କାଲି ମହାଶିବରାତ୍ରୀରେ ଅନ୍ତିମ ସ୍ନାନ ଯୋଗ, ସରିଯିବ ମହାକୁମ୍ଭ । ଦୀର୍ଘ ୪୫ ଦିନର ପ୍ରୟାଗରାଜ ମହାକୁମ୍ଭ ମେଳାରେ ପଡ଼ିବ ଯବନିକା । ୧୪୪ ବର୍ଷର ବିରଳ ସଂଯୋଗରେ ପ୍ରାୟ ୬୪ କୋଟିରୁ ଅଧିକ ଲୋକ ତ୍ରିବେଣୀ ସଂଗମ ଘାଟରେ ବୁଡ଼ ପକାଇ ସୃଷ୍ଟି କରିଛନ୍ତି ବିରଳ ରେକର୍ଡ । ଏଥରର ମହାକୁମ୍ଭକୁ ଦିବ୍ୟ, ଭବ୍ୟ ଓ ଡିଜିଟାଲ୍ କରିବାକୁ ଯୋଗୀ ଓ ମୋଦି ସରକାରଙ୍କ ପ୍ରତିଶ୍ରୁତି ବି ହୋଇଛି ସାକାର । ମୌନୀ ଅମାବାସ୍ୟାର ଦଳାଚକଟା ଘଟଣା ହେଉ କି ୫ଟି ଛୋଟବଡ଼ ଅଗ୍ନିକାଣ୍ଡ, ମଳିନ କରିପାରିନି ମହାକୁମ୍ଭର ଛବିକୁ । ନେତାଙ୍କଠୁ ସେଲିବ୍ରିଟି, ହଜାର ହଜାର ବିଦେଶୀ ସମସ୍ତଙ୍କ ପାଖରେ ସ୍ପଷ୍ଟ ବାରିହୋଇ ପଡ଼ିଥିଲା କୁମ୍ଭ ସ୍ନାନର କ୍ରେଜ୍ ।
Also Read
ଅଧିକ ପଢ଼ନ୍ତୁ: ଶିଖ୍ ବାପ-ପୁଅଙ୍କୁ ହତ୍ୟା ମାମଲା, ପୂର୍ବତନ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ ଜେଲ୍
ଆଧ୍ୟାତ୍ମିକ ଐତିହ୍ୟର ଦିବ୍ୟ ପ୍ରତୀକ । ବିଶ୍ୱାସ ଏବଂ ସୌହାର୍ଦ୍ଦ୍ୟର ଦୀର୍ଘତମ ମହୋତ୍ସବ । ଗଙ୍ଗା ଅମୃତର ଧାରା, ଯମୁନା ପୁଣ୍ୟତୋୟା, ଅଦୃଶ୍ୟ ସରସ୍ବତୀ ପାପନାଶିନୀ । ଦୀର୍ଘ ୪୫ ଦିନ ଧରି ଆସ୍ଥା, ଭକ୍ତି ଓ ଆଧ୍ୟାତ୍ମିକତାର ସ୍ନାନରେ ଫାଟି ପଡୁଛି ତ୍ରିବେଣୀ ଘାଟ । ତିନି ନଦୀଙ୍କ ପବିତ୍ର ମିଳନ ସ୍ଥଳୀରେ ବୁଡ଼ ପକାଇ ଦିବ୍ୟ ଅନୁଭବ ଲଭିଲେଣି ୬୪ କୋଟିରୁ ଅଧିକ ଶ୍ରଦ୍ଧାଳୁ । ଆସନ୍ତାକାଲି ମହାଶିବରାତ୍ରି, ତୀର୍ଥରାଜ ପ୍ରୟାଗରେ ମହାକୁମ୍ଭର ଶେଷ ସ୍ନାନ ଯୋଗ । ଏହି ଅନ୍ତିମ ସଂଯୋଗକୁ ହାତଛଡ଼ା ନକରି ସଂଗମରେ ସ୍ନାନ କରି ପୁଣ୍ୟ ଲଭିବା ଆଶାରେ ଆହୁରି କୋଟିଏରୁ ଅଧିକ ଶ୍ରଦ୍ଧାଳୁ ଅପେକ୍ଷା କରିଛନ୍ତି ।
ଜାନୁଆରୀ ୧୩, ପୌଷ ପୂର୍ଣ୍ଣିମାର ପବିତ୍ର ସ୍ନାନ ଯୋଗରୁ ତୀର୍ଥରାଜ ପ୍ରୟାଗର ସଂଗମ ତଟରେ ଶୁଭାରମ୍ଭ ହୋଇଥିଲା ମହାକୁମ୍ଭ ୨୦୨୫ । ୧୪୪ ବର୍ଷର ବିରଳ ସଂଯୋଗ ଯୋଗୁଁ ତ୍ରିବେଣୀ ଘାଟ ତମ୍ବୁ ନଗରୀକୁ ଛୁଟିଥିଲା ଲକ୍ଷ ଲକ୍ଷ ସାଧୁ ସନ୍ଥ ଓ କୋଟି କୋଟି ଶ୍ରଦ୍ଧାଳୁଙ୍କର ସୁଅ । ଏଥର ୬ଟି ସ୍ନାନ ଯୋଗରୁ ୩ଟି ଥିଲା ସାହି ସ୍ନାନ- ମକର ସଂକ୍ରାନ୍ତି, ମୌନି ଅମାବାସ୍ୟା ଓ ବସନ୍ତ ପଞ୍ଚମୀ । ମେଳାକୁ ଆସିଥିଲେ ନାଗା, ଜୁନା, ନିର୍ମୋହୀ, ମହାନିର୍ବାଣୀ, ଅଟଳ ଓ କିନ୍ନର ଭଳି ୧୩ଟି ପ୍ରମୁଖ ଆଖଡ଼ାର ଲକ୍ଷ ଲକ୍ଷ ସାଧୁ ଓ ଦେଶ-ବିଦେଶରୁ କୋଟି କୋଟି ଶ୍ରଦ୍ଧାଳୁ ।
ସେଲିବ୍ରିଟିଙ୍କର ବି ଲାଗିଥିଲା ଲମ୍ବା ଲାଇନ୍ । ଶହ ଶହ ରାଜନେତା ଓ ସିନେଷ୍ଟାର ଛୁଟିଥିଲେ ପ୍ରୟାଗରାଜ । ଫେବ୍ରୁଆରୀ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପକାଇଥିଲେ ଆସ୍ଥାର ବୁଡ଼ । ସେମିତି ଗୃହମନ୍ତ୍ରୀ ଅମିତ୍ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ବହୁ କେନ୍ଦ୍ରମନ୍ତ୍ରୀ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ସ୍ନାନ କରି ଗଙ୍ଗାଙ୍କୁ ପୂଜନ କରିଛନ୍ତି । ଦୁଇ ଦିନ ତଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଗତକାଲି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ଆଜି ରାଜ୍ୟପାଳ ହରିବାବୁ କମ୍ଭମପାଟି ବି କରିଛନ୍ତି କୁମ୍ଭ ସ୍ନାନ । ସିନେଷ୍ଟାରଙ୍କ ଭିତରେ ଭିକି କୌଶଲ, କାଟ୍ରିନା କେଫ୍, ଅକ୍ଷୟ କୁମାର, ରବିନା ଟଣ୍ଡନ ଓ ତାଙ୍କ ଝିଅ ରାସା, ଅନୁପମ ଖେର୍, ତମନ୍ନା ଭାଟିଆ ଆଦି ବୁଡ଼ ପକାଇଛନ୍ତି । ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ବି ସପରିବାର କରିଥିଲେ ସଂଗମ ସ୍ନାନ ।
ମହାକୁମ୍ଭ ୨୦୨୫କୁ ଦିବ୍ୟ, ଭବ୍ୟ ଓ ଡିଜିଟାଲ୍ କରିବାକୁ ୟୁପିରେ ଯୋଗୀ ଓ କେନ୍ଦ୍ରରେ ମୋଦି ସରକାରଙ୍କ ପ୍ରତିଶ୍ରୁତି ସଫଳ ପ୍ରତିପାଦିତ ହୋଇଛି । ମହାକୁମ୍ଭ ଆରମ୍ଭରୁ ସମଗ୍ର ପ୍ରୟାଗରାଜ ୭ ଥାକିଆ ସୁରକ୍ଷା ବ୍ୟବସ୍ଥାରେ ରହିଛି । ଶାନ୍ତି ଶୃଙ୍ଖଳା ଓ ଭିଡ଼ ନିୟନ୍ତ୍ରଣରେ ଲାଗିଛନ୍ତି ୫୦ ହଜାର ସୁରକ୍ଷାକର୍ମୀ । ମେଳାର ୨୫ଟି ସେକ୍ଟର ସହ ସାରା ସହରକୁ ଅହରହ ଜଗିଛି ୩ ହଜାର ସିସିଟିଭି କ୍ୟାମେରା, ସାଧୁ ସନ୍ଥ ଓ ଶ୍ରଦ୍ଧାଳୁଙ୍କ ସେବାରେ ଉପଯୋଗ ହୋଇଛି ଦେଢ଼ ଲକ୍ଷ ଟୟଲେଟ୍ ଓ ୪ଲକ୍ଷରୁ ଅଧିକ ଡଷ୍ଟବିନ୍ । ୨୪ ଘଣ୍ଟିଆ ସଫେଇ କାମରେ ଲାଗିଛନ୍ତି ୧୫ ହଜାର ସୁଇପର ।
ତେବେ ଏତେ ସବୁ ମହା ଆୟୋଜନ ଭିତରେ ମେଳା ପରିସରରେ ବିଭିନ୍ନ ସମୟରେ ୫ଟି ଛୋଟବଡ଼ ଅଗ୍ନିକାଣ୍ଡ ଘଟଛି । ହେଲେ ମହାକୁମ୍ଭ ମେଳାର ଭବ୍ୟ ଛବିକୁ ସାମାନ୍ୟ ମଳିନ କରିଥିଲା ମୌନୀ ଅମାବାସ୍ୟା ପୂର୍ବ ରାତିର ଦଳା ଚକଟା । ଯେଉଁଥିରେ ୩୦ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିଲା । ଏତେସବୁ ସତ୍ତ୍ବେ ବି ଶ୍ରଦ୍ଧାଳୁଙ୍କ ମନର ମହାକୁମ୍ଭ କ୍ରେଜ୍ କମିନଥିଲା । ସଫଳ ଆୟୋଜନ ପାଇଁ ଯୋଗୀ ସରକାରଙ୍କୁ ସବୁ ଆଡୁ ପ୍ରଂଶସା ମିଳୁଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିନ୍ତୁ କିଛି ବିଶୃଙ୍ଖଳାକୁ ଆକ୍ଷେପ କରି ମହାକୁମ୍ଭ ‘ମୃତ୍ୟୁକୁମ୍ଭ’ରେ ପରିଣତ ହୋଇଥିବା କହିବାକୁ ପଛାଇନଥିଲେ ।
୨୦୨୫ ମହାକୁମ୍ଭ ମେଳା ଅନେକଙ୍କୁ କରିଛି ଚର୍ଚ୍ଚିତ । ଯେମିତିକି ମେଳାରେ ମାଳି ବିକ୍ରି କରି ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିବା ବଞ୍ଜାରା ଗାର୍ଲ ମୋନାଲିସାଙ୍କୁ ମିଳିଛି ଫିଲ୍ମରେ ଅଭିନୟ ଅଫର । ଉଦଣ୍ଡ ନୃତ୍ୟ କରି ମେଳାରୁ ବାସନ୍ଦ ହୋଇଛନ୍ତି ଭାଇରାଲ ଆଇଆଇଟି ବାବା ଅଭୟ ସିଂ ଓ କିନ୍ନର ଆଖଡ଼ାରେ ମିଶି ମହାମଣ୍ଡଳେଶ୍ବର ଉପାଧି ପାଇ ବି ବିବାଦ ଯୋଗୁଁ ପୁଣି ସେଥିରୁ ବିଚ୍ୟୁତ ହୋଇଛନ୍ତି ପୂର୍ବତନ ବଲିଉଡ୍ ଅଭିନେତ୍ରୀ ମମତା କୁଲକର୍ଣ୍ଣି । ଏତେସବୁ ଭିତରେ ଆସନ୍ତାକାଲି ପ୍ରୟାଗରାଜ ମହାକୁମ୍ଭରେ ପଡ଼ିବ ଯବନିକା, ଆଉ ଆସନ୍ତା ୨୦୨୭ରେ ନାସିକ୍ ର ତ୍ରୟମ୍ବକେଶ୍ବରରେ ପୁଣି ଲାଗିବ ପରବର୍ତ୍ତୀ କୁମ୍ଭମେଳା ।