Advertisment

Kumar Purnami 2025: ଝିଅମାନେ କାହିଁକି କରନ୍ତି କୁଆଁର ପୂନେଇଁ? ଭୁଲରେ ସୁଦ୍ଧା ଏହି ଓଷାକୁ ଥଟ୍ଟା କରନ୍ତୁ ନାହିଁ, ନହେଲେ…

ପୁରାଣ କାହାଣୀ ଅନୁସାରେ ତୁଳସୀ ଦେବୀ ଜଣେ ପରମ ପତିବ୍ରତା ନାରୀ ଥିଲେ। ତାଙ୍କର ପତିବ୍ରତା ଗୁଣ ଯୋଗୁଁ ହିଁ ତାଙ୍କୁ ବୃକ୍ଷ ରୂପରେ ପୂଜା ପାଇବାର ବର ମିଳିଥିଲା। ଯୁଗେ ଯୁଗେ କୁମାରୀମାନେ ଉତ୍ତମ ବର ପାଇବା ପାଇଁ ଓ ବିବାହିତା ନାରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି ପାଇଁ ଚଉରା ପୂଜା କରି ଆସିଛନ୍ତି।

author-image
Sarojini Sankhua
Kumar Purnami 2025

କୁମାର ପୂର୍ଣ୍ଣମୀ ୨୦୨୫ Photograph: (OTV)

ଓଡ଼ିଆ ଘରେ ବାରମାସରେ ତେର ପର୍ବ ପାଳନ କାହିଁ କେଉଁ ଆଦିମ କାଳରୁ ପାଳିତ ହେଇ ଆସୁଛି। ଓଡ଼ିଆ ନାରୀ ସ୍ୱାମୀ, ସନ୍ତାନ, ପରିବାର ପାଇଁ କେତେ କେତେ ଓଷା ମନାସିଚି ବ୍ରତ ପାଳିଛି। ସଭିଙ୍କ ମଙ୍ଗଳ କାମନା କରି ଓଷା ବ୍ରତ କରିବା ସତେ ଯେମିତି ତାର ରକ୍ତଗତ ପ୍ରକୃତି। କେବଳ ବିବାହିତ ନାରୀ କାହିଁକି, ଅବିବାହିତ ଓଡ଼ିଆ ଝିଅମାନେ ବି ଅନେକ ପ୍ରକାରର ଓଷା ପାଳନ କରନ୍ତି ପରିବାରର ସୁଖ ଶାନ୍ତି ତଥା ଭବିଷ୍ୟତର ଜୀବନ ପାଇଁ।

Advertisment

କୁମାର ପୂର୍ଣ୍ଣିମା ସେହିପରି କୁମାରୀ କନ୍ୟା ପାଳନ କରୁଥିବା ଏକ ପ୍ରସିଦ୍ଧ ଓଷା। ଆଶ୍ୱିନ ପୂର୍ଣ୍ଣିମା ଦିନ କୁମାରୀମାନେ ତୁଳସୀ ଦେବୀଙ୍କ ନିକଟରେ ଏହି ଓଷା ପାଳନ କରନ୍ତି। ଗୀତ, ଖେଳ, ହୁଳ ହୁଳିରେ ଶାରଦୀୟ ସନ୍ଧ୍ୟା ଉଛୁଳି ଉଠେ। ଏହି ଦିନ କୁମାରୀମାନେ ସୁନ୍ଦର ବର ପାଇବାର କାମନା ରଖି କୁମାର କାର୍ତ୍ତିକେୟଙ୍କୁ ଆରାଧନା କରିବା ସ‌ହ ଜହ୍ନ ପୂଜା କରିଥାନ୍ତି। ସନ୍ଧ୍ୟା ସମୟରେ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରିଥାନ୍ତି।

ପୁରାଣ କାହାଣୀ ଅନୁସାରେ ତୁଳସୀ ଦେବୀ ଜଣେ ପରମ ପତିବ୍ରତା ନାରୀ ଥିଲେ। ତାଙ୍କର ପତିବ୍ରତା ଗୁଣ ଯୋଗୁଁ ହିଁ ତାଙ୍କୁ ବୃକ୍ଷ ରୂପରେ ପୂଜା ପାଇବାର ବର ମିଳିଥିଲା। ଯୁଗେ ଯୁଗେ କୁମାରୀମାନେ ଉତ୍ତମ ବର ପାଇବା ପାଇଁ ଓ ବିବାହିତା ନାରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି ପାଇଁ ଚଉରା ପୂଜା କରି ଆସିଛନ୍ତି। ତେଣୁ କୁମାର ପୂର୍ଣ୍ଣିମାରେ ମଧ୍ୟ ଚଉରା ପୂଜା କରାଯାଇଥାଏ।

Advertisment

ସେହିପରି ଭଗବାନ ଶିବଙ୍କର ପୁଅ କୁମାର କାର୍ତ୍ତିକେୟ ଈଶ୍ୱରମାନଙ୍କ ମଧ୍ୟରେ ସବୁଠାରୁ ସୁନ୍ଦର ବୋଲି ପୁରାଣ କୁହେ। ସେ ଏହି ଦିନ ତାଡ଼କାସୁର ସ‌ହିତ ଯୁଦ୍ଧ ଆରମ୍ଭ କରିଥିଲେ। ତାଡ଼କାସୁରକୁ ପରାଜିତ କରିଥିବାରୁ ତାଙ୍କୁ ଯୁଦ୍ଧର ଦେବତା ଭାବେ ମଧ୍ୟ ଜଣାଯାଏ। ସେହି କୁମାର କାର୍ତ୍ତିକେୟଙ୍କ ପରି ସୁନ୍ଦର ଓ ସୁପୁରୁଷକୁ ସ୍ୱାମୀ ରୂପେ ପାଇବା ପାଇଁ କୁମାରୀ ମାନେ ଏ ଓଷା କରନ୍ତି।

ଓଷା ପଛର କାହାଣୀ

ଆଶ୍ୱିନମାସ ତିରିଶ ଦିନ ଯାଏ ବାଳୁତ ଝିଅମାନେ ଏକମେଳ ହୋଇ ତୁଳସୀ ଚଉରା ମୂଳରେ ଜହ୍ନି ଫୁଲରେ କୋଠି କାଟି ଓଷା କରନ୍ତି। ଲିଆ ଉଖୁଡା ଆଦି ଭୋଗ ଲଗାନ୍ତି। ଚଉରା ଉପରେ ଜହ୍ନି ଫୁଲରେ ଆଞ୍ଜୁଳି ଦିଅନ୍ତି। ଦିନେ ମହାରାଷ୍ଟ୍ର ଦେଶରେ ଜମ୍ବୁବତୀ ବୋଲି ଜଣେ ନାରୀ ଏହି ଓଷାକୁ ଥଟ୍ଟା କଲା। ଝିଅମାନେ ପିଠା ଖାଇବା ଓ ନୂଆ ଲୁଗା ପିନ୍ଧିବା ପାଇଁ  ଏହି ଓଷା କରୁଛନ୍ତି ବୋଲି କହିଲା। ଫଳରେ ବୃନ୍ଦାବତୀ ରାଗିଗଲେ। ଗୋଟିଏ  ସାପ ଜମ୍ବୁବତୀର ଶୋଇଥିବା ପୁଅକୁ ଦଂଶନ କଲା।

ମୃତ ପୁଅକୁ ଧରି ବାହୁନୁଥିବା ସମୟରେ ତା'ର ସ୍ଵାମୀ ମହେଶ୍ୱର ଆସି ପହଞ୍ଚିଲା। ଜମ୍ବୁବତୀ ତାକୁ କହିଲା ଯେ, କୁଆଁରୀ ଝିଅମାନେ କରୁଥିବା ଓଷାକୁ ନିନ୍ଦା କରିବାରୁ ବୃନ୍ଦାବତୀ ରାଗିଛନ୍ତି, ଯେଉଁଥି ପାଇଁ ତାଙ୍କ ପୁଅର ମୃତ୍ୟୁ ହୋଇଛି। ଏପରି ଘଟିଥିବାର ଜାଣି ମହେଶ୍ୱର ଓ ଜମ୍ବୁବତୀ ଯାଇ ବୃନ୍ଦାବତୀଙ୍କୁ ପ୍ରାର୍ଥନା କଲେ। ନାନା କାକୁତିମିନତି ହେବା ପରେ ବୃନ୍ଦାବତୀ ସନ୍ତୁଷ୍ଟ ହେଲେ ଏବଂ ତା'ର ମୃତ ପୁଅକୁ ପୁନର୍ଜନ୍ମ ଦେଲେ।

ଓଷା ବିଧି ଓ ଆଞ୍ଜୁଳା ଟେକା

ଏହି ଦିନ ଘରର ଝିଅମାନେ ଭୋର୍‌ରୁ ଉଠି ସ୍ନାନାଦି ନିତ୍ୟକର୍ମ ସାରିବା ପରେ ନୂଆ ଲୁଗା ପିନ୍ଧିଥାନ୍ତି। ଏହାପରେ ସେମାନେ ଆଞ୍ଜୁଳାରେ ସାତ ପ୍ରକାରର ଫଳ ବା ଲିଆ ଓ ଜହ୍ନି ନେଇ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି । ଏହା ହେଉଛି ଏ ଓଷାର ଆଞ୍ଜୁଳା ଟେକା ବିଧି। ତେବେ ଓଡ଼ିଶାର କେତେକ ଅଞ୍ଚଳରେ ଏହି ଆଞ୍ଜୁଳା ଟେକା ବିଧି ପାଳନ କରାଯାଏ ନାହିଁ। 

ଚାନ୍ଦ ବନ୍ଦା

ଏହି ପର୍ବରେ କୁମାରୀମାନେ ଦିନସାରା ଉପବାସ କରିଥାନ୍ତି। ସନ୍ଧ୍ୟା ସମୟରେ  ନୂତନ ବସ୍ତ୍ର ପରିଧାନ କରି ଜହ୍ନ ଓ ତୁଳସୀ ଚଉରାଙ୍କୁ ପୂଜା କରିଥାନ୍ତି। କୁମାର ପୂର୍ଣ୍ଣିମାର କିଛିଦିନ ପୂର୍ବରୁ ଚଉରାକୁ ଭଲ ଭାବରେ ସଫା କରି ରଙ୍ଗ କରାଯାଇଥାଏ। ପୂର୍ଣ୍ଣିମାର ସାତ ଦିନ ବା ପାଞ୍ଚ ଦିନ ପୂର୍ବରୁ ଚଉରାରେ କଇଁ ଫୁଲରେ ଚିତ୍ର କରାଯାଏ। କୁମାର ପୂର୍ଣ୍ଣିମା ଦିନ ସନ୍ଧ୍ୟାରେ ଚଉରା ଆଗରେ ମୁରୂଜରେ ବିଭିନ୍ନ ପ୍ରକାର ଚିତ୍ର କରାଯାଇଥାଏ।

କେତେକ ଅଞ୍ଚଳରେ ଚୂନରେ ଜହ୍ନର ଚିତ୍ର ଅଙ୍କା ଯାଇଥାଏ। ତେବେ ଏହି ଓଷାରେ ଚଉରାକୁ ସଜାଇବାରେ ମୁଖ୍ୟତଃ କଇଁ ଫୁଲ ବ୍ୟବ‌ହାର କରାଯାଇଥାଏ। ଚନ୍ଦ୍ର ଉଦୟ ହେଲେ କଇଁ ଫୁଟିଥାଏ। ଏହି ପର୍ବରେ ଚନ୍ଦ୍ରଙ୍କ ପୂଜା କରାଯାଉଥିବାରୁ ଏଥିରେ କଇଁ ଫୁଲ ବିଶେଷ ଭାବରେ ବ୍ଯବହାର ହୁଏ। ଏହି ଦିନ ତୁଳସୀ ଗଛରେ ନାଲି ଶଙ୍ଖା ଓ ସାଲୁ କନା ସ‌ହ ନୂଆ ଲୁଗାଟିଏ ମଧ୍ୟ ଦିଆଯାଇଥାଏ।

ଚାନ୍ଦ ଚକଟା

ସନ୍ଧ୍ୟା ପୂଜା ସମୟରେ ଚଉରା ଆଗରେ ପିଢ଼ାରେ ଗୁଆ ରଖି ତା' ଉପରେ ଦୁବ ଘାସ, ଫୁଲ, ବରକୋଳି ପତ୍ର ଦେଇ ସଜାଯାଇଥାଏ। ଚଉରା ପାଖରେ ସ୍ଥାପନ କରାଯାଇଥିବା କଳସରେ ମଧ୍ୟ ଆମ୍ବଡାଳ, ଗୁଆ, ସିନ୍ଦୁର, ଚନ୍ଦନ ଇତ୍ୟାଦି ଦେବା ପରେ ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ, ଛେନା, ଦ‌ହି, କ୍ଷୀର, କାକୁଡ଼ି, ତାଳସଜ, ମହୁ, ଅଦା, ଘିଅ, ଆଖୁ, ଗଜା ମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ। ଏହି ଚକଟାକୁ ଚାନ୍ଦ ଚକଟା କୁହାଯାଏ।

ଏହି ପର୍ବରେ ତିଆରି କରାଯାଉଥିବା ମଣ୍ଡା ପିଠା ଓଡ଼ିଶାର ମୁଖ୍ୟ ଆକର୍ଷଣମାନ‌ଙ୍କ ମଧ୍ୟରୁ ଅନ୍ୟତମ। ପୂଜା ସମୟରେ ଚାନ୍ଦ ଚକଟା ଓ ମଣ୍ଡା ପିଠା ଭୋଗ ଚଉରା ଏବଂ ଚନ୍ଦ୍ରଙ୍କୁ ଅର୍ପଣ କରି ସେମାନ‌ଙ୍କୁ ଶଙ୍ଖ ଓ ହୁଳହୁଳି ସ‌ହ ଦୀପରେ ବନ୍ଦାଇ ଦିଆଯାଏ। ଯେଉଁ ଘରେ କୌଣସି କୁମାରୀ କନ୍ୟା ନଥାନ୍ତି, ସେ ଘରେ ବିବାହିତା ସ୍ତ୍ରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି କାମନା କରି ଚଉରା ଓ ଚନ୍ଦ୍ର ପୂଜା କରିଥାନ୍ତି। ପୂଜା ସରିଲା ପରେ ଭୋଗ ଖାଇ କୁମାରୀ କନ୍ୟାମାନେ ନିଜର ସାରା ଦିନର ଉପବାସ ଭାଙ୍ଗିଥାନ୍ତି।

କୁଆଁର ପୁନେଇଁ ଗୀତ

କୁଆଁର ପୁନେଇଁର ବିଶେଷ ଆକର୍ଷଣ ହେଉଛି କୁଆଁର ପୁନେଇଁ ଗୀତ। ଏହି ଓଷାରେ ଝିଅ ମାନେ ଏକାଠି ହୋଇ ଗୀତ ବୋଲିଥାନ୍ତି। ଗୀତର କେଇଟି ପଦ ଶୁଣନ୍ତୁ।

(୧)
କୁଆଁର ପୁନେଇ ଜ‌ହ୍ନ ଗୋ ଫୁଲ ବଉଳ ବେଣୀ,
କୁଆଁରୀ ଝିଅଙ୍କ ଅପୂର୍ବ ଆନ‌ନ୍ଦ
ପୁଚି ଖେଳିବାକୁ ମନ ଗୋ ଫୁଲ ବଉଳ ବେଣୀ... 

(୨) 
କଇଁଆ ଗଛର ଛାଇ ଗୋ ଫୁଲ ବଉଳ ବେଣୀ
କୃଷ୍ଣ ଯେତେବେଳେ ଜନମ ହୋଇଲେ
କୁଆଁ କୁଆଁ ରାବ ଦେଇ ଗୋ ଫୁଲ ବଉଳବେଣୀ ...

(୩)
ଯଶୋଦା ଦୁଃଖ ଶଙ୍ଖାଳି ଗୋ ଫୁଲ ବଉଳବେଣୀ 
କେତେ କଉତୁକ ଗୋପ କଟକରେ 
କରୁଛନ୍ତି ବନମାଳୀ ଗୋ ଫୁଲ ବଉଳବେଣୀ ... 

(୪)
ସପତ ବରଷେ ଗିରି ଗୋ ଫୁଲ ବଉଳବେଣୀ
ଟେକି ନିଜ କରେ, ଧରିବାରୁ ଗୋପେ
ନାମ ହେଲା ଗିରିଧାରୀ ଗୋ ଫୁଲ ବଉଳବେଣୀ ...

ବିଶେଷ ଭାବରେ ଓଷା ଦିନ ରାତି ସାରା ଝିଅମାନେ ଗୀତ ଗାଇ ପୁଚି ଖେଳିଥାନ୍ତି। ପୁଅମାନେ ପଶା ଓ ତାସ୍ ଖେଳି ମନୋରଞ୍ଜନ କରିଥାନ୍ତି। ବିଶ୍ୱାସ ଅଛି ଅଛି ଏହିଦିନ ରାତି ଉଜାଗର ରହିଲେ ମାଲକ୍ଷ୍ମୀଙ୍କ ବରଦାନ ମିଳିଥାଏ।

ଜହ୍ନି ଓଷା

କୁମାର ପୂର୍ଣ୍ଣିମା ଅବସରରେ ପାଳିତ ହେଉଥିବା ଜହ୍ନି ଓଷା ଏକ ସକାମ ବ୍ରତ। ଏହା ଆଶ୍ୱିନ ମାସର ପ୍ରଥମ ଦିନରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହୋଇଥାଏ। ଏହି ଓଷା କୁମାରୀମାନଙ୍କଦ୍ୱାରା ପାଳିତ ହୋଇଥାଏ ଓ କୁମାର ପୂର୍ଣ୍ଣିମା ଦିନ ଉଦ୍‌ଯାପନ ହୁଏ। ମାସସାରା ପ୍ରତି ଅପରାହ୍ଣରେ ଜହ୍ନିଫୁଲ ଫୁଟିବା ପରେ ଜହ୍ନିଫୁଲକୁ ନେଇ ତୁଳସୀ ଚଉରା ମୂଳେ କୁମାରୀମାନେ ବୃନ୍ଦାବତୀଙ୍କୁ ପୂଜା କରନ୍ତି। ଏଥିରେ ଲିଆ, ଉଖୁଡ଼ା, କଦଳୀ, କାକୁଡ଼ି ଆଦି ଭୋଗ କରନ୍ତି।
ଗୀତ ବୋଲି, ହୁଳହୁଳି ଦେଇ ଝିଅମାନେ ସଞ୍ଜ ବେଳେ ଏହି ଓଷା ପାଳନ କରିଥାନ୍ତି। ଅପରାହ୍‌ଣରେ ଝିଅମାନେ ଚଉରାମୂଳରେ ଜହ୍ନିଫୁଲ ତଥା ଅନ୍ୟାନ୍ୟ ଫୁଲରେ କୋଠି ତିଆରି କରି କଳସ ସ୍ଥାପନା କରନ୍ତି ଏବଂ ଜହ୍ନିଓଷା ବହି ପଢ଼ି ପୂଜା କରନ୍ତି। ଗୀତ ଗାଇ ଗାଇ ବୃନ୍ଦାବତୀଙ୍କୁ ଜହ୍ନି ଫୁଲର ଆଞ୍ଜୁଳି ଦିଅନ୍ତି। କୁଷ୍ଠ ରୋଗରୁ ମୁକ୍ତି, ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ଜହ୍ନିଓଷା କରାଯିବାର କଥିତ ଅଛି।

Kumar Purnima Odia Parba Parbani
Advertisment
Related Articles
Advertisment