/odishatv-khabar/media/post_attachments/uploadimage/library/16_9/16_9_0/IMAGE_1736949175.jpg)
BJD କନ୍ଦଳ ଅସମ୍ଭାଳ !
ବିପର୍ଯ୍ୟୟ ପରେ ଅସମ୍ଭାଳ ହେଲାଣି ବିଜେଡି କନ୍ଦଳ । ଗୋଷ୍ଠୀ ବିବାଦ ତୀବ୍ର ରୂପ ଧାରଣ କଲାଣି । ଯୁବଠୁ ଆରମ୍ଭ କରି ବରିଷ୍ଠ ନେତାଙ୍କ ଯାଏ ସବୁ ମେଳି କରି ଦବଦବା ଜାହିର୍ କଲେଣି । ଆଜି ଭୁବନେଶ୍ବରରେ ବିଜେଡିର କିଛି ବରିଷ୍ଠ ଓ ଯୁବ ନେତା ଅଲଗା ଅଲଗା ମେଳି କରି ନେତୃତ୍ୱକୁ ଚ୍ୟାଲେଞ୍ଜ କରିଛନ୍ତି। ଯାହାକୁ ନେଇ ବଢିଛି ଚର୍ଚ୍ଚା। ସେପଟେ ଦଳ କହିଛି, ସବୁ ଠିକ୍ ଚାଲିଛି । ମେଳି, ମେଳି ଆଉ ମେଳି । ବିଜେଡିରେ ଯେମିତି ନିତିଦିନିଆ ଘଟଣା ପାଲଟି ଗଲାଣି ମେଳି । ସାଂଗଠନିକ ନିର୍ବାଚନର ନାଁ ଗନ୍ଧ ନାହିଁ କି ନେତାଙ୍କ ମେଳି ଥମିବାର ନାଁ ନେଉନି । ଗୋଷ୍ଠୀ ତିଆରି ହେଉଛି । ବରିଷ୍ଠଙ୍କଠାରୁ ଆରମ୍ଭ କରି କନିଷ୍ଠଙ୍କ ଯାଏଁ ସମସ୍ତେ ଯେମିତି ଏବେ ପୁରୁଣା ନେତୃତ୍ୱକୁ ଚ୍ୟାଲେଞ୍ଜ ଦେଲେଣି ।
ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନ । ଆଜି ସକାଳେ ଏଠି ପରାଜିତ ବରିଷ୍ଠ ନେତାଙ୍କ ମେଳି ହୋଇଥିଲା । ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ପ୍ରଫୁଲ୍ଲ ମଲ୍ଲିକ, ଭୂପିନ୍ଦର ସିଂହ, ପଦ୍ମନାଭ ବେହେରା ଓ ଦେବେଶ ଆଚାର୍ଯ୍ୟ ଏକାଠି ହୋଇଥିଲେ । ପାଖାପାଖି ୪ ଘଣ୍ଟା ଧରି ଚାଲିଥିଲା ରୁଦ୍ଧଦ୍ବାର ବୈଠକ । ତେବେ କାହିଁକି ବରିଷ୍ଠଙ୍କ ଏହି ବୈଠକ, ତାକୁ ନେଇ ବିଜେଡିରେ ଚର୍ଚ୍ଚା ଜୋର୍ । କିଛି ବରିଷ୍ଠ ତେରଛା ବାଣ ବି ମାରିଛନ୍ତି । ତେବେ ମେଳି କଥାକୁ କେହି ସ୍ୱୀକାର କରିନାହାନ୍ତି ।
ଅଧିକ ପଢ଼ନ୍ତୁ: ବିଷ ଉଗାରିଲେ ଯାଜ୍ଞସେନୀ; ‘ଶେଷ ହୋଇଯିବ ବିଜେଡି’
ସେପଟେ ଭୁବନେଶ୍ବରର ଆଉ ଏକ ସ୍ଥାନରେ ବନ୍ଧୁ ମିଳନ ଆଳରେ କିଛି ବିଧାୟକ ଆଶାୟୀ ମେଳି କରିଛନ୍ତି । ସଂଗ୍ରାମ ପାଇକରାୟ, ଚିନ୍ମୟ ସାହୁ, କର୍ପୋରେଟର ବିରଞ୍ଚିନାରାୟଣ ମହାସୁପରକାର, ବାବୁଲି ସମର୍ଥା, କୁନ ବିହାରୀ ଦାସଙ୍କ ଭଳି ଯୁବ ନେତା ପ୍ରମୁଖ ଯୋଗ ଦେଇଥିଲେ । ଆଉ ସେହି ବନ୍ଧୁ ମିଳନରେ ନେତୃତ୍ୱ ନେଉଥିବା ନେତାଙ୍କୁ ବିରୋଧ କରାଯାଇଛି। ନୂଆ ଚେହେରାକୁ ଆଗକୁ ଆଣିବାକୁ ଏମାନେ ଦାବି କରିଛନ୍ତି। ଅନ୍ୟପଟେ ଦଳ କହିଛି ସବୁ ଠିକ୍ ଠାକ୍ ଚାଲିଛି।
କିଛି ଦିନ ତଳେ ବିଜେଡିର କିଛି ପୂର୍ବତନ ଯୁବ ବିଧାୟକ ମେଳି କରି ନବୀନଙ୍କୁ ଭେଟିଥିଲେ। ଆଉ ଏବେ ଏହି ମେଳି ରୋଗ ଦଳ ଭିତରେ ମାଡ଼ିଗଲାଣି। ଏବେ ଦେଖିବାର କଥା ଦଳପତି ଗୋଷ୍ଠୀ କନ୍ଦଳକୁ କେମିତି ମ୍ୟାନେଜ୍ କରୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)