• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସବୁଠୁ ବ୍ୟୟବହୁଳ ଥିଲା ୨୪ ନିର୍ବାଚନ । ଓଡ଼ିଶାରେ ଡେରା ପକାଇଥିଲେ ବିଜେପିର କେନ୍ଦ୍ର ନେତୃତ୍ୱ । ଆଉ ତାଙ୍କୁ କାଉଣ୍ଟର କରିବାକୁ ହେଲିକପ୍ଟରରେ ଘୁରି ଘୁରି ପ୍ରଚାର କରୁଥିଲେ ନବୀନ-ପାଣ୍ଡିଆନନିର୍ବାଚନ କମିଶନଙ୍କ ନିକଟରେ ରାଜନୈତିକ ଦଳ ଗୁଡିକ ଦେଇଥିବା ତଥ୍ୟ କହୁଛି, ଓଡ଼ିଶାରେ ବିଜେପି ଯେତିକି ଖର୍ଚ୍ଚ କରିଛି, ବିଜେଡି ତାଠୁ ୭ ଗୁଣା ଅଧିକ ଖର୍ଚ୍ଚ କରିଛି । ଏମିତିକି, ବିଜେପି ବିଧାୟକ ପ୍ରାର୍ଥୀମାନଙ୍କୁ ୨୦ ଲକ୍ଷ ଦେଇଥିବା ବେଳେ ବିଜେଡି ଦେଇଛି ୩୦ ଲକ୍ଷ ଟଙ୍କା । ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଛି କାଦୁଅ ଫୋପଡ଼ା ରାଜନୀତି ।

ବିଜେଡିର ୨୪ ନିର୍ବାଚନୀ ଖର୍ଚ୍ଚ ବିଜେପିଠୁ ୭ ଗୁଣା । ବିଧାୟକ ପ୍ରାର୍ଥୀଙ୍କୁ ବିଜେପି ୨୦ ଲକ୍ଷ ଦେଇଥିବା ବେଳେ ବିଜେଡି ଦେଇଛି ୩୦ ଲକ୍ଷ ।ସାଂସଦ ପ୍ରାର୍ଥୀଙ୍କୁ ବିଜେଡି ୫୦ ଲକ୍ଷ ଦେଇଥିବା ବେଳେ ବିଜେପି ଦେଇଛି ୬୦ ଲକ୍ଷ । ନିର୍ବାଚନ କମିଶନଙ୍କ ନିକଟରେ ଦୁଇ ଦଳ ଦାଖଲ କରିଥିବା ସତ୍ୟପାଠରୁ ଆସିଛି ଏମିତି ତଥ୍ୟ ।

ନିର୍ବାଚନୀ ଖର୍ଚ୍ଚ ତଥ୍ୟ କହୁଛି ୨୪ ନିର୍ବାଚନରେ ବିଜେପି ପ୍ରାୟ ୬୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ, ବିଜେଡି ଖର୍ଚ୍ଚ କରିଛି ମୋଟ୍ ୪୧୫ କୋଟି ଟଙ୍କା । ବିଜେପିର ଖର୍ଚ୍ଚ ସତ୍ୟପାଠ ଅନୁସାରେ ଓଡ଼ିଶା-ବିଜେପିକୁ ଜାତୀୟ ବିଜେପିରୁ ନିର୍ବାଚନ ବେଳେ ମାତ୍ର ୬୨ କୋଟି ୪୮ ଲକ୍ଷ ଟଙ୍କା ଦିଆଯାଇଛି । ତେବେ ଏଥିରୁ ବିଜେପି ତା’ର ସାଂସଦ ପ୍ରାର୍ଥୀଙ୍କୁ ପ୍ରାୟ ୬୦ ଲକ୍ଷ ଟଙ୍କା ଲେଖାଏଁ ଦେଇଥିବା ବେଳେ କେବଳ ସମ୍ବଲପୁରର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ୭୦ ଲକ୍ଷ ଟଙ୍କା ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ରାତି ପାହିଲେ ହେବ ହିସାବ ନିକାସ, କିଏ ଦଖଲ କରିବ ଦିଲ୍ଲୀ ସିଂହାସନ ?

ସେହିଭଳି ବିଧାୟକ ପ୍ରାର୍ଥୀମାନଙ୍କୁ ପ୍ରାୟ ୨୦ ଲକ୍ଷ ଟଙ୍କା ଏବଂ କେବଳ ସୋରର ବିଧାୟକ ପ୍ରାର୍ଥୀ ପର୍ଶୁରାମ ଧଡ୍ଡାଙ୍କୁ ୪୦ ଲକ୍ଷ ଟଙ୍କା ଦିଆଯାଇଛି । ବିଧାୟକ ପ୍ରାର୍ଥୀଙ୍କ ପାଇଁ ଦଳ ମୋଟ ୩୪ କୋଟି ୩୩ ଲକ୍ଷ ଟଙ୍କା, ସାଂସଦ ପ୍ରାର୍ଥୀଙ୍କ ପାଇଁ ୧୬ କୋଟି ୧୧ ଲକ୍ଷ ଟଙ୍କା ଓ ଦଳୀୟ ପ୍ରଚାରରେ ୮ କୋଟି ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ଅର୍ଥାତ୍ ମୋଟ୍ ପ୍ରାୟ ୬୦ କୋଟି ଟଙ୍କା ଖର୍ଚ୍ଚ କରିଛି ।

ଅପରପକ୍ଷେ, ବିଜେଡି ପ୍ରାର୍ଥୀମାନଙ୍କ ୫୩ କୋଟି ୮୩ ଲକ୍ଷ ଟଙ୍କା ଦେଇଥିବା ବେଳେ ସର୍ବାଧିକ ୮୩ କୋଟି ଟଙ୍କା ସୋସିଆଲ ମିଡିଆ ପ୍ରଚାର ପ୍ରସାର ପାଇଁ ଖର୍ଚ୍ଚ କରିଛି । ସେହିଭଳି ଷ୍ଟାର କ୍ୟାମ୍ପନର ପ୍ରଚାର ବାବଦକୁ ୨୫ କୋଟି ୪୬ ଲକ୍ଷ, ପୋଷ୍ଟର ବ୍ୟାନର ବାବଦକୁ ୩୨ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ଦଳ । ଅନ୍ୟପଟେ କଂଗ୍ରେସ ସତ୍ୟପାଠ କହୁଛି ଓଡିଶାରେ କୌଣସି ପ୍ରାର୍ଥୀଙ୍କୁ ଟଙ୍କା ଟିଏ ବି ଦେଇନାହିଁ । ବଡ଼ କଥା ହେଲା ଇଲେକ୍ସନ ୱାଚ୍ ସଂଯୋଜକଙ୍କ କହିବା କଥା ପ୍ରାର୍ଥୀଙ୍କ ବ୍ୟକ୍ତିଗତ ଖର୍ଚ୍ଚ ତାଲିକା ଯୋଡିଲେ ଖର୍ଚ୍ଚ ଆହୁରି ବଢିବ ।

ତଥ୍ୟ ସାମ୍ନାକୁ ଆସିବା ପରେ ଦୋଷ ଲଦାଲଦି ହୋଇଛନ୍ତି ବିଜେପି-ବିଜେଡି । କଂଗ୍ରେସ କହିଛି, ଉଭୟ ବିଜେପି-ବିଜେଡି ଅପର୍ଯ୍ୟାପ୍ତ ଟଙ୍କା ଖର୍ଚ୍ଚ କରିଛନ୍ତି । ବିଜେପି କହିଛି, ନିର୍ବାଚନରେ ବିଜେଡି ହଜାରେ କୋଟିରୁ ଅଧିକ ଖର୍ଚ୍ଚ କରିଛି । ତା ବାଦ୍ ପାଣ୍ଡିଆନ ରାଜ୍ୟ ରାଜକୋଷର ଅର୍ଥକୁ ବି ନିର୍ବାଚନ ପ୍ରଚାରରେ ଖର୍ଚ୍ଚ କରିଛନ୍ତି । ଅନ୍ୟପଟେ ବିଜେଡି କହିଛି ବିଜେପି ତଥ୍ୟ ଲୁଚାଉଛି । କେନ୍ଦ୍ରୀୟ ନେତାଙ୍କ ପ୍ରଚାର ଖର୍ଚ୍ଚକୁ ଜାତୀୟ ଦଳର ଖର୍ଚ୍ଚ ତାଲିକାରେ ଦିଆଯାଇଛି ।

ସାଧାରଣ ନିର୍ବାଚନ ପରେ ଜାତୀୟ ବିଜେପି ପାଖରେ ୭,୩୬୧ କୋଟି ଟଙ୍କା ବଳିଥିବାବେଳେ ଓଡ଼ିଶା ବିଜେପି ପାଖରେ ମାତ୍ର ୧୨ କୋଟି ୭୦ ଲକ୍ଷ ଟଙ୍କା ବଳିଥିବା ଦେଖାଯାଇଛି । ଆଉ ବିଜେଡି ଖାତରେ ରହିଛି ୬୨୫ କୋଟି ।

ଅଧିକ ପଢ଼ନ୍ତୁ: ବଦଳୁଛି ଢାଞ୍ଚା; ଅମଲାତାନ୍ତ୍ରିକ କବ୍‌ଜାରୁ ମୁକୁଳୁଛି ବନ୍ଧା ପଡ଼ିଥିବା ଗଣତାନ୍ତ୍ରିକ ବ୍ୟବସ୍ଥା

  • Reported by:
  • SOUMYA RANJAN SAHOO

OTV is now on Whatsapp

Join and get latest news update delivered to you via whatsapp

Join Now