ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ ଜେଲ୍ । ୧୯୮୪ ଶିଖ୍ ଦଙ୍ଗା ସହ ଜଡିତ ସରସ୍ବତୀ ବିହାରରେ ଶିଖ୍ ବାପ-ପୁଅ ହତ୍ୟା ମାମଲାରେ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଦିଲ୍ଲୀ ରାଉଜ୍ ଆଭେନ୍ୟୁ କୋର୍ଟ ଏହି ସଜ୍ଜା ଶୁଣାଇଛନ୍ତି । ଗତ ୧୨ ତାରିଖରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ତାଙ୍କର ମାନସିକ ସ୍ଥିତି ନେଇ ତିହାର କେନ୍ଦ୍ରୀୟ ଜେଲ୍ ଅଧିକାରୀଙ୍କୁ ରିପୋର୍ଟ ମଗାଯାଇଥିଲା । ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି ।
ଅଧିକ ପଢ଼ନ୍ତୁ: ହଟ୍ଟଗୋଳ କରି ସସପେଣ୍ଡ ହେଲେ ୨୨ ଆପ୍ ବିଧାୟକ, ଉପସ୍ଥାପିତ ହେଲା ଅବକାରୀ ନୀତି ଘୋଟାଲା
ପୋଲିସ କୋର୍ଟରେ ଦାଖଲ କରିଥିବା ଦଲିଲ୍ରେ କହିଥିଲା, ଏହି ମାମଲା ନିର୍ଭୟା କେସଠାରୁ ମଧ୍ୟ ଅଧିକ ସଙ୍ଗୀନ । ନିର୍ଭୟା ମାମଲାରେ ଜଣେ ମହିଳାଙ୍କୁ ଟାର୍ଗେଟ କରାଯାଇଥିଲା । ହେଲେ ଏଥିରେ ଏକ ସମୁଦାୟକୁ ଟାର୍ଗେଟ ହୋଇଥିଲା । ଏନେଇ ପୋଲିସ ଓ ଅଭିଯୋଗକାରୀ ସଜ୍ଜନ କୁମାରଙ୍କ ବିରୋଧରେ ଫାଶୀଦଣ୍ଡ ଦାବି କରିଥିଲେ ।
୧୯୮୪ ଶିଖ୍ ଦଙ୍ଗା ମାମଲାରେ ଗତ ୧୨ ତାରିଖରେ କୋର୍ଟ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟର ବିଚାରପତି କାବେରୀ ବାୱେଜା ସଜ୍ଜନଙ୍କୁ ଆଜୀବନ ସଜ୍ଜା ଶୁଣାଇଛନ୍ତି । କହିରଖୁଛୁ କି, ସଜ୍ଜନ କୁମାରଙ୍କୁ ଦ୍ବିତୀୟ ଥର ଆଜୀବନ ଜେଲ୍ ଦଣ୍ଡ ମିଳିଛି । ପୂର୍ବରୁ ସେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଦଙ୍ଗା ମାମଲାରେ ଆଜୀବନ ସଜ୍ଜା କାଟୁଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ୧୯୮୪ ନଭେମ୍ବର ୧ରେ ଯଶୱନ୍ତ ସିଂହ ଓ ତାଙ୍କ ପୁଅ ତରୁଣଦୀପ ସିଂହଙ୍କୁ ସରସ୍ବତୀ ବିହାରରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ସଜ୍ଜନ କୁମାରଙ୍କ ନିର୍ଦ୍ଦେଶରେ ଏକ ହିଂସାତ୍ମକ ଭିଡ଼ ଶିଖ୍ ସମୁଦାୟ ବିରୋଧରେ ହିଂସା, ଲୁଟପାଟ୍, ଭଙ୍ଗାରୁଜା ସହ ଏହି ଶିଖ୍ ବାପ-ପୁଅଙ୍କୁ ହତ୍ୟା କରିଥିଲେ । ଏହି ମାମଲାରେ ମୃତ ଯଶୱନ୍ତ ସିଂହଙ୍କ ପତ୍ନୀ ସଜ୍ଜନ କୁମାରଙ୍କୁ ଫାଶୀ ଦଣ୍ଡ ଦାବି କରିଥିଲେ ।
ଏବେ ସଜ୍ଜନ କୁମାରଙ୍କ ଆଜୀବନ ସଜ୍ଜା ରାୟ ପ୍ରକାଶକୁ ନେଇ ପୀଡିତ ପକ୍ଷ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଜଣେ ଶିଖ୍ ନେତା ଗୁରଲାଦ ସିଂହ କହିଛନ୍ତି, ''କୋର୍ଟଙ୍କ ଏହି ରାୟରେ ଆମେ ଖୁସି ନାହୁଁ । ଦୋଷୀକୁ ଫାଶୀ ଛଡା ଆଉ କିଛି ଚାହୁଁନୁ । ସଜ୍ଜନ କୁମାରଙ୍କୁ ଫାଶୀ ଦେବାକୁ ଆମେ ସରକାରଙ୍କ ନିକଟରେ ଉପର କୋର୍ଟ ଯିବାକୁ ଅପିଲ୍ କରିବୁ ।''