ବହୁ ପ୍ରତୀକ୍ଷିତ ପ୍ରବାସୀ ଭାରତୀୟ ଦିବସ ୨୦୨୫ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରେ ସଫଳ ଭାବେ ପାଳନ ହୋଇଯାଇଛି । ଏଥି ସହିତ ମୋହନ ମାଝିଙ୍କ ନେତୃତ୍ୱାଧୀନ ଓଡ଼ିଶା ସରକାର ଆଉ ଏକ ବଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି କୁହାଯାଇପାରେ । ପରୀକ୍ଷାଟି ହେଲା ଯେ, ଜାତୀୟ ସ୍ତରର ଏଭଳି ଏକ ବିଶାଳ ସମ୍ମିଳନୀର ସଫଳ ଭାବେ ଆୟୋଜନ କରିବା । ପୂର୍ବରୁ ଭୁବନେଶ୍ୱରଠାରେ ପୋଲିସ ମହାନିର୍ଦ୍ଦେଶକ ଓ ଇନସ୍ପେକ୍ଟର ଜେନେରାଲ୍ମାନଙ୍କର ମହାସମ୍ମଳନୀ ଅନୁଷ୍ଠିତ ହୋଇଥିଲା ।
କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ପ୍ରୟାସରେ ପ୍ରବାସୀ ଭାରତୀୟ ଦିବସ ଉତ୍ସବର ବେଶ୍ ଭବ୍ୟ ଆୟୋଜନ କରାଯାଇଥିଲା । ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୋଜିତ କୌଣସି ଏକ ଜାତୀୟସ୍ତରର କାର୍ଯ୍ୟକ୍ରମରେ ଓଡ଼ିଶାର ଏଭଳି ଭାବରେ ଭାଗିଦାରିତା ଦେଖିବାକୁ ମିଳିନଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ସରକାରଙ୍କ ଅଦ୍ଭୂତପୂର୍ବ ସହଭାଗତାକୁ ଭୂୟସୀ ପ୍ରଶଂସା କରିବା ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ତାଙ୍କ ଟିମ୍କୁ ପ୍ରବାସୀ ଭାରତୀୟ ଦିବସ ଉତ୍ସବ ପାଳନର ସଫଳ ଆୟୋଜନ ଲାଗି ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ହେବା ପରେ କୌଣସି ଏକ ବଡ ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ମୋହନ ମାଝି ସରକାରଙ୍କ ଏହା ଥିଲା ପ୍ରଥମ ବୃହତ ଭାଗିଦାରିତା । ଏଭଳି ଏକ ଭବ୍ୟ ଓ ଦିବ୍ୟ ଆୟୋଜନ କରିବା ଲାଗି ଶ୍ରୀ ମାଝି ଓ ତାଙ୍କ ସରକାରଙ୍କ ବଡ ପଦାଧିକାରୀଙ୍କ ଠାରୁ ଆରମ୍ଭ କରି ଅଧସ୍ତନ କର୍ମଚାରୀମାନେ ଦିନରାତି ଏକ କରିଦେଇଥିଲେ । କେବଳ ସେତିକି ନୁହେଁ, ଶ୍ରୀ ମାଝି କେନ୍ଦ୍ର ସରକାରରେ ଥିବା ଓଡ଼ିଶାର ମନ୍ତ୍ରୀଗଣ ଯଥା ଜୁଏଲ୍ ଓରାମ, ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କର ଦୃଢ ସହଯୋଗ ମଧ୍ୟ ପାଇପାରିଥିଲେ ।
ଆସନ୍ତା ‘ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା’ ପୂର୍ବରୁ ପ୍ରବାସୀ ଭାରତୀୟ ଦିବସ ଉତ୍ସବ ଆୟୋଜନ କରିବା ଏକ ବଡ ଆହ୍ୱାନ ଥିଲା । ଗୋଟିଏ ମାସରେ ଦୁଇ ଦୁଇଟି କାର୍ଯ୍ୟକ୍ରମ ଆୟୋଜନ କରିବା ସହଜସାଧ୍ୟ କାର୍ଯ୍ୟ ନୁହେଁ ।
ଏହି କାର୍ଯ୍ୟକ୍ରମ ଆୟୋଜନ ପୂର୍ବରୁ ମୋହନ ମାଝି ସରକାରଙ୍କ ସାମର୍ଥ୍ୟ ଉପରେ ଯେଉଁ କିଛି ସନ୍ଦେହ ଥିଲା ତାହା କେବଳ ଦୂର ହୋଇନାହିଁ, ବରଂ ସୋମାନଙ୍କ ମନରେ ଏକ ଧାରଣା ସୃଷ୍ଟି କରିପାରିଥିବ ଯେ, ଏ ସରକାର ଆଗକୁ ଏହିଭଳି ଆହୁରି ଭବ୍ୟ ତଥା ବିଶାଳ ଦିବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିପାରିବେ ।
ଅଧିକ ପଢ଼ନ୍ତୁ:ଅସମ୍ଭାଳ ହେଲାଣି କି ବିଜେଡି କନ୍ଦଳ ? ରାଜଧାନୀରେ ବରିଷ୍ଠ ଓ ଯୁବ ନେତାଙ୍କ ଅଲଗା ଅଲଗା ମେଳି
ମୋହନଙ୍କ ସଫଳତା ସାମଗ୍ରିକ ଭାବରେ ଓଡ଼ିଶାବାସୀଙ୍କ ପାଇଁ ଖୁସି ଆଣିଦେଇଛି । ଓଡ଼ିଶାକୁ ଆସିଥିବା ପ୍ରବାସୀ ଭାରତୀୟମାନଙ୍କ ମୁହଁରେ ସରକାରଙ୍କ ଆତିଥେୟତା ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ବ୍ୟବହାର ବେଶ୍ ଖୁସି ଦେଇଛି । ଟେଲିଭିଜନ ଚ୍ୟାନେଲଗୁଡିକ ଠାରୁ ଆରମ୍ଭ କରି ଜାତୀୟ ତଥା ଆଞ୍ଚଳିକ ଗଣମାଧ୍ୟମରେ ଓଡ଼ିଶା ସରକାର ଓ ଜନତାଙ୍କ ଭୂୟସୀ ପ୍ରଶଂସାରେ ଶତମୁଖ । ପ୍ରବାସୀମାନେ ତାଙ୍କର ଏହି ସ୍ୱଳ୍ପ ରହଣୀ ସମୟରେ ଓଡ଼ିଶାର ସାମାଜିକ, ଆର୍ଥିକ ତଥା ସାଂସ୍କୃତିକ ଜୀବନ ବିଷୟରେ ବେଶ୍ ପରିଚିତ ହୋଇଥିଲେ । କେବଳ ସେତିକି ନୁହେଁ ଓଡ଼ିଶାର ଐତିହ୍ୟ କିର୍ତ୍ତୀରାଜି, ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳ ସମ୍ପର୍କରେ ବେଶ୍ ଅବଗତ ହୋଇଥିଲେ ।
ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ । ଏ ଜାତିର ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ପ୍ରବାସୀ ‘ଜୟ ଜଗନ୍ନାଥ’ କହି ଏଠାକାର ସାଂସ୍କୃତିକ ଜୀବନକୁ ଭାରତୀୟ ଜନଜୀବନର ପ୍ରତୀକ ରୂପେ ଏକ ପ୍ରକାର ସ୍ୱୀକୃତି ପ୍ରଦାନ କରିଛନ୍ତି ।
ଏତେ ସବୁ ପ୍ରଶସ୍ତି ଓ ପ୍ରଶଂସା କିଛି ଲୋକଙ୍କ ହଜମ ହୋଇନାହିଁ । ସେମାନେ ଓଡ଼ିଶା ସରକାରଙ୍କୁ ଆଧାରହୀନ ଅଭିଯୋଗ ଆଣି ସମାଲୋଚନା କରିବା ପାଇଁ ପଛାଉନାହାଁନ୍ତି । କିଛି ସମାଲୋଚକ ସାମାଜିକ ଗଣମାଧ୍ୟମରେ କହିଲେ ଯେ, ପ୍ରବାସୀ ଭାରତୀୟ ସମ୍ମିଳନୀରେ ଲୋକ ହେଉନାହାଁନ୍ତି । ଚେୟାର ଖାଲି ପଡୁଛି । କେନ୍ଦ୍ର ସରକାରଙ୍କ ତରଫରୁ ଏହା ଉତ୍ତର ରଖାଯାଇଛି । କୁହାଯାଇଛି ଯେ, ଏହା ଏକ ସାର୍ବଜନୀନ ଉତ୍ସବ ନୁହେଁ । ଏହା ଆମର ପ୍ରବାସୀ ଅତିଥିମାନଙ୍କ ଲାଗି ଉଦ୍ଦିଷ୍ଟ । ଯେଉଁମାନେ ଏହି ଉତ୍ସବରେ ଯୋଗଦେବା ପାଇଁ ପଂଜିକରଣ କରିଥିଲେ, ସେହିମାନଙ୍କୁ ଆସିବା ପାଇଁ ନିମନ୍ତ୍ରଣ କରାଯାଇଥିଲା ।
କିଛି ସମାଲୋଚକ ପ୍ରଥମ ଦିନର ପ୍ଲେନାରି ହଲ୍ ବା ବିଷୟ ଆଲୋଚନା ଗୃହର ପଛପଟେ ଖାଲିପଡ଼ିଥିବା ସିଟ୍ଗୁଡିକର ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ଛାଡିଥିଲେ । ଯେଉଁମାନେ ଏଭଳି କାର୍ଯ୍ୟ କରିଥିଲେ, ସେମାନେ ଯେ ସମ୍ପୂର୍ଣ୍ଣ ମୂର୍ଖ, ତାହା ନୁହେଁ । ସେମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ ଉଚ୍ଚ ପଦପଦବୀରେ ରହିଥିଲେ । କିନ୍ତୁ ଏବେ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥରେ ଅନ୍ଧ ହୋଇ ଓଡ଼ିଶାର ଏହି ସଫଳତାରେ ନିଜକୁ ସାମିଲ କରପାରୁନାହାଁନ୍ତି । ସେମାନେ ଭଲ ଭାବରେ ଜାଣିଛନ୍ତି ଯେ ପ୍ଲେନାରି ହଲକୁ ସେହିମାନେ ଆସନ୍ତି ଯେଉଁମାନେ ସେହିଦିନର ନିରୂପିତ ବିଷୟ ଉପରେ ଆଲୋଚନା କରିବେ ବା ଶୁଣିବେ । ଆଉ କିଛି ସମାଲୋକଙ୍କ ମତ ହେଲା ଯେ, ଏଭଳି ଏକ ବିଶାଳ ଆୟୋଜନରୁ ଓଡ଼ିଶା କି ଲାଭ ପାଇଲା । ସେମାନଙ୍କର ପ୍ରଶ୍ନକୁ ଏଠାରେ ସକରାତ୍ମକ ଭାବରେ ବିଚାରକୁ ନିଆଯାଇପାରେ ।
ତିନି ଦିନିଆ ପ୍ରବାସୀ ଭାରତୀୟ ଦିବସ ଯେଉଁ ରାଜ୍ୟରେ ଅନୁଷ୍ଠିତ ହୁଏ, ସେହି ରାଜ୍ୟର ଛବି ତତ୍କ୍ଷଣାତ୍ ବିଶ୍ୱ ମାନଚିତ୍ରରେ ଉଦ୍ଭାସିତ ହୁଏ । ସେ ରାଜ୍ୟର ସାମାଜିକ, ଆର୍ଥିକ, ଐତିହାସିକ ତଥା ସାଂସ୍କୃତିକ ବୈଭବ ସମଗ୍ର ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରେ ।
ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ପାଳନ ହେବା ଯୋଗୁ ବିଦେଶୀମାନେ ଏଠାକାର ପ୍ରସିଦ୍ଧ ଶ୍ରୀମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ଧଉଳିଗିରି, ରତ୍ନଗିରି, ଉଦୟଗିରି, ଲଳିତଗିରି, ଭିତରକନିକା, ଶିମିଳିପାଳ ସମେତ କଟକରେ ଥିବା ନେତାଜୀ ସୁଭାଷ ବୋଷଙ୍କ ଜନ୍ମସ୍ଥାନ ଇତ୍ୟାଦି ବୁଲି ସେ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିପାରିଥିଲେ । କଟକର ତାରକସୀ କାମ ହେଉ ବା ପିପିଲିର ଚାନ୍ଦୁଆ ଏମାନଙ୍କୁ ବେଶ୍ ବିମୋହିତ କରିଥିଲା ।
ବିଭିନ୍ନ ପ୍ଲେନାରି ବୈଠକ ସମୟରେ ହେମନ୍ତ ଶର୍ମା, ବଲବନ୍ତ ସିଂହ, ସଂଜୟ ସିଂହଙ୍କ ଠାରୁ ଆରମ୍ଭ କରି ଓଡ଼ିଶା ସରକାରଙ୍କ ବହୁ ବରିଷ୍ଠ ପଦାଧିକାରୀମାନେ ରାଜ୍ୟରେ ଶିଳ୍ପ ଭିତ୍ତିଭୂମି, ପର୍ଯ୍ୟଟନ, ସୂଚନା ଓ ପ୍ରଯୁକ୍ତି, କୃଷି ତଥା କାରିଗରୀ କ୍ଷେତ୍ରରେ ଥିବା ପୁଞ୍ଜି ନିବେଶର ଅପାର ସମ୍ଭାବନା ସମ୍ପର୍କରେ ଅବଗତ କରାଇଥିଲେ ।
ଓଡ଼ିଶା ସରକାରଙ୍କ ସଫଳ ଉପସ୍ଥାପନାରେ ଖୁସି ହୋଇ କଗନିଜାଣ୍ଟ ସମେତ ଅନେକ କିଛି ବ୍ୟବସାୟିକ ସଂସ୍ଥା ଓ ଉଦ୍ୟୋଗୀ ଏଠାରେ ଅଧିକ ପୁଞ୍ଜି ନିବେଶ ବା ନୂଆ ଉଦ୍ୟୋଗ ଆରମ୍ଭ କରିବା ଲାଗି ଇଚ୍ଛା ପ୍ରକଟ କରିଛନ୍ତି । ଏହା ଆମ୍ଭମାନଙ୍କ ଲାଗି ଏକ ଶୁଭ ସଂଙ୍କେତ । ଆଶା କରିବା ଯେ, ଓଡ଼ିଶାରେ ଅଧିକରୁ ଅଧିକ ପୁଞ୍ଜି ନିବେଶ ହେଉ ଏବଂ ଏଠାକାର ଯୁବକ ଯୁବତୀ ନିଯୁକ୍ତି ପାଆନ୍ତୁ ।
ପ୍ରତି ଦୁଇ ବର୍ଷରେ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହୁଏ । ଯେଉଁ ରାଜ୍ୟରେ ଏହା ଅନୁଷ୍ଠିତ ହୁଏ, ତାହା ସେ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଦେଇଥାଏ । ଆମ ରାଜ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯେଉଁ ଅର୍ଥ ଖର୍ଚ୍ଚ କରିଥିଲେ, ତାହା ଏହି ଓଡ଼ିଶା ମାଟିରେ ଖର୍ଚ୍ଚ ହୋଇଛି । ପ୍ରତିଦିନ ପ୍ରାୟ ଆଠ ହଜାର ଲୋକଙ୍କ ପାଇଁ ଖାଦ୍ୟପଦାର୍ଥ ଦୁଇଓଳା ଓ ଜଳଖିଆ ପ୍ରସ୍ତୁତ ହେଉଥିଲା । ଏଥିରେ ହଜାର ହଜାର ଲୋକ ନିଯୁକ୍ତ ଥିଲେ । ଏଠାକାର ପନିପରିବା, ମାଛ ଓ ମାଂସ ରନ୍ଧାରେ ବ୍ୟବହାର ହେଉଥିଲା । ପ୍ରତ୍ୟେକ ହୋଟେଲ୍ ଓ ଫାମିଲି ଷ୍ଟେହୋମ୍ ଭରପୂର ଭାବେ ବୁକ୍ ହୋଇଥିଲା । କେବଳ ସେତିକି ନୁହେଁ , ପରିବହନ କ୍ଷେତ୍ରରେ ନିୟୋଜିତ ଅଟୋ ଓ ଟ୍ୟାକ୍ସି ମାଲିକ ଓ ଚାଳକମାନେ ମଧ୍ୟ ବେଶ୍ କିଛି ଅର୍ଥ ଉପାର୍ଜନ କରିପାରିଥିଲେ । ସକରାତ୍ମକ ଭାବନାରୁ ସର୍ଜନା ହୋଇଥାଏ । ନକରାତ୍ମକ ଭାବନା ବିନାଶ ଆଡକୁ ଆମକୁ ଟାଣି ନେଇଥାଏ । ଏହି ଦୃଷ୍ଟିରୁ ବିଚାର କଲେ ପ୍ରବାସୀ ଭାରତୀୟ ଦିବସ ଉତ୍ସବ ଓଡ଼ିଶାରେ ପାଳନ କରିବା ଆମ ପାଇଁ ଏକ ବରଦାନ ଥିଲା ।
ଓଡ଼ିଶା ଏବେ ବିଶ୍ୱ ଦରବାରରେ ନିଜର ଉପସ୍ଥିତିକୁ ବେଶ୍ ଭଲଭାବରେ ଉପସ୍ଥାପିତ କରିପାରିଛି । ଦିନ କେତୋଟି ପରେ ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା’ ପୁଞ୍ଜି ନିବେଶ ମହାକୁମ୍ଭ ଅନୁଷ୍ଠିତ ହେବ । ଆଶା କରିବା, ଏଥର ରାଜ୍ୟ ସରକାର ୧୦ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ ପ୍ରସ୍ତାବର ଲକ୍ଷ୍ୟ ରଖିଛନ୍ତି, ତାହା ହାସଲ ହୋଇପାରିବ ଏବଂ ଓଡ଼ିଶା ପ୍ରଗତିର ରଥ ଅଧିକ ଗତିରେ ଧାବମାନ ହେବ ।