• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଗଞ୍ଜାମ ସ୍ଥିତି ଯାଜପୁରରେ । ମାଳ ମାଳ ନେତା, କର୍ମୀ ଓ ଜନପ୍ରତିନିଧି ଶଙ୍ଖ ଛାଡ଼ି ପଦ୍ମ ଧରିବାରେ ଲାଗିଛନ୍ତି । ସ୍ଥିତି ଜଟିଳ ହେଉଖିବା ସତ୍ତ୍ବେ ବିଜେଡି ନେତାଙ୍କ ମୁହଁ ଭୁରୁଡ଼ି କିନ୍ତୁ କମୁନି । ଯାଜପୁରରେ ଦଳର ପ୍ରତିଷ୍ଠା ଦିବସରେ ବବି ଦାସଙ୍କ ଦଳ ଛାଡୁଥିବା ନେତାଙ୍କୁ ଦଲାଲ ଆକ୍ଷେପ ପରେ ତେଜିଛି ରାଜନୀତି । ବିଜେପି କଡ଼ା ଜବାବ ଦେଇ କହିଛି ଆଗକୁ ଏଠି ନିର୍ବାଚନ ଲଢିବାକୁ ବିଜେଡି ପ୍ରାର୍ଥୀ ପାଇବନି । ତେଣେ ଯାଜପୁର ବିଜେଡିରେ ଜାରି ରହିଥିବା ଦଳ ତ୍ୟାଗ ରୋଗକୁ ମୁଖିଆ ନବୀନ ପ୍ରତିହତ ନକଲେ ଏଠି ଶଙ୍ଖ ପାର୍ଟି ନିଶ୍ଚିହ୍ନ ହୋଇଯିବା ବି ଆକଳନ କଲେଣି ସମୀକ୍ଷକ ।

ଭୁଶୁଡୁଛି ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଶଙ୍ଖ ଗଡ଼ । ମାଳ ମାଳ ବିଜେଡି ନେତା ବିଜେପି କ୍ୟାମ୍ପକୁ ଡେଇଁଲେଣି । ଅନେକ ସରପଞ୍ଚ ଓ ସମିତି ସଭ୍ୟ ବି ଶାସକ ଦଳ ମୁହାଁ । ତେବେ କାହିଁକି ଯାଜପୁର ବିଜେଡିରେ ପଡିଛି ଘଳିଆ ? ୨୦୨୪ ନିର୍ବାଚନରେ ଯାଜପୁର ଜିଲ୍ଲାର ୪ଟି ବିଧାନସଭା ମଣ୍ଡଳୀରେ ପଦ୍ମ ଫୁଟିଛି । ସାଂସଦ ସିଟ୍ ବି ଗେରୁଆ ଦଳ ଖାତାକୁ ଯାଇଛି । ଆଉ ନିର୍ବାଚନ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନିର୍ବାଚନ ମଣ୍ଡଳୀ ବିଂଝାରପୁର ଓ ପୂର୍ବତନ ସଂଗଠନ ସମ୍ପାଦକ ବବି ଦାସଙ୍କ ଯାଜପୁର ସମେତ କରୋଇ, ସୁକିନ୍ଦା, ଧର୍ମଶାଳା ଓ ବଡଚଣାର ଅନେକ ବିଜେଡି କର୍ମୀ, ନେତା ଓ ସମର୍ଥିକ ପଞ୍ଚାୟତ ପ୍ରତିନିଧି ଦଳ ଛାଡିବାରେ ଲାଗିଛନ୍ତି । ଏ ଧାରା ଜାରି ରହିଲେ ଆଗକୁ ଏଠି ବିଜେଡି ନିଶ୍ଚିହ୍ନ ହୋଇଯିବା ନେଇ ଆକଳନ କଲେଣି ରାଜନୈତିକ ସମୀକ୍ଷକ ।

ଅଧିକ ପଢ଼ନ୍ତୁ: ଆଜି ମନମୋହନଙ୍କ ଶେଷକୃତ୍ୟ, ନିଗମବୋଧ ଘାଟରେ ହେବ ଅନ୍ତିମ ସଂସ୍କାର

ବଡ଼ କଥା ହେଲା ଯାଜପୁର ଛାଡ଼ି ବବି ସମ୍ବଲପୁର ଲୋକସଭା ଆସନରେ ଲଢ଼ି ସେଠୁ ଚିତପଟାଙ୍ଗ ମାରିଛନ୍ତି । ସୁକିନ୍ଦା ଓ ଧର୍ମଶାଳାରେ ଦୀର୍ଘ ବର୍ଷର ବିଜେଡି ଗଡ଼ ବି ଭାଙ୍ଗି ସାରିଛି । ତେଣୁ ଏଠି ବିଜେଡିର ୨୪ ବର୍ଷ ଶାସନରେ ପ୍ରଶାସନିକ ଅଧିକାରୀଙ୍କ ଦୌରାତ୍ମ୍ୟ ଅତିଷ୍ଠ ହୋଇ ପଡ଼ିଥିଲେ କି ଯାଜପୁର ବାସୀ । ବିଜେପିର ବିକାଶ ଧାରାକୁ ପସନ୍ଦ କରି ପଦ୍ମ ପୋଖରୀକୁ ଡେଉଁଛନ୍ତି କି ବିଜେଡିର ଛୋଟ ବଡ଼ ନେତା । ବିଜେପିର ଘନ ଘନ ମିଶ୍ରଣ ପର୍ବ ପରେ ବିଜେଡି ଶିବିରରେ ବି ଛନକା ପସିଛି । ବବିଙ୍କ ଗଡ଼ କୁହାଯାଉଥିବା କୋରେଇ ନିର୍ବାଚନ ମଣ୍ଡଳୀରେ ୧୫ରୁ ଅଧିକ ସରପଞ୍ଚ ଓ ସମତିସଭ୍ୟଙ୍କ ସମେତ ପ୍ରାୟ ୩୦୦ ଆଗଧାଡିର ନେତା ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ଆଗକୁ ଜିଲ୍ଲାରେ ବିଜେଡି ବଡ଼ ବିପର୍ଯ୍ୟୟ ଆଡକୁ ଯାଉଥିବା ମନେ ହେଲାଣି ।

ଏଣେ ଏଭଳି ସ୍ଥିତିରେ ବିଜେଡିର ପୂର୍ବତନ ସଂଗଠନ ସମ୍ପାଦକ ବବି ଦାସଙ୍କର କିନ୍ତୁ ଦମ୍ଭ ଭାଙ୍ଗୁନି । ନିକଟରେ ବିଜେଡି ପ୍ରତିଷ୍ଠା ଦିବସରେ ବବି ସ୍ଥାନୀୟ ବିଜେପି ନେତାଙ୍କୁ ଆକ୍ଷେପ କରି ବବି କହିଥିଲେ- ଯେଉଁମାନେ ବିଜେଡି ଛାଡି ବିଜେପି ଯାଉଛନ୍ତି ସେମାନେ ଦଲାଲ । ତେଣେ ବବିଙ୍କୁ କଡ଼ା ଜବାବ ଦେଇ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଏ ବିଜେଡି ଛାଡ଼ିବା ଟ୍ରେଣ୍ଡ ସାରା ରାଜ୍ୟରେ ଚାଲିଛି। ଆଗକୁ ବିଜେଡି ନିର୍ବାଚନ ଲଢିବାକୁ ପ୍ରାର୍ଥୀ ମଧ୍ୟ ପାଇବନି ।

ଗଞ୍ଜାମରୁ ଆରମ୍ଭ ହୋଇଥିବା ବିଜେଡି ନେତାଙ୍କ ଦଳ ଛାଡ଼ ଅଭିଯାନ ଏବେ ଯାଦୁ ଭଳି ଯାଜପୁର ସମେତ ସାରା ରାଜ୍ୟକୁ ବ୍ୟାପିଲାଣି। ତେଣୁ ଏଭଳି ସ୍ଥିତିରେ କର୍ମୀଙ୍କୁ ପାଖରେ ରଖିବାକୁ ନବୀନ କି ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ।

ଅଧିକ ପଢ଼ନ୍ତୁ: ବିଜେଡିରେ ଥମୁନି ବିଶୃଙ୍ଖଳା ! କାଲି ହାତାହାତି, ଆଜି ବୟାନବାଜି

  • Reported by:
  • JANMEJAY DASH , Gulam

OTV is now on Whatsapp

Join and get latest news update delivered to you via whatsapp

Join Now