CBI Raid in Bhubaneswar: ରାଜଧାନୀର ଛାତି ଉପରେ କୋଟିଏ ଟଙ୍କାର ଟେଣ୍ଡର ଫିକ୍ସିଂ! ୩ ଗିରଫ, ଘାଣ୍ଟୁଛି ସିବିଆଇ

ସରକାରୀ ଉଦ୍ୟୋଗ ବ୍ରିଜ୍ ଆଣ୍ଡ୍ ରୁଫ କଂପାନୀ ଉପରେ ମେଗା ରେଡ୍... ରାଜଧାନୀର ଛାତି ଉପରେ ରାତିରେ ହୋଇଛି ଚଢ଼ାଉ... ଛାପା ମାରିଛି CBI ।

CBI Raid in Bhubaneswar

ରାଜଧାନୀର ଛାତି ଉପରେ କୋଟିଏ ଟଙ୍କାର ଟେଣ୍ଡର ଫିକ୍ସିଂ । ରାତିରେ ଚାଲିଥିଲା ଡିଲ୍, ତାରକାର ହୋଟେଲ୍ ସାମ୍ନାରେ ମାଡ଼ିବସିଲା CBI । ସରକାରୀ ଉଦ୍ୟୋଗ ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀର ଜଣେ ଗ୍ରୁପ୍ ଜେନେରାଲ୍ ମ୍ୟାନେଜରଙ୍କ ସହ କୋଟିଏ ଟଙ୍କାର ଟେଣ୍ଡର ଫିକ୍ସିଂର ସିବିଆଇ ଖୁଲାସା କରିଛି । ତା’ସହ ୧୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ଘଟଣାରେ କଂପାନୀର GGMଙ୍କ ସମେତ ସୁପର କ୍ଳାସ୍ କଣ୍ଟ୍ରାକଟର ତଥା ମିଡିଲମ୍ୟାନ୍ ଦେବଦତ୍ତ ମହାପାତ୍ର ଓ ପେଣ୍ଟା-ଏ ଷ୍ଟୁଡିଓର ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କୁ ଗିରଫ କରି ତିନି ଦିନିଆ ରିମାଣ୍ଡରେ ନେଇଛି CBI ।

ସରକାରୀ ଉଦ୍ୟୋଗ ବ୍ରିଜ୍ ଆଣ୍ଡ୍ ରୁଫ କଂପାନୀ ଉପରେ ମେଗା ରେଡ୍... ରାଜଧାନୀର ଛାତି ଉପରେ ରାତିରେ ହୋଇଛି ଚଢ଼ାଉ... ଛାପା ମାରିଛି CBI । ଏ ହେଉଛନ୍ତି ବ୍ରିଜ୍ ଆଣ୍ଡ୍ ରୁଫ୍ କଂପାନୀର ଓଡ଼ିଶା ମୁଖ୍ୟ ତଥା ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ, ଭୁବନେଶ୍ୱରସ୍ଥିତ ପେଣ୍ଟା-ଏ ଷ୍ଟୁଡିଓର ନିର୍ଦ୍ଦେଶକ ସନ୍ତୋଷ ମହାରଣା, ଏବଂ ସୁପର କ୍ଲାସ୍ କଣ୍ଟ୍ରାକ୍ଟର ତଥା ମିଡିଲମ୍ୟାନ୍ ଦେବଦତ୍ତ ମହାପାତ୍ର ।

୧୨ ଘଣ୍ଟାର ନନଷ୍ଟପ୍ ଛାନଭିନ୍ ପରେ ଏହି ୩ ଜଣଙ୍କୁ ଗିରଫ କରିଛି ସିବିଆଇ । କେବଳ ଏତିକି ନୁହେଁ, ଚଢ଼ାଉ ବେଳେ ଦେବଦତ୍ତଙ୍କ ଘରୁ ଜବତ ହୋଇଛି ବିପୁଳ ଟଙ୍କା ଆଉ ସୁନା ଅଳଙ୍କାର । ମିଳିଛି ଲକର୍ ସହ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ । ଭୁବନେଶ୍ୱରର ୨ଟି, କଟକ, ଭଦ୍ରକ ଏବଂ ଗଞ୍ଜାମ ଛତ୍ରପୁରର ଗୋଟିଏ ଲେଖାଏଁ ସ୍ଥାନରେ ସିବିଆଇ ଆକସ୍ମିକ ଛାପା ମାରିଛି । କେବଳ ଓଡ଼ିଶା ନୁହେଁ, ଦିଲ୍ଲୀ ଓ କୋଲକାତା ସହ ଦେଶର ମୋଟ ୧୧ଟି ସ୍ଥାନରେ ହୋଇଛି ମେଗା ରେଡ୍

ଅଧିକ ପଢନ୍ତୁ: ଡିସେମ୍ବର ୧୬ରୁ ରତ୍ନଭଣ୍ଡାର ମରାମତି; ଜାନୁଆରୀ ସୁଦ୍ଧା ସରିବ ଅଳଙ୍କାର ଗଣତି-ମଣତି !

ଶନିବାର..ସମୟ ରାତି ପ୍ରାୟ ୯ଟା ୪୫ ମିନିଟ୍ । ସ୍ଥାନ- ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲ୍ ସାମ୍ନା । ହଠାତ୍ ଦିଲ୍ଲୀରୁ ଆସିଥିବା ୬ ଜଣିଆ ସିବିଆଇ ଟିମ୍ ଏହି ଦାମୀ କାର ପାଖରେ ପହଞ୍ଚି ଚଳାଇଥିଲେ ଛାନଭିନ୍ । ସାଙ୍ଗରେ ଥିଲେ କାର ମାଲିକଙ୍କ ସହ ୪ ଜଣ ବ୍ୟକ୍ତି...ଚାଲିଥିଲା ଟଣାଭିଡ଼ା...ଖୋଲାଗଲା କାର୍...ଭିତରୁ ମିଳିଲା ବଣ୍ଡଲ ବଣ୍ଡଲ୍ ନୋଟ୍ ।

ବନେଟ୍ ଉପରେ ଟଙ୍କାକୁ ଥୋଇ ଗଣିବା ପରେ ଜଣାପଡ଼ିଲା, କାରରେ ଥିଲା ପ୍ରାୟ ୧୦ ଲକ୍ଷ ଟଙ୍କା । କେବଳ ଏତିକି ନୁହେଁ, କିଛି ସୁନା ବି ମିଳିଥିବା କୁହାଯାଉଛି । ଏହାପରେ ଗାଡ଼ିରେ ଥିବା ୪ ଜଣଙ୍କୁ ହେପାଜତକୁ ନେଇ ଖୋଳତାଡ଼ କରିଥିଲା ସିବିଆଇ । ଆଜି ଦିନ ତମାମ୍ ବ୍ରିଜ୍ ଆଣ୍ଡ୍ ରୁଫ୍ କୋ’ର ବ୍ରାଞ୍ଚ ଅଫିସ୍ ଏବଂ ସୁପରକ୍ଲାସ୍ କଣ୍ଟ୍ରାକ୍ଟର ଦେବବ୍ରତ ମହାପାତ୍ରଙ୍କ ଘରେ ରେଡ୍ ଚାଲିଥିଲା ।

ଆଜି ଧଳା ରଙ୍ଗର ଆଉ ଏକ ଦାମୀ କାରକୁ ଜବତ କରିଛି ସିବିଆଇ । ଏଠି ପ୍ରଶ୍ନ, କେନ୍ଦ୍ର ସରକାରଙ୍କ ଭାରିଶିଳ୍ପ ମନ୍ତ୍ରାଳୟ ଅଧିନରେ ଆସୁଥିବା ବ୍ରିଜ୍ ଆଣ୍ଡ୍ ରୁଫ୍ କୋ ଲିମିଟେଡ୍ ଅଫିସ ଏବଂ ତା’ଲିଙ୍କରେ ଥିବା ବ୍ୟକ୍ତିଙ୍କ ଉପରେ କାହିଁକି ଜାରି ରହିଛି ଏତେ ବଡ଼ ଧରପଗଡ଼ ? ରେଡ୍ ପଛର ରହସ୍ୟ କ’ଣ? ବଡ଼ଧରଣର ଟେଣ୍ଡର ଫିକ୍ସିଂ ପାଇଁ ଚାଲିଥିଲା କି ମହାଡିଲ୍ ? ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କମ୍ପାନୀର ଓଡିଶା ମୁଖ୍ୟ ତଥା GGM ଚଞ୍ଚଲ୍ ମୁଖାର୍ଜୀଙ୍କ ସହ ଗତକାଲି ଚାଲିଥିଲା କୋଟିଏ ଟଙ୍କାର ଟେଣ୍ଡର୍ ଡିଲ୍ ।

ଏଥିପାଇଁ ଦିଆଯାଉଥିଲା ୧୦ ଲକ୍ଷ ଟଙ୍କାର ଅଗ୍ରୀମ ଲାଞ୍ଚ । ଠିକ୍ ଏହି ସମୟରେ ଆଗୁଆ ସୂଚନା ପାଇଥିବା ସିବିଆଇ ଟିମ୍ ମାଡ଼ିବସିଲା ହୋଟେଲ୍ ସାମ୍ନାରେ । କାରଣ କୋଟି କୋଟି ଟଙ୍କାର ହେରଫେର୍ ଓ ଟେଣ୍ଡର ଫିକ୍ସିଂ ନେଇ କମ୍ପାନୀ ବିରୋଧରେ ଦିଲ୍ଲୀ ସିବିଆଇ ପାଖରେ ଆଗରୁ ଏକ ମାମଲା ରୁଜୁ ହୋଇଥିଲା । ଅଧିକ ଖୋଳତାଡ଼ ପାଇଁ ଗିରଫ ୩ ଅଭିଯୁକ୍ତ ଚଞ୍ଚଲ ମୁଖାର୍ଜୀ, ସନ୍ତୋଷ ମହାରଣା ଓ ଦେବଦତ୍ତ ମହାପାତ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ତେବେ ତମାମ ଘଟଣା ସଂପର୍କରେ ବ୍ରିଜ୍ ଆଣ୍ଡ୍ ରୁଫ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଅଧିକ ପଢନ୍ତୁ: ପ୍ରତିଶ୍ରୁତି ପୂରଣ କଲେ ମୋହନ ସରକାର, ଅନ୍ନଦାତାଙ୍କ ଖାତାକୁ ଗଲା ଇନପୁଟ୍ ସହାୟତା