• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଚାଷୀଙ୍କ ଖାତାକୁ ଗଲା ୮ଶହ ଟଙ୍କା ଲେଖାଏଁ ଇନପୁଟ୍ ସହାୟତା । ଆଜି ବରଗଡ଼ ସୋହେଲା ସମାବେଶରେ ଚାଷୀଙ୍କୁ ୨୩୦୦ ଟଙ୍କାର MSPକୁ ମିଶାଇ ଧାନ କୁଇଣ୍ଟାଲ ପିଛା ୩୧ଶହ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତାସହ ପୂର୍ବ ନବୀନ ସରକାରଙ୍କୁ କଡ଼ା ନିଶାନା କରି ୧୦୦ ଟଙ୍କାର ବୋନସ୍ ଦେବାକୁ କହି ଚାଷୀଙ୍କୁ ପ୍ରତାରଣା କରିଥିବା କହି କଟାକ୍ଷ କରିଥିଲେ । ଧାନ କ୍ୱିଣ୍ଟାଲ ପିଛା ୩୧ ଶହ ପ୍ରଦାନ ପରେ ମୋହନ ସରକାର ୬ ମାସ ଭିତରେ ଯେଉଁ ଚାରି ବଡ଼ ପ୍ରତିଶ୍ରୁତି ପୂରଣ କରିବେ ବୋଲି କହିଥିଲେ, ତାହା ପୂରଣ ହୋଇଛି ।

ଚାଷୀଙ୍କ ଖାତାକୁ ଗଲା ଇନପୁଟ୍ ସହାୟତା ... ମଣ୍ଡିରେ ଧାନ ବିକି ଥିବା ଚାଷୀ ଡିବିଟି ମାଧ୍ୟମରେ କୁଇଣ୍ଟାଲ ପିଛା ପାଇଲେ ୩୧ଶହ ଟଙ୍କା । ବରଗଡ଼ ଜିଲ୍ଲାର ସୋହେଲାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାଷୀଙ୍କୁ ବାଣ୍ଟିଛନ୍ତି ଧାନ କୁଇଣ୍ଟାଲ ପିଛା ୮ଶହ ଟଙ୍କା ଲେଖାଏଁ ଇନପୁଟ୍ ସହାୟତା । ଫଳରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଏମଏସପି ୨୩୦୦ ଟଙ୍କା ସହ ରାଜ୍ୟ ସରକାରଙ୍କ ୮୦୦ ଟଙ୍କାର ଇନପୁଟ୍ ସହାୟତାକୁ ମିଶାଇ ୩୧ ଶହ ଟଙ୍କା ପାଇଛନ୍ତି ଅନ୍ନଦାତା ।

ଚଳିତ ବର୍ଷ ନଭେମ୍ବର ୨୦ ମଣ୍ଡି ଖୋଲିବା ଦିନଠାରୁ ଧାନ ବିକିଥିବା ଚାଷୀ ଏ ସହାୟତା ପାଇଥିବା ବେଳେ ଆଜିଠୁ ଯେଉଁ ଚାଷୀ ଧାନ ବିକିବେ ସେମାନେ ୪୮ ଘଣ୍ଟା ଭିତରେ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ପାଇଯିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀଙ୍କୁ ଇନପୁଟ୍ ସହାୟତା ବାଣ୍ଟି ସୋହେଲା ମାଟିରୁ ଗତ ନବୀନ ସରକାରକୁ କଡ଼ା ନିଶାନା କରିବାକୁ ପଛାଇ ନଥିଲେ ମୁଖ୍ୟମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ଆଶିଷଙ୍କ ପରେ କେନ୍ଦ୍ରୀୟ ଡେପୁଟେସନରେ IPS ଡି.ଏସ୍‌ କୁଟ୍ଟେ

ମୋହନ କହିଥିଲେ ପୂର୍ବ ସରକାର ଚାଷୀଙ୍କୁ ପ୍ରତାରଣା କରିଛି । ଏଇ ସୋହେଲାରେ ପୂର୍ବ ସରକାର ୮ବର୍ଷ ତଳେ ଧାନ କୁଇଣ୍ଟାଲ ପିଛା ୧୦୦ ଟଙ୍କା ବୋନସ୍ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ସେ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହେଲା, ତେଣୁ ସେଇ ସୋହେଲାରୁ ହିଁ ଆମେ ୮୦୦ ଟଙ୍କା ଇନପୁଟ୍ ସହାୟତା ପ୍ରଦାନ କଲୁ । ଆମେ ଯେଉଁ ପ୍ରତିଶ୍ରୁତି ଦେଉ, ତାହା ପୂରଣ କରି ଦେଖାଉଛୁ ।

ଆମ ସରକାର ମିଛୁଆ ନୁହେଁ । ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ହେବା ହେଉ କି ଶ୍ରୀମନ୍ଦିର ଉନ୍ନତୀକରଣ ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ, ଅବା ସୁଭଦ୍ରା ଯୋଜନା ଓ ଚାଷୀଙ୍କୁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ ନିଷ୍ପତ୍ତି । ସରକାର ଗଠନ ହେବାର ଘଣ୍ଟାଏ ଭିତରେ ଏ ଯେଉଁ ୪ ବଡ଼ ପ୍ରତିଶ୍ରୁତି ଦେଇଥିଲୁ ସରକାର ୬ମାସ ପୂରଣ କରିବା ପୂର୍ବରୁ ସବୁ ପୂରଣ କଲୁ ।

ନୂଆ ସରକାର ପ୍ରତିଶ୍ରୁତି ପୂରଣ କରୁଥିବାରୁ ବିଜେଡିକୁ କଷ୍ଟ ହେଉଛି ବୋଲି କଟାକ୍ଷ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିସହ କହିଥିଲେ ପୂର୍ବ ସରକାର ଚାଷୀ ବିରୋଧୀ ଥିଲେ, ତେଣୁ ଚାଷୀ ଆତ୍ମହତ୍ୟା କରୁଥିଲେ । ପୂର୍ବ ସରକାର କେବଳ ଭୋଟ୍ ହାତେଇବା କାମ ସହ ଦଲାଲମାନଙ୍କୁ ସହାୟତା କରୁଥିଲେ ବୋଲି ସିଏମ୍ ଆକ୍ଷେପ କରିଥିଲେ ।

ଏବେ ଯିଏ ଚାଷୀଙ୍କ ସହ ଦଲାଲି କରିବ ତାଙ୍କୁ ଜେଲ୍ ପଠାଇ ଦିଆଯିବ ବୋଲି ସିଧା ଚେତାବନୀ ବି ଦେଇଛନ୍ତି । ସେପଟେ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ୮ଶହ ଟଙ୍କାର ଇନପୁଟ୍ ସହାୟତା ପ୍ରଦାନକୁ ବିଜେଡି ପ୍ରହସନ ବୋଲି କହିବା ସହ ଏହାର ଜବାବ ଆଗାମୀ ପଞ୍ଚାୟତ ନିର୍ବାଚନରେ ଲୋକେ ଦେବେ ବୋଲି କହିଛି । କଂଗ୍ରେସ କହିଛି ଏ ଇନପୁଟ୍ ସହାୟତା ଚାଷୀଙ୍କୁ ନୁହେଁ ମିଲର୍ସଙ୍କ ପକେଟକୁ ଯିବ ।

ବରଗଡ଼ ସୋହେଲାର ଇଚ୍ଛାପାଲି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

ଅଧିକ ପଢ଼ନ୍ତୁ: ବିସ୍ଫୋରଣରେ ଛିଡ଼ି ଯାଇଥିଲା ପାଟି, ଭୋଗୁଥିଲା ଯନ୍ତ୍ରଣା! ହେଲେ ହାରିଗଲା ..

OTV is now on Whatsapp

Join and get latest news update delivered to you via whatsapp

Join Now