ରାଜ୍ୟରେ ଦିନକୁ ଦିନ ଛତୁ ଫୁଟିବା ଭଳି ସ୍କୁଲ୍ ଖୋଲୁଛି । ଆଉ ପିଲାଙ୍କୁ ନେବା ଆଣିବା ପାଇଁ ସ୍କୁଲ ପକ୍ଷରୁ ଜାରି ରହିଛି ବସ୍ ସେବା । ହେଲେ ଏସବୁ ବସ୍ ର ଫିଟନେସ୍ ଅଛି କି ନାହିଁ, ସେକଥା ପଚାରୁଛି କିଏ ? ସେଥିପାଇଁ ତ ବାରମ୍ବାର ଘଟୁଛି ଦୁର୍ଘଟଣା । ଆହତ ହେଉଛନ୍ତି ଛାତ୍ରଛାତ୍ରୀ, ଜୀବନ ବି ଯାଉଛି ।
ରାଜଧାନୀ ଭୁବନେଶ୍ବରରେ ଏଭଳି ବିନା ଫିଟନେସରେ ୪୬୦ଟି ସ୍କୁଲ ବସ୍ ଚାଲିଥିବା ବିଧାନସଭାରେ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ । ୨୦୨୪ ଡିସେମ୍ବର ୨୦ ତାରିଖରେ ରାଉରକେଲାରେ ଡିଭାଇଡର ଉପରେ ଚଢିଯାଇଥିଲା ସ୍କୁଲ୍ ବସ୍ ଅଳ୍ପକେ ବର୍ତ୍ତିଥିଲେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ । ୨୫ ଜୁନ୍ ୨୦୨୨ ଚୌଦ୍ୱାରରେ ବିଲ ଭିତରକୁ ଓଲଟି ଯାଇଥିଲା ସ୍କୁଲ୍ ବସ୍ । ଏଥିରେ ୭ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ୧୨ ମାର୍ଚ୍ଚ ୨୦୨୫ ଗଞ୍ଜାମ ଦିଗପହଣ୍ଡିରେ ସ୍କୁଲ ବସ୍ ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୪ ଛାତ୍ରଛାତ୍ରୀ ଆହତ ଏବଂ ଡ୍ରାଇଭର ଗୁରୁତର ହୋଇଥିଲେ ।
Also Read
ଅଧିକ ପଢ଼ନ୍ତୁ: ଘାଣ୍ଟୁଛି EOW, ମମତା କହିଲେ- ପାଣ୍ଡିଆନ, ବବି ବଳରେ ରାଜା ଚକ୍ର ବଳୀୟାନ
କଅଁଳ ପିଲାଙ୍କୁ ନେଇ ଯାଉଥିବା ସ୍କୁଲ ବସ୍ କେତେବେଳେ ଅନ୍ୟ ଗାଡିକୁ ମୁହାଁମୁହିଁ ଧକ୍କା ଦେଲାଣି ତ କେତେବେଳେ ଭାରସାମ୍ୟ ହରାଇ ଓଲଟିଲାଣି । ବିଚ୍ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଲହୁ ଲୁହାଣ ହେଉଛନ୍ତି ଛାତ୍ରଛାତ୍ରୀ । ବେଳେ ବେଳେ ଜୀବନ ବି ଚାଲିଯାଉଛି । ତଦନ୍ତ ବେଳେ ଜଣାପଡୁଛି, ସ୍କୁଲ ବସ୍ର ନଥିଲା ଫିଟନେସ୍ । ରାସ୍ତାରେ ଚାଲିବାଯୋଗ୍ୟ ନଥିଲା ଗାଡି ।
ବଡ କଥା ହେଉଛି , ରାଜ୍ୟରେ ଏମିତି ପ୍ରତିଦିନ ଶହ ଶହ ଗାଡ଼ି ବିପଦଶଙ୍କୁଳ ଭାବେ ବେଧଡକ ଗଡୁଛି । ଆଉ ବିପଦରେ ଯାତାୟାତ କରୁଛନ୍ତି ଛାତ୍ର ଛାତ୍ରୀ । ରାଜଧାନୀରେ ବି ବିନା ଫିଟନେସରେ ଗଡୁଛି ଶହ ଶହ ସ୍କୁଲ ବସ୍ । ନିଜେ ପରିବହନ ମନ୍ତ୍ରୀ ବିଧାନସଭାରେ ଏହାକୁ ସ୍ବୀକାର କରିଛନ୍ତି । ଗୃହରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦର୍ଶାଇଛନ୍ତି, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ୧୪୮୪ଟି ସ୍କୁଲ ବସ୍ ପଞ୍ଜୀକୃତ ହୋଇଛି । ସେଥିମଧ୍ୟରୁ ୪୬୦ଟି ବସ୍ର ଫିଟନେସ୍ ନାହିଁ ।
ତେବେ ବିଭାଗ ପକ୍ଷରୁ ଏନଫୋର୍ସମେଣ୍ଟ ଟିମ୍ ଦ୍ବାରା ନିୟମିତ ଯାଞ୍ଚ କରାଯାଉଛି ଏବଂ ଖିଲାପକାରୀଙ୍କ ବିରୁଦ୍ଧରେ ଇ-ଚାଲାଣ ଜାରି କରାଯାଉଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ । ଏପରିକି ନିୟମ ମାନିବାକୁ ସ୍କୁଲଗୁଡିକୁ କୁହା ସରିଲାଣି, ଯେଉଁ ସ୍କୁଲ ବସ୍ର ଫିଟନେସ୍ ନାହିଁ, ତାହା ଅବାଧରେ ଚାଲି ପାରିବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।
ପ୍ରଶ୍ନ ଉଠୁଛି, ବିନା ଫିଟନେସରେ ରାଜ୍ୟରେ କେମିତି ଚାଲିଛି ସ୍କୁଲ ବସ୍? ଏଥିପାଇଁ ଦାୟୀ କିଏ? ସ୍କୁଲ୍ କର୍ତ୍ତୃପକ୍ଷ ନା ବସ୍ ମାଲିକ? ସ୍କୁଲ ପକ୍ଷରୁ ବସ୍ ଗୁଡିକର ନିୟମିତ ଯାଞ୍ଚ କରାଯାଉନି କାହିଁକି ?
ଅଧିକ ପଢ଼ନ୍ତୁ: କୁଆଡ଼େ ଗଲା ନବଙ୍କ ECG ରିପୋର୍ଟ, କାହିଁକି ନବଙ୍କୁ ଘରୋଇ ହସପିଟାଲ ନିଆଯାଇଥିଲା ?

OTV is now on Whatsapp
ପ୍ରତି ମୁହୂର୍ତ୍ତରେ ଖବରର ଅପଡେଟ୍ ପାଇଁ ଫଲୋ କରନ୍ତୁ ଓଟିଭିର ହ୍ଵାଟ୍ସଅପ ଚ୍ୟାନେଲ୍ କୁ
Join Now