/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737733280.jpg)
BJD Politics
କିଏ କହୁଛନ୍ତି ଆଗକୁ ବିଜେଡି ଭାଙ୍ଗିଯିବ, ପୁଣି କିଏ କହୁଛନ୍ତି ଆଗାମୀ ସାଂଗଠନିକ ନିର୍ବାଚନ ପରେ ବିଜେଡି ଆହୁରି ଶକ୍ତିଶାଳୀ ହୋଇ ଉଭା ହେବ । ଏହି ଚର୍ଚ୍ଚାକୁ ଖୋରାକ ଯୋଗାଉଛି ବିଜେଡିରେ ବିଭିନ୍ନ ଗୋଷ୍ଠୀର ମେଳି । ଗତ ଦୁଇମାସ ହେଲା ବିଜେଡିର ବିଭିନ୍ନ ଗୋଷ୍ଠୀ ଭିନ୍ନ ଭିନ୍ନ ବୈଠକ କରୁଛନ୍ତି । ସେମାନେ କଣ ସବୁ ଆଲୋଚନା କରୁଛନ୍ତି, ତାହା ହୁଏତ ପଦାକୁ ଆସୁନାହିଁ । ସେମାନଙ୍କ ବୈଠକର ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି ।
ଇଂରାଜୀରେ ଏକ କଥା ଅଛି, ‘Birds of a feather flock together’. ଅର୍ଥାତ ସମଭାବାପନ୍ନମାନେ ଏକାଠି ହୁଅନ୍ତି । ଏକାଠି ହେଉଥିବା ବିଜେଡି ନେତାମାନଙ୍କ ମଧ୍ୟରେ ନିଶ୍ଚିତ ସମାନ ଧରଣର ମାନସିକତା ଥାଇପାରେ । କେତେକ କ୍ଷେତ୍ରରେ ବିରୋଧାଭାସ ବି ଥାଇପାରେ । କିନ୍ତୁ ଏମାନଙ୍କୁ ସମଭାବାପନ୍ନ କୁହାଯାଇପାରିବ ବୋଲି ଅନେକ ମତ ଦେଉଛନ୍ତି । କେଉଁଠି ବରିଷ୍ଠମାନେ ଏକାଠି ହେଉଛନ୍ତି ତ ପୁଣି କେଉଁଠି କନିଷ୍ଠମାନେ ଏକାଠି ହେଉଛନ୍ତି । ତେବେ କଟକରେ ନେତାଜୀ ଜୟନ୍ତୀ ଅବସରରେ ବିଜେଡିର କିଛି ଯୁବ ବିଧାୟକ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବାସଭବନରେ ଏକାଠି ହେବା ଘଟଣାକୁ ରାଜନୈତିକ ସମୀକ୍ଷକ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । ଏହି ବିଧାୟକମାନେ ଏକାଠି ହୋଇ ଏକ ପ୍ରେସର୍ ଗ୍ରୁପ୍ ତିଆରି କରିଥିବା ଆଲୋଚନା ଜୋର୍ ଧରିଛି । ଏହି ବୈଠକରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ପୁରୀ ବିଧାୟକ ସୁନିଲ୍ ମହାନ୍ତି, ପୂର୍ବତନ ବିଧାୟକ ସମ୍ୱିତ ରାଉତରାୟ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଓ ପୂର୍ବତନ ବିଧାୟକ ରୁଦ୍ର ମହାରଥୀ ପ୍ରମୁଖ ଉପସ୍ଥିତ ଥିଲେ ।
ଅଧିକ ପଢ଼ନ୍ତୁ: ଗୋଷ୍ଠୀ କନ୍ଦଳକୁ ଖଣ୍ଡନ କଲେ ଦେବାଶିଷ ସାମନ୍ତରାୟ, ଯୁବପିଢି ହିଁ ଦଳକୁ ଆଗେଇ ନେବେ
ତେବେ ବଡ଼ କଥା ହେଉଛି, ଦେବୀ ରଞ୍ଜନ ହେଉଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁଅ, ଅଂଶୁମାନ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନଳିନୀ ମହାନ୍ତିଙ୍କ ପୁଅ, ପ୍ରଣବ ବଳବନ୍ତରାୟ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ କଳ୍ପତରୁ ଦାସଙ୍କ ପୁଅ, ଚନ୍ଦ୍ରସାରଥୀ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ କାଳିନ୍ଦୀ ବେହେରାଙ୍କ ପୁଅ, ସମ୍ବିତ ରାଉତରାୟ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦାମୋଦର ରାଉତଙ୍କ ପୁଅ, ସୁନୀଲ ମହାନ୍ତି ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କ ପୁଅ, ରୁଦ୍ର ମହାରଥୀ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ଓ ବିଷ୍ଣୁବ୍ରତ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କ ପୁଅ । ଏହି ବୈଠକକୁ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ମଧ୍ୟ ଡକାଯାଇଥିଲା । ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କ ପୁଅ । କିନ୍ତୁ ସେ ଅନ୍ୟ କାମରେ ବ୍ୟସ୍ତ ଥିବାରୁ ଏହି ବୈଠକକୁ ଆସିପାରିନଥିଲେ ବୋଲି କହିଛନ୍ତି ଦେବାଶିଷ ସାମନ୍ତରାୟ ।
ତେବେ ଦାମୋଦର ରାଉତଙ୍କ ପୁଅ ସମ୍ୱିତ ଏହି ବୈଠକରେ ଯୋଗଦେବା ଏକ ଗୁରୁତ୍ବପୂର୍ଣ୍ଣ କଥା ହୋଇପାରେ । କାରଣ ସାଂସଦ ଦେବାଶିଷ ସାମନ୍ତରାୟଙ୍କ କଟକ ରାଜାବଗିଚାସ୍ଥିତ ବାସଭବନରେ ସମସ୍ତେ ଏକାଠି ହୋଇଥିଲେ । ଓଡ଼ିଶା ରାଜନୀତିରେ ବିଶେଷ କରି ଜଗତସିଂହପୁର ରାଜନୀତିରେ ଦେବାଶିଷ ଓ ସ୍ୱର୍ଗତ ଦାମ ରାଉତଙ୍କ ମଧ୍ୟରେ ଥିବା ସଂପର୍କ ରାଜ୍ୟବାସୀଙ୍କୁ ଅଳ୍ପବହୁତେ ଜଣା । ଏହି ଯୁବନେତାମାନଙ୍କ ସହ ସମ୍ୱିତ ମଧ୍ୟ ଥିଲେ । ଏହି ବୈଠକରେ ଦଳ ବିଷୟରେ ମଧ୍ୟ ଆଲୋଚନା ହୋଇଥିବା ମଧ୍ୟ କୁହାଯାଉଛି । ତେବେ ଏହି ବୈଠକ ନେଇ ଦେବାଶିଷ ଦେଇଥିବା ବୟାନ ହିଁ ଅନେକ ପ୍ରାସଙ୍ଗିକତା ରଖୁଛି । ସେ କହିଛନ୍ତି, ବିଜୁ ବାବୁଙ୍କର ଯେଉଁମାନେ ସହଯୋଗୀ ଥିଲେ ସେମାନଙ୍କ ପୁତ୍ରମାନେ ଏକାଠି ହୋଇଥିଲେ ।
ବର୍ତମାନ ସମୟରେ ନୂଆ ପିଢି ଆଗେଇ ଆସିବା ଦରକାର । ଏଇମାନେ ହିଁ ଦଳକୁ ଆଗେଇ ନେଇପାରିବେ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ଦେବାଶିଷ । ଏମାନେ ଜିତନ୍ତୁ ବା ହାରନ୍ତୁ ତାହା ବଡ କଥା ନୁହେଁ, ଏମାନଙ୍କର ସ୍ପିରିଟ୍ ଅଛି । ଏମାନଙ୍କ ପରିବାରକୁ ଲୋକମାନେ ଦୀର୍ଘ ବର୍ଷ ଧରି ଭୋଟ ଦେଇଆସିଛନ୍ତି । ଏମାନେ ବିଜୁ ପରିବାରର ସଦସ୍ୟ ବୋଲି କହିଛନ୍ତି ଦେବାଶିଷ। ଏହା ଭିତରେ ସେ ପୁଣି କହିଛନ୍ତି ଯେ, କାଲି ଜଣେ ଦଳକୁ ଆସି ନିଜକୁ ସର୍ବେସର୍ବା ଭାବିବା ଠିକ୍ ନୁହେଁ । ସେ ଏ ନେଇ କାହାର ନାଁ ନେଇନାହାନ୍ତି । କିନ୍ତୁ ଏ କଥା କାହାକୁ ଲକ୍ଷ୍ୟ କରି ସେ କହିଛନ୍ତି, ତାହା ବୁଝିବା ଲୋକ ହିଁ ବୁଝିବେ । ସଭାପତି ନବୀନ ପଟ୍ଟନାୟକ ଦଳର ସର୍ବମାନ୍ୟ ନେତା ବୋଲି ସେ କହିଛନ୍ତି ।
ଅଧିକ ପଢ଼ନ୍ତୁ: ବିଜେଡି ସୁପ୍ରିମୋ ନବୀନଙ୍କ ଟେନ୍ସନ ବଢ଼ାଉଛି ଦଳୀୟ ଫାଟ
ବିଜୁ ବାବୁଙ୍କ ପରେ ତାଙ୍କ ପୁଅ ନବୀନ ପଟ୍ଟନାୟକ ପ୍ରଥମରୁ ହିଁ ବିଜେଡିର ସଭାପତି ଅଛନ୍ତି । ଅନ୍ୟ କେହି ସଭାପତି ହୋଇନାହାନ୍ତି । ତେବେ ବିଜୁ ପରିବାରରେ ସେତେବେଳେ ଥିବା ନେତାମାନଙ୍କ ପୁଅମାନେ ମେଳି କରିବା କି ସଂକେତ ଦେଉଛି ? ଦଳକୁ ପରିବାରବାଦ ଆଡକୁ ଏହା ଟାଣି ନେଉନାହିଁ ତ ? ନା ବିଜୁ ପରିବାରକୁ ପୁଣି ଏକାଠି କରିବାକୁ ଆରମ୍ଭ ହେଲାଣି ପ୍ରକ୍ରିୟା । କାହାକୁ ଚାଲେଞ୍ଜ କରିବାକୁ ଚାହୁଁଛନ୍ତି ଏମାନେ ? ଏମିତି ପ୍ରଶ୍ନ ଉଙ୍କିମାରୁଛି ରାଜନୈତିକ ସମୀକ୍ଷକଙ୍କ ମନରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)