Advertisment

Odisha Politics: ବଦଳୁଛି ଢାଞ୍ଚା; ଅମଲାତାନ୍ତ୍ରିକ କବ୍‌ଜାରୁ ମୁକୁଳୁଛି ବନ୍ଧା ପଡ଼ିଥିବା ଗଣତାନ୍ତ୍ରିକ ବ୍ୟବସ୍ଥା

ବର୍ତ୍ତମାନ ସରକାରଙ୍କ ସମୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ କାର୍ଯ୍ୟଶୈଳୀ ଓ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀମାନଙ୍କ କାର୍ଯ୍ୟଶୈଳୀକୁ ତୁଳନା କଲେ ଏକ ବିକଳ ଚିତ୍ର ସାମ୍ନାକୁ ଆସେ । ନବୀନ ବହୁ ବର୍ଷ ଧରି ତାଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁନଥିଲେ । କୌଣସି ମନ୍ତ୍ରୀମାନେ ଲୋକମାନଙ୍କର ଅଭିଯୋଗ ଶୁଣାଣୀ କରିବା ସ୍ଥିତିରେ ନଥିଲେ । ମନ୍ତ୍ରୀମାନଙ୍କ ସ୍ୱାଧିନତା ଓ ସ୍ୱତନ୍ତ୍ରତା ତଥା ଆତ୍ମସମ୍ମାନ କିଛି ଅହଙ୍କାରୀ ଅମଲାମାନଙ୍କ ନିକଟରେ ବନ୍ଧା ପଡିଥିଲା ।

author-image
Akshaya Kumar Sahoo
ବଦଳୁଛି ଢାଞ୍ଚା ମୁକୁଳୁଛି ବ୍ୟବସ୍ଥା

ବଦଳୁଛି ଢାଞ୍ଚା ମୁକୁଳୁଛି ବ୍ୟବସ୍ଥା

ଏଇ କିଛି ଦିନ ହେବ ଓଡ଼ିଶାରେ କେତୋଟି ଘଟଣା ବେଶ୍ ଆଲୋଡ଼ନ ସୃଷ୍ଟି କରିଛି । ଘଟଣାଗୁଡିକ ହେଲା କିଛି ମନ୍ତ୍ରୀ ସେମାନଙ୍କ ବିଭାଗର ଅଫିସରମାନଙ୍କୁ କାର୍ଯ୍ୟରେ ଅବହେଳା ଲାଗି ତାଗିଦ୍ ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ।
ପ୍ରଥମ ଘଟଣା କ୍ରମରେ ଦେଖାଗଲା ଯେ ଖାଦ୍ୟ ଯୋଗାଣ ତଥା ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବିଭିନ୍ନ ଜିଳ୍ଳାରେ ମଣ୍ଡି ନିଜେ ବୁଲି ଚଳିତ ଖରିଫ୍ ଋତୁ ଧାନ ସଂଗ୍ରହ କାର୍ଯ୍ୟ ତଦାରଖ କରିବା । ତାଙ୍କ ସହିତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଯେଉଁଠି ଚାଷୀମାନଙ୍କୁ କଟ୍‌ନୀ ଛଟ୍‌ନୀ ନାମରେ ଶୋଷଣ କରାଯାଉଥିଲା, ସେଠି ସେମାନଙ୍କୁ ତାଗିଦ୍ କରିବା ସହିତ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ।

Advertisment

ଏହା ସହିତ ଅସାଧୁ ମିଲରମାନଙ୍କ ବିରୋଧରେ ସେ ଦୃୃଢ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ମନ୍ତ୍ରୀଙ୍କ ମଣ୍ଡି ବୁଲିବା କିଛି ନୂଆ କଥା ନୁହେଁ । କିନ୍ତୁ ଯେଉଁଭଳି ଭାବରେ ମନ୍ତ୍ରୀ ଶ୍ରୀ ପାତ୍ର ସାରା ଓଡ଼ିଶା ବୁଲିଲେ, ତାହା ଦ୍ୱାରା ଅସାଧୁ ମଣ୍ଡି କର୍ମଚାରୀ ଓ ମିଲର ମାଲିକମାନଙ୍କ ମନରେ ଛନକା ପଶିଲା ଏବଂ ସେମାନେ ଯଥା ସମ୍ଭବ ନିଜକୁ ସୁଧାରିବା ପାଇଁ ଯତ୍ନବାନ ହେଲେ ।

ଦ୍ୱିତୀୟ ଘଟଣାରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ମୟୁରଭଂଜ ଜିଲ୍ଲାରେ ଯେଉଁ ଭଳି ଭାବରେ ଜଣେ ବିଡିଓଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ସର୍ବସମ୍ମୁଖରେ ଘୋଷଣା କଲେ, ତାହା ମଧ୍ୟ ଲୋକମାନଙ୍କୁ ଅଯଥା ବାରମ୍ବାର ଦପ୍ତର ଦୌଡାଉଥିବା ଏବଂ ଅଯଥା ହଇରାଣ ହରକତ କରୁଥିବା ଅଧିକାରୀଙ୍କ ମନରେ ଛନକା ପୂରାଇଛି । ଜଣେ ମହିଳା ଇନ୍ଦିରା ଆବାସ ଘରର ପ୍ରଥମ କିସ୍ତି ପାଇଥିଲେ । ହେଲେ ତାଙ୍କୁ ଦ୍ୱିତୀୟ କିସ୍ତି ଦେବା ପାଇଁ ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀ ବା ବିଡିଓ ବାରମ୍ବାର ବ୍ଲକ୍ ଦୌଡାଉଥିଲେ । ଉକ୍ତ ମହିଳା ଜଣଙ୍କ ଦ୍ୱିତୀୟ ଥର ମନ୍ତ୍ରୀ ଡକ୍ଟର ପାତ୍ରଙ୍କୁ ଦେଖା କରିବା ଲାଗି ଯାଇଥିବା ବେଳେ ଜଣାପଡିଥିଲା ଯେ ସ୍ଥାନୀୟ ଜଣେ ରାଜନୈତିକ ନେତାଙ୍କ ଚାପରେ ବିଡିଓ ମହାଶୟ ଉକ୍ତ ମହିଳାଙ୍କ ପ୍ରାପ୍ୟ ଦ୍ୱିତୀୟ କିସ୍ତି ଅର୍ଥ ଦେବା ପାଇଁ ହଇରାଣ କରୁଥିଲେ ।

Advertisment

ଏହା ପୂର୍ବରୁ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ନୟାଗଡ ଜିଲ୍ଲାର କଣ୍ଟିଲୋ ଗସ୍ତ ସମୟରେ ରାତିରେ ଚୋରା ବାଲି ଗାଡି ଧରି ପୁଲିସ୍ ଜିମା ଦେଇଥିଲେ । ମନ୍ତ୍ରୀଙ୍କ ଏତାଦୃଶ କର୍ମତତ୍ପରତା ବେଶ୍ ପ୍ରସଂଶା ସାଉଁଟିଥିଲା । କେବଳ ଉପରୋକ୍ତ ତିନି ଜଣ ମନ୍ତ୍ରୀ କାହିଁକି, ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଧ୍ୟ ଅନେକ ସମୟରେ ଲୋକମାନଙ୍କ ସମସ୍ୟା ବାଟରେ ଘାଟରେ ସମାଧାନ କରୁଥିବା ନଜର ବାରମ୍ବାର ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି । ଏହାମଧ୍ୟରେ ଶ୍ରୀ ମାଝି ୮ ଥର ଜନଶୁଣାଣୀ କରି ୬ହଜାର କେଶ୍‌ର ସମାଧାନ କରିସାରିଛନ୍ତି । ଅଭିଯୋଗ ଓ ସମସ୍ୟା ଶୁଣାଣୀ ସଫଳତାର ହାର ପ୍ରାୟ ୮୦ ପ୍ରତିଶତରୁ ଉପରେ ରହିଛି ।

ସବୁଠି ଗୋଟିଏ କଥା ଦେଖାଯାଇଛି ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନେ ଅଭିଯୋଗ ଶୁଣାଣୀ ସମୟରେ ସମସ୍ତ ସରକାରୀ କର୍ମଚାରୀ ବେଶ୍ ସକ୍ରିିୟତାର ସହିତ ସହଯୋଗର ହାତ ବଢାଉଛନ୍ତି । ଅଧିକାରୀମାନଙ୍କ ଠାରୁ ଅଧସ୍ତନ କର୍ମଚାରୀମାନେ ସେମାନଙ୍କ ରାଜନୈତିକ ମୁନିବମାନଙ୍କ ସହିତ ଆନ୍ତରିକତା ସହିତ କାମ କରିବାର ଦୃଶ୍ୟ ଦେଖିବାକୁ ମିଳୁଛି ।

ବର୍ତମାନ ସରକାରଙ୍କ ସମୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ କାର୍ଯ୍ୟଶୈଳୀ ଓ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀମାନଙ୍କ କାର୍ଯ୍ୟଶୈଳୀକୁ ତୁଳନା କଲେ ଏକ ବିକଳ ଚିତ୍ର ସାମ୍ନାକୁ ଆସେ । ନବୀନ ବହୁ ବର୍ଷ ଧରି ତାଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁନଥିଲେ । କୌଣସି ମନ୍ତ୍ରୀମାନେ ଲୋକମାନଙ୍କର ଅଭିଯୋଗ ଶୁଣାଣୀ କରିବା ସ୍ଥିତିରେ ନଥିଲେ । ମନ୍ତ୍ରୀମାନଙ୍କ ସ୍ୱାଧିନତା ଓ ସ୍ୱତନ୍ତ୍ରତା ତଥା ଆତ୍ମସମ୍ମାନ କିଛି ଅହଙ୍କାରୀ ଅମଲାମାନଙ୍କ ନିକଟରେ ବନ୍ଧା ପଡିଥିଲା । ଅମଲାମାନେ ମନ୍ତ୍ରୀମାନଙ୍କୁ ଯେଉଁଭଳି ଭାବେ ସମ୍ମାନ ଦେବା କଥା, ତାହା ଦେଖିବାକୁ ମିଳୁନଥିଲା । ଜଣେ ଦୁଇ ଜଣ ମନ୍ତ୍ରୀଙ୍କୁ ଛାଡି ଦେଲେ ବାକି ସମସ୍ତେ ଘରେ ନିଜନିଜ ଚେୟାରରେ ବସି ଉଷୁମ ଟାଣିବା ଦେଖାଯାଉଥିଲା ।

ଏହା ବ୍ୟତୀତ ବିଭିନ୍ନ ଉତ୍ସବ ଓ ପର୍ବପର୍ବାଣୀରେ ଯୋଗଦେବା ଛଡ଼ା ସେମାନଙ୍କର ଆଉ କିଛି କାର୍ଯ୍ୟ ନଥିଲା । କେବଳ ସେତିକି ନୁହେଁ , ଅନେକ ସମୟରେ ମନ୍ତ୍ରୀମାନେ ସଚିବମାନଙ୍କ କୋଠରୀକୁ ଯାଇ ଛୋଟବଡ କାମ ପାଇଁ ଅନୁରୋଧ କରିବା ଚର୍ଚ୍ଚା ମଧ୍ୟ ରାଜ୍ୟ ରାଜନୀତିକୁ ବେଶ୍ ଉଷ୍ମ କରିଥିଲା । ଗଣତନ୍ତ୍ରରେ ନେତା ବଡ, ସଚିବ ନୁହଁନ୍ତି । କିନ୍ତୁ ଗତ ସରକାର ସମୟରେ ସଚିବମାନେ ନିଜର କ୍ଷମତାକୁ ଉପଭୋଗ କରୁଥିବା ବେଳେ ନେତାମାନେ ଅଧସ୍ତନ କର୍ମଚାରୀ ଭଳି କାର୍ଯ୍ୟ କରୁଥିବା ଦେଖାଯାଉଥିଲା । ନବୀନ ପଟ୍ଟନାୟକଙ୍କ ନୟନ ପିତୁଳା ତଥା ଅମଲାରୁ ବିଜେଡି ନେତା ହୋଇଥିବା ଭୈରବ କାର୍ତିକେୟନ ପାଣ୍ଡିୟାନ ରାଜ୍ୟ ସାରା ବୁଲି ପ୍ରଚାର ଅଭିଯାନ ଚଳାଉଥିବା ବେଳେ ତାଙ୍କ ମନ୍ତ୍ରୀମାନେ ଟ୍ରାଫିକ୍ ଡ୍ୟୁଟି କରିବା ଏବଂ ଖୁଣ୍ଟ ପୋତିବା ଚିତ୍ର ଓଡ଼ିଶାବାସୀଙ୍କୁ ବ୍ୟଥିତ କରିଥିଲା ।

ବର୍ତ୍ତମାନ ଯେଉଁଭଳି ଭାବେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ସକ୍ରିୟତା ଓ ସହୃଦୟତାର ସହିତ କାର୍ଯ୍ୟ କରୁଛନ୍ତି, ତାହା ବେଶ୍ ପ୍ରଣିଧାନଯୋଗ୍ୟ । ଏହା ସମସ୍ତ ଆନ୍ତରିକତା ଓ ନିରନ୍ତରତାର ସହିତ ଚାଲିବା ଦରକାର । ଯଦି ଏହା କିଛି ଦିନ ଲାଗି ଚାଲିବ ଏବଂ ତାହାପରେ ବନ୍ଦ ହୋଇଯିବ, ତେବେ ଲୋକେ ତାହାର ମୂଲ୍ୟାଙ୍କନ କରିବା ଆରମ୍ଭ କରିବେ । ମୋହନ ମାଝି ବର୍ତ୍ତମାନ ନୂଆ ସରକାରଙ୍କ ନାୟକ । ସେ ନିଜେ ୧୮ ଘଣ୍ଟା ପରିଶ୍ରମ କରି ସରକାରଙ୍କୁ ଲୋକଙ୍କ ନିକଟତର କରିବା ପାଇଁ ଅହରହ ଉଦ୍ୟମ କରୁଛନ୍ତି । ତେବେ ତାଙ୍କ ସହିତ ତାଙ୍କର ସମସ୍ତ ମନ୍ତ୍ରୀ ସମତାଳରେ ଗତି କଲେ, ନିଶ୍ଚିତ ଭାବେ ସମସ୍ତ ଜନସାଧାରଣ ପ୍ରଶାସନିକ ସେବାର ସୁଫଳ ପାଇପାରିବେ । ଇତିହାସ କୃତିକୁ ସ୍ୱର୍ଣାକ୍ଷରରେ ଲିପିବଦ୍ଧ କରେ । ଅସଫଳତା ଓ ଅକ୍ଷମତାକୁ କ୍ଷମା ଦିଏ ନାହିଁ । ମୋହନ ମାଝି ସରକାର ନିଶ୍ଚିତ ଏହି ଇତିହାସରୁ ପ୍ରେରଣା ନେବେ ବୋଲି ଅନ୍ତତଃ ଆଶା କରାଯାଇପାରେ । 

Administrative Negligence Political Leaders Reports Of Field Visit By Secretaries
Advertisment
Advertisment