• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

ମହାରାଷ୍ଟ୍ରରେ ଭୋଟ ଗଣତି ସମୟ ଯେତିକି ପାଖେଇ ଆସୁଛି, ନେତାମାନଙ୍କର ଉତ୍କଣ୍ଠା ସେତିକି ସେତିକି ବଢି ବଢି ଚାଲିଛି । ରାତି ପାହିଲେ ହେବ ଭୋଟ ଗଣତି । ତେବେ ତା ପୂର୍ବରୁ ସରକାର ଗଢିବା ନେଇ ଉଭୟ ମହାୟୁତି ଓ ମହା ବିକାଶ ଅଘାଡି ନିଜ ନିଜର ରଣନୀତି ଆରମ୍ଭ କରିଦେଇଛନ୍ତି । ଯଦି କୌଣସି ମେଣ୍ଟକୁ ପୂର୍ଣ୍ଣ ବହୁମତ ମିଳେ, ତେବେ ସେହି ମେଣ୍ଟ ହିଁ ସରକାର ଗଢିବ । କିନ୍ତୁ ଯଦି ମ୍ୟାଜିକ୍ ନମ୍ୱର 145 ପାଖାପାଖି ରୁହନ୍ତି, ତାହା ହେଲେ ରାଜନୈତିକ ସମୀକରଣ ବଦଳିଯାଇପାରେ । ଏହି ଆଶଙ୍କାରେ ମେଣ୍ଟର ନେତାମାନେ ଘନ ଘନ ବୈଠକ କରୁଛନ୍ତି । ସୁଯୋଗର ଭରପୁର ଫାଇଦା ନେବାକୁ ସମସ୍ତେ ଚାହୁଁଛନ୍ତି । ବିଜେପି, ଶିବସେନା ଓ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପିକୁ ନେଇ ଗଠିତ ମହାୟୁତି ଏଥର ସରକାର ଗଠନ କରିବା ସମ୍ଭାବନା ଅଧିକ ବୋଲି ଏକଜିଟ୍ ପୋଲ୍ ରିପୋର୍ଟରେ ପ୍ରକାଶ ପାଇଛି । ତେଣୁ ଏହି ତିନି ଦଳର  ବରିଷ୍ଠ ନେତାମାନେ ଦଳର ନେତା ଓ ପ୍ରାର୍ଥୀମାନଙ୍କୁ ମୁମ୍ୱାଇ ଡକାଇଛନ୍ତି । ଭୋଟଗଣତି ସରୁସରୁ ଦଳର ନିର୍ବାଚିତ ପ୍ରାର୍ଥୀମାନେ କେମିତି ଶୀଘ୍ର ମୁମ୍ବାଇରେ ପହଞ୍ଚିପାରିବେ, ସେ ନେଇ ବ୍ୟବସ୍ଥା କରାଯାଇଛି । ଏପରିକି ଅନେକଙ୍କ ପାଇଁ ହେଲିକପ୍ଟର ବ୍ୟବସ୍ଥା କରାଯାଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ବିଭିନ୍ନ ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନଙ୍କ ପାଇଁ ହୋଟେଲ୍ ମଧ୍ୟ ବୁକ୍ କରାଯାଇଛି । ଯେମିତି ପ୍ରତିପକ୍ଷ ରାଜନୈତିକ ଦଳର ତାଙ୍କୁ କେହି ଯୋଗାଯୋଗ କରି ପ୍ରଲୋଭିତ ନକରିପାରିବେ, ତା ଉପରେ ମଧ୍ୟ ନଜର ରଖାଯାଇଛି ।

ଏଥର ଷଡ଼ମୁଖୀ ପ୍ରତିଦ୍ୱନ୍ଦ୍ୱିତା

ଏଥର ମହାରାଷ୍ଟ୍ରରେ ଦ୍ୱିମୁଖୀ କି ତ୍ରିମୁଖୀ ନୁହେଁ ଷଡ଼ମୁଖୀ ପ୍ରତିଦ୍ୱନ୍ଦ୍ୱିତା ହୋଇଛି । ବିଜେପି ଓ କଂଗ୍ରେସକୁ ଛାଡିଦେଲେ ଏନସିପି ଓ ଶିବସେନା ଦୁଇ ଦୁଇ ଭାଗରେ ବିଭକ୍ତ ହୋଇ ନିର୍ବାଚନ ଲଢିଛନ୍ତି । ଆଗରୁ ମହାରାଷ୍ଟ୍ରରେ ଏମିତି ନିର୍ବାଚନ କେବେ ହୋଇନଥିଲା । ଏହି ପ୍ରତିଦ୍ୱନ୍ଦ୍ୱିତାରେ ଅନେକ ସ୍ୱାଧୀନ ଓ ବିଦ୍ରୋହୀ ପ୍ରାର୍ଥୀ ମଧ୍ୟ ଅଛନ୍ତି । ଏବେ ସମସ୍ତଙ୍କ ନଜର ରହିଛି ଏଇମାନଙ୍କ ଉପରେ । ଜିତିବା ସମ୍ଭାବନା ଥିବା ସ୍ୱାଧୀନ ଓ ବିଦ୍ରୋହୀ ପ୍ରାର୍ଥୀଙ୍କ ସହ ମହାୟୁତିର ନେତାମାନେ ଯୋଗାଯୋଗରେ ଥିବାର ଚର୍ଚ୍ଚା ହେଉଛି । ଯଦି ମହାୟୁତି ମ୍ୟାଜିକ ନମ୍ବରରୁ ତଳକୁ ଖସେ, ଏଇମାନେ ହିଁ ହେବେ ତ୍ରାଣକର୍ତ୍ତା । ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରଶେଖର ବାୱାଙ୍କୁଲେ କହିଛନ୍ତି, ମହାୟୁତି ଏଥର ସଂଖ୍ୟାଗରିଷ୍ଠତା ହାସଲ କରିବ । ବିଜେପି ଦେଇଥିବା 105 ଆସନ ମଧ୍ୟରୁ ଅଧିକାଂଶ ଆସନରେ ବିଜେପି ଜିତିବ ବୋଲି ସେ ଆଶା ରଖିଛନ୍ତି । ଏକନାଥ ସିନ୍ଦେ ଓ ଅଜିତ ପାୱାର ଏଥର ଭଲ କରିବେ ବୋଲି ଆଶାବାଦୀ ଅଛନ୍ତି ଚନ୍ଦ୍ରଶେଖର । ସ୍ୱାଧୀନ ବିଧାୟକଙ୍କ ବିନା ମହାୟୁତି ସରକାର ଗଠନ କରିବ କିନ୍ତୁ ସଂଖ୍ୟା ବଢାଇବାକୁ ସ୍ୱାଧୀନଙ୍କୁ ସାଙ୍ଗରେ ନେବାକୁ ପଡିବ । ସ୍ୱାଧୀନ ବିଧାୟକମାନେ ମଧ୍ୟ ସେମାନଙ୍କ ଅଞ୍ଚଳର ଉନ୍ନତି ପାଇଁ ଆମ ସହ ରହିବେ ବୋଲି ସେ କହିଛନ୍ତି ।

ଅଧିକ ପଢନ୍ତୁ:ନବୀନଙ୍କ ନୀରବତା...ବୟସର ବିବଶତା ନା ରାଜନୈତିକ ବିଚକ୍ଷଣତା ? 

ମହା ବିକାଶ ଅଘାଡିର ଭଣ୍ଡୁର ରଣନୀତି 

ଅପର ପକ୍ଷରେ କଂଗ୍ରେସ, ଶିବସେନା (ଉଦ୍ଧବ ଠାକରେ) ଓ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପିକୁ ନେଇ ଗଠିତ ମହା ବିକାଶ ଅଘାଡି ମଧ୍ୟ ମହାୟୁତିର ରଣନୀତି ଭଣ୍ଡୁର କରିବାକୁ ଯୋଜନା କରୁଥିବା ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଯଦି ସରକାର ଗଠନ ପାଇଁ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହୁଏ ଓ ଝୁଲା ବିଧାନସଭା ଭଳି ପରିସ୍ଥିତି ଉପୁଜେ, ମହା ବିକାଶ ଅଘାଡି କୌଣସି ଯୁଯୋଗକୁ ହାତଛଡା କରିବାକୁ ଚାହିଁବ ନାହିଁ । ତେଣୁ ରଣନୀତି ପ୍ରସ୍ତୁତ କରିବାକୁ ଅଘାଡି ନେତାମାନେ କଂଗ୍ରେସର ବାଲାସାହେବ ଥୋରଟ, ଏନସିପି(ଶରଦ ପାୱାର)ର ଜୟନ୍ତ ପାଟିଲ୍ ଓ ଶିବସେନା (ଉଦ୍ଧବ ଠାକରେ)ର ସଞ୍ଜୟ ରାଉତ ଲାଗି ପଡିଛନ୍ତି । ହୋଟେଲରେ ବୈଠକ ପରେ ବୈଠକ ଚାଲିଛି । ଉଦ୍ଧବ ଠାକରେ ଓ ଶରଦ ପାୱାରଙ୍କ ପରାମର୍ଶରେ ଏଇ ତିନି ନେତା ଜିତିବା ସମ୍ଭାବନା ଥିବା ସ୍ୱାଧୀନ ପ୍ରାର୍ଥୀଙ୍କ ସହ ସଂପର୍କ ରକ୍ଷା କରୁଛନ୍ତି ବୋଲି କୁହାଯାଉଛି । ଏ ସଂପର୍କରେ କଂଗ୍ରେସ ନେତା ବାଲାସାହେବ ଥୋରଟ କହିଛନ୍ତି, ମହା ବିକାଶ ଅଘାଡି ହିଁ ସରକାର ଗଠନ କରିବ । ମେଣ୍ଟରେ ଥିବା ସବୁ ଦଳର ନେତାଙ୍କୁ ଏକାଠି ରଖିବାକୁ ଆମେ ଚାହୁଁଛୁ । ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ଏହି ମେଣ୍ଟ 160ରୁ ଅଧିକ ଆସନ ପାଇବ । ତେବେ ଭୋଟଗଣତି ନସରିବା ପର୍ଯ୍ୟନ୍ତ ଆମ ଏଜେଣ୍ଟ ଗଣତି କେନ୍ଦ୍ର ଛାଡି ନଯିବାକୁ ସେମାନଙ୍କୁ ପରାମର୍ଶ ଦେଇଛୁ । ବିଜୟୀ ପ୍ରାର୍ଥୀ ମାନଙ୍କୁ ଏକାଠି ରଖିବାକୁ ମେଣ୍ଟ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।

ଅଧିକ ପଢନ୍ତୁ:କିଏ ହେବ ମୁଖ୍ୟମନ୍ତ୍ରୀ, କଂଗ୍ରେସ ଓ ଶିବସେନା(ଉଦ୍ଧବ ଠାକରେ) ମଧ୍ୟରେ କଥା କଟାକଟି 

OTV is now on Whatsapp

Join and get latest news update delivered to you via whatsapp

Join Now