କିଟ୍ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଓ ଏହା ପରବର୍ତ୍ତୀ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟିକୁ ମାସେ ପୁରିଲାଣି । ଏହାରି ଭିତରେ ଟିମ୍ ଗ୍ରାଉଣ୍ଡକୁ ଯିବା ସହ ୩ଟି ପର୍ଯ୍ୟାୟରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସଂସ୍ଥାର ୧୭ ଜଣ ଅଧିକାରୀ ଏବଂ ୩ ଜଣ ଛାତ୍ରଛାତ୍ରୀଙ୍କୁ ବି ପଚାର ଉଚରା କରିଛି । ହେଲେ ସେ ତଦନ୍ତର ଏବେ ସ୍ଥିତି କ‘ଣ, କାହିଁକି ରିପୋର୍ଟ ସାର୍ବଜନୀନ କରାଯାଉନି ତାକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ବିଧାୟକ ।
Also Read
ଅଧିକ ପଢ଼ନ୍ତୁ: କେତେ ସୁରକ୍ଷିତ ବସ୍ରେ ସ୍କୁଲ୍ ଯାଉଥିବା କଅଁଳ ଭବିଷ୍ୟତ ?
କୁଆଡ଼େ ଗଲା କିଟ୍ ତଦନ୍ତ ରିପୋର୍ଟ ? କେବେ ହେବ କାର୍ଯ୍ୟନୁଷ୍ଠାନ ? ଉଚ୍ଚସ୍ତରୀୟ କମିଟି ତଦନ୍ତର ଏବେ ସ୍ଥିତି କ‘ଣ ? ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ବିଧାୟକ । ଉଚ୍ଚଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ବିଧାୟକ ସାରଦା ଜେନା ଉଠାଇଥିଲେ ସମାନ ପ୍ରଶ୍ନ । ଯେଉଁ ଘଟଣା ପାଇଁ ନେପାଳ ଏବଂ ଭାରତ ସଂପର୍କ ଖରାପ ହେଲା, ଆମକୁ କ୍ଷମା ପ୍ରାର୍ଥନା କରିବାକୁ ପଡ଼ିଲା, ଉଚ୍ଚସ୍ତରୀୟ କମିଟି ହେଲା ସେ ରିପୋର୍ଟର ଭାଗ୍ୟ କ’ଣ ? କେବେ ଗୃହରେ ଉପସ୍ଥାପନ ହେବ ବୋଲି ପ୍ରଶ୍ନ କରିଥିଲେ ଦୁଇ ବିଧାୟକ । କଂଗ୍ରେସ ମଧ୍ୟ ଦାବି କରିଛି, ତୁରନ୍ତ ରିପୋର୍ଟ ସାର୍ବଜନୀନ କରି ସରକାର କାର୍ଯ୍ୟନୁଷ୍ଠାନ ନିଅନ୍ତୁ ।
କିଟ୍ କ୍ୟାମ୍ପସରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ଫେବ୍ରୁଆରୀ ୧୮ରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ ରାଜ୍ୟ ସରକାର । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ୩ ଜଣିଆ କମିଟି କିଟ୍କୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଲିଖିତ ଉତ୍ତର ଅନୁସାରେ ଏହି କମିଟି ୩ଟି ପର୍ଯ୍ୟାୟରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ କୁଳପତିଙ୍କ ସହ ୧୭ ଜଣ ଅଧିକାରୀ ଏବଂ ୩ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପଚରାଉଚରା କରିଛି । କିନ୍ତୁ ଏ ଯାଏଁ ତଦନ୍ତ କେଉଁଠି ପହଁଚିଲା, କେବେ ସରକାରଙ୍କୁ ରିପୋର୍ଟ ଦେବେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସି ପାରୁ ନାହିଁ ।
ପ୍ରଶ୍ନ ଉଠୁଛି ଉଚ୍ଚସ୍ତରୀୟ କମିଟିର ତଦନ୍ତ ନିଷ୍କର୍ସ ସଂପର୍କରେ କାହିଁକି ଏଯାଏଁ ସ୍ପଷ୍ଟତା ଆସୁନି, କାହିଁକି କାର୍ଯ୍ୟାନୁଷ୍ଠାନରେ ହେଉଛି ଏତେ ବିଳମ୍ବ, ସମୟ ଗଡ଼ାଇବା ପଛରେ କୌଣସି ଚାପ କାମ କରୁନାହାନ୍ତି ତ, ୟାକୁ ନେଇ ଏବେ ଚର୍ଚ୍ଚା ହେଉଛି । ସେପଟେ କିଟ୍ ତଦନ୍ତ ସଂପର୍କିତ ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ଏହା ଭିତରେ NHRCର ଏକ ଟିମ୍ ଗତ ୬ ତାରିଖରେ ଓଡ଼ିଶା ଆସି, କିଟ୍ ସଂପର୍କିତ ତଦନ୍ତ କରି ଫେରିଯାଇଛି । ତେବେ ଟିମ୍ କ’ଣ ରିପୋର୍ଟ ଦେଲା ସେ ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ । ଅନ୍ୟପକ୍ଷରେ ଜମି ଜବରଦଖଲ ଅଭିଯୋଗ ମାମଲାରେ ଅଚ୍ୟୁତ ସାମନ୍ତ ଏବଂ ଅନ୍ୟମାନଙ୍କ ନାଁରେ ଇନଫୋସିଟି ଥାନାରେ ଯେଉଁ ମାମଲା ରୁଜୁ ହୋଇଥିଲା, ସେ ସଂପର୍କରେ ଖୋଳତାଡ଼ କରାଯାଉଛି ବୋଲି ସୂଚନା ଦେଇଛନ୍ତି ପୋଲିସ୍ କମିଶନର । ଗତ ୧୨ ତାରିଖରେ ଟଙ୍କପାଣି ରୋଡ୍ ଅଞ୍ଚଳର ବଂଶୀଧର ବେହେରା ନାମକ ଜଣେ ବ୍ୟକ୍ତି କିସ୍ ପାଖରେ ଥିବା ତାଙ୍କର ଶହେ ଡିସିମିଲ୍ ଜମିକୁ ଜବରଦଖଲ ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ।
ଅଧିକ ପଢ଼ନ୍ତୁ: କାଲିଠୁ ସକାଳୁଆ ସ୍କୁଲ୍, ସାଢ଼େ ୧୦ରେ ସରିବ କ୍ଲାସ୍
- Reported by:
- JAGDISH DAS , SOUMYA RANJAN SAHOO

OTV is now on Whatsapp
ପ୍ରତି ମୁହୂର୍ତ୍ତରେ ଖବରର ଅପଡେଟ୍ ପାଇଁ ଫଲୋ କରନ୍ତୁ ଓଟିଭିର ହ୍ଵାଟ୍ସଅପ ଚ୍ୟାନେଲ୍ କୁ
Join Now