/odishatv-khabar/media/post_attachments/uploadimage/library/16_9/16_9_0/Rain_Alert_1734490565.jpg)
Rain Alert
ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ। ଯଦିଓ ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ନାହିଁ, ତେବେ ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୪ ଦିନ ବର୍ଷା ସମ୍ଭାବନା ରହିଛି। ଆଜି ଦକ୍ଷିଣ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା ଥିବା ବେଳେ ୧୯ ରୁ ୨୧ ଯାଏ ଉପକୂଳ ଓଡ଼ିଶାରେ ବର୍ଷା ହେବା ନେଇ ପୁର୍ବାନୁମାନ କରିଛି ପାଣିପାଗ ବିଭାଗ।
ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଓ ଘଡ଼ଘ଼ଡ଼ି ହେବା ସମ୍ଭାବନା ରହିଛି। ୧୯ ରୁ ୨୧ ଯାଏ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି। ଏନେଇ ଚାଷୀ କୂଳ ଏବେ ଚିନ୍ତାରେ ପଡ଼ିଛି। ଫସଲ ଅମଳ ବେଳେ ଯଦି ବର୍ଷା ହୁଏ ବ୍ୟାପକ ଫସଲ ନଷ୍ଟ ହେବାରେ ସମ୍ଭାବନା ରହିଛି। ତେଣୁ ଚାଷୀ ଅମଳ କରିସାରିଥିବା ଧାନକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।
ସେପଟେ ରାଜ୍ୟରେ ଗଲା କିଛି ଦିନ ହେବ ଅନୁଭୂତ ହେଉଛି ଅସହ୍ୟ ଜାଡ। କଳାହାଣ୍ଡିରୁ କଟକ, କନ୍ଧମାଳରୁ କେନ୍ଦୁଝର। ହଠାତ୍ ମାଡି ଆସିଥିବା ଥଣ୍ଡାରେ ଥରୁଛି ସାରା ରାଜ୍ୟ। ୪ ଡିଗ୍ରୀକୁ ଖସି ଆସିଲାଣି ପାରଦ। କିଛି ସ୍ଥାନରେ ତ ତୁଷାରପାତ ହୋଇଛି। କୋଇଡାର ଟେନସା, କାଲଟା, ମାଲଦା, କାଶୀରା ଭଳି ସ୍ଥାନରେ ତୁଷାରପାତ ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ପାହାଡିଆ ଅଂଚଳରେ ଶୀତର ପ୍ରକୋପ ସାଙ୍ଗକୁ ଘନ କୁହୁଡି ଲାଗି ରହୁଛି।
କୋରାପୁଟ ଓ କନ୍ଧମାଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ତେବେ ଆଜିଠୁ ତାପମାତ୍ରାରେ ୩ରୁ ୫ ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି। ଏପଟେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଅସହ୍ୟ ଜାଡ଼ । ଅନୁଭୂତ ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)