• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାମାନ୍ୟ ଆଶ୍ୱସ୍ତି । ରାଜଧାନୀବାସୀଙ୍କୁ ତାତିରୁ ମିଳିଲା ଆଶ୍ୱସ୍ତି । ଟୁଇନ ସିଟିରେ କାଳବୈଶାଖୀର ପ୍ରଭାବ। ପ୍ରବଳ ଘଡ଼ଘଡ଼ି ସହ ଆରମ୍ଭ ହୋଇଛି ପବନ ଓ ବର୍ଷା । ଅପରାହ୍ନ ଗୋଟାଏରୁ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ଝିପିଝିପି ବର୍ଷା ଲାଗିରହିଛି । ଏପରିକି ପ୍ରବଳ ଘଡ଼ଘଡ଼ି ବି ହେଉଛି । ଫଳରେ ଗତ କିଛି ଦିନ ଧରି ଲାଗି ରହିଥିବା ଗ୍ରୀଷ୍ମ ପ୍ରବାହରୁ ଉଭୟ କଟକ ଏବଂ ଭୁବନେଶ୍ୱର ଙ୍କୁ ଆଶ୍ୱସ୍ତି ମିଳିଛି । କେବଳ କଟକ, ଭୁବନେଶ୍ୱର ନୁହଁ, ଢେଙ୍କାନାଳ, ଖୋର୍ଦ୍ଧା  ରେ ମଧ୍ୟ କାଳବୈଶାଖର ପ୍ରଭାବ ଦେଖିବାକୁ ମିଳିଛି । ବର୍ତ୍ତମାନ ଏସବୁ ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗ ରହିବାର ସମ୍ଭାବନା ରହିଛି ।

ସେପଟେ ଗତ କିଛି ଦିନ ହେବ ଡହଡହ ଖରାରେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ଜନଜୀବନ । ପାଦରେ ଯୋତା, ମୁଣ୍ଡରେ ଛତା ନହେଲେ ଘରୁ ବାହାରିବା ହେଉଥିଲା ମୁସକିଲ୍ । କଲବଲ କରୁଥିଲା ତାତି । ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ଜାରି ରହିଥିଲା ଗ୍ରୀଷ୍ମଲହରୀ । ବିଶେଷ କରି ପଶ୍ଚିମ ଓଡ଼ିଶାକୁ ଅଥୟ କରିଥିଲା ଅସହ୍ୟ ଗରମ ।

ଦିନ ୧୦ଟା ପରେ ଘରୁ ବାହାରିବା ମୁସକିଲ୍ ହୋଇପଡ଼ିଥିଲା । ଗତକାଲି ୪୦ ଡିଗ୍ରୀ ଉପରେ ଥିଲା ରାଜ୍ୟର ୨୫ ସହର । ନୂଆପଡ଼ାରେ ସର୍ବାଧିକ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଓ ରାଜଧାନୀ ଭୁବନେଶ୍ୱରରେ ୪୨ ଡିଗ୍ରୀ ଟପିଥିଲା ପାରଦ ।

ଗତକାଲି ଦିନ ସାଢ଼େ ୨ଟା ସୁଦ୍ଧା ସମ୍ବଲପୁର ଓ ଝାରସୁଗୁଡ଼ାରେ ୪୨ ଡିଗ୍ରୀ ପାର୍ କରିସାରିଥିଲା ପାରଦ । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପ୍ରବଳ ଖରା ସାଙ୍ଗକୁ ଝାଞ୍ଜି ପବନ ଜନଜୀବନକୁ ଆକ୍ତାମାକ୍ତା କରିଥିଲା ।

ରାଜଧାନୀ ଭୁବନେଶ୍ବରରେ ଚଳିତ ବର୍ଷ ଏପ୍ରିଲ ମାସରେ ୮ ଥର ପାରଦ ୪୦ ଡିଗ୍ରୀ ଟପିଥିଲା । ୨୦ ଏପ୍ରିଲରେ ସର୍ବାଧିକ ୪୩.୨ ଡିଗ୍ରୀ ସେଲସିୟସରେ ଥିଲା ପାରଦ। ଏହାର ପ୍ରାୟ ମାସକ ପରେ ଗତକାଲି ପୁଣି ୪୦ ଡିଗ୍ରୀ ଡେଇଁ ୪୨.୬ ଡିଗ୍ରୀ ଛୁଇଁଥିଲା ତାପମାତ୍ରା । 

ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୭ରେ କାଳବୈଶାଖୀ ପ୍ରଭାବ ସାମାନ୍ୟ ବଢିବା ସହ ଏହା ପ୍ରଭାବରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ଭିତରେ ୧୯ଟି ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି ।