ମହାରାଷ୍ଟ୍ରରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଚାଲିଥିବା ସସ୍ପେନ୍ସ ମଧ୍ୟରେ ଆଜି ଏକନାଥ ସିନ୍ଦେ CM ପଦରୁ ଇସ୍ତଫା ଦେଇଛନ୍ତି । ଏକନାଥ ସିନ୍ଦେ ରାଜ ଭବନ ଯାଇ ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କ ନିକଟରେ ଇସ୍ତଫା ଦାଖଲ କରିଛନ୍ତି । ମହାୟୁତିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ଏକନାଥ । ଇସ୍ତଫା ଦେବା ସମୟରେ ସିନ୍ଦେଙ୍କ ସହ ଡେପୁଟି ସିଏମ୍ ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଉପସ୍ଥିତ ଥିଲେ । ଏକନାଥ ସିନ୍ଦେଙ୍କ ସହ ତାଙ୍କ ପୂରା ମନ୍ତ୍ରିମଣ୍ଡଳ ମଧ୍ୟ ଇସ୍ତଫା ଦେଇଛନ୍ତି । ସୂଚନା ଅନୁସାରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି, ଶିବସେନା ଏବଂ ଏନସିପିର ମେଣ୍ଟକୁ ବହୁମତ ମିଳିଛି । ତେବେ ଏବେ ବି କିଏ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ତାହାକୁ ନେଇ ସସ୍ପେନ୍ସ ଏବେ ବି ରହିଛି ।
Also Read
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ସହିତ ନୂତନ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଚାଲିଥିବା ଆଲୋଚନାରେ ମଧ୍ୟ ବିରାମ ଲାଗିଛି । ମଙ୍ଗଳବାର ଦିନ ପ୍ରସ୍ତାବିତ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେବେ । ତେବେ ବିଜେପି ବିଧାୟକ ଦଳ ବୈଠକ ପରେ ଗୃହମନ୍ତ୍ରୀ ଅମିତ ଶାହ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି । କୁହାଯାଉଛି କି ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ।
ଅଧିକ ପଢ଼ନ୍ତୁ: କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ଲାଗିରହିଛି ସସପେନ୍ସ
ସୂଚନା ଅନୁସାରେ ମହାରାଷ୍ଟ୍ରରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟର ମହାବିଜୟ ହୋଇଥିଲା । ମୋଟ ୨୮୮ ଆସନରୁ ମହାୟୁତି ମେଣ୍ଟକୁ ୨୩୦ ସିଟ୍ ମିଳିଥିବା ବେଳେ ବିଜେପି ଏକାକୀ ଜିତିଛି ୧୩୨ ସିଟ୍ । ମହାରାଷ୍ଟ୍ରରେ ଲଗାତାର ତୃତୀୟ ଥର ପାଇଁ ସର୍ବବୃହତ ଦଳ ଭାବେ ଉଭା ହୋଇଛି ବିଜେପି । ସେପଟେ ମାତ୍ର ୫୧ ଆସନ ସହ ମହାବିପର୍ଯ୍ୟୟର ସାମ୍ନା କରିଛି ମହାବିକାଶ ଅଘାଡ଼ି । ଭୋଟ୍ ସେୟାରରେ ଷଷ୍ଠ ସ୍ଥାନକୁ ଖସିଯାଇଛି ଉଦ୍ଧବ ସେନା । ଗୋଆ, ଗୁଜରାଟ, ହରିୟାଣା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ପରେ ଷଷ୍ଠ ରାଜ୍ୟଭାବେ ତୃତୀୟ ଥର କ୍ଷମତାକୁ ଆସିଛି ବିଜେପି । ମହାରାଷ୍ଟ୍ରରେ ନିଜର ୨୦୧୪ ଓ ୨୦୧୯ ରେକର୍ଡକୁ ଭାଙ୍ଗିଛି ପଦ୍ମ । ମହାୟୁତି ୨ଶହରୁ ଅଧିକ ସିଟ୍ ଜିତିଥିବାରୁ, ୧୯୭୨ ମସିହା ପରେ ମହାରାଷ୍ଟ୍ରରେ ପ୍ରାକ୍-ନିର୍ବାଚନୀ ମେଣ୍ଟ ପାଇଁ ଏହା ସର୍ବବୃହତ୍ ବିଜୟ ।
ମହାୟୁତିର ମହା ବିଜୟ ପରେ ଏବେ ସବୁଠି ଗୋଟିଏ କଳ୍ପନା ଜଳ୍ପନା ଲାଗି ରହିଛି । କିଏ ହେବ 'ମହା' ମୁଖ୍ୟମନ୍ତ୍ରୀ ? ସିଏମ୍ ଓ ଡେପୁଟିଙ୍କ ମଧ୍ୟରେ ହେବ କି ଗାଦି ଅଦଳବଦଳ ? ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ଅଛନ୍ତି ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ରରେ ବିଜେପିର ସେନାପତି ଦେବେନ୍ଦ୍ର ଫଡ଼ନାଭିସ୍ । କର୍ପୋରେଟରରୁ ନାଗପୁରର ସର୍ବକନିଷ୍ଠ ମେୟର ଏବଂ ୨୦୧୪ରେ ମହାରାଷ୍ଟ୍ରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ। କୁହାଯାଏ, ୨୦୨୨ ସତ୍ତାପଲଟ୍ ପଛରେ ବି ଥିଲା ଦେବେନ୍ଦ୍ର ଫଡ଼ନାଭିସଙ୍କ ପ୍ରମୁଖ ଭୂମିକା । ଏସବୁ ସତ୍ତ୍ବେ ସେତେବେଳେ ଡେପୁଟି ସିଏମ୍ ପଦ ପାଇଁ ରାଜି ହୋଇ, ଦଳକୁ କ୍ଷମତାକୁ ଆଣିବାକୁ ସେ ବଡ଼ ବଳିଦାନ ଦେଇଥିବା ଚର୍ଚ୍ଚା ହୁଏ ।