ରାତିରେ ଖସୁଛି ପାରଦ ! ଶୀତରେ ଥରୁଛି ଉପକୂଳରୁ ଉତ୍ତର, ପୂର୍ବରୁ ପଶ୍ଚିମ

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ଅନୂଭତ ହେଉଛି ।

ସାରା ରାଜ୍ୟରେ ପ୍ରବଡ଼ ଜାଡ଼

ଶୀତରେ ଥରୁଛି ଉପକୂଳରୁ ଉତ୍ତର, ପୂର୍ବରୁ ପଶ୍ଚିମ ଓଡ଼ିଶା । ଥଣ୍ଡା ଏତେ ଯେ, ସଂଧ୍ୟା ହେବା ପରେ ବିନା ଶୀତ ବସ୍ତ୍ରରେ ଘରୁ ବାହାରିବା ମୁସକିଲ ହୋଇପଡ଼ିଛି । ବିଶେଷ ଭାବେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ଅନୂଭତ ହେଉଛି ।

କୋରାପୁଟ, କନ୍ଧମାଳ, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର, ଗଜପତି ଜିଲ୍ଲା ରେ ଶୀତର ପରିମାଣ ଅଧିକ ରହିଛି । ରାତିରେ ପାରଦ କମିବା ପରେ ଶୀତର ପ୍ରକୋପ ମଧ୍ୟ ବଢ଼ୁଛି । ତାସହ ଘନ କୁହୁଡ଼ି ଯୋଗୁଁ ଯାତାୟତରେ ଅସୁବିଧା ଉପୁଜୁଥିବା ଦେଖିବାକୁ ମିଳୁଛି ।

ଅଧିକ ପଢ଼ନ୍ତୁ: ଶୀତରେ ଆସୁଛି ଲଘୁଚାପ ! ପାଣିପାଗ ବିଭାଗ ଦେଲା ସୂଚନା..

କନ୍ଧମାଳ ଜିଲ୍ଲାରେ କିଛି ଦିନ ଧରି ଆକାଶ ମେଘମୁକ୍ତ ହେବା ପରେ ଓଡିଶାର କାଶ୍ମୀର ଦାରିଙ୍ଗବାଡ଼ି ଠାରେ ପ୍ରବଳ ଜାଡ ଅନୁଭୂତ ହେବାରେ ଲାଗିଛି । ଲୋକେ ଶୀତରୁ ଟିକିଏ ନିସ୍ତାର ପାଇବା ପାଇଁ ନିଆଁ ଜାଳି ବସି ରହୁଛନ୍ତି । ଛୋଟ ପିଲାମାନେ ସକାଳୁ ସକାଳୁ ଖେଳ ପଡ଼ିଆରେ ବ୍ୟାୟାମ କରିବା ସହ ବୟସ୍କ ଲୋକେ ମର୍ଣ୍ଣଂ ଓ୍ୱାକ୍ କରୁଥିବା ଦେଖିବାକୁ ମିଳିଛି । ଶୀତର ପ୍ରକୋପ ଯୋଗୁ ଆଦିବାସୀ ଉପାନ୍ତ ଇଲାକାରେ ବସବାସ କରୁଥିବା ଲୋକେ ଅଧିକ ହଇରାଣ ହେଉଛନ୍ତି ।

ଅନ୍ୟପଟେ ଶୀତ ବଢିବା ଫଳରେ ଶ୍ରମିକ ଶ୍ରେଣୀର ଲୋକେ କାମକୁ ଯିବା, ସେମାନଙ୍କ ପାଇଁ କଷ୍ଟକର ହେବାରେ ଲାଗିଛି । ଜିଲ୍ଲାର ଦାରିଙ୍ଗବାଡ଼ି ସମେତ ଜି.ଉଦୟଗିରି, ରାଇକିଆ, ବାଲିଗୁଡା, କୋଟଗଡ, ତୁମୁଡିବନ୍ଧ, ବେଲଘର ଆଦି ଅଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି ।

ଅନ୍ୟପଟେ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳରେ ଶୀତ ସାଙ୍ଗକୁ ଘନକୁହୁଡ଼ି ଦେଖିବାକୁ ମିଳିଛି । ଶୀତ ବଢ଼ୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । କେବଳ ସହର ନୁହେଁ ଗ୍ରାମାଞ୍ଚଳରେ ବି ପ୍ରବଳ ଶୀତ ଅନୁଭୂତ ହେଉଛି । ତେବେ ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଆଗରେ ବସିରହୁଛନ୍ତି । ବିନିିକାରେ କିଭଳି ଶୀତ ଅନୁଭୂତ ହେଉଛି ।