• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କଂପାନୀରେ କୋଇଲା ହପର ଭୁଶୁଡ଼ିବା ଘଟଣାରେ ଉଦ୍ଧାର ହେଲା ୨ ନିଖୋଜ ଶ୍ରମିକଙ୍କ ମୃତଦେହ । ଘଟଣାର ୩୬ ଘଣ୍ଟା ପରା ପରେ ଦୁଇ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ସେମାନଙ୍କ ପରିଚୟ ମିଳିପାରିନି । ଅନ୍ୟପଟେ ନିଖୋଜ ଥିବା ଅନ୍ୟଜଣେ ଶ୍ରମିକଙ୍କ ମୃତଦେହ ଏଯାଏଁ ମିଳିପାରିନି । କୋଇଲା ହପର ଭୁଶୁଡ଼ିବା ପରେ କମ୍ପାନୀର ଶ୍ରମିକ ସୁଶାନ୍ତ ରାଉତ, ଦଶରଥ ପାତ୍ର ଓ ରଞ୍ଜିତ ଭୋଳ ନିଖୋଜ ହୋଇଯାଇଥିଲେ । ସେମାନଙ୍କୁ ଉଦ୍ଧାର କାର୍ଯ୍ୟରେ ୨ଟି ଓଡ୍ରାଫ ଟିମ୍‌ ଓ ୫ଟି ଅଗ୍ନିଶମ ବାହିନୀ ଲାଗିଥିଲେ । ଜିଲ୍ଲା ପ୍ରଶାସନ ଓ ବରିଷ୍ଠ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତି ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଥିଲେ । ସେପଟେ ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କମ୍ପାନୀ ପ୍ଲାଣ୍ଟ ଗେଟ୍‌ ସମ୍ମୁଖରେ ୩ ଶ୍ରମିକଙ୍କ ପରିବାର ସହ ଅଞ୍ଚଳବାସୀ ଧାରଣା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ଝିଅକୁ ବଞ୍ଚାଇବାକୁ ଯାଇ ଟ୍ରକ୍‌ ଚକା ତଳକୁ ଚାଲିଗଲେ ମାଆ

ସୂଚନା ଅନୁସାରେ ଗୁରୁବାର ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କମ୍ପାନୀରେ ଷ୍ଟକ୍ ରଖାଯାଉଥିବା କୋଇଲା ହପର ଭୁଶୁଡ଼ି ପଡ଼ିଥିଲା । ଯାହାଫଳରେ ୩ ଜଣ ଶ୍ରମିକ କୋଇଲା ତଳେ ଚାପି ହୋଇ ନିଖୋଜ ଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । କୋଇଲା ତଳେ ଚାପି ହୋଇଥିବା ୩ ଜଣ ଶ୍ରମିକ ହେଲେ ସୁଶାନ୍ତ ରାଉତ, ଦଶରଥ ପାତ୍ର ଏବଂ ରଞ୍ଜିତ ଭୋଳ ।

ତେବେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ଲାଗି ବଡ଼ ବଡ଼ କ୍ରେନ୍ ଓ ଅଗ୍ନିଶମ ବାହିନୀର ୬ଟି ଟିମ୍ ନିୟୋଜିତ ହୋଇଥିଲା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତକାଲି ଏହି ଦୁର୍ଘଟଣା ପରଠୁ କମ୍ପାନୀ ଭିତରକୁ ଫସିଥିବା ଶ୍ରମିକଙ୍କ ସମ୍ପର୍କୀୟଙ୍କୁ ଛଡ଼ା ଯାଉନଥିଲା । ଯାହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । କୋଇଲା ହପରରେ ଟନ୍ ଟନ୍ କୋଇଲା ଗଚ୍ଛିତ ରହିଥାଏ । ପରେ କୋଇଲାକୁ କନଭେୟର ବେଲ୍ଟ ମାଧ୍ୟମରେ ବଏଲରକୁ ପଠାଯାଇଥାଏ ।

ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଥିଲେ ଡାଲମିଆ ସିମେଣ୍ଟ କର୍ତ୍ତୃପକ୍ଷ । ପ୍ରେସ୍‌ ରିଲିଜରେ କହିଥିଲେ, କୋଲ୍ ହପରକୁ ଅପରେଟ୍ କରୁଥିଲା ଥାର୍ଡ ପାର୍ଟି ଭେଣ୍ଡର । ଏହି ଅଘଟଣ ଗୁରୁବାର ସନ୍ଧ୍ୟା ୬ଟା ସମୟରେ ହୋଇଥିଲା । ଯାହାଫଳରେ ୩ ଜଣ ଶ୍ରମିକ କୋଇଲା ତଳେ ଚାପି ହୋଇ ନିଖୋଜ ହୋଇଯାଇଥିଲେ । ତେବେ ଦୁର୍ଘଟଣାରେ ଆହତଙ୍କୁ ତ୍ୱରିତ ଓ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି । ସଙ୍ଗେ ସଙ୍ଗେ ସମସ୍ତ ଜରୁରୀକାଳୀନ ସେବାକୁ କାର୍ଯ୍ୟକ୍ଷମ କରାଯାଇଥିଲା । ସଂପୃକ୍ତ ଅଞ୍ଚଳକୁ ସିଲ୍ କରାଯାଇଛି । ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ସହାୟତାରେ ପ୍ଲାଣ୍ଟ ଅପରେସନ୍ସ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ବୋଲି କମ୍ପାନୀ କର୍ତ୍ତୁପକ୍ଷ ପକ୍ଷରୁ ପ୍ରେସ୍‌ ରିଲିଜ୍‌ ମାଧ୍ୟମରେ କୁହାଯାଇଥିଲା ।

ଅଧିକ ପଢ଼ନ୍ତୁ: କ୍ଷଣିକ ଭିତରେ ଜଳିଗଲା ହସଖୁସିର ଘର; ଉଡ଼ିଗଲା ଚାଳ ଛପର

OTV is now on Whatsapp

Join and get latest news update delivered to you via whatsapp

Join Now