Advertisment

House Caught Fire: କ୍ଷଣିକ ଭିତରେ ଜଳିଗଲା ହସଖୁସିର ଘର; ଉଡ଼ିଗଲା ଚାଳ ଛପର

କିଛି ସମୟ ମଧ୍ୟରେ ସବୁ ଓଲଟ ପାଲଟ ହୋଇଗଲା। ଯେପରି ଘର ଉପରେ ହଠାତ୍ ମାଡ଼ି ଆସିଲା କଳା ବାଦଲ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Fire

Fire

ରାତ୍ର ଭୋଜନ ପାଇଁ ଚାଲିଥିଲା ରୋଷେଇ। ଘରେ ବସି ଖୁସି ମଜାକ କରୁଥିଲେ ପରିବାର ଲୋକେ। ରୋଷେଇ ସରିଥିଲେ ସମସ୍ତେ ଖାଇପିଇ ଶୋଇଥାନ୍ତେ। ହେଲେ କିଛି ସମୟ ମଧ୍ୟରେ ସବୁ ଓଲଟ ପାଲଟ ହୋଇଗଲା। ଯେପରି ଘର ଉପରେ ହଠାତ୍ ମାଡ଼ି ଆସିଲା କଳା ବାଦଲ।ରୋଷେଇ ଚାଲିଥିବା ବେଳେ ଗ୍ୟାସ ସିଲିଣ୍ଡରରେ ଲାଗିଗଲା ନିଆଁ। କ୍ଷଣିକ ଭିତରେ ହସଖୁସିର ଘର ଯେପରି ଜଳିପୋଡ଼ି ପାଉଁଶ ହୋଇଗଲା। ହେଲେ ସୌଭାଭ୍ୟ ବଶତଃ ପରିବାର ଲୋକଙ୍କର କିଛି ହୋଇନଥିଲା। ଏପରି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ।

Advertisment

ବସ୍ତା ଥାନା ଅନ୍ତର୍ଗତ ପେଗରପଡା ଗ୍ରାମରେ ରହୁଥିବା ଜୟଶଙ୍କର ମିଶ୍ରଙ୍କର ଘରେ ଗତକାଲି ରାତିରେ ନିଆଁ ଲାଗି ୨ ବଖରା ଘର ଜଳିଯାଇଛି। ଗତକାଲି ରାତ୍ର ଭୋଜନ ପାଇଁ ରୋଷେଇ ଚାଲିଥିବା ବେଳେ ହଠାତ୍ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା। ସିଲିଣ୍ଡରରେ ନିଆଁ ଲାଗି ଯାଇଥିବା ଦେଖି ଶଙ୍କରଙ୍କ ସ୍ତ୍ରୀ ପରିବାର ଲୋକଙ୍କୁ ଡାକିଥିଲେ। ପରିବାର ଲୋକେ ଘରେ ପହଞ୍ଚି ଗ୍ୟାସ ସିଲିଣ୍ଡରରେ ଲାଗିଥିବା ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ। ହେଲେ ନିଆଁ କ୍ଷଣିକ ଭିତରେ ଚାରିଆଡକୁ ବ୍ୟାପିଯାଇଥିଲା।

ପରିବାର ଲୋକେ ନିଜ ଜୀବନ ବଞ୍ଚାଇବାକୁ ଯାଇ ଘରୁ ବାହାରକୁ ପଳାଇ ଆସିଥିଲେ। ପରେ ପରେ ଘର ଭିତରେ ଗ୍ୟାସ ଟାଙ୍କି ଫାଟି ଯାଇ ୨ ବଖରା ଘର ଜଳି ଯିବାସହ ବିସ୍ଫୋରଣରେ ଘର ଛପର ଉଡ଼ି ଯାଇଥିଲା। ହେଲେ ଏତେ ବଡ଼ ବିପଦରୁ ଜୟଶଙ୍କରଙ୍କ ସମେତ ୪ ସଦସ୍ୟ ବଡ଼ ବିପଦରୁ ବଞ୍ଚି ଯାଇଥିଲେ। ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Advertisment

ହେଲେ ସେତେ ବେଳକୁ ଘରେ ଥିବା ଆସବାବ ପତ୍ର ଗୁଡ଼ିକ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ପ୍ରାୟ ୨ ଲକ୍ଷ ଟଙ୍କାର ଆସବାବ ସହ ଧାନ ଚାଉଳ ପୋଡ଼ି ପାଉଁଶ ହୋଇଯାଇଛି। ଘର ଜଳିଯିବା ପରେ ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତି। ସରକାରୀ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି।

ଅଧିକ ପଢ଼ନ୍ତୁ: ଚିନ୍ତା ବଢ଼ାଇଛି ଜଟଣୀ ନିଆଁ, କାହିଁକି ଘଟୁଛି ବାରମ୍ବାର ଅଗ୍ନିକାଣ୍ଡ

Fire Breaks Out Balasore
Advertisment
Advertisment