ବାଂଲାଦେଶରେ ଗତ ଅଗଷ୍ଟ ମାସରେ ଶେଖ୍ ହାସିନା ସରକାରର ପତନ ପରେ ଭାରତ ସହ ଏହାର ସଂପର୍କ ଆଉ ଏତେଟା ଭଲ ରହିନାହିଁ। ଭିନ୍ନ ଭିନ୍ନ କାରଣକୁ ନେଇ ଦୁଇଦେଶ ମଧ୍ୟରେ ସଂପର୍କ ତିକ୍ତ ହେବାରେ ଲାଗିଛି। ହୁଏତ ଏହାର ମୂଳ କାରଣ ଧର୍ମ ହୋଇଥାଇ ପାରେ। ହାସିନାଙ୍କ ପରେ ଏହି ଦେଶ ମୌଳବାଦୀ ମୁସଲିମଙ୍କ ଦ୍ୱାରା ପରିଚାଳିତ ହେବା ଆରମ୍ଭ କରିଛି, ଯେଉଁମାନେ ଭାରତ ଅପେକ୍ଷା ଭାରତର ଶତ୍ରୁ ପାକିସ୍ତାନ ଓ ଚୀନ୍ ସହିତ ଭଲ ସଂପର୍କ ରଖିବାକୁ ବେଶୀ ଉଚିତ ମନେକରିଛନ୍ତି।
ଏକଥା ସ୍ପଷ୍ଟ ଯେ, ହାସିନାଙ୍କ ପରେ ବାଂଲାଦେଶରେ ଉଭୟ ଆର୍ଥିକ ଓ ସାମାଜିକ ଅସ୍ଥିରତା ଲାଗିରହିଛି। ଦେଶକୁ ଠିକରେ ଚଳାଇବାରେ ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀ କାଳୀନ ସରକାର ବିଫଳ ହୋଇଛି। ଯଦିଓ ବିଭିନ୍ନ କାରଣରୁ ଭାରତ ସହ ବାଂଲାଦେଶ ବେଶୀ ସଂଶ୍ଳିଷ୍ଟ, ଏହାର ପାଖାପାଖି ୯୪ ପ୍ରତିଶତ ସୀମା ଭାରତ ସହିତ ରହିଛି, ସେଥିପାଇଁ ସୁରକ୍ଷା, ଅର୍ଥନୀତି ଓ ବ୍ୟବସାୟ ଦୃଷ୍ଟିରୁ ବାଂଲାଦେଶ ଲୋକଙ୍କ ପାଇଁ ଢାକା ପରେ ଦିଲ୍ଲୀ ଅନ୍ୟତମ କେନ୍ଦ୍ର ହୋଇ ରହିଛି।
Also Read
୨୦୨୨-୨୩ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମୋଟ ବ୍ୟବସାୟ ପରିମାଣ ଥିଲା ୧୬ ବିଲିୟନ ଡଲାର। ଏଥିରୁ ବାଂଲାଦେଶରୁ ଭାରତକୁ ରପ୍ତାନୀ ପରିମାଣ ମାତ୍ର ୨ ବିଲିୟନ ଡଲାର। ଏହାର ଅର୍ଥ ଭାରତରୁ ଜିନିଷପତ୍ର ଗଲେ ବାଂଲାଦେଶ ଚଳେ। ବିଶେଷକରି ବାଂଲାଦେଶକୁ କପଡ଼ା, ଖାଦ୍ୟ ସାମଗ୍ରୀ, ଚିନି, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଓ ଷ୍ଟୀଲ୍ ରପ୍ତାନୀରେ ଭାରତ ଆଗୁଆ। ଯଦି ଭାରତ ଏସବୁ ରପ୍ତାନୀ ବନ୍ଦ କରିଦିଏ ତେବେ ବାଂଲାଦେଶର ଅର୍ଥନୀତି ସମସ୍ୟାରେ ପଡ଼ିଯିବ।
ଅଧିକ ପଢନ୍ତୁ: କୁଏତ୍ରେ ଓଡ଼ିଶାର ଗୁଣଗାନ କଲେ ମୋଦି; କହିଲେ କୁଏତୀ ବନ୍ଧୁଙ୍କୁ ନେଇ ବୁଲିବାକୁ ଆସନ୍ତୁ...
ବାଂଲାଦେଶ ଅର୍ଥନୀତି ପାଇଁ ମେରୁଦଣ୍ଡ ହେଲା ଏହାର କପଡ଼ା ଶିଳ୍ପ। ଦେଶର ମୋଟ ଜିଡିପିରେ ଏହାର ଭାଗ ୧୧ ପ୍ରତିଶତ । କିନ୍ତୁ ଏହି କ୍ଷେତ୍ର ଭାରତ ଉପରେ ଅତ୍ୟଧିକ ନିର୍ଭରଶୀଳ। ରିପୋର୍ଟ ଅନୁଯାୟୀ, ବାଂଲାଦେଶକୁ ରପ୍ତାନୀ ହେଉଥିବା ମୋଟ କପଡ଼ାର ୩୫ ପ୍ରତିଶତ ଭାରତ ହିଁ କରିଥାଏ। ତେଣୁ ଯଦି ଭାରତ ଏହା ବନ୍ଦ କରିଦିଏ, ତେବେ ବାଂଲାଦେଶର ଅର୍ଥନୀତି ଭୟଙ୍କର ଭାବରେ ପ୍ରଭାବିତ ହେବ।
ମିଳିଥିବା ରିପୋର୍ଟ ଅନୁଯାୟୀ, ଶେଖ୍ ହାସିନା ସରକାରର ପତନ ପରେ ବାଂଲାଦେଶରେ ଦେଖା ଦେଇଥିବା ଅସ୍ଥିରତା ପାଇଁ ଏବେ ସୁଦ୍ଧା ୨ ଲକ୍ଷ କୋଟି ଟଙ୍କାର ବ୍ୟାବସାୟିକ କ୍ଷତି ସହିଲାଣି। ଦେଶର ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ କ୍ରମାଗତ ଆକ୍ରମଣ ସାରା ଦେଶରେ ଏକ ଅସ୍ଥିର ବାତାବରଣ ସୃଷ୍ଟି କରିଛି। ଚୀନ୍ ପରେ ବାଂଲାଦେଶର କପଡ଼ା ଶିଳ୍ପ ହେଉଛି ବିଶ୍ୱର ୨ୟ ସର୍ବବୃହତ୍ତମ। ମଝିରେ ଶୁଣାଗଲା ଯେ, ବାଂଲାଦେଶ ପାକିସ୍ତାନରୁ ଚିନି ଆମଦାନି କରିବାକୁ ଯୋଜନା କରୁଛି। ଏପରି ହେଲେ ଭାରତୀୟ ଚିନି ବ୍ୟବସାୟୀଙ୍କ ପାଇଁ ସମସ୍ୟା ହୋଇପାରେ। କାରଣ ବାଂଲାଦେଶର ଚିନି ଚାହିଦାର ଅଧିକାଂଶ ଭାଗ ମେଣ୍ଟାଇଥାଏ ଭାରତ।
ବାଂଲାଦେଶର ମଧ୍ୟବର୍ତ୍ତୀ ସରକାର, ବିଭିନ୍ନ କ୍ଷେତ୍ରରେ ଭାରତ ସହ ସଂପର୍କକୁ ସଂକୁଚିତ କରିବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ୟୁନୁସ ସରକାର ଭାରତଠାରୁ ଆମଦାନି କରୁଥିବା ଆଳୁ ଓ ପିଆଜ ପରିମାଣ ମଧ୍ୟ କମାଇବାକୁ ଯୋଜନା କରୁଛି।
ହାସିନା ସରକାର ଯିବା ପରେ ଭାରତ ସହ ସଂପର୍କ ସଂକୁଚିତ କରିବାକୁ ବାଂଲାଦେଶର ୟୁନୁସ୍ ସରକାର ଚେଷ୍ଟା କରୁଥିବା ଅନୁମାନ କରାଯାଏ। ଭାରତର ଅନୁରୋଧ ସତ୍ତ୍ୱେ ୟୁନୁସ ସରକାର ହିନ୍ଦୁ ମାନଙ୍କ ଉପରେ ଆକ୍ରମଣକୁ ବନ୍ଦ କରୁନାହାଁନ୍ତି। ସେଠାକାର ସରକାରର ଆଚରଣକୁ ଦେଖିଲେ ଲାଗୁଛି, ଭାରତ ସହ ସଂପର୍କ ଛିନ୍ନ କରିବାକୁ ବାଂଲାଦେଶ ଚୀନ ଓ ପାକିସ୍ତାନଠାରୁ ଉତ୍ସାହ ପାଇଛି। ଏ ଦିଗରେ ମଧ୍ୟ ଆଚରଣ ପ୍ରଦର୍ଶନ କରୁଛି। ଦୁଇଦେଶ ମଧ୍ୟରେ ବ୍ୟାବସାୟିକ ସଂପର୍କ କଟିଗଲେ, ଉଭୟ କ୍ଷତିଗ୍ରସ୍ତ ହେବେ। ଭାରତ ତୁରନ୍ତ କିଛି କ୍ଷତି ସହିପାରେ, କିନ୍ତୁ ପରବର୍ତ୍ତୀ ସମୟରେ ଏହା କ୍ଷତି ଭରଣା କରିପାରିବ। କିନ୍ତୁ ବାଂଲାଦେଶର ଅର୍ଥନୀତି ହାଣମୁହଁକୁ ଚାଲିଯିବା ନିଶ୍ଚିତ। ଧୀରେ ଧୀରେ ଏହା ହୁଏତ ଦେବାଳିଆ ହୋଇଯାଇ ପାରେ।