• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

ଶାସନରୁ ହଟିବା ପରେ ବିଜେଡି ପକ୍ଷରୁ ବିଜେପି ସରକାର ବିରୋଧରେ ରାଜଧାନୀରେ ଶୁଭିଛି ଗର୍ଜନ । ଦରଦାମ୍ ବୃଦ୍ଧି ପ୍ରତିବାଦରେ ସାରା ରାଜ୍ୟରୁ ଆସି ବିଜେଡି ନେତାମାନେ ଭୁବନେଶ୍ୱରରେ କରିଛନ୍ତି ପ୍ରତିବାଦ ସଭା । ଏଥିରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଦଳର ବରିଷ୍ଠ ନେତାମାନେ ମଧ୍ୟ ନିଜ ନିଜ ଢଙ୍ଗରେ ସରକାରଙ୍କୁ କରିଛନ୍ତି ଆକ୍ରମଣ ।

ଏହି ସଭାରେ ଉଦବୋଧନ ଦେଇ ବରିଷ୍ଠ ନେତା ତଥା ଦଳର ପ୍ରତିଷ୍ଠାତା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ, ଯେଉଁମାନେ କହୁଛନ୍ତି ବିଜେଡି ପ୍ରଥମ ଥର ଆନ୍ଦୋଳନ କରୁଛି ତାହା ଭୁଲ୍ କଥା । ବିଜେଡିର ଜନ୍ମ ହିଁ ଆନ୍ଦୋଳନରୁ ହୋଇଛି । ଏ ଆନ୍ଦୋଳନ ବିଜେଡି ପାଇଁ ନୂଆ ନୁହେଁ କି ନବୀନ ପଟ୍ଟନାୟକଙ୍କ ପାଇଁ ନୂଆ ନୁହେଁ । ବର୍ତ୍ତମାନର ସରକାର ଡବଲ୍ ଇଞ୍ଜିନ କଣ ସିଙ୍ଗଲ୍ ଇଞ୍ଜିନ ବି ଫେଲ୍ ହୋଇଯାଇଛି ।

ଦଳର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ, ଏ ସରକାର ମାତ୍ର ୬ ମାସର ହୋଇଛି । ଆମକୁ ଆହୁରି ୪ ବର୍ଷ ୬ ମାସ ଲଢ଼େଇ କରିବାକୁ ପଡିବ । ସମସ୍ତେ ଲଢ଼େଇ ଜାରି ରଖ । ରାସ୍ତାରେ ବାଟରେ ଘାଟରେ ସବୁଠି ଲଢେଇ କରିବାକୁ ସେ ଆହ୍ୱାନ ଦେଇଥିଲେ । ବିଜେଡି ଓଡ଼ିଶାର ସ୍ୱାର୍ଥ ପାଇଁ ଲଢୁଥିବା ସେ କହିଛନ୍ତି । ଯୋଗାଣ ମନ୍ତ୍ରୀଙ୍କୁ କଡା ଜବାବ ଦେଇ ସେ କହିଛନ୍ତି ଯୋଗାଣ ମନ୍ତ୍ରୀ ଆମ ସଭାକୁ ନାଟକ କହୁଛନ୍ତି । ତାହେଲେ ଟ୍ରେନ୍ ଆଳୁ କଥା କ’ଣ । ଏଯାଏ ପହଞ୍ଚିଲାନି । ଟାୟାର୍ ଲିକ୍ ହେଇଗଲା କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଅଧିକ ପଢ଼ନ୍ତୁ:ନବୀନ ନିବାସରେ ବଡ଼ ହଲଚଲ୍; ସିନିୟରଙ୍କୁ ମାନୁନାହାନ୍ତି ଜୁନିୟର, ଚାଲିଛି ସମାନ୍ତରାଳ ସଂଗଠନ!

ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ କହିଥିଲେ, ଅନ୍ୟ ରାଜ୍ୟରେ ପିଆଜର ଦର କମିଥିବା ବେଳେ ଆମ ରାଜ୍ୟରେ କିନ୍ତୁ ବଢିକି ଅଛି । ଡବଲ୍ ଇଞ୍ଜିନ ସରକାର ମାନେ ଡବଲ୍ ଶୋଷଣ । ସବୁ ଦର ବଢୁଛି ଓ ବ୍ୟବସାୟୀମାନେ ମୁନାଫା ପାଉଛନ୍ତି ବୋଲି କହିଛନ୍ତି ଅରୁଣ । ନବୀନ ନିବାସ ଆଗରେ ବିଜେପି ଯେଉଁ ସଭା କରିଥିଲା, ସେଠିକି ବୁହା ହୋଇ ଲୋକ ଆସିଥିଲେ ଓ ସେ ସଭା ପତଳା ଥିଲା । କିନ୍ତୁ ଆଜିର ଏ ସଭା ବେଶ୍ ମୋଟା । ଏଠିକି ଲୋକ ବୁହା ହୋଇ ଆସିନାହାନ୍ତି, ପୀଡିତ ମାନେ ସ୍ୱତଃପ୍ରବୃତ୍ତ ଭାବେ ଆସିଥିବାର ସେ କହିଛନ୍ତି ।

ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ କହିଥିଲେ କାପିବାରା ଉପାଖ୍ୟାନ । ସେ କହିଥିଲେ, ମୂଷାମାନେ ଏବେ କାପିବାରା (capybara) ସାଇଜର ହୋଇଗଲେଣି । କାପିବାରା ହେଉଛି ଆମାଜନ୍ ଜଙ୍ଗଲର ବଡ ଧରଣର ମୂଷା। ସେମାନଙ୍କୁ ଆନାକୋଣ୍ଡା ଖାଏ। ଆମର ଏଠି କାପିବାରାଙ୍କ ସଂଖ୍ୟା ବଢ଼ି ଗଲାଣି । ଆନାକୋଣ୍ଡା ଆମେ ଆଣିବୁ । ନବୀନ ନିବାସ ଆଗରେ ମୋଦି ସମାବେଶ କରିଥିଲେ ଆଉ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ସଭା ହେଲା। ଲୋକ ସମର୍ଥନ କେଉଁଠି ଅଛି ଜଣାପଡ଼ିଲା।

ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଥିଲେ, ଆମେ ୨୪ ବର୍ଷ ଧରି ଶାସନରେ ଥିଲୁ । ଆମେ କ୍ଷମତାକୁ ଆସିବାକୁ ବ୍ୟସ୍ତ ନୁହଁ । ଆପଣମାନେ ଭାବିବେ ନାହିଁ, ବିଜେପି ସହ ଆମର ସମଝୋତା ଅଛି । ବିଜେପିର ଜନବିରୋଧୀ କାର୍ଯ୍ୟକୁ ଜୋରଦାର୍ ବିରୋଧ କରାଯିବ । ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ତାଙ୍କ ମତରେ, ଯିଏ ଏପଟ ସେପଟ ହେଉଛି ସିଏ ଦଳରୁ ଯିବା ଦରକାର । ନିହାତି ଭାବେ କିଛି ଲୋକ ଥିବେ ଯେଉଁମାନେ ସୁବିଧା ଦେଖୁଥିବେ । ଯେଉଁମାନେ ରହିବେ ସେମାନେ ଭଲ ଭାବେ ଜାଣିଛନ୍ତି ଆମେ ୫ ବର୍ଷ କାଳ ବିରୋଧୀ ଦଳରେ ରହିବୁ ଏବଂ ଲଢେଇ କରିବୁ । ଆମେ କିନ୍ତୁ କ୍ଷମତା ପାଇଁ ଦୌଡୁ ନାହୁଁ । ଆମକୁ ବିଜୁ ବାବୁ ଲଢେଇ କରିବା ଶିଖେଇ ଦେଇ ଯାଇଛନ୍ତି ।

ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ମୋହନ ମାଝୀ ସରକାର ଯାହା କହୁଛି ତାହା କରୁଛି । ବିଜେଡି ଆଉ କେବେ ବି ସରକାରକୁ ଆସିବନି । ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ ସାକାର ହେବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ବିଜେପି ଦିନକୁ ଦିନ ଶକ୍ତିଶାଳୀ ହେଉଥିବା ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ବିଜେଡି ପୋଷ୍ଟମର୍ଟମରେ ସାମିଲ ହେଉଛନ୍ତି ନୂଆ ନୂଆ ନେତା, କେବେ ବାହାରିବ ଅସଲ ନିର୍ଯ୍ୟାସ

ବିଜେଡିର ଆନ୍ଦୋଳନ ଉପରେ କଡ଼ା ଜବାବ ରଖିଲା ବିଜେପି । ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିବା ସମୟରେ ବିଜେଡ଼ି ଆନ୍ଦୋଳନକୁ ଓହ୍ଲାଇବାକୁ ନିନ୍ଦା କରିଛି ବିଜେପି । ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, ଓଡ଼ିଶାର ବିକାଶ ବିଜେଡ଼ି ଦେହରେ ଯାଉ ନାହିଁ । ବିଜେପି ସରକାରର ସଫଳ ଶାସନ ଦେଖି ସହିପାରୁନି ବିଜେଡ଼ି । ଦର ବୃଦ୍ଧି ସମସ୍ୟା ବିଜେପିକୁ ଉତ୍ତରାଧିକାରୀ ସୂତ୍ରରେ ଦେଇଛି ବିଜେଡ଼ି । ପୂର୍ବ ସରକାର କରିଥିବା ଆଳୁ, ପିଆଜ ମିଶନ ଫେଲ । ଅଧିକାଂଶ ସାମଗ୍ରୀ ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଛି । ତେବେ ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ବିଜେପି ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଗତ ସରକାର ଲମ୍ବା ସମୟ ଧରି ଯାହା କରିପାରିଲାନି, ବିଜେପି ସରକାର ୬ ମାସରେ କରି ଦେଖାଇଛି । ବିଜେଡ଼ି ସରକାର କହିଥିଲା ଧାନ ଉପରେ ୧୦୦ ଟଙ୍କା ବୋନସ ଦେବ, କିନ୍ତୁ ଦେଲା ନାହିଁ । ବିଜେପି ପ୍ରତିଶ୍ରୁତି ଦେଇଥିଲା ଓ ଚାଷୀଙ୍କୁ ୮୦୦ ଟଙ୍କା ବୋନସ ଦେଲା । ମହିଳା ସଶକ୍ତୀକରଣ ନାଁରେ କୁମ୍ଭୀର କାନ୍ଦଣା କାନ୍ଦୁଥିଲା ବିଜେଡ଼ି । କିନ୍ତୁ ବିଜେପି ସରକାର ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କୁ ସମ୍ମାନ ଦେଲା ।

ବିଜେଡିର ଏହି ପ୍ରତିବାଦ ସଭା ଉପରେ କଂଗ୍ରେସ ରଖିଛି ପ୍ରତିକ୍ରିୟା । କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ଉପରାଷ୍ଟ୍ରପତି ପ୍ରସଙ୍ଗରେ ବିଜେଡି ବିନା ନିମନ୍ତ୍ରଣରେ ବିଜେପିକୁ କେନ୍ଦ୍ରରେ ସମର୍ଥନ କରିଥିଲା । ସେମାନେ ଏକାଠି ଅଛନ୍ତି । କିନ୍ତୁ ଲୋକ ଏବେ କଂଗ୍ରେସ ମୁହାଁ ହୋଇଥିବାରୁ ବିଜେଡି ଏମିତି ପ୍ରୟାସ କରିଛି । ଲୋକଙ୍କୁ ଭ୍ରମିତ କରିବାକୁ ଚାହୁଁଛି । ଏମାନଙ୍କର ରାଜ୍ୟରେ କଳି ଓ କେନ୍ଦ୍ରରେ କୋଳାକୋଳି ବୋଲି ସେ ଆକ୍ଷେପ କରିଛନ୍ତି ।

ଅଧିକ ପଢ଼ନ୍ତୁ: ନୂଆବର୍ଷରେ ୩ ଦଳର ନୂଆ ମୁଖିଆ ! ନୂଆ ନେତୃତ୍ବଙ୍କୁ ନବୀନ ବାଟ ଛାଡିବା ଚର୍ଚ୍ଚା

OTV is now on Whatsapp

Join and get latest news update delivered to you via whatsapp

Join Now

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result