• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଫାଟୁଛି ମୟୂରଭଞ୍ଜ ଜିଲ୍ଲା ବିଜେଡି । ଦଳର ଜିଲ୍ଲା ସଂପାଦକ ଥିବା ଅଭିନ୍ନ ସୁନ୍ଦର ପାତ୍ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି ନିଜର ଇସ୍ତଫାପତ୍ର । ମୂରବୀଶୂନ୍ୟ ଦଳରେ ଥିବା ଗୋଷ୍ଠୀ କନ୍ଦଳ ଏବଂ ନିଜ ନିଜ ସ୍ବାର୍ଥରେ ଜିଲ୍ଲା ଓ ରାଜ୍ୟସ୍ତରୀୟ ନେତା ଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି ।

ସେହିପରି ନିର୍ବାଚନବେଳେ ଟିକେଟ ବଣ୍ଟନରେ ପକ୍ଷପାତକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଦଳ ସଂପୂର୍ଣ୍ଣ ହାରିଯାଇଥିଲା ବୋଲି ଅଭିନ୍ନ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ୨୦୧୯ରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ଏବେ ମୟୂରଭଞ୍ଜ ସେଣ୍ଟ୍ରାଲ କୋଅପରେଟିଭର ନିର୍ଦ୍ଦେଶକ ମଧ୍ୟ ଅଛନ୍ତି ଅଭିନ୍ନ। ତେବେ ଅଭିନ୍ନଙ୍କ ଆଗକୁ କି ରଣନୀତି ରହିବ, ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ଅଭିନ୍ନଙ୍କ ଅଭିଯୋଗ ନେଇ ବିଜେଡି ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଅଧିକ ପଢ଼ନ୍ତୁ: ଦେବାଶିଷଙ୍କ ଇସାରା କାହାକୁ ? କାହିଁକି ଏକାଠି ହେଲେ ବଡ଼ ନେତାଙ୍କ ପୁଅମାନେ ?

ସୂଚନା ଅନୁସାରେ କେବଳ ମୟୂରଭଞ୍ଜରେ ନୁହେଁ, ଗତ ଗୁରୁବାର କଟକରେ ମଧ୍ୟରେ ବିଜେଡି ଯୁବ ନେତାଙ୍କ ମେଳି ଦେଖିବାକୁ ମିଳିଥିଲା । ଗୁରୁବାର କଟକରେ ମଶାଲ ଶୋଭାଯାତ୍ରା ଆୟୋଜନ କରିଥିଲା ବିଜୁ ଛାତ୍ର ଜନତା ଦଳ । ଯେଉଁଥିରେ ମେଳି କରିଥିବା ଜୁନିୟର ନେତା ସାମିଲ୍ ହୋଇଥିଲେ । ଶୋଭାଯାତ୍ରା ପରେ ପରେ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଘରେ ସମସ୍ତେ ଏକାଠି ବସିଥିଲେ । ବିଧାୟକ ସୁନୀଲ ମହାନ୍ତି, ଦେବୀରଞ୍ଜନ ତ୍ରିପାଠୀଙ୍କ ସମେତ ପୂର୍ବରୁ ଭୁବନେଶ୍ବର ଓ ନିକଟରେ ଗୋପାଳପୁରରେ ମେଳି କରିଥିବା ପ୍ରଣବ ବଳବନ୍ତରାୟ, ସମ୍ବିତ ରାଉତରାୟ, ରୁଦ୍ର ମହାରଥୀ, ବିଷ୍ଣୁବ୍ରତ ରାଉତରାୟ, ଚନ୍ଦ୍ର ସାରଥୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

ତେବେ କଟକ ମେୟର ସୁବାସ ସିଂ କି ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ ଏଥିରେ ସାମିଲ ହୋଇନଥିଲେ । ଯାହାକୁ ନେଇ ଚର୍ଚ୍ଚା ବଢିଥିବାବେଳେ ସୌଭିକ ନିଆଁରେ ଘିଅ ଢାଳି କହିଛନ୍ତି ଯୁବ ନେତୃତ୍ବର ଆବଶ୍ୟକତା ରହିଛି ଦଳରେ ।

ସାଂଗଠନିକ ନିର୍ବାଚନ ପୂର୍ବରୁ ବିଜେଡିରେ ଜୁନିୟର ଓ ସିନିୟର ଗୋଷ୍ଠୀର ଆବିର୍ଭାବ ହୋଇଛି । କିଛି ଦିନ ତଳେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଭୁବନେଶ୍ବର ସରକାରୀ ବାସଭବନରେ କିଛି ବରିଷ୍ଠ ନେତା ବି ମେଳି କରିଥିଲେ । ବର୍ତ୍ତମାନ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଦଳ ଦାୟିତ୍ବରେ ଥିବା ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀଙ୍କ ଭଳି ନେତାଙ୍କୁ ବିରୋଧ ଏକପ୍ରକାର ଜୋର ଧରିଛି ।

ଏହାରି ଭିତରେ ଗତକାଲି ରାୟଗଡା ସଭାରେ ବରିଷ୍ଠ ବିଧାୟକ ଅରୁଣ ସାହୁ ତେରେଚ୍ଛା ବାଣ ମାରିଛନ୍ତି । ୨୪ ବର୍ଷ ଶାସନରେ ବିଜେଡିର ଅହଙ୍କାର ବଢିଯିବାରୁ ଦଳ ପରାଜିତ ହେଲା । ଦ୍ବନ୍ଦ୍ବ ଦୂର ହେଲେ ପୁଣି ବିଜେଡି କ୍ଷମତାକୁ ଆସିବ। ସେପଟେ ବିଜେଡି ଖୁବ୍ ଶୀଘ୍ର ସଫା ହୋଇଯିବ ଯିବ ବୋଲି ବିଜେପି କହିଥିବା ବେଳେ, ବିଜେଡି କହିଛି- ଗୋଷ୍ଠୀ କନ୍ଦଳ କିଛି ନାହିଁ । ରାଜନୈତିକ ସମୀକ୍ଷକଙ୍କ ମତ ହେଲା ବିଜେଡିର ଗୋଷ୍ଠୀ କନ୍ଦଳକୁ ଦଳପତି ମ୍ୟାନେଜ କରିବା କାଠିକର ପାଠ ।

ଅଧିକ ପଢ଼ନ୍ତୁ: ଚଳନ୍ତି ଇତିହାସର ଆଇନାରେ ମୋହନ ଓ ନବୀନ – କାହା ଛବି କିଭଳି ଦୃଶ୍ୟମାନ ?

OTV is now on Whatsapp

Join and get latest news update delivered to you via whatsapp

Join Now