/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737042313.jpg)
‘କହିଲେ ହେବନି, ଲେଖିକି ଦିଅ’
ନବ ଦାସଙ୍କ ହତ୍ୟା ନେଇ ପୁଣି ତେଜିଲା ରାଜନୀତି । ସିବିଆଇ ତଦନ୍ତ ପାଇଁ ଝିଅ ଦୀପାଳି ଦାସଙ୍କ ଚ୍ୟାଲେଞ୍ଜ୍ ପରେ ଲିଖିତ ଆବଦେନ ପାଇଁ ଆଇନ ମନ୍ତ୍ରୀଙ୍କ ଆହ୍ୱାନ। କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ହୋଇନଥିବା ଲିଖିତ ଭାବେ ଜଣାଇଲେ, ସିବିଆଇ ତଦନ୍ତ ପାଇଁ ବିଧିବଦ୍ଧ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ। ଏପଟେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, ରାଜନୈତିକ ଏବଂ ବ୍ୟବସାୟିକ ଆକାଂକ୍ଷା ପାଇଁ ପିତୃହତ୍ୟାକୁ ଭୁଲିଗଲେ। ଏଣେ ବିଜେଡି କହିଛି କ୍ରାଇମବ୍ରାଞ୍ଚ ଠିକ୍ ତଦନ୍ତ କରିଛି, ଯଦି ଦୀପାଳି ଚାହୁଁଛନ୍ତି ସିବିଆଇ ତଦନ୍ତ ହେଉ।
ଅଧିକ ପଢ଼ନ୍ତୁ: ନବୀନ ନିବାସରେ ପାଣ୍ଡିଆନଙ୍କୁ ଭେଟୁଛନ୍ତି ବିଜେଡି ନେତା, ପୁଣି ଆଗ ଭଳି…
ଚାଲେଞ୍ଜ, କାଉଣ୍ଟର ଚାଲେଞ୍ଜ । ପୁଣି ରାଜନୀତିରେ ନବ ଦାସ ହତ୍ୟା ପ୍ରସଙ୍ଗ। ମୁହାଁମୁହିଁ ଦୀପାଳି ଏବଂ ପୃଥ୍ୱୀରାଜ ହରିଚନ୍ଦନ। ସିବିଆଇ ତଦନ୍ତକୁ ନେଇ ତେଜିଲା ରାଜନୀତି। ଗତକାଲି ଦୀପାଳି ମିଡିଆ ଆଗରେ ବିବୃତି ରଖି ବାପାଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଚାଲେଞ୍ଜ ଦେବା ପରେ ଆଜି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଜବାବ ରଖିଛନ୍ତି। କହିଛନ୍ତି, ଖାଲି ଗଣମାଧ୍ୟମ ଆଗରେ କହିଦେଲେ ହେବନି। ଯଦି ପୂର୍ବ ସରକାର ତଦନ୍ତରେ ସେମାନେ ସନ୍ତୁଷ୍ଟ ନୁହଁନ୍ତି, ତାହେଲେ ତାଙ୍କ ପରିବାର ଲିଖିତ ଭାବେ ଜଣାଇଲେ ସରକାର ନିଷ୍ପତ୍ତି ନେବେ। ମୁଖ୍ୟମନ୍ତ୍ରୀ ବିଚାର କରିବେ ସିବିଆଇ ତଦନ୍ତ ହେବ କି ନାହିଁ। ଏହା ସହ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଇନ ମନ୍ତ୍ରୀ। କହିଛନ୍ତି ବିଳମ୍ବରେ ହେଲେ ବି ଅନ୍ତତଃ ଦୀପାଳିଙ୍କ ମନରେ ଆସିଲା ପୂର୍ବ ସରକାରରେ କ୍ରାଇମବ୍ରାଞ୍ଚ ତଦନ୍ତ ନାଁରେ ଭୁଆଁ ବୁଲେଇ ଥିଲେ।
ଅନ୍ୟପଟେ ଏହି ହାଇପ୍ରୋଫାଇଲ୍ ମର୍ଡର ଘଟଣା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । କହିଛନ୍ତି ସେତେବେଳେ ରାଜନୈତିକ ଏବଂ ବ୍ୟବସାୟିକ ମୋହ ପାଇଁ ପିତୃହତ୍ୟାକୁ ଭୁଲିଗଲେ । କ୍ରାଇମବ୍ରାଞ୍ଚ ତଦନ୍ତରେ ଅସନ୍ତୁଷ୍ଟ ବୋଲି କୋର୍ଟକୁ ଲେଖିକି ଦେଲେ, ଆମେ ସିବିଆଇ ତଦନ୍ତ ପାଇଁ ମାଡି ବସିବୁ। ବିଧାନସଭାରେ କହିଥିଲି, ଏହା ପଛରେ ଜଣେ ଆଇଏଏସ, ଆଇପିଏସ୍ ଏବଂ ସେତେବେଳର ବିଧାୟକଙ୍କ ହାତ ଥିଲା। ବିଜେଡି କହିଛି ଆମ ସରକାର ସମୟରେ ତଦନ୍ତ ଠିକ୍ ହୋଇଥିଲା। ଯଦି ଦୀପାଳି ଚାହୁଁଛନ୍ତି ସିବିଆଇ ତଦନ୍ତ କରୁ ।
ଏହାରି ଭିତରେ ଆଉ ୧୨ ଦିନ ପରେ ନବ ଦାସଙ୍କ ହତ୍ୟାକୁ ପୂରିବ ଦୁଇ ବର୍ଷ। କିନ୍ତୁ ବଡ କଥା ହେଲା ଏ ଯାଏଁ ଯଦିଓ ହତ୍ୟାକାରୀ ପୋଲିସ୍ ASI ଗୋବିନ୍ଦ ଦାସଙ୍କୁ ଗିରଫ କରାଯାଇଛି, କିନ୍ତୁ କାରଣ ପାଖରେ ପହଞ୍ଚି ପାରିନି ତଦନ୍ତକାରୀ ସଂସ୍ଥା । ତିନି ଦିନ ତଳେ ଦୀପାଳି ବି ପୋଲିସ୍ ଲଗାଇ ତାଙ୍କ ବାପାଙ୍କୁ ହତ୍ୟା ହୋଇଥିବା କହିଥିଲେ। ଏଠି ପ୍ରଶ୍ନ ଉଠୁଛି କାହିଁକି ଏତେ ଦିନ ଧରି ଚୁପ୍ ଥିଲେ ଦୀପାଳି ? ବାଧ୍ୟବାଧ୍ୟକତା ନା ଥିଲା କିଛି ଚାପ ? ଆଇନ ମନ୍ତ୍ରୀଙ୍କ ଆହ୍ୱାନ ପରେ ସିବିଆଇ ତଦନ୍ତ ପାଇଁ ଲିଖିତ ଦାବି ଜଣାଇବେ କି ଦୀପାଳି ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)