ରାତି ପାହିଲେ ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରା। ଏନେଇ ପ୍ରସ୍ତୁତ ହେଇସାରିଲାଣି ମହାନଦୀ ପଠା ବାଲିଯାତ୍ରା ପଡିଆ। ରାଜ୍ୟ ଓ ରାଜ୍ୟ ବାହାରୁ ବ୍ୟବସାୟୀମାନେ ଆସି ଆସର ଜମେଇଲେଣି। ଏଠି ଖାଲି ବାଣିଜ୍ୟ ହୁଏନି, ରଙ୍ଗ ବେରଙ୍ଗର କଳା ଓ ନାଚ ଗୀତର ମାହୋଲ ବି ଜମେ।
ପ୍ରତ୍ୟେକ ଓଡିଆ ଚାହାନ୍ତି ନିଜର ଏହି ପରମ୍ପରା ସବୁଦିନ ପାଇଁ ତିଷ୍ଠି ରହୁ ଆଉ ସାରା ବିଶ୍ୱକୁ ଜଣେଇଦେଉ ଯେ ଓଡିଶାର ନୌବାଣିଜ୍ୟ ବହୁ ପ୍ରାଚୀନ।
Also Read
ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଏନେଇ ରାତିଦିନ ଏକ କରିଦେଇଛନ୍ତି । ବିଶ୍ୱ ଦରବାରରେ କଟକର ବାଲିଯାତ୍ରା ଆଉ ଓଡିଶାର ନୌବାଣିଜ୍ୟ ପରମ୍ପରାକୁ ପରିଚୟ ଦେବା ପାଇଁ ଲାଗିପଡିଛନ୍ତି। ତାଙ୍କର ପ୍ରୟାସରେ ବାଲିଯାତ୍ରା ପଡିଆରେ ବିଶ୍ୱର ସବୁଠୁ ବଡ ବାଲୁକା କଳାରେ ଝଲସିବ କଟକ।
ବାଲିଯାତ୍ରା ପଡିଆରେ ସେ ବାଲିରେ ତିଆରି କରୁଛନ୍ତି ସବୁଠାରୁ ବଡ ବୋଇତ। ଏଥିରେ ବ୍ୟବହୃତ ହେଉଛି ୨୫,୦୦୦ରୁ ଅଧିକ ମାଟିଦୀପ। ସୁଦର୍ଶନ ପଟ୍ଟନାୟକ ତାଙ୍କ ଟିମ୍କୁ ଧରି ଏହି କାମରେ ଲାଗି ପଡିଛନ୍ତି। ତାଙ୍କର ୨୯ ଜଣ ଛାତ୍ରଛାତ୍ରୀ ତାଙ୍କୁ ଏହି କାମରେ ସାହାଯ୍ୟ କରୁଛନ୍ତି। ଏହି ବୋଇତକୁ ଖୁବ ସୁନ୍ଦର ଆଉ ଆକର୍ଷଣୀୟ କରିବା ତାଙ୍କର ଲକ୍ଷ୍ୟ।
ଏହି କଳା ମନେପକେଇ ଦେବ ଓଡିଶାର ପ୍ରାଚୀନ ନୌବଣିଜ୍ୟର ଐତିହ୍ୟ। ଏହି ବାଲି ବୋଇତର ଲମ୍ବ ୬୮ ଫୁଟ ହୋଇଥିବା ବେଳେ ଓସାର ରହିଛି ୪୨ ଫୁଟ। ଏହା ବିଶ୍ୱର ସବୁଠାରୁ ବଡ ବାଲୁକା କଳା ହେବା ସହ ଲିମ୍କା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନାଁ ରହିବ ବୋଲି ଆଶା କରିଛନ୍ତି ସୁଦର୍ଶନ ପଟ୍ଟନାୟକ।