ସିବିଆଇ ରେଡ୍ ଘଟଣାରେ ବଡ଼ ଅପଡେଟ। ପୁଣି ଜବତ ହେଲା ଆଉ ଏକ କାର୍ । ଧଳା ରଙ୍ଗର କ୍ରେଟା କାର୍ ଜବତ କଲା ସିବିଆଇ। ଧଳା ରଙ୍ଗର କାରରେ ଯାଉଥିଲେ ସରକାରୀ ଅଧିକାରୀ । ବାଟରେ ୩ ଟି ଗାଡି ପରିବର୍ତ୍ତନ କରିଥିଲେ ସରକାରୀ କର୍ମଚାରୀ । ସରକାରୀ କର୍ମଚାରୀଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛନ୍ତି ସିବିଆଇ କର୍ମଚାରୀ । ତିନିଜଣଙ୍କୁ ଗିରଫ କଲା ସିବିଆଇ । ବ୍ରିଜ ଆଣ୍ଡ୍ ରୁଫ୍ କମ୍ପାନୀର ଓଡ଼ିଶା, ପଶ୍ଚିମବଂଗ ମୁଖ୍ୟ ଚଞ୍ଚଲ ମୁଖାର୍ଜୀ, ବରିଷ୍ଠ ଅଧିକାରୀ ପ୍ରଦୀପ ମହନ୍ତ ଓ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର ଗିରଫଙ୍କୁ ଗିରଫ କଲା । ଦେବଦତ୍ତଙ୍କ ଘରୁ ରେଡ୍ ବେଳେ ନଗଦ ଟଙ୍କା ଓ ସୁନା ପାଇଛି ସିବିଆଇ ।
Bridge and roof co.limted କମ୍ପାନୀ ଉପରେ ସିବିଆଇ ରେଡ୍ । ସର୍ଵ ଭାରତୀୟ ସ୍ତରରେ କମ୍ପାନୀ ଉପରେ ହେଉଛି ରେଡ୍ । ଦିଲ୍ଲୀ, କୋଲକାତା ସମେତ ୧୧ଟି ସ୍ଥାନରେ ସିବିଆଇ ପକ୍ଷରୁ କରାଯାଇଛି ଅଚାନକ ରେଡ୍ । ଏହି କ୍ରମରେ ଓଡିଶାରେ ଭୁବନେଶ୍ୱର ସମେତ ୫ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି। ଭୁବନେଶ୍ୱର, କଟକ, ଛତ୍ରପୁରରେ ସିବିଆଇ ପକ୍ଷରୁ ଚଢ଼ାଉ ଚାଲିଛି । ଭୁବନେଶ୍ୱର ରାମ ମନ୍ଦିର ପାଖରେ ଥିବା ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀର ଜୋନାଲ ଅଫିସ, ନୟାପଲ୍ଲୀରେ ଥିବା ବ୍ରାଞ୍ଚ ଅଫିସ, କଟକ ଫୁଲନଖରାରେ ଥିବା ଆଦିତ୍ୟ ଦେବ ପ୍ରାଇଭେଟ ଲିମିଟେଡ଼ର ମାଲିକ ଦେବଦତ୍ତ ମହାପାତ୍ରଙ୍କ ଘରେ ରେଡ୍ କରାଯାଇଛି।
Also Read
ଅଧିକ ପଢନ୍ତୁ: କଥା ରଖିଲେ ସରକାର; ଆଜି ଚାଷୀଙ୍କୁ ମିଳିବ ୮୦୦ଟଙ୍କାର ଇନପୁଟ୍ ସହାୟତା
ଏହା ପୂର୍ବରୁ ସିବିଆଇର ଦୁଇଟି ଟିମ ଦେବଦତ୍ତଙ୍କ ସମେତ ୪ ଜଣଙ୍କୁ ହୋଟେଲ ମେ’ ଫେୟାର ଆଗରୁ ଧରି ଅଟକ ରଖିଛି । ପ୍ରାୟ କୋଟିଏ ନଗଦ ଟଙ୍କା ସହ ଏକ ଦାମୀ କାରରେ ଡିଲ ହେଉଥିବା ବେଳେ ଧରିଥିଲେ ସିବିଆଇ କର୍ମଚାରୀ । ସିବିଆଇ ସୂତ୍ରରୁ ଜଣାପଡିଛି, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ କୋଟି କୋଟି ଟଙ୍କାର ହେରଫେର ସହ ଟେଣ୍ଡର ଫିକ୍ସିଂ କରିଥିବା ନେଇ ଦିଲ୍ଲୀରେ ସିବିଆଇ ପାଖରେ ଅଭିଯୋଗ ହୋଇଛି । ତେଣୁ ଦିଲ୍ଲୀ, କୋଲକତା ଓ ଓଡ଼ିଶାରେ ରେଡ୍ ଜାରି ରହିଛି।
ସୂଚନା ଅନୁସାରେ, ଗତ ରାତି ପ୍ରାୟ ୯ଟା ସମୟରେ ମେ’ ଫାୟାର ହୋଟେଲ ସମ୍ମୁଖରେ ଗୋଟିଏ ନାଲି ରଙ୍ଗର ଦାମୀ କାର ଛିଡ଼ା ହୋଇଥିଲା । ଯାହାର ନମ୍ବର OD-05-9999 । ତେବେ ଏହି ଦାମୀ ଗାଡ଼ିଟି ଏକ ବିଲଡର ସଂସ୍ଥାର । ଏହି ବିଲ୍ଡର ସଂସ୍ଥାର ଅଫିସ୍ ଫୁଲନଖରାରେ ଥିବା ସୂଚନା ମିଳିଛି । ଚର୍ଚ୍ଚା ହେଉଛି ଗାଡ଼ିରେ ଡିଲ୍ ହେଉଥିଲା । ତେବେ ଏ ସମ୍ପର୍କରେ ସିବିଆଇ ଟିମ୍ ଜାଣିପାରି ଅଚାନକ ଚଢ଼ଉ କରିଥିଲା। ଗାଡ଼ି ଭିତରୁ କୋଟିଏରୁ ଅଧିକ ଟଙ୍କା ଓ ସୁନା ଜବତ ହୋଇଛି । ୪ ଜଣଙ୍କୁ ସିବିଆଇ ଟିମ୍ ହେପାଜତକୁ ନେଇ ଅଧିକ ତଦନ୍ତ ଜାରି ରଖିଛି । ତେବେ ଏତେ ପରିମାଣରେ ଟଙ୍କା କେଉଁ ଉଦ୍ଦେଶ୍ୟରେ ଆସିଥିଲା, ତାହା ଜଣାପଡ଼ି ନାହିଁ। ଏ ସଂପର୍କରେ ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀର କର୍ମକର୍ତ୍ତା କିମ୍ବା ଆଦିତ୍ୟ ଦେବ ପ୍ରାଇଭେଟ ଲିମିଟେଡ଼ କର୍ମକର୍ତ୍ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ଅଧିକ ପଢନ୍ତୁ: ଭୁବନେଶ୍ବରରେ CBI ରେଡ୍, ଦାମୀଗାଡ଼ିରୁ ମିଳିଲା ପ୍ରାୟ ୧ କୋଟି ଟଙ୍କା !
- Reported by:
- CHANDAN PAIKRAY