Mohan Majhi: ଅଟକାଇ ପାରିଲାନି ପଦବି-କ୍ଷମତା-ଦାୟିତ୍ୱ ଭାର, ବନ୍ଧୁଙ୍କ ଦେହାନ୍ତ ପରେ ଗସ୍ତ ବାତିଲ କଲେ ସିଏମ୍

ସାଧାରଣ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଶେଷ ଥର ପାଇଁ ଆଖି ପୂରେଇ ଦେଖି ନେବାକୁ, ଗତକାଲି ଜରୁରୀ ଦିଲ୍ଲୀ ଗସ୍ତ ବାତିଲ କରିବାକୁ ପଛାଇନଥିଲେ ମୋହନ ।

Mohan-Niranjana

ଆଜିର ସ୍ୱାର୍ଥପର ଦୁନିଆରେ, କ୍ଷମତା ଓ ସଫଳତା ପାଇବା ପରେ ସଂପର୍କକୁ ଭୁଲିବାକୁ ପଛାଉନି ମଣିଷ । ଆତ୍ମବଡ଼ିମା ଆଗରେ ଫିକା ପଡ଼ିଯାଉଛି ଆତ୍ମୀୟତା । ହେଲେ ଏଥିରେ ବ୍ୟତିକ୍ରମ ସାଜି, ପ୍ରକୃତ ବନ୍ଧୁର ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାଧାରଣ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଶେଷ ଥର ପାଇଁ ଆଖି ପୂରେଇ ଦେଖି ନେବାକୁ, ଗତକାଲି ଜରୁରୀ ଦିଲ୍ଲୀ ଗସ୍ତ ବାତିଲ କରିବାକୁ ପଛାଇନଥିଲେ ମୋହନ । କେନ୍ଦୁଝରରେ ପହଞ୍ଚିଯାଇ କହିଥିଲେ- ନିରୁଭାଇ ଚିର ବିଦାୟ ।

ମୋହନ ମାଝୀ-ନିରଞ୍ଜନ ଶତପଥୀ । ଦୁନିଆ ପାଇଁ ସିନା ଜଣେ ମୁଖ୍ୟମନ୍ତ୍ରୀ, ଆଉ ଜଣେ ବିଜେପିର ସାଧାରଣ କାର୍ଯ୍ୟକର୍ତ୍ତା । ହେଲେ ଦୁହିଁଙ୍କ ଭିତରେ ଥିଲା 'କୃଷ୍ଣ-ସୁଦାମା'ର ସଂପର୍କ... ରକ୍ତର ନହେଲେ ବି ମନର ସଂପର୍କ... ଅନାବିଳ ବନ୍ଧୁତ୍ୱର ସଂପର୍କ...। ୨୦୦୦ ମସିହାରୁ ମୋହନଙ୍କ ସହ ଛାଇ ଭଳି ରହୁଥିଲେ... ଭାଇ ଭଳି ରହୁଥିଲେ ନିରୁଭାଇ । ଆଉ ସେଇଥି ପାଇଁ ତ... ଖାଲି ଦଳର ନୁହେଁ, ପରିବାରର କାହାକୁ ହରାଇବା ଭଳି ଗତକାଲି ଭାବବିହ୍ୱଳ ହୋଇ ଉଠିଥିଲେ ମୁଖ୍ୟମନ୍ତ୍ରୀ ।

ଗୁରୁତ୍ୱପୂର୍ଣ୍ଣ ଦିଲ୍ଲୀ ଗସ୍ତ ବାତିଲ କରି କେନ୍ଦୁଝରରେ ପହଞ୍ଚିଯାଇଥିଲେ ନିରଞ୍ଜନଙ୍କ ଶେଷ ଦର୍ଶନ ପାଇଁ । ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ ସହ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେଇଥିଲେ, ଆଉ ସାମିଲ ହୋଇଥିଲେ ପ୍ରିୟ ସଖାଙ୍କ ଶେଷଯାତ୍ରାରେ । ମୋହନ ମାଝୀଙ୍କ ରାଜନୈତିକ ଅନ୍ତୁଡ଼ିଶାଳ କେନ୍ଦୁଝର ବିଜେପି ଜିଲ୍ଲା ଅଫିସକୁ ଯିଏ ଯାଇଛି ସିଏ ଜାଣିଛି । ସେଠି ନିରୁଭାଇ ନଥିଲେ କିଛି ହୁଏନି ।

ଅଧିକ ପଢ଼ନ୍ତୁ: କିଏ ଯିବେ ରାଜ୍ୟସଭା? କାହାକୁ ପ୍ରାଇଜ ଦେବ ଦଳ ?

୨୦୦୦ ମସିହାରେ ମୋହନ ମାଝୀ ବିଧାୟକ ଓ ଅନନ୍ତ ନାଏକ ସାଂସଦ ହେବା ପରେ, କଲେଜ ରୋଡ୍ ସ୍ଥିତ ଏଇ ପାର୍ଟି ଅଫିସ ଦାୟିତ୍ୱରେ ରହିଥିଲେ ନିରୁ । ଘର ଛାଡ଼ି ସବୁବେଳେ ସେଇଠି ପଡ଼ି ରହୁଥିଲେ, ଅଫିସର ସବୁ ଭଲମନ୍ଦ ଦାୟିତ୍ୱ ବୁଝୁଥିଲେ । ଲୋକଙ୍କ ସୁବିଧା ଅସୁବିଧା ବେଳେ ପାଖରେ ଛିଡ଼ା ହେଉଥିବା ମଣିଷ ଜଣକ, ନିଜେ କିନ୍ତୁ କେବେ କାହାକୁ କିଛି ମୁହଁ ଖୋଲି ମାଗୁନଥିଲେ ।

ଯିଏ ଯାହା ସାହାଯ୍ୟ କରୁଥିଲା, ସେଥିରେ ଚଳୁଥିଲା ଘର । ହେଲେ ଗତ ରବିବାର ଛାତିରେ ଯନ୍ତ୍ରଣା ହେବାରୁ, ଡାକ୍ତର ଦେଖାଇବା ପାଇଁ ଭୁବନେଶ୍ୱର ଆସୁଥିଲେ ନିରଞ୍ଜନ । ହେଲେ ବିଳମ୍ବିତ ରାତିରେ ବସ୍‌ରେ ଯାଉଥିବା ବେଳେ ଅଧାବାଟରେ ହୃଦଘାତରେ ପ୍ରାଣ ହରାଇଲେ । ଏବେ ତାଙ୍କ ବିୟୋଗ ପରେ ଘର କେମିତି ଚଳିବ, ସେଇ ଚିନ୍ତାରେ ପରିବାର ।

ପୈତୃକ ଘର ବ୍ରହ୍ମପୁର ହୋଇଥିଲେ ବି, ବାପାଙ୍କ ଚାକିରି ପାଇଁ ପିଲାଟି ବେଳୁ କେନ୍ଦୁଝରରେ ରହିଆସୁଥିଲେ ନିରଞ୍ଜନ ଶତପଥୀ । ୨୫ ବର୍ଷ ହେଲା ସେ ଥିଲେ କେନ୍ଦୁଝର ବିଜେପି ନଗର ମଣ୍ଡଳର ଜଣେ ସକ୍ରିୟ ତଥା ନିସ୍ୱାର୍ଥପର କାର୍ଯ୍ୟକର୍ତ୍ତା । ଆଉ ତାଙ୍କ ଦେହାନ୍ତ ଖବର ଶୁଣିବା ମାତ୍ରେ ମୁଖ୍ୟମନ୍ତ୍ରୀ ଯେଉଁଭଳି ଭାବେ ଭୁବନେଶ୍ୱରରୁ କେନ୍ଦୁଝରକୁ ଦୌଡ଼ିଗଲେ, ସମସ୍ତେ କହୁଥିଲେ- ରାଜଦ୍ୱାର ଶ୍ମଶାନେ ଚ, ଯ ତିଷ୍ଠତି ସ ବାନ୍ଧବ ।

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ସିନ୍ଦେ, ବଢ଼ିଲା CM ସସ୍‌ପେନ୍ସ