/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732631300.jpg)
Rajya Sabha
ବାଜିଲା ରାଜ୍ୟସଭା ଉପନିର୍ବଚନ ପାଇଁ ବିଗୁଲ୍, ବଢିଲା ରାଜନୈତିକ ଚର୍ଚ୍ଚା । କିଏ ଯିବେ ରାଜ୍ୟସଭା? ବିଜେପିରୁ ସୁଜିତ୍ କୁମାର ପ୍ରାର୍ଥୀ ହେବେ ନା ଆଉ କାହାକୁ ଟିକେଟ୍ ଦେବ ଦଳ? ମମତା ମହାନ୍ତଙ୍କ ଭଳି ସୁଜିତଙ୍କୁ ରାଜ୍ୟସଭା ପଠାଇ ବିଜେପି ଲିଙ୍କରେ ଥିବା ଅନ୍ୟ ସାଂସଦଙ୍କୁ ଆକର୍ଷଣ କରିବାକୁ ବିଜେପି ଷ୍ଟ୍ରାଟେଜି କରିଥିବା କୁହାଯାଉଛି । ଅନ୍ୟପଟେ ଡିସେମ୍ବର ୨୦ରେ ନିର୍ବାଚନ ହେବାକୁ ଥିବା ବେଳେ ସଂଖ୍ୟା ଦୃଷ୍ଟିରୁ ସିଟଟି ବିଜେପି ଖାତାକୁ ଯିବା ଥୟ ।
ମମତାଙ୍କ ଷ୍ଟାଇଲରେ ବିଜେପିରୁ ରାଜ୍ୟସଭା ଯିବେ କି ସୁଜିତ କୁମାର ? ନା ଆଉ କାହାକୁ ପ୍ରାଇଜ ଦେବ ଦଳ ? ଉପନିର୍ବାଚନ ତାରିଖ ଘୋଷଣା ପରେ ବଢିଲା ଚର୍ଚ୍ଚା । ଆସନ୍ତା ଡିସେମ୍ବର ୨୦ରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶ ପାଇଲା କାର୍ଯ୍ୟସୂଚୀ । ଯାହା ପରେ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା । ସଂଖ୍ୟା ଦୃଷ୍ଟିରୁ ଗୋଟିଏ ସିଟ୍ ପାଇଁ ଉପନିର୍ବାଚନ ହେଉଥିବାରୁ ଶାସକ ଦଳ ବିଜେପି ଖାତାକୁ ଯିବ । ତେବେ ସେଇ ସିଟରେ ଦଳ କାହାକୁ ରାଜ୍ୟସଭା ପଠାଇବ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା ।
ମମତା ମହାନ୍ତଙ୍କ ଢଙ୍ଗରେ ବିଜେଡି ଛାଡ଼ି ଦିଲ୍ଲୀରେ ବିଜେପିରେ ମିଶିଥିଲେ ସୁଜିତ । ମମତା ଯେମିତି ଦଳ ଉପରେ ବର୍ଷିଥିଲେ, ସୁଜିତ ବି ସମାନ ଅଭିଯୋଗ ଆଣିଥିଲେ । ତେଣୁ ସମାନ ଢଙ୍ଗରେ ସୁଜିତଙ୍କ ନାଁ ଆଗରେ ଥିବା କୁହାଯାଉଛି । ଅନ୍ୟପଟେ ସଂଗଠନରୁ କିଛି ନାଁ ବି ଚର୍ଚ୍ଚାରେ ରହିଛି । ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି, ଉପସଭାପତି ଗୋଲକ ମହାପାତ୍ରଙ୍କ ନାଁ ବି ଚର୍ଚ୍ଚା ହେଉଛି । ନିର୍ବାଚନ ବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିଲେ ଏମାନେ ।
ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ସିନ୍ଦେ, ବଢ଼ିଲା CM ସସ୍ପେନ୍ସ
ତେବେ ବିଜେପି ନେତା କହିଛନ୍ତି ଦଳର ପାର୍ଲାମେଣ୍ଟାରୀ ବୋର୍ଡ ଏ ନେଇ ନିଷ୍ପତ୍ତି ନେବ । ଅନ୍ୟପକ୍ଷରେ ତେବେ ବିଜେଡି କିମ୍ବା କଂଗ୍ରେସ ପ୍ରାର୍ଥୀ ଦେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ବାଇ-ଇଲେକସନ ପାଇଁ ଆସନ୍ତା ୩ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ଡିସେମ୍ବର ୧୦ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ । ୧୧ରେ ଯାଞ୍ଚ ପରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ୧୩ ତାରିଖ ।
ଏକ୍ରୁ ଅଧିକ ପ୍ରାର୍ଥୀ ରହିଲେ ୨୦ରେ ନିର୍ବାଚନ କରାଯିବ । ଅନ୍ୟପଟେ ୨୪ ସାଧାରଣ ନିର୍ବାଚନରେ ଲୋକସଭାରେ ବିଜେଡିକୁ ଶୂନ କରିବା ପରେ ରାଜ୍ୟସଭାରେ ବି ଜିରୋ କରିବାକୁ ବିଜେପି ବଡ଼ ପ୍ଲାନ୍ କରିଥିବା କୁହାଯାଉଛି । ଅଗଷ୍ଟରେ ମମତା ମହାନ୍ତି, ସେପ୍ଟେମ୍ବରରେ ସୁଜିତ କୁମାରଙ୍କ ପରେ ଆହୁରି ଅନେକ ରାଜ୍ୟସଭା ସାଂସଦ ବିଜେପି ଲିଙ୍କରେ ଥିବା ଚର୍ଚ୍ଚା ହେଉଛି ।
କାହିଁକି ନା ଦଳରେ ଏଯାଏଁ ବି ପାଣ୍ଡିଆନ ବିରୋଧୀ ଅସନ୍ତୋଷକୁ ପ୍ରଶମିତ କରିବାରେ ବିଫଳ ହୋଇଛନ୍ତି ସୁପ୍ରିମୋ । ଏମିତି ସ୍ଥିତିରେ ମମତାଙ୍କ ପରି ସୁଜିତଙ୍କୁ ରାଜ୍ୟସଭା ପଠାଇ ଅନ୍ୟ ବିଜେଡି ସାଂସଦଙ୍କ ପାଇଁ ବିଜେପି ରାସ୍ତା ଖୋଲିପାରେ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ । ଏବେ ଦେଖିବାର କଥା ବିଜେପି କାହାକୁ ରାଜ୍ୟ ସଭା ପଠାଉଛି ଆଉ ରାଜ୍ୟସଭା ଦଖଲ ଷ୍ଟ୍ରାଟେଜି କେତେ ସଫଳ ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)