/odishatv-khabar/media/post_attachments/uploadimage/library/16_9/16_9_0/IMAGE_1736735651.jpg)
Mahakumbh 2025:
ତୀର୍ଥରାଜ ପ୍ରୟାଗରେ ଆରମ୍ଭ ହୋଇଛି ମହାକୁମ୍ଭ ମେଳା। ପୌଷ ପୂର୍ଣ୍ଣମୀର ବ୍ରାହ୍ମ ମୁହୂର୍ତ୍ତରେ ତ୍ରିବେଣୀ ସଂଗମରେ ଆରମ୍ଭ ହୋଇଛି ପ୍ରଥମ ପୁଣ୍ୟ ସ୍ନାନ । ବୁଡ଼ ପକାଇ ପାପ ଧୋଇବାକୁ ପ୍ରୟାଗରାଜରେ କୋଟି କୋଟି ହିନ୍ଦୁଙ୍କ ପ୍ରାଣ ଓ ମନ। ପ୍ରଥମେ ସାଧୁ ସନ୍ଥ ଓ ତାପରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ଗଙ୍ଗା, ଯମୁନା ଓ ସରସ୍ବତୀ ନଦୀର ସଂଗମ ସ୍ଥଳରେ ବୁଡ଼ ପକାଉଛନ୍ତି । ଏଥିପାଇଁ ସଂଗମ ତଟରେ ଲାଗିଛି ସାଧୁ ସନ୍ଥ ଓ ଭକ୍ତଙ୍କ ଗହଳି। ବିଭିନ୍ନ ଆଖଡ଼ାର ସାଧୁ ସନ୍ଥଙ୍କ ହୋମ ଯଜ୍ଞ ଓ ମନ୍ତ୍ରଧ୍ବନୀରେ କଂପୁଛି ଚଉଦିଗ। ଏଥର ୬ଟି ସ୍ନାନ ତିଥି ରହିଥିବା ବେଳେ ୪୫ କୋଟି ଲୋକଙ୍କ ଆଗମନ ହେବ। ସେଥିପାଇଁ ୟୁପି ସରକାରଙ୍କ ପକ୍ଷରୁ ମହା ଆୟୋଜନ ସହ କଡ଼ା ସୁରକ୍ଷା ବ୍ୟବସ୍ଥା ବି ଗ୍ରହଣ କରାଯାଇଛି।
ପୌଷ ପୂର୍ଣ୍ଣମୀ, ଏ ଦିବ୍ୟ ଦିବସର ବ୍ରାହ୍ମ ମୁହୂର୍ତ୍ତରେ ଧର୍ମ, ଆସ୍ଥା ଓ ସଂସ୍କୃତିର ମହାମିଳନ ପର୍ବ ମହାକୁମ୍ଭ ମେଳାର ଶୁଭାରମ୍ଭ ହୋଇଛି। ଭୋର୍ ୫ଟା ୦୩ ମିନିଟରେ ପ୍ରଥମ ସ୍ନାନ ଯୋଗ ରହିଥିଲା । ପ୍ରଥମେ ସାଧୁ ସନ୍ଥ ଓ ତାପରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ଗଙ୍ଗା, ଯମୁନା ଓ ସରସ୍ବତୀ ନଦୀର ସଂଗମ ସ୍ଥଳରେ ବୁଡ଼ ପକାଇଛନ୍ତି। ଏଥର କୁମ୍ଭମେଳାକୁ ଆସିଥିବା ନାଗା ଆଖଡ଼ା, ନିରଞ୍ଜନୀ ଆଖଡ଼ା, ଜୁନା, ବୈଷ୍ଣବ, ମହାନିର୍ବାଣୀ ଓ କିନ୍ନର ଆଖଡ଼ାଙ୍କୁ ମିଶାଇ ୧୩ରୁ ଅଧିକ ଆଖଡ଼ା ସଂଗମ ତଟରେ ବୁଡ ପକାଇଛନ୍ତି। ୧୪୪ବର୍ଷ ପରେ ବିରଳ ସଂଯୋଗ ସାଙ୍ଗକୁ ୧୨ ବର୍ଷ ପରେ ପୁଣି ମହାକୁମ୍ଭ ମେଳାରେ ଲକ୍ଷ ଲକ୍ଷ ସାଧୁଙ୍କ ଯଜ୍ଞ ଓ ମନ୍ତ୍ର ଧ୍ବନୀରେ ତୀର୍ଥରାଜର ଚତୁର୍ଦ୍ଦିଗ କଂପୁଛି।
ଅଧିକ ପଢନ୍ତୁ: Mahakumbh- 2025: ମହାକୁମ୍ଭକୁ କେଉଁଠୁ ଆସନ୍ତି ନାଗା ସାଧୁ ? ହଠାତ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଆନ୍ତି ?
ଆଜିଠାରୁ ଫେବ୍ରୁଆରୀ ୨୬ ଯାଏ ଦୀର୍ଘ ୪୫ ଦିନ ଧରି ଚାଲିବାକୁ ଥିବା ମହାକୁମ୍ଭ ମେଳାରେ ଏଥର ୬ଟି ସ୍ନାନ ଯୋଗ ରହିଛି। ସେଗୁଡ଼ିକ ହେଲା ଆଜି ଅର୍ଥାତ ୧୩ ଜାନୁଆରୀ ପୌଷ ପୂର୍ଣ୍ଣମୀ, ୧୪ ଜାନୁଆରୀ ମକର ସଂକ୍ରାନ୍ତି, ଜାନୁଆରୀ ୨୯ ମୌନି ଅମାବାସ୍ୟା, ଫେବ୍ରୁଆରୀ ୨ ବସନ୍ତ ପଞ୍ଚମୀ, ଫେବ୍ରୁଆରୀ ୧୨ ମାଘ ପୂର୍ଣ୍ଣମୀ ଓ ଶେଷରେ ୨୬ ଫେବ୍ରୁଆରୀ ଶିବରାତ୍ରୀ। ଏଥିମଧ୍ୟରୁ ମକର ସଂକ୍ରାନ୍ତି, ମୌନି ଅମାବାସ୍ୟା ଓ ବସନ୍ତ ପଞ୍ଚମୀ ତିଥିକୁ ସାହି ସ୍ନାନ ଯୋଗ ଭାବେ ବିବେଚନା କରାଯାଇଛି।
ମହାକୁମ୍ଭ ମେଳାକୁ ଏଥର ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେବାର ସମ୍ଭାବନା ରହିଛି। ସେଥିପାଇଁ ପୁରା ସୁରକ୍ଷା ବଳୟରେ ରହିଛି ପ୍ରୟାଗରାଜ।ୟୁପି ପୋଲିସ ପକ୍ଷରୁ ୧୦୨ଟି ଚେକ୍ ପଏଣ୍ଟରେ ୭ ଥାକିଆ ସୁରକ୍ଷା ବନ୍ଦୋବସ୍ତ ହୋଇଛି। ତ୍ରିବେଣୀ ଘାଟକୁ ୧୧୩ ଅଣ୍ଡର ୱାଟର ଡ୍ରୋନ୍ ନଜର ରଖିଥିବାବେଳେ ପୁରା ସହରକୁ ଜଗିଛି ୨୭୦୦ AI କ୍ୟାମେରା। କୋଟି କୋଟି ଶ୍ରଦ୍ଧାଳୁ ସୁରକ୍ଷିତ ସ୍ନାନ ପାଇଁ ସଜାଗ ରହିଛନ୍ତି ୟୁପି ପୋଲିସର ହଜାର ହଜାର ଯବାନ ଓ ଅଫିସର। ତାଙ୍କୁ ସହାୟତା ପାଇଁ ଆସିଛନ୍ତି ଏଟିଏସ୍, ଏନଏସଜି, ଏନଡିଆରଏଫ୍ ଟିମ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)