• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜଧାନୀର ବିନ୍ଦୁସାଗର ହେଉ କି କଟକ ଗଡ଼ଗଡ଼ିଆ ଘାଟ, ପୁରୀ ମହୋଦଧି ହେଉ କିମ୍ବା ରାଉରକେଲା । ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ତିଥିରେ ସବୁଠି ଦେଖିବାକୁ ମିଳିଥିଲା ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରାର ସ୍ମୃତି ବହନ କରିଥିବା ଚିତ୍ର । ଓଡିଆ ସାଧବ ପୁଅଙ୍କ ଗୌରବମୟ ଅତୀତର ସ୍ମୃତିକୁ ଉଜାଗର କରି ଆଜି ରାଜ୍ୟ ତମାମ ଶ୍ରଦ୍ଧାଳୁ ପାଳିଛନ୍ତି ବୋଇତ ବନ୍ଦାଣ ଉତ୍ସବ । ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ପାଳନ କରିପାରିନଥିଲେ ଉତ୍କଳୀୟ ସମୃଦ୍ଧ ଐତିହାସିକ ଗାଥାକୁ ମନେ ପକାଇ ପାଳନ କରାଯାଉଥିବା ପରମ୍ପରାର ଏହି ପର୍ବ ।

ଅଧିକ ପଢ଼ନ୍ତୁ: ବାଲିଯାତ୍ରା ପଡିଆରେ ବିଶ୍ୱର ସବୁଠାରୁ ବଡ ବାଲୁକା କଳା!

ଚନ୍ଦ୍ରଗ୍ରହଣ ପାଇଁ ସୂର୍ଯ୍ୟୋଦୟଠାରୁ ଦେବନୀତି ନିଷେଧ ଥିବାରୁ ଏହା ପୂର୍ବରୁ ହୋଇତ ବନ୍ଦାଣ ସହ ଡଙ୍ଗା ଭସାଇଥିଲେ ଶ୍ରଦ୍ଧାଳୁ । ବିଭିନ୍ନ ଜଳାଶୟରେ ରାତି ୨ଟାରୁ ଦେଖାଦେଇଥିଲା ଶ୍ରଦ୍ଧାଳୁଙ୍କ ଭିଡ । ଆ, କା, ମା, ଭୈ ସ୍ୱରରେ ମୁଖରିତ ହୋଇଥିଲା ପରିବେଶ । ନିର୍ଦ୍ଧାରିତ ସମୟ ଭୋର୍ ୫ଟା ୩୮ ମିନିଟ୍ ପୂର୍ବରୁ ଶେଷ ହୋଇଥିଲା ବୋଇତ ବନ୍ଦାଣ ।

ଏପଟେ ବନ୍ଦର ନଗରୀ ପାରାଦୀପ ରେ ବୋଇତ ବନ୍ଦାଣ ଉତ୍ସବରେ ଦେଖିବାକୁ ମିଳିଥିଲା ପରମ୍ପରାର ନିଦର୍ଶନ । ସାତ ସାଧବପୁଅ ସୁସଜ୍ଜିତ ହୋଇ ବଣିଜ କରିବାକୁ ଯାଉଥିବା ଏବଂ ସାତ ସାଧବାଣୀଙ୍କ ତାଙ୍କୁ ମେଲାଣି ଦେଉଥିବା ଦୃଶ୍ୟ ଥିଲା ନିଆରା । ଓଡିଶା ର ପୂର୍ବ ସୂରୀଙ୍କ ପ୍ରତି ସମ୍ମାନ ଜଣାଇ ପାଳନ ହେଉଥିବା ଏହି ପର୍ବକୁ ଦେଖିବାକୁ ଲୋକଙ୍କ ମନରେ ଥିଲା ଉତ୍ସାହ ।

ଭଦ୍ରକ ଜିଲ୍ଲା ଧାମରା ବନ୍ଦରରେ ବି ଦେଖିବାକୁ ମିଳିଥିଲା ସୁସଜ୍ଜିତ ସାଧବ ପୁଅଙ୍କ ବୋଇତ ବନ୍ଦାଣ ଉତ୍ସବରେ ପରମ୍ପରାର ଝଲକ । ଏଥିରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉସବକୁ ବେଶ ଉପଭୋଗ କରିଥିଲେ । ବ୍ରହ୍ମପୁର ଗୋପାଳପୁର ବେଳାଭୂମିରେ ମଧ୍ୟ ବୋଇତ ବନ୍ଦାଣ ପାଇଁ ବିଳମ୍ବିତ ରାତିରୁ ଭୋର ପର୍ଯ୍ୟନ୍ତ ବେଶ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ ।

ଏପଟେ ପାରମ୍ପରିକ ଭାବେ କାର୍ତ୍ତିକ ପୂର୍ଣ୍ଣମୀ ତିଥିରେ ଆଜିଠୁ ଶୁଭାରମ୍ଭ ହୋଇଛି କଟକ ର ଐତିହାସିକ ବାଲିଯାତ୍ରା । କୋଭିଡ କଟକଣା ପାଇଁ ଦୁଇ ବର୍ଷ ଧରି ରାଜ୍ୟର ଏହି ବୃହତ ବାଣିଜ୍ୟିକ ମେଳା ବନ୍ଦ ରହିଥିବାରୁ ଏବର୍ଷ ଏହାକୁ ନେଇ ବେଶ ଉତ୍କଣ୍ଠାରେ ଥିଲେ ଲୋକେ । କିଣା ବିକା ସହ ଜମିବ ଖାନା ପିନା ଏବଂ ମଉଜ ମସ୍ତିର ଆସର । ତେଣୁ ଏଥର ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ଆୟୋଜନ । କିଣାବିକା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି । ଏପଟେ କୁଆଖାଇ ପଠାରେ ଦୁଇ ବର୍ଷ ପରେ ଆରମ୍ଭ ହୋଇଛି ଭୁବନେଶ୍ୱର ବାଲିଯାତ୍ରା । ମୀନାବଜାର ଯତ୍ରାର ମୁଖ୍ୟ ଆକର୍ଷଣ ସାଜିଥିବାବେଳେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ମଞ୍ଚ ।