Advertisment

ଶ୍ରୀଜଗନ୍ନାଥ ସଂସ୍କୃତିକୁ ବେଖାତିର୍; ଅବେଳାରେ ରଥଯାତ୍ରା କରିବ ଇସ୍କନ୍ !

ପୁଣି ଅଦିନରେ ରଥଯାତ୍ରା ଆୟୋଜନ। ଏଥର ଦେଶ ନୁହେଁ, ବିଦେଶରେ। ଆମେରିକାର ହ୍ୟୁଷ୍ଟନରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନର ଅପଚେଷ୍ଟା।

author-image
Sonali Ojha
ଅଦ୍ୟତନ ହୋଇଛି
ISKCON

ISKCON

ପୁଣି ଅଦିନରେ ରଥଯାତ୍ରା ଆୟୋଜନ। ଏଥର ଦେଶ ନୁହେଁ, ବିଦେଶରେ। ଆମେରିକାର ହ୍ୟୁଷ୍ଟନରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନର ଅପଚେଷ୍ଟା। ଅଦିନରେ ରଥଯାତ୍ରା ନକରିବାକୁ ପୂର୍ବ ପ୍ରତିଶ୍ରୁତିରୁ ଓହରି ଏଥର ଆମେରିକାର ହ୍ୟୁଷ୍ଟନରେ ଆସନ୍ତା ନଭେମ୍ବର ୯ ତାରିଖରେ ରଥଯାତ୍ରା ଆୟୋଜନ କରିବାକୁ ଯାଉଛି ଇସ୍କନ। ଯାହାକୁ ନେଇ ରାଜ୍ୟରେ ସୃଷ୍ଟି ହୋଇଛି ଭୀଷଣ ପ୍ରତିକ୍ରିୟା।

Advertisment

ଇସ୍କନର ହ୍ୟୁଷ୍ଟନ୍ ଶାଖା ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ, ଆସନ୍ତା ନଭେମ୍ବର ୩, ରବିବାର ମହାପ୍ରଭୁଙ୍କ ସ୍ନାନଯାତ୍ରା, ନଭେମ୍ବର ୯ତାରିଖ ଶନିବାର ଆମେରିକାନ୍ ଲିଜନ୍ ପାର୍କରେ ତିନିଠାକୁରଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଆଷାଢ଼ ଶୁକ୍ଳ ଦ୍ବିତୀୟା ବଦଳରେ ନିଜକୁ ସୁହାଉଥିବା ଯେକୌଣସି ସମୟରେ ଇସ୍କନର ଏଭଳି ସ୍ନାନଯାତ୍ରା ଓ ରଥଯାତ୍ରାର ଆୟୋଜନକୁ ନେଇ ସୃଷ୍ଟି ହୋଇଛି ତୀବ୍ର ପ୍ରତିକ୍ରିୟା।

ଶ୍ରୀଜଗନ୍ନାଥଙ୍କ ମୂଳପୀଠର ବିଧିବିଧାନକୁ ଭୃକ୍ଷେପ ନକରି ବାରମ୍ବାର ଇସ୍କନର ଏଭଳି ଅଦିନିଆ ରଥଯାତ୍ରାର ଆୟୋଜନର ଅନେକ ଦୃଷ୍ଟାନ୍ତ ରହିଛି। ୨୦୨୦ ଜାନୁଆରୀ ମାସରେ ସବୁ ବିରୋଧ, ପ୍ରତିବାଦକୁ ପରୱା ନକରି ଆଶାଢ଼ ଶୁକ୍ଳ ଦ୍ବିତୀୟା ତିଥି ବଦଳରେ ଶ୍ରୀପଞ୍ଚମୀରେ ମୁମ୍ବାଇରେ ରଥଯାତ୍ରାର ଆୟୋଜନ କରିଥିଲା ଇସ୍କନ ସଂସ୍ଥା। ଏହା ପୂର୍ବରୁ ୨୦୦୭ ଅକ୍ଟୋବରେ ୬ ତାରିଖରେ ଲୁଧିୟାନା, ୨୦୦୭ ଡିସେମ୍ବର ୨୩ତାରିଖରେ ଦିଲ୍ଲୀରେ ବି ଅଦିନରେ ଇସ୍କନ ପକ୍ଷରୁ ରଥଯାତ୍ରା କରାଯାଇଥିଲା।

Advertisment

ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପରେ ଖୋଦ୍ ଗଜପତି ମହାରାଜ ଇସ୍କନର ଏଭଳି ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ବିରୋଧୀ କାର୍ଯ୍ୟକୁ ନେଇ ଉଦବେଗ ପ୍ରକାଶ କରିଆସିଛନ୍ତି। ଏପରିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ନିର୍ଦ୍ଧାରିତ ପୂଣ୍ୟତିଥି ବ୍ୟତିରକେ ଅନ୍ୟ ସମୟରେ ନକରିବାକୁ ଗତ ୨୦୧୯ ସେପ୍ଟେମ୍ବରରେ ଏକ ବାର୍ତ୍ତା ଦେଇଥିଲେ। ଏହାପରେ ଇସ୍କନ ଇଣ୍ଡିଆ ପକ୍ଷରୁ ବି ଏକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

ଯେଉଁ ତିଥିରେ ରଥଯାତ୍ରା ପଡ଼ୁଛି ସେହି ତିଥି ବ୍ୟତିରେକ ଅନ୍ୟ ସମୟରେ ରଥଯାତ୍ରା ନକରିବାକୁ ସଂକଳ୍ପ କରାଯାଇଥିଲା। ଏନେଇ ଗତ ୨୦୨୧ ଅଗଷ୍ଟ ମାସରେ ଇସ୍କନ ପକ୍ଷରୁ ଚିଠି ଲେଖି ଗଜପତି ମହାରାଜାଙ୍କୁ ଅବଗତ ବି କରାଯାଇଥିଲା। ହେଲେ ଏହା ସତ୍ତ୍ବେ ବି ଇସ୍କନ ପକ୍ଷରୁ ପୁଣି କିଭଳି ଏଭଳି ଆସ୍ପର୍ଦ୍ଧା କରାଯାଉଛି ।ତେବେ ଇସ୍କନ ପକ୍ଷରୁ ହୋଇଥିବା ସଂକଳ୍ପକୁ ତାଙ୍କର ଆମେରିକାରେ ଥିବା ଶାଖା ଖାତିର କରୁନାହାନ୍ତି କି ବୋଲି ପ୍ରଶ୍ନ ଉଠିଛି।

ଏନେଇ ଓଡ଼ିଶା ଇସ୍କନ ସଂସ୍ଥା ପକ୍ଷରୁ ପ୍ରତିକ୍ରିୟା ମିଳି ପାରି ନଥିଲା ବେଳେ, ଶ୍ରୀମନ୍ଦିର ପ୍ରଶାସନ, ଗଜପତି ମହାରାଜ ଓ ଶଙ୍କରାଚାର୍ଯ୍ୟ ଏଭଳି ଅଦିନିଆ ରଥଯାତ୍ରା ରୋକିବା ଦିଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି ଉଠିଛି। ଏଥିସହ ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟ ଓ ଓଡ଼ିଆ ସୋସାଇଟି ଗୁଡ଼ିକ ମଧ୍ୟ ଇସ୍କନ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଅଦିନିଆ ରଥଯାତ୍ରାରୁ ସଂସ୍ଥାକୁ ନିବୃତ କରାଇବା ଦିଗରେ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଇଛି।

Ratha Jatra ISKCON ISKCON Rath Yatra
Advertisment
Advertisment