ଭୁବନେଶ୍ବରରେ ଜମିବ ୭ ହଜାରରୁ ଅଧିକ ପ୍ରବାସୀ ଭାରତୀୟଙ୍କ ଭିଡ଼ । ଓଡ଼ିଆ କଳା ଓ ସଂସ୍କୃତିର ଝଲକ ଦେଖି କେମିତି ହେବେ ବିମୋହିତ, ଜନତା ମଇଦାନରେ ୮ରୁ ୧୦ ଯାଏଁ ଚାଲିବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ପାଇଁ ଚାଲିଛି ମହା ଆୟୋଜନ । ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ ଓ ରାଷ୍ଟ୍ରପତି ଉଦଯାପନୀ ଉତ୍ସବରେ ଯୋଗଦେବେ । ଆତିଥେୟତାରେ ଓଡ଼ିଶା କିପରି ବିଶ୍ବରେ ନାଁ କରିବ ସେଥିପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହ ରାଜ୍ୟ ସରକାର ମିଶି କରୁଛନ୍ତି ବଡ଼ ତୟାରି । ଏଥର ସମ୍ମିଳନୀର ଥିମ୍ ରହିଛି- ବିକଶିତ ଭାରତ ପାଇଁ ପ୍ରବାସୀ ଭାରତୀୟଙ୍କ ଅବଦାନ।
Also Read
ସମୟ କମ୍, ଆୟୋଜନ ବେଶୀ । ଅତିଥି ସତ୍କାରରେ କେମିତି ବିଶ୍ବରେ ଉଦାହରଣ ସାଜିବ ଓଡିଶା । ସେଥିପାଇଁ ଏ ବିଶାଳ ତୟାରି, ପ୍ରଥମ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ବର ଜନତା ମଇଦାନରେ ରାତି ଦିନ ଚାଲିଛି ଟେଣ୍ଟ ବନ୍ଧା ଓ ମଣ୍ଡପ ସଜ୍ଜା କାମ । ଏ ମେଗା ସମ୍ମିଳନୀରେ ୭୦ରୁ ଅଧିକ ଦେଶରୁ ପ୍ରାୟ ୭ ହଜାର ଭରତୀୟ ବଂଶୋଦ୍ଭବ ଓ ପ୍ରବାସୀ ଭାରତୀୟ ଯୋଗଦେବେ । ତେଣୁ ସେଠି ଓଡ଼ିଶାର ସଂସ୍କୃତି,ଐତିହ୍ୟ ଓ ପରମ୍ପରାର ଝଲକ ଦେଖାଇବାକୁ ଓଡ଼ିଶା ସରକାର- ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସହ ମିଳିତ ଭାବେ ଲାଗି ପଡ଼ିଛନ୍ତି। ଜାନୁଆରୀ ୯ରେ ପ୍ରଧାନମନ୍ତ୍ରୀ ମୋଦି ପ୍ରବାସୀ ଭାରତୀୟ ଏକ୍ସପ୍ରେସକୁ ଫ୍ଲାଗ୍ ଅଫ୍ କରିବେ, ସେଥିପାଇଁ ବି ସୁରକ୍ଷା ଯାଞ୍ଚ ଜୋରଦାର ଚାଲିଛି । ସେପଟେ ପୁରା ରାଜଧାନୀକୁ ଓଡ଼ିଶାର ପାରମ୍ପରିକ ଚିତ୍ରକଳାରେ ନିମଗ୍ନ କରାଯାଉଛି । କାନ୍ଥ ବାଡ଼ରେ ନୂଆ ନୂଆ ଥିମ୍ ଅଙ୍କା ଯାଉଛି । ସୁନ୍ଦର ଆଲୋକମାଳାରେ ଏବେଠୁ ଝଲସିଲାଣି ଭୁବନେଶ୍ବର । ପରିମଳ ଓ ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ଖୋଦ୍ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ । ଭୁବନେଶ୍ବର ବାଦ୍ କଟକ, ପୁରୀ ଓ କୋଣାର୍କ ଆଦି ସହରରେ ଥିବା ୩୧ଟି ପର୍ଯ୍ୟଟନସ୍ଥଳୀକୁ ବି ଅତିଥିଙ୍କୁ ନେବା ଆଣିବା ପାଇଁ ଡବଲ ଡେକର ବସର ବ୍ୟବସ୍ଥା କରାଯାଇଛି ।
ଅଧିକ ପଢ଼ନ୍ତୁ: ଚର୍ଚ୍ଚାରେ ପୋଲିସ-ସର୍ଦ୍ଦାର ଦୋସ୍ତି; ସର୍ଦ୍ଦାର-IICଙ୍କ ମଧ୍ୟରେ ଡିଲ୍ ଚାଲିଥିବା ଅଭିଯୋଗ
୨୦୨୫ ଭୁବନେଶ୍ବରରେ ୩ ଦିନିଆ ସମ୍ମିଳନୀର ଥିମ୍ ରହିଛି- ବିକଶିତ ଭାରତ ପାଇଁ ପ୍ରବାସୀ ଭାରତୀୟଙ୍କ ଅବଦାନ। ତାସହ ଉକ୍ତ ଅବସରରେ ପ୍ରବାସୀ ଭାରତୀୟଙ୍କୁ ଏକ ସୂତ୍ରରେ ବାନ୍ଧିବାକୁ ୫ଟି ଦିଗକୁ ଫୋକସ୍ କରାଯାଇଛି । ସେଗୁଡିକ ହେଲା ୧- ବୈଶ୍ୱିକ ପୃଥିବୀରେ ପ୍ରବାସୀ ଯୁବ- ଭାରତୀୟଙ୍କ ନେତୃତ୍ବ, ୨- ପ୍ରତିବନ୍ଧକ ଭାଙ୍ଗି ସେତୁ ନିର୍ମାଣ ଓ ସ୍ଥାନାନ୍ତର କୌଶଳର କାହାଣୀ, ୩-ସବୁଜ ସଂଯୋଗ ବା ସ୍ଥାୟୀ ସମାବେଶୀ ବିକାଶରେ ପ୍ରବାସୀଙ୍କ ଅବଦାନ, ୪-ପ୍ରବାସୀ ଦିବସ: ମହିଳା ନେତୃତ୍ୱ ଏବଂ ନାରୀ ଶକ୍ତି ପ୍ରଭାବର ଇସ୍ତାହାର ଓ ୫-ପ୍ରବାସୀ ଭାରତୀୟଙ୍କ ମୁହଁରୁ ସଂସ୍କୃତି, ସଂଯୋଗ ଏବଂ ସମ୍ପର୍କର କାହାଣୀ । ଓଡ଼ିଶାରୁ ଯେଉଁମାନେ ବିଦେଶରେ ବସବାସ କରିଛନ୍ତି, ସେମାନେ କିପରି ଓଡ଼ିଶା ଆସି ନିଜ ମୂଳ ସଂସ୍କୃତି ସହ ଯୋଡି ହେବେ, ତାକୁ ମଧ୍ୟ ସମ୍ମିଳନୀରେ ଗୁରୁତ୍ବ ଦିଆଯିବ । ତାସହ ସମ୍ମିଳନୀରୁ ପ୍ରବାସୀ ଭାରତୀୟମାନଙ୍କ ପାଖରୁ ଆର୍ଥିକ, ବୈଷୟିକ ଏବଂ କୌଶଳ ଗତ ସହଯୋଗ ପାଇଁ ମଧ୍ୟ ଉଦ୍ୟମ କରାଯିବ । ସମ୍ମିଳନୀ ଜରିଆରେ ସମୃଦ୍ଧ ଓଡ଼ିଶାର ସ୍ବପ୍ନକୁ ସାକାର କରିବାରେ ସହଯୋଗ ମିଳିବ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ବିଶେଷଜ୍ଞ ।
୨୦୧୫ ମସିହା ପରଠୁ ଏ ସମ୍ମିଳନୀ ପ୍ରତି ଦୁଇବର୍ଷରେ ଥରେ ଆୟୋଜନ କରାଯାଉଛି । ଅଦ୍ୟାବଧି ଭୁବନେଶ୍ବର ସମ୍ମିଳନୀ ପାଇଁ ପ୍ରାୟ ୩ ହଜାର ପ୍ରବାସୀ ଭାରତୀୟ ସେମାନଙ୍କ ନାଁ ପଞ୍ଜିକରଣ କରି ସାରିଲେଣି । ଶେଷ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେ । ତାଙ୍କ ସହ ସେଦିନ ତ୍ରିନିଦାଦ ଏବଂ ଟୋବାଗୋ ରାଷ୍ଟ୍ରପତି ବି ମୁଖ୍ୟ ଅତିଥି ସାଜିବେ ।