Advertisment

Odisha Politics: ନବୀନଙ୍କ ନୀରବତା...ବୟସର ବିବଶତା ନା ରାଜନୈତିକ ବିଚକ୍ଷଣତା ?

ଯେଉଁ ବିରୋଧୀ ଦଳମାନେ ଅଧିକ ଶୃଙ୍ଖଳିତ ତଥା ସଙ୍ଗଠିତ, ସେମାନଙ୍କର ପ୍ରଦର୍ଶନ ସେତିକି ଉଚ୍ଚମାନର ହୋଇଥାଏ । ହେଳେ ଗତ ବିଧାନସଭା ଅଧିବେଶନ ଠାରୁ ଏ ପର୍ଯ୍ୟନ୍ତ ଯଦି ଦେଖିବା ଏହା ଭିତରେ ଓଡ଼ିଶାର ଦୁଇ ପ୍ରମୂଖ ବିରୋଧୀ ଦଳ ଯଥା ବିଜେଡି ଓ କଂଗ୍ରେସ ଅଧିକ ଶୃଙ୍ଖଳିତ ହେବା ପରିବର୍ତ୍ତେ ବିଶୃଙ୍ଖଳା ପରିସ୍ଥିତି ଦେଇ ଗତି କରୁଛନ୍ତି ।

author-image
Akshaya Kumar Sahoo
ଅଦ୍ୟତନ ହୋଇଛି
କାହିଁକି ନୀରବ ନବୀନ ?

କାହିଁକି ନୀରବ ନବୀନ ?

ଆଉ ଦିନ କେତୋଟି ପରେ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ବସିବାକୁ ଯାଉଛି । ଏଥିପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ରୂପ ଦିଆଯାଇ ସାରିଲାଣି । ମନ୍ତ୍ରୀ ଓ ଶାସକ ଦଳର ବିଧାୟକମାନେ ଏକ ପ୍ରକାର ଏହି ଅଧିବେଶନରେ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବା ପାଇଁ ପୂର୍ଣ୍ଣ ପ୍ରସ୍ତୁତିରେ ଥିବା ଜଣାଯାଏ ।

Advertisment

ଅନ୍ୟ ପକ୍ଷରେ ଶାସକ ଭାରତୀୟ ଜନତା ପାର୍ଟିକୁ ଘେରିବା ପାଇଁ ବିପକ୍ଷ ବିଜୁ ଜନତା ଦଳକଂଗ୍ରେସ କ୍ୟାମ୍ପ୍‌ରେ ସେମିତି କିଛି ବ୍ୟାପକ ପ୍ରସ୍ତୁତି ଚାଲୁଥିବା ପରିଲକ୍ଷିତ ହେଉନାହିଁ । କିଛି ଚଳନ୍ତି ପ୍ରସଙ୍ଗକୁ ନେଇ ତତ୍‌କ୍ଷାଣିକ ନୀତିରେ ବିଧାନସଭା ମଧ୍ୟରେ ହୋହାଲ୍ଲା କରି ଶାସକ ଦଳକୁ କିଛିଟା ଅସୁବିଧାରେ ପକାଇବା ପାଇଁ ଉଭୟ ବିଜେଡି ଓ କଂଗ୍ରେସ ଗତାନୁଗତିକ ଭାବରେ ଚେଷ୍ଟା କରିପାରନ୍ତି । ନିକଟରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ଅଞ୍ଚଳରେ ଘଟିଯାଇଥିବା ବିଷାକ୍ତ ଆମ୍ବ ଟାକୁଆ ଜାଉ ଖାଇବା ଜନିତ ଚାରି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଓ ରାଜ୍ୟରେ କେତକ ସ୍ଥାନରେ ଘଟିଯାଇଥିବା ମହିଳା ଓ ଶିଶୁ ନର୍ଯ୍ୟାତନାକୁ ବିରେଧୀମାନେ ଅସ୍ତ୍ର କରି ସରକାରୀ ଦଳକୁ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରିପାରନ୍ତି । କିନ୍ତୁ ବିରୋଧୀମାନଙ୍କ ପ୍ରଦର୍ଶନ କେତେ ପରିମାଣରେ ପ୍ରଭାବୀ ହେବ ତାହା ସମୟ କହିବ ।

ଅଧିକ ପଢ଼ନ୍ତୁ: ବାତ୍ୟାକୁ ସିଢ଼ି କରି କ୍ଷମତାକୁ ଆସିଥିଲା BJD, ଏବେ ଏହାକୁ କରିଛି ଆଶାବାଡ଼ି

Advertisment

ଯେଉଁ ବିରୋଧୀ ଦଳମାନେ ଅଧିକ ଶୃଙ୍ଖଳିତ ତଥା ସଙ୍ଗଠିତ, ସେମାନଙ୍କର ପ୍ରଦର୍ଶନ ସେତିକି ଉଚ୍ଚମାନର ହୋଇଥାଏ । ହେଳେ ଗତ ବିଧାନସଭା ଅଧିବେଶନ ଠାରୁ ଏ ପର୍ଯ୍ୟନ୍ତ ଯଦି ଦେଖିବା ଏହା ଭିତରେ ଓଡ଼ିଶାର ଦୁଇ ପ୍ରମୂଖ ବିରୋଧୀ ଦଳ ଯଥା ବିଜେଡି ଓ କଂଗ୍ରେସ ଅଧିକ ଶୃଙ୍ଖଳିତ ହେବା ପରିବର୍ତ୍ତେ ବିଶୃଙ୍ଖଳା ପରିସ୍ଥିତି ଦେଇ ଗତି କରୁଛନ୍ତି । ଏହା ମଧ୍ୟରେ ବିଜେଡିର ଦୁଇ ଜଣ ରାଜ୍ୟସଭା ସାଂସଦ ଦଳ ଛାଡି ବିଜେପିରେ ଯୋଗଦେଇଛନ୍ତି । ବହୁ ସ୍ଥାନରେ ଦଳର ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ଓ ନଗରପାଳିକା ଅଧ୍ୟକ୍ଷ ଅନାସ୍ଥା ପ୍ରସ୍ତାବର ସାମ୍ନା କରୁଛନ୍ତି । ଦଳର କିଛି ବ୍ଲକ ଓ ନଗରପାଳିକା ଅଧ୍ୟକ୍ଷ ଏହା ମଧ୍ୟରେ ଅନାସ୍ଥା ପ୍ରସ୍ତାବର ସାମ୍ନା କରି ପଦଚ୍ୟୁତ ହୋଇଛନ୍ତି ।

ଯାଜପୁର ଜିଳ୍ଲାରେ ବିଜେପି ବର୍ତମାନ ଏକ ପ୍ରକାର ଭୂଷୁଡି ପଡିଛି । କେନ୍ଦୁଝର, ଗଞ୍ଜାମ, ରାୟଗଡା ଓ ଅନ୍ୟାନ ଜିଳ୍ଲାରେ ବହୁ ସ୍ଥାନୀୟ ବିଜେଡି ନେତାମାନେ ବର୍ତ୍ତମାନ ବିଜେପି ମୁହାଁ ହୋଇଛନ୍ତି । ଏପରି ସ୍ଥଳରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଯେଉଁଭଳି ଭାବରେ ଦଳର ବିଧାୟକମାନଙ୍କୁ ପ୍ରସ୍ତୁତ କରିବା କଥା, ସେମିତି କିଛି ପରିଲକ୍ଷିତ ହେଉନାହିଁ । ନବୀନ ନିବାସରୁ ବାହାରି ନବୀନ ଅକ୍ଟେବର ମାସ ୨ ତାରିଖ ଠାରୁ ସାରା ଓଡ଼ିଶା ବୁଲିବେ ଏବଂ ସରକାରଙ୍କୁ ଘେରିବା ପାଇଁ ଦଳ ପ୍ରୟାସ କରିବ ବୋଲି କୁହାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଏ ନେଇ କୌଣସି କାର୍ଯ୍ୟକ୍ରମ ଦେଖିବାକୁ ମିଳିଲା ନାହିଁ । ଦୂର୍ଗାପୂଜା ସମୟରେ କିଛି ସମୟ ପାଇଁ ନବୀନଙ୍କୁ କେତେକ ମଣ୍ଡପ ନିକଟରେ ବୁଲିବା ଦେଖାଯାଇଥିଲା । ଏହାପରେ ନବୀନ ନିବାସ ଛାଡି ଏବଂ ଗୋଟିଏ ବା ଦୁଇଟି ଶଙ୍ଖ ଭବନ ବୈଠକ ବ୍ୟତୀତ ସେ ଅନ୍ୟ ସ୍ଥାନକୁ ରାଜନୈତିକ କାର୍ଯ୍ୟକଳାପ ପାଇଁ ଯାଇନାହାଁନ୍ତି । ଦଳର ଅନ୍ୟ ବଡନେତାମାନେ ମଧ୍ୟ ସେମିତି କିଛି ଆଖିଦୃଶିଆ ବୈଠକ ବା ଶୋଭାଯାତ୍ରା କୌଣସି ସ୍ଥାନରେ କରିନାହାନ୍ତି ।

ନବୀନଙ୍କ ନୀରବତା ଅନେକ ପାଇଁ ନିଶ୍ଚିତ ଭାବରେ ଏକ ଆଶ୍ଚର୍ଯ୍ୟ ହୋଇପାରେ । ଏହା ତାଙ୍କର ବିବଶତା ତା ନା ଏକ ସୁଚିନ୍ତିତ ରାଜନୈତିକ ଚାଲ୍‌, ସେ ନେଇ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ।

କୁହାଯାଏ ଯେ ଜଣେ ରାଜନୈତିକ ବ୍ୟକ୍ତି ଶୋଇଲା ସମୟରେ ବି ରାଜନୈତିକ ଭାବେ ସକ୍ରିୟ ଥାଏ । ଅହରହ ଦଳ ଓ ନିଜର ରାଜନୈତିକ ଭବିଷ୍ୟତ କଥା ଚିନ୍ତା କରୁଥାଏ । ହେଲେ, ବିଜେଡି ଗତ ନିର୍ବାଚନରେ ହାରିଲା ପରେ ଏବଂ ଦଳର ବର୍ତମାନ ବହୁ ନେତା ପଳାୟନ ପଥରେ ଥିବା ବେଳେ ନବୀନ ପଟ୍ଟନାୟକ କାହିଁକି ବନ୍ଧ ବାନ୍ଧିବା ପ୍ରୟାସ କରୁନାହାଁନ୍ତି ସେ ନେଇ ଅନେକ ଦଳୀୟ ନେତାମାନଙ୍କ ମନରେ ଚାପା ଆଲୋଚନା ହେଉଥିବା ପରିରଲକ୍ଷିତ ହେଉଛି।

ବିଜେଡିରେ ବର୍ତମାନ ଦଳର ପ୍ରତିଷ୍ଠାତା ସଭ୍ୟ ପ୍ରାୟତଃ ଆଉ ନାହାଁନ୍ତି । ପ୍ରସନ୍ନ ଆଚାର୍ଯ୍ୟ ଓ ଅନଙ୍ଗ ଉଦୟ ସିଂହଙ୍କ ଭଳି ଯେଉଁ କେତେକ ନେତା ଥିଲେ, ସେମାନେ ବର୍ତମାନ ପ୍ରାୟତଃ ନୀରବ ରହିବାକୁ ପସନ୍ଦ କରୁଛନ୍ତି । ସାମ୍ନାକୁ ଆସି ଦଳକୁ ତଥା ଦଳପତିଙ୍କୁ ଯେଭଳି ସୁରକ୍ଷା ଦେବା କଥା, ତାହା ପ୍ରାୟତଃ ଦେଖିବାକୁ ମିଳୁନାହିଁ । ପୁରୁଣା ନେତାମାନେ ସାମ୍ନାକୁ ନଆସିବାର ନିର୍ଦ୍ଧିଷ୍ଟ କିଛି କାରଣ ଥିବା ଚର୍ଚ୍ଚା ହେଉଛି । ପ୍ରଥମ ଚର୍ଚ୍ଚାଟି ହେଉଛି ନବୀନ ଏ ପର୍ଯ୍ୟନ୍ତ ଭି କାର୍ତିକେୟନ ପାଣ୍ଡିଆନ୍‌ଙ୍କୁ ତାଙ୍କର ସବୁଠୁ ବିଶ୍ୱସ୍ତ ଭାବରେ ବିବେଚନା କରିବା । ଯେତେବେଳେ ବିରୋଧୀମାନଙ୍କ ପକ୍ଷରୁ ବା ତାଙ୍କ ନିଜ ଦଳର କୌଣସି ନେତା ପାଣ୍ଡିଆନଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି, ସେତେବେଳେ ନବୀନ ସାମ୍ନାକୁ ଆସି ସେହି ତାମିଲ୍‌ବାବୁଙ୍କ ପ୍ରତିଛବି ରକ୍ଷା କରିବା ପାଇଁ ଚେଷ୍ଟା କରିଛନ୍ତି ।

ଦ୍ୱିତୀୟ ଚର୍ଚ୍ଚାଟି ହେଉଛି ଯେ ପରିଣତ ବୟସରେ ନବୀନ ବଢନ୍ତା ଆଉ ସକ୍ରିୟ ରାଜନୀତିରେ ରହିବା ପାଇଁ ଝାଳନାଳ ପରିଶ୍ରମ କରି ଦଳକୁ ସୁଧାରିବା ମୁଡ୍‌ରେ ନାହାନ୍ତି । ଅକ୍ଟୋବର ୨ ତାରିଖ ଦିନ ଗାନ୍ଧି ଜୟନ୍ତୀ ଠାରୁ ସେ ଓଡ଼ିଶା ବୁଲିବେ ବୋଲି ଦଳ ତରଫରୁ ଘୋଷଣା କରାଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ତଳ ତରଫରୁ ତାହା ହୋଇପାରିଲା ନାହିଁ । ନବୀନଙ୍କ ରାଜନୈତିକ ସଚିବ ହେଲେ ସନ୍ତ୍ରୃପ୍ତ ମିଶ୍ର । ସେ ଜଣେ କର୍ପୋରେଟ୍ ଦୁନିଆଁର ଲୋକ । ରାଜନୈତିକ ପାଣିପାଗ ଅପେକ୍ଷା ବ୍ୟବସାୟିକ ଶୁଭଲାଭ ସମ୍ପର୍କରେ ତାଙ୍କର ଜ୍ଞାନ ଅଧିକ । ବିରୋଧୀ ଦଳକୁ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ, ବିକ୍ଷୋଭ କରି ଯେଉଁଭଳି ଭାବରେ କ୍ଷତାକ୍ତ ହେବାକୁ ପଡେ, ସେଭଳି କରିବା ପାଇଁ ଦଳର କମ୍ ନେତା ବର୍ତମାନ ପ୍ରସ୍ତୁତ ଅଛନ୍ତି ।

ଦଳରୁ ପୁରୁଣା ନେତାଙ୍କୁ ବିଦା କରି ତାଙ୍କ ବଦଳରେ ରାଜନୈତିକ କାର୍ଯ୍ୟକ୍ରମରେ ଆଦୌ ପରିଚିତି ନଥିବା ସେମାନଙ୍କ ପୁଅଝିଅମାନଙ୍କୁ ଆଣି ଥଇଥାନ କରିଥିଲେ ନବୀନ । ଏମାନେ ପ୍ରାୟତଃ ପପୁ ବଟଲରେ କ୍ଷୀର ପିଇ ବଡ ହୋଇଛନ୍ତି । ସୁଖସ୍ୱାଚ୍ଛନ୍ଦରେ ବଢିଛନ୍ତି । ରାଜନୀତିରେ ଲଢିବା ପାଇଁ ପଡେ । ଶାସକ ଦଳ ସହିତ ଲଢି କ୍ଷତାକ୍ତ ହେବାକୁ ପଡେ । କିନ୍ତୁ ଏଭଳି ପରିସ୍ଥିତିର ସାମ୍ନା କରିବା ପାଇଁ ପପୁ ବଟଲର ଛୁଆ କେତେ ଦୂର ପ୍ରସ୍ତୁତ, ତାହା ସମୟ କହିବ । କିନ୍ତୁ ବିଗତ କିଛି ଦିନକୁ ଯଦି ଆମେ ବିଚାରକୁ ନେବା, ଏହି ଛୁଆମାନେ ଏବେ ପ୍ରାୟତଃ ଆଶାଶୂନ୍ୟ ହୋଇ ବସିଛନ୍ତି ।

ସେପଟେ ରାଜ୍ୟ କଂଗ୍ରେସ ଦଳରେ ଏବେ ମହାଶୂନ୍ୟତା । ଜୁନ୍ ମାସରୁ ଏ ପର୍ଯ୍ୟନ୍ତ ଦଳର କେହି ମୁରବୀ ନାହାନ୍ତି । ଦଳ ଓଡ଼ିଶା ନେଇ ସେତେ ଚିନ୍ତିତ ଥିଲା ଭଳି ଲାଗୁ ନାହିଁ । ରାଜରାସ୍ତାରେ ପ୍ରତିବାଦ ତ ଦୂରର କଥା, ଦଳ କୌଣସି ଏକ ପ୍ରସଙ୍ଗ ନେଇ ଶାସକ ଦଳକୁ ରାଜନୈତିକ ବୟାନବାଜିରେ ଘେରିବା ପାଇଁ ଏ ପର୍ଯ୍ୟନ୍ତ ସକ୍ଷମ ହୋଇନାହିଁ  ବୋଲି ଆଲୋଚନା ହେଉଛି । ଏବେ ଓଡ଼ିଶା ରାଜନୀତିରେ ବିରୋଧୀମାନଙ୍କ ଭୂମିକା ଏକ ପ୍ରକାର ଗୌଣ ସ୍ଥିତିରେ ଥିବା ଦେଖାଯାଉଛି । ରାଜ୍ୟ ରାଜନୀତିର ଗତି କେଉଁ ଆଡକୁ ଯାଉଛି, ଆସନ୍ତା ବିଧାନସଭା ଅଧିବେଶନରେ ତାହାର ସାମାନ୍ୟ ଝଲକ ମିଳିବାର ସମ୍ଭାବନା ରହିଛି ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

[email protected]

ଅଧିକ ପଢ଼ନ୍ତୁ: ପୁଲିସ ମହାସଂଘ ନିର୍ବାଚନ ପରେ ଛାତ୍ର ସଂସଦ ନିର୍ବାଚନ ନେଇ ଉତ୍କଣ୍ଠା !

Naveen Patnaik BJD Odisha Politics
Advertisment
Advertisment