ତା କରିବା ସହିତ ଅନ୍ୟମାନଙ୍କର ସହଯୋଗ ଲୋଡ଼ିବାର ସମୟ ଆସିଛି । ବାରମ୍ବାର ଏଠାରେ ହିଂସା ଉପୁଜିଛି, ତଥାପି କିଛି ସୁଫଳ ମିଳୁନାହିଁ। ତେଣୁ ସରକାର ଏହାକୁ ଗୁରୁତର ଭାବେ ବିଚାରକୁ ନେଇ ଜନସାଧାରଣଙ୍କୁ ଶାନ୍ତିରେ ଜିଇଁବାକୁ ଦିଅନ୍ତୁ ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

E-mail id: serveforthenation@gmail.com

OTV is now on Whatsapp

Join and get latest news update delivered to you via whatsapp

Join Now