• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜନୀତି, ସାହିତ୍ୟ, ମନୋରଞ୍ଜନ ଓ ବ୍ୟବସାୟ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବହୁ ସୁନାମଧନ୍ୟ ବ୍ୟକ୍ତିବିଶେଷ ବର୍ଷ ୨୦୨୨ରେ ଦୁନିଆକୁ ଅଲବିଦା କହିଛନ୍ତି। ଯେଉଁମାନେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣାର ସ୍ରୋତ ଥିଲେ, ସେମାନେ ଆଉ ଆମ ଗହଣରେ ନାହାଁନ୍ତି । ‘ମେଲୋଡି ରାଣୀ’ ଲତା ମଙ୍ଗେଶକରଙ୍କ ଠାରୁ ଆରମ୍ଭ କରି କୁଇନ୍ ଏଲିଜାବେଥ୍ ଦ୍ୱିତୀୟ , ମିହିର ଦାସଙ୍କ ପରି ଅନେକ ବ୍ୟକ୍ତିତ୍ୱ ଦୁନିଆ ଛାଡ଼ି ଚାଲିଯାଇଛନ୍ତି । ଚାଲନ୍ତୁ ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତତ୍ୱଙ୍କ ସ୍ମୃତିର ରୋମନ୍ଥନ କରିବା...।  

କୁଇନ୍ ଏଲିଜାବେଥ୍ ଦ୍ୱିତୀୟ

କୁଇନ୍ ଏଲିଜାବେଥ୍ ଦ୍ୱିତୀୟ (୨୧ ଏପ୍ରିଲ ୧୯୨୬ - ୮ ସେପ୍ଟେମ୍ବର ୨୦୨୨ ) । ଦୀର୍ଘ ୭୦ ବର୍ଷ ଧରି ସେ ବ୍ରିଟେନର ଶାସନ ଗାଦିରେ ବସିଥିଲେ । ୧୯୫୨ ମସିହାରେ ବ୍ରିଟେନର ରାଣୀ ହୋଇଥିଲେ କୁଇନ୍ ଏଲିଜାବେଥ୍ ଦ୍ୱିତୀୟ । ୧୯୫୩ରେ ତାଙ୍କର ବିଧିବଦ୍ଧ ରାଜ୍ୟାଭିଷେକ ହୋଇଥିଲା କମନୱେଲ୍ଥର କୁଇନ୍ ଭାବରେ । ନିଜ ଶାସନକାଳରେ ୩୨ଟି ରାଷ୍ଟ୍ରର ରାଣୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ କୁଇନ୍ ଏଲିଜାବେଥ୍ ଦ୍ୱିତୀୟ । ବ୍ୟକ୍ତିଗତ ଜୀବନ କଥା କହିଲେ, ଉଭୟ ସମ୍ଭ୍ରମ ଓ ମଜାକିଆ ଥିଲେ ରାଣୀ ଏଲିଜାବେଥ୍ ଦ୍ୱିତୀୟ ।

ସିଞ୍ଜୋ ଆବେ 

ସିଞ୍ଜୋ ଆବେ (୨୧ ସେପ୍ଟେମ୍ବର ୧୯୫୪-୮ ଜୁଲାଇ ୨୦୨୨) । ସିଞ୍ଜୋ ଆବେ ଜଣେ ଆକ୍ରମଣାତ୍ମକ ନେତା ଭାବରେ ମାନ୍ୟତା ପାଇଛନ୍ତି । ସେ ଲଗାତାର ୭ ବର୍ଷ ୬ ମାସ ଜାପାନର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ଜାପାନର ପ୍ରଭାବଶାଳୀ ରାଜନୈତିକ ପରିବାରରୁ ଆସିଥିଲେ । ତାଙ୍କ ଜେଜେବାପା କୌନା ଆବେ ଓ ପିତା ସିନ୍ତାରୋ ଆବେ ମଧ୍ୟ ଜାପାନର ବହୁ ଲୋକପ୍ରିୟ ନେତା ଥିଲେ ।

ମୁଲାୟମ ସିଂହ ଯାଦବ

ମୁଲାୟମ ସିଂହ ଯାଦବ (୨୨ ନଭେମ୍ବର ୧୯୩୯ - ୧୦ ଅକ୍ଟୋବର ୨୦୨୨) । ଜଣେ ଭାରତୀୟ ରାଜନେତା ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ଥିଲେ । ସେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ କ୍ରମାଗତ ତିନି ଥର କାର୍ଯ୍ୟ କରିଥିଲେ ଏବଂ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ଉତ୍ତର ପ୍ରଦେଶ ବିଧାନସଭାକୁ ବିଧାୟକ ଭାବରେ ୧୦ ଥର ଏବଂ ସାଂସଦ ଭାବରେ ୭ ଥର ନିର୍ବାଚିତ ହୋଇଥିଲେ । ୨୦୨୨ ମସିହାରେ ତାଙ୍କର ମୃତ୍ୟୁ ବେଳକୁ ତସେ ମୈନପୁରୀର ସାଂସଦ ଭାବରେ କାର୍ଯ୍ୟରତ ଥିଲେ । ତାଙ୍କୁ ତାଙ୍କ ଦଳର ନେତା ତଥା କର୍ମୀମାନେ ନେତାଜୀ ଭାବରେ ସମ୍ବୋଧିତ କରୁଥିଲେ ।

ଲତା ମଙ୍ଗେସକର

ଲତା ମଙ୍ଗେସକର (୨୮ ସେପ୍ଟେମ୍ବର ୧୯୨୯ – ୬ ଫେବୃଆରୀ ୨୦୨୨) । ଭାରତର ଜଣେ ପ୍ରଚ୍ଛଦପଟ୍ଟ ଗାୟିକା ଓ ସଙ୍ଗୀତ ଜଗତର ଜଣେ ଜୀବନ୍ତ କିମ୍ବଦନ୍ତୀ ଥିଲେ । ୭ ଦଶନ୍ଧି ଧରି ସଙ୍ଗୀତ ଦୁନିଆରେ ତାଙ୍କର ରାଜୁତି ରହିଛି । ୨୦ଟି ଭାଷାରେ ୨୫ ହଜାରରୁ ଅଧିକ ଗୀତ ଗାଇଥିଲେ ଭାରତ ରତ୍ନ ଲତା ମଙ୍ଗେସକର । ୭ ଦଶନ୍ଧି ଧରି ବଲିଉଡ୍‌ରେ ତାଙ୍କର ଦବଦବା ରହିଥିଲା। ରୋମାଣ୍ଟିକ ହେଉ କି ଦର୍ଦ ଭରା ସଂଗୀତ, ଯାହା ଗାଇ ଦିଅନ୍ତି, ଲୋକଙ୍କୁ ସେ ପାଗଳ କରିଦିଅନ୍ତି।

ଶିବକୁମାର ଶର୍ମା

ଶିବକୁମାର ଶର୍ମା (୧୩ ଜାନୁଆରୀ ୧୯୩୮-୧୦ ମେ ୨୦୨୨) ଜଣେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଓ ସନ୍ତୁର ବାଦକ ଥିଲେ । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ସନ୍ତୁର ବାଦ୍ୟଯନ୍ତ୍ରର ବ୍ୟବହାର ଆରମ୍ଭ କରିଥିଲେ । ପଣ୍ଡିତ ହରିପ୍ରସାଦ ଚୌରାଶିଆଙ୍କ ସହ ମିଶି ସେ ଶିବ-ହରି ନାମରେ ଅନେକ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ ।

ସିଦ୍ଧୁ ମୁସେୱାଲା

ଶୁଭଦୀପ ସିଂ ସିଦ୍ଧୁ (୧୧ ଜୁନ୍ ୧୯୯୩ - ୨୯ ମଇ ୨୦୨୨ ) । ସେ ଏକ ପଞ୍ଜାବୀ ଶିଖ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଶୁଭଦୀପ ସିଂ ସିଦ୍ଧୁ, ସିଦ୍ଧୁ ସିଦ୍ଧୁ ମୁସେୱାଲା ନାମରେ ଅଧିକ ଜଣାଶୁଣା । ପଞ୍ଜାବୀ ସଙ୍ଗୀତ, ସିନେମା ସହିତ ଜଡିତ ଜଣେ ଭାରତୀୟ ଗାୟକ, ରାପର୍, ଅଭିନେତା ତଥା ରାଜନେତା ଥିଲେ । ସେ ନିଞ୍ଜାଙ୍କ "ଲାଇସେନ୍ସ" ଗୀତର ଲିରିକ୍ସ ଲେଖିବା ସହ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ "ଜି ୱାଗନ୍" ଯୁଗଳରେ ତାଙ୍କର ଗୀତ ଗାଇବା ଆରମ୍ଭ କରିଥିଲେ । ମେ 29 ରେ ପଞ୍ଜାବର ମାନସା ଜିଲ୍ଲାରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ହତ୍ୟା ହେବାର କିଛି ଦିନ ପୂର୍ବରୁ ସିଦ୍ଧୁ ମୁସେୱାଲାଙ୍କ ସୁରକ୍ଷା ହଟାଯାଇଥିଲା ।

ସାଇରସ୍ ମିସ୍ତ୍ରୀ

ସାଇରସ୍ ମିସ୍ତ୍ରୀ( ୪ ଜୁଲାଇ, ୧୯୬୮- ୪ ସେପ୍ଟେମ୍ବର ୨୦୨୨ ) ସାଇରସ୍ ମିସ୍ତ୍ରୀ ହେଉଛନ୍ତି ସାପୁରଜି ପାଲୋନଜି ଗ୍ରୁପ୍ ବ୍ୟବସାୟିକ ପରିବାରର ଆରବପତି ଉଦ୍ୟୋଗପତି । ୧୯୯୧ରେ ପରିଚାଳନା ନିର୍ଦ୍ଦେଶକ ଭାବେ ସେ ସାପୁରଜି ପାଲୋନଜି ଗ୍ରୁପରେ ଯୋଗ ଦେଇଥିଲେ । ପରେ ୨୦୧୨ରେ ସେ ଟାଟା ଗ୍ରୁପର ଅଧ୍ୟକ୍ଷ ଭାବେ ପଦ ସମ୍ଭାଳିବା ପରେ ଏସପି ଗ୍ରୁପର କାମକାର୍ଯ୍ୟ ଠାରୁ ନିଜକୁ ଦୂରେଇ ରଖିଥିଲେ । ମାତ୍ର ୨୦୧୬ ଅକ୍ଟୋବରରେ ବିବାଦୀୟ ପରିସ୍ଥିତିରେ ତାଙ୍କୁ ଟାଟା ଗ୍ରୁପର ଅଧ୍ୟକ୍ଷ ପଦରୁ ହଟାଯାଇଥିଲା । ଟାଟା ଗ୍ରୁପର ଷଷ୍ଠ ଚେୟାରମ୍ୟାନ୍ ଥିଲେ ସାଇରସ୍ ଏବଂ ଟାଟାର ଅଧ୍ୟକ୍ଷ ଭାବେ ଦ୍ୱିତୀୟ ଚେୟାରମ୍ୟାନ୍ ଥିଲେ ଯାହାଙ୍କର ସରନେମ୍ ଟାଟା ନଥିଲା । ତେବେ ଏକ ସଡକ ଦୁର୍ଘଟଣାରେ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା ।

ରାକେଶ ଝୁନଝୁନୱାଲା

ରାକେଶ ଝୁନଝୁନୱାଲା(୧୫ ଜୁଲାଇ ୧୯୬୦-୧୪ ଅଗଷ୍ଟ ୨୦୨୨ ) । ସେୟାର ମାର୍କେଟ୍‌ର ବେତାଜ୍‌ ବାଦ୍‌ଶାହ ଥିଲେ ରାକେଶ ଝୁନଝୁନୱାଲା । ଜଣେ ଷ୍ଟକ ଟ୍ରେଡର ଓ ଇନଭେଷ୍ଟର ଭାବେ ସାରା ବିଶ୍ୱରେ ତାଙ୍କର ବେଶ ସୁଖ୍ୟାତି ରହିଥିଲା । ଫୋର୍ବସ ତାଲିକା ଅନୁସାରେ ୫.୫ ବିଲିଅନ ଡଲାର ସଂପତ୍ତିର ମାଲିକ ଥିଲେ ଝୁନ୍‌ଝୁନ୍‌ୱାଲା । ବିଶ୍ୱର ଅର୍ଥନୀତି ପ୍ରତି ତାଙ୍କର ଅବଦାନ ଅନେକ ରହିବା ସହ ଭାରତର ପ୍ରଗତି ପ୍ରତି ତାଙ୍କର ଅବଦାନ ଅତୁଳନୀୟ ।

ରାଜୁ ଶ୍ରୀବାସ୍ତବ

ସତ୍ୟ ପ୍ରକାଶ ଶ୍ରୀବାସ୍ତବ (୨୫ ଡିସେମ୍ବର ୧୯୬୩ - ୨୧ ସେପ୍ଟେମ୍ବର ୨୦୨୨) ଜଣେ ଭାରତୀୟ ହାସ୍ୟ ଅଭିନେତା ଯିଏକି ରାଜୁ ଶ୍ରୀବାସ୍ତବ ଭାବରେ ଜଣାଶୁଣା ଥିଲେ । ସେ ଅଭିନେତା ଭାବରେ କିଛି ଧାରାବାହିକରେ ଖଳନାୟକ ଭାବରେ କାମ କରିବା ସହିତ ଭାରତୀୟ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ । ସେ ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍‌ଟର୍ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମ ଜରିଆରେ ଲୋକପ୍ରିୟତା ପାଇଥିଲେ ମଧ୍ୟ ଏଥିରେ ବିଜୟୀ ହୋଇପାରିନଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ସେହିଭଳି ଅନ୍ୟ ଏକ କାର୍ଯ୍ୟକ୍ରମ ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍‌ଟର୍ ଚ୍ୟାଲେଞ୍ଜ - ଚାମ୍ପିଅନ୍ସରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ସେ "ଦି କମେଡ଼ି କିଙ୍ଗ୍" ଭାବରେ ବିଜୟୀ ହୋଇଥିଲେ ।

ବିଷ୍ଣୁ ସେଠୀ

ବିଷ୍ଣୁ ସେଠୀ(୫ ଜୁନ୍ ୧୯୬୧- ୧୯ ସେପ୍ଟେମ୍ବର ୨୦୨୨) ଓଡ଼ିଶା ରାଜନୀତିର ଦକ୍ଷ ରାଜନେତା । ଏକାଧାରରେ ସେ ଜଣେ ରାଜନେତା ଓ ସାହିତ୍ୟିକ ଥିଲେ । ସେ ୨୦୦୦ରୁ ୨୦୦୪ ଯାଏ ଚାନ୍ଦବାଲି ବିଧାନସଭା ଆସନରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ । ୨୦୦୬ରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ କରାଯାଇଥିଲା । ପରେ ସେ ୨୦୧୯ରେ ଧାମନଗର ଆସନରୁ ଜିତି ବିଧାୟକ ହୋଇଥିଲେ । ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରୁଥିଲେ ବିଷ୍ଣୁ । ଏତିକିରେ ସୀମିତ ନଥିଲା ବିଷ୍ଣୁଙ୍କ ପରିଚୟ । ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ତାଙ୍କର ଥିଲା ସୁନାମ । ବିଶେଷ ଖବର, ଘାସଫୁଲ, ଶିରୋନାମା ଶିରୋଧାର୍ଯ୍ୟ ଭଳି ଏକାଧିକ ମାଗାଜିନର ଦାୟିତ୍ୱ ସମ୍ଭାଳିଥିଲେ ବିଷ୍ଣୁ । ସେହିପରି ସେ ନିରାମୟ ଆକାଶ ତଳେ ଓ ନିଶ୍ୱ ମାଟିର ସ୍ୱର ନାମକ ଦୁଇଟି କାବ୍ୟ ପୁସ୍ତକର ରଚୟିତା ଥିଲେ ।

ରିପୁନାଥ ସେଠ୍‌

ରିପୁନାଥ ସେଠ (୨୭ ଅକ୍ଟୋବର ୧୯୫୮ - ୨୮ ମାର୍ଚ୍ଚ ୨୦୨୨) । ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ବୀଣାପାଣି ମହାନ୍ତି

ବୀଣାପାଣି ମହାନ୍ତି (୧୧ ନଭେମ୍ବର ୧୯୩୬ - ୨୪ ଅପ୍ରେଲ ୨୦୨୨ ) ।  ଓଡ଼ିଶାର ଜଣେ ପ୍ରଖ୍ୟାତ ଗାଳ୍ପିକ । ବୀଣାପାଣି ମହାନ୍ତି ବୃତ୍ତିରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ । ସେ ପାଟଦେଇ, ତୃତୀୟ ପାଦ, ଅର୍ଘ୍ୟ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ, ବସ୍ତ୍ର ହରଣ, ଏକାକୀ ପରାଶର, ନବତରଙ୍ଗ, ମଧ୍ୟାନ୍ତର, ବହ୍ନିବଳୟ, ଉତ୍ତରାୟଣ ଭଳି ୩୪ଟି ଗଳ୍ପ ସଂକଳନ ଲେଖିଛନ୍ତି। ଏହାଛଡ଼ା ସୀତାର ଶୋଣିତ, ମନସ୍ୱିନୀ ଓ କୁନ୍ତି କୁନ୍ତଳା ଶକୁନ୍ତଳା ଭଳି ଉପନ୍ୟାସ ଲେଖି ବେଶ୍ ଚର୍ଚ୍ଚା ସାଉଁଟି ଥିଲେ। । ୨୦୨୦ ମସିହାରେ ତାଙ୍କର ଆଜୀବନ ସାହିତ୍ୟିକ କୃତି ନିମନ୍ତେ ସେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ପୁରସ୍କୃତ ହୋଇଥିଲେ ।  ।

ଝରଣା ଦାସ

ଝରଣା ଦାସ( ୧୯୪୫ - ୦୧ ଡିସେମ୍ବର ୨୦୨୨) । ଜଣେ ଓଡ଼ିଆ ସିନେ ଅଭିନେତ୍ରୀ ଭାବେ ସେ ବେଶ୍ ଜଣାଶୁଣା ଥିଲେ । ଆକାଶବାଣୀ ସହିତ ଉଭୟ ମଞ୍ଚ ଓ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ତାଙ୍କର ପ୍ରଭାବଶାଳୀ ଅଭିନୟ ତାଙ୍କୁ ଘରେ ଘରେ ଲୋକପ୍ରିୟ କରାଇ ପାରିଥିଲା । ବେତାରରୁ କ୍ୟାରିୟର୍‌ ଆରମ୍ଭ କରିଥିଲେ ଏହି ସ୍ୱନାମଧନ୍ୟ ଅଭିନେତ୍ରୀ । ତାଙ୍କର ଚମତ୍କାର ସ୍ୱର ଓ ବଳିଷ୍ଠ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖୁଥିଲା । ସେ କଟକ ଦୂରଦର୍ଶନ କେନ୍ଦ୍ରର ସହକାରୀ କାର୍ଯ୍ୟନିର୍ଦ୍ଦେଶିକା ଓ କଲିକତା ଦୂରଦର୍ଶନ କେନ୍ଦ୍ରର କେନ୍ଦ୍ର-ନିର୍ଦ୍ଦେଶକ ଭ।ବରେ ମଧ୍ୟ କାମ କରିଥିଲେ ।

ମିହିର ଦାସ

ମିହିର ଦାସ (୧୧ ଫେବୃଆରୀ ୧୯୫୯–୧୧ଜାନୁଆରୀ ୨୦୨୨) ଓଡ଼ିଆ ସିନେମାର ଜଣେ ଚର୍ଚ୍ଚିତ ଅଭିନେତା ଥିଲେ । ସେ ତିନି ଦଶକରୁ ଅଧିକ କାଳ ଧରି ନାୟକ, ଚରିତ୍ର, ଖଳନାୟକ ଓ ହାସ୍ୟ ଅଭିନେତା ଭାବରେ ଅନେକ ସିନେମାରେ ଅଭିନୟ କରିଥିଲେ । ସେ ଅନେକ ପୁରସ୍କାର ପାଇଥିଲେ, ବିଶେଷ କରି ଓଡ଼ିଶା ରାଜ୍ୟ ସରକାରଙ୍କଠାରୁ ୧୯୯୮ରେ ଲକ୍ଷ୍ମୀ ପ୍ରତିମା ଓ ୨୦୦୫ରେ ଫେରିଆ ମୋ ସୁନା ଭଉଣୀ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା, ଏବଂ ୨୦୦୨ରେ ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ ଏବଂ ପ୍ରେମ ଅଢ଼େଇ ଅକ୍ଷର ପାଇଁ ଶ୍ରେଷ୍ଠ ସହ-ଅଭିନେତା ପୁରସ୍କାର ପାଇଥିଲେ ।

ରାଇମୋହନ ପରିଡ଼ା

ରାଇମୋହନ ପରିଡ଼ା (୧୦ ଜୁଲାଇ ୧୯୬୩ - ୨୪ ଜୁନ ୨୦୨୨) ଓଡ଼ିଆ ସିନେ ଓ ଯାତ୍ରା ଜଗତର ଜଣେ ଲୋକପ୍ରିୟ ଅଭିନେତା । ଖଳନାୟକ ଭାବେ ତାଙ୍କର ଅଭିନୟ ଲୋକଙ୍କୁ ବେଶ୍‌ ଛୁଇଁଥିଲା । ୧୯୮୪ ମସିହାରେ ଗଙ୍ଗଶିଉଳି ଚଳଚ୍ଚିତ୍ର ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ଯାତ୍ରା ଜଗତର ଅନେକ ନାଟକର ନିର୍ଦ୍ଦେଶନା ଦେବା ସହିତ କିଛି ଯାତ୍ରାପାର୍ଟିରେ ମଧ୍ୟ ଅଭିନୟ କରିଥିଲେ । ତେବେ ୨୪ ଜୁନ ୨୦୨୨ରେ ତାଙ୍କର ଆତ୍ମହତ୍ୟା ସିନେପ୍ରେମୀଙ୍କୁ ଗଭୀର ଆଘାତ ଦେଇଥିଲା।