• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜି ହେବ ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଶେଷକୃତ୍ୟ । ଦିନ ୧୧ଟା ୪୫ରେ ନୂଆଦିଲ୍ଲୀ ନିଗମବୋଧ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯିବ । କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ଣ୍ଣ ସେନା ସମ୍ମାନ ସହ ଶେଷକୃତ୍ୟ ସଂପନ୍ନ ହେବାକୁ ଥିବାବେଳେ ପ୍ରତିରକ୍ଷା ମନ୍ତ୍ରାଳୟକୁ ଆବଶ୍ୟକ ବନ୍ଦୋବସ୍ତ କରିବାକୁ ଚିଠିରେ କୁହାଯାଇଛି ।

ଗୁରୁବାର ରାତିରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ୯୨ ବର୍ଷ ବୟସରେ ଆଖି ବୁଜିଥିଲେ ମନମୋହନ ସିଂ । ଦିଲ୍ଲୀ ସ୍ଥିତ ବାସଭବନକୁ ମର ଶରୀର ଅଣାଯିବା ପରେ ତାଙ୍କର ଶେଷ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି । ମନମୋହନଙ୍କ ବିୟୋଗରେ ଭାରତରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି ।

ଏପଟେ ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗଙ୍ଗା ଆଳତି କରାଯାଇଛି । ବାରାଣସୀ ଦଶାଶ୍ୱମେଧ ଘାଟରେ ଦୈନିକ ଗଙ୍ଗା ଆଳତି ପୂର୍ବରୁ ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ହଜାର ହଜାର ଲୋକେ ଦଶାଶ୍ୱମେଧ ଘାଟରେ ଏକାଠି ହୋଇ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିବା ସହ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଏହି ଅବସରରେ ଗଙ୍ଗା ସେବା ନିଧି ତରଫରୁ ୧ ହଜାର ୧ ଦୀପ ଦାନ କରାଯାଇଛି । ଲୋକମାନେ ଦୀପରେ ଶ୍ରଦ୍ଧାଞ୍ଜଳି ଲେଖିବା ସହ ମନମୋହନ ସିଂଙ୍କ ଫଟୋ ଚିତ୍ର ଧରି ତାଙ୍କ ସ୍ମୃତିଚାରଣ କରିଛନ୍ତି । ଗତ ୨୦୦୮ ମସିହାରେ ଏଠାରେ ଗଙ୍ଗା ଆଳତିରେ ସାମିଲ ହୋଇଥିଲେ ମନମୋହନ ସିଂ ।

ଶାନ୍ତ... ସୌମ୍ୟ... ସରଳ...। ଯେତିକି ବିନମ୍ର... ସେତିକି ବିଦ୍ୱାନ୍ ଓ ବିଚକ୍ଷଣ । ବ୍ୟକ୍ତିତ୍ୱ ଅମାୟିକ... ଅର୍ଥନୀତିରେ ଚାଣକ୍ୟ । କଥାରେ ନୁହେଁ କାମରେ ବିଶ୍ୱାସ କରୁଥିବା ମଣିଷ... ଆବଶ୍ୟକ ନଥିଲେ ନିରବ ରହିବାକୁ ପସନ୍ଦ କରୁଥିବା ମଣିଷ । ଦିନେ ଯାହାଙ୍କ ଠାରୁ ପଦୁଟିଏ କଥା ଶୁଣିବା ପାଇଁ ଦେଶ ଅପେକ୍ଷା କରୁଥିଲା... ଶବ୍ଦଟିଏ କହିଲେ ଧ୍ୟାନ ଦେଇ ଶୁଣୁଥିଲା... ଗତକାଲି ଚିରଦିନ ଲାଗି ନିରବି ଯାଇଛି ସେ ସ୍ୱର ।

ପିଏମ୍ ଅଫିସ୍ ଛାଡ଼ିବା ପରେ ୧୦ ବର୍ଷ ହେଲା ସେ ଯେଉଁଠି ରହିଆସୁଥିଲେ, ସେଇ ଦିଲ୍ଲୀ ଥ୍ରୀ-ମୋତିଲାଲ ନେହରୁ ମାର୍ଗ ସ୍ଥିତ ବାସଭବନରେ ଚିରନିଦ୍ରାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ଶିକ୍ଷକତାରୁ ସିଭିଲ୍ ସର୍ଭିସ୍... ପ୍ରଧ୍ୟାପନାରୁ ପ୍ରଶାସକ। ଅଚାନକ ଅର୍ଥମନ୍ତ୍ରୀରୁ ୨ଥର ପ୍ରଧାନମନ୍ତ୍ରୀ । ୧୯୭୨ରୁ ୧୯୯୧ ମଧ୍ୟରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା, ରିଜର୍ଭବ୍ୟାଙ୍କ ଗଭର୍ଣ୍ଣର, ୟୁଜିସି ଚେୟାରମ୍ୟାନ ବନିଥିଲେ ପଦ୍ମବିଭୂଷଣ ମନମୋହନ ।

ତେବେ ୧୯୯୧ରେ ଦେଶ ଯେତେବେଳେ ଦେବାଳିଆ ହେବାକୁ ବସିଥିଲା, ବୈଦେଶିକ ମୁଦ୍ରା ଭଣ୍ଡାର ଆଉ ମାତ୍ର ୨-୩ ସପ୍ତାହ ପାଇଁ ବଳିଥିଲା, ସେତେବେଳେ ବିଳମ୍ବିତ ରାତିରେ ମନମୋହନଙ୍କୁ ଆସିଥିଲା ଗୋଟିଏ ଫୋନ୍ କଲ୍ । ଯାହାକି କେବଳ ତାଙ୍କ କ୍ୟାରିୟରକୁ ନୁହେଁ, ଦେଶର ଅର୍ଥନୀତିକୁ ନୂଆ ଦିଶା ଦେଇଥିଲା ।

ତାଙ୍କୁ ଅର୍ଥମନ୍ତ୍ରୀ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି. ନରସିହ୍ମା ରାଓ । ଅର୍ଥନୈତିକ ଉଦାରୀକରଣ ମାଧ୍ୟମରେ ଦେଶକୁ ଦେବାଳିଆ ସ୍ଥିତିରୁ ରକ୍ଷା କରି ମନମୋହନ ସିଂ ସାଜିଥିଲେ ଆଧୁନିକ ଅର୍ଥନୀତିର ମଙ୍ଗୁଆଳ । ଆଉ ୨୦୦୪ରେ ସେମିତି ସମସ୍ତଙ୍କୁ ଚକିତ କରି ମନମୋହନଙ୍କୁ ପ୍ରଧାନମନ୍ତ୍ରୀ କରିଥିଲା ଉପା ସରକାର । ୨୦୦୮ରେ ବିଶ୍ୱ ଅର୍ଥନୀତିକୁ ବିରାଟ ମାନ୍ଦାବସ୍ଥା କବଳିତ କରିଥିବା ବେଳେ, ମନମୋହନଙ୍କ ଅର୍ଥନୈତିକ ସଂସ୍କାର ବଳରେ ଭାରତ ବିଶେଷ ପ୍ରଭାବିତ ହୋଇନଥିଲା ।

୨୦୦୪ରୁ ୨୦୧୪ । କ୍ରମାଗତ ଦୁଇଥର ପ୍ରଧାନମନ୍ତ୍ରୀତ୍ୱ ଭିତରେ କାର୍ଯ୍ୟକାରୀ ହୋଇଥିଲା ସୂଚନା ଅଧିକାର ଆଇନ, ଶିକ୍ଷା ଅଧିକାର ଆଇନ, ଖାଦ୍ୟ ସୁରକ୍ଷା ଆଇନ, ମନରେଗା, ଜାତୀୟ ସ୍ୱାସ୍ଥ୍ୟ ମିଶନ ଆଦି ଅନେକ ମହତ୍ତ୍ୱାକାଂକ୍ଷୀ ଯୋଜନା । ଫୋକସରେ ଥିଲେ ଗ୍ରାମୀଣ ଓ ମଧ୍ୟବିତ୍ତ । ତାଙ୍କରି ସମୟରେ ହିଁ ହୋଇଥିଲା ଆଧାର କାର୍ଡର ସୂତ୍ରପାତ ।

ପ୍ରଧାନମନ୍ତ୍ରୀ ଭାବେ ଶେଷ ସାମ୍ବାଦିକ ସମ୍ମିଳନୀରେ ମନମୋହନ କହିଥିଲେ, ଭାରତ-ଆମେରିକା ଆଣବିକ ଡିଲ୍ ତାଙ୍କ ପାଇଁ ସବୁଠୁ ବଡ଼ ମୂହୁର୍ତ୍ତ ଏବଂ ବଡ଼ ଅବଶୋଷ ହେଉଛି- ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆହୁରି ବହୁତ କିଛି କରିବାକୁ ବାକି ରହିଗଲା । ଦୁର୍ନୀତି ରୋକିବାରେ ବିଫଳତାକୁ ନେଇ ପଚରାଯିବାରୁ, ନୀଳପଗଡ଼ି ଓ ଚଷମା ପିନ୍ଧିଥିବା ମଣିଷ ଜଣକ ଧଳା ଦାଢ଼ି ଭିତରୁ ଅଳ୍ପ ହସି କହିଥିଲେ- ମୁଁ ଭାବୁଛି, ମୋର ମୂଲ୍ୟାଙ୍କନ ବେଳେ, ଇତିହାସ ମୋ ପ୍ରତି ସଦୟ ହେବ ।

୩୩ ବର୍ଷ ଧରି ରାଜ୍ୟସଭାର ସଦସ୍ୟ ଥିଲେ ମନମୋହନ ସିଂହ । ଗତବର୍ଷ ସେ ଅବସର ନେଇଥିବା ବେଳେ, ଶେଷ ବେଳକୁ ହ୍ୱିଲ ଚେୟାରରେ ବସି ସଂସଦ ଆସୁଥିଲେ । ୫ଟି ବାଇପାସ୍ ସର୍ଜରୀ, ଡାଇବେଟିସ୍, କୋଭିଡ୍ ଓ ବୟସାଧିକ୍ୟ ଯୋଗୁଁ କ୍ରମାଗତ ଅସୁସ୍ଥତା ଭୋଗୁଥିବା ମନମୋହନ ଗତକାଲି ୯୨ ବର୍ଷ ବୟସରେ ଆଖି ବୁଜିଛନ୍ତି । ଏଥିପାଇଁ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଥିବା ବେଳେ, ଆସନ୍ତାକାଲି ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହେବ ଶେଷକୃତ୍ୟ ।

ଅଧିକ ପଢ଼ନ୍ତୁ: ମନମୋହନ ସିଂହଙ୍କ ଦସ୍ତଖତର କମାଲ୍‌; ଟଙ୍କିକିଆ ନୋଟ୍ ବିକ୍ରି ହେଉଛି ୧୦୦ ଟଙ୍କାରେ

OTV is now on Whatsapp

Join and get latest news update delivered to you via whatsapp

Join Now