• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମାଡ଼ି ଆସୁଛି ମୁଣ୍ଡ ଫଟା ଖରା । ୧୩ରୁ ୧୫ ଯାଏଁ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କଲାଣି ପାଣିପାଗ ବିଭାଗ । ଏମିତିକି ୧୫ ତାରିଖରେ ଝାରସୁଗୁଡା ରେ ପାରଦ ୪୪ ଡିଗ୍ରୀ ଡେଇଁବା ଅନୁମାନ କରିଛି । ଏଣେ ରାଜଧାନୀ ସମେତ ୯ଟି ସ୍ଥାନରେ ଆଜି ତାତି ୪୦ ଡିଗ୍ରୀ ଉପରକୁ ଯାଇଛି । ହେଲେ ବାରିପଦା ଓ ଝାରସୁଗୁଡ଼ାରେ ତାପମାତ୍ରା ୪୧ ଡିଗ୍ରୀ ଟପିଯାଇଛି । ଏଣେ ଏସବୁ ଭିତରେ ଏବର୍ଷ ସ୍ୱାଭାବିକ ମୌସୁମୀ ବର୍ଷା ନେଇ ଆଗୁଆ ଆକଳନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ, IMD।

ନିଆଁ ବର୍ଷୁଛି, ମୁଣ୍ଡ କାନ ଝାଇଁ ମାରି ଯାଉଛି । ଅପରାହ୍ନ ସାଢ଼େ ୨ଟା ବେଳକୁ ରାଜଧାନୀରେ ପାରଦ ୪୦ ଡିଗ୍ରୀ ଟପିଗଲା । ଡହ ଡହ ଖରାରେ କଲବଲ ହେଉଛନ୍ତି ଭୁବନେଶ୍ୱରବାସୀ । ରାଜଧାନୀ ରାଜରାସ୍ତାରେ ଜଣେ ପଥଚାରୀ ଡହ ଡହ ଖରାରେ ମୁଣ୍ତ ବୁଲାଇ ପଡ଼ିଗଲା ବେଳକୁ ଲୋକେ ତାଙ୍କ ମୁଣ୍ତରେ ପାଣି ଢ଼ାଳି ଦେଉଥିବାର ଦେଖିବାକୁ ମିଳିଥିଲା । ସେପଟେ ଝାରସୁଗୁଡ଼ା ଓ ସମ୍ବଲପୁର ରେ ବି ସମାନ ସ୍ଥିତି । ସକାଳ ୯ରୁ ଆରମ୍ଭ ହୋଇଯାଉଛି ତାତିର ରାଜୁତି । 

ଏଣେ ପାଣିପାଗ ବିଭାଗ ଚେତାବନୀ ଦେଲାଣି ଯେ, ଆସନ୍ତା ୪ଦିନ ଆକାଶରୁ ନିଆଁ ଝୁଲ ଖସିବ । ତାପମାତ୍ରା ଆହୁରି ୪ ଡିଗ୍ରୀ ବଢ଼ିଯିବ । ଅର୍ଥାତ୍ ତାପମାତ୍ରା ୪୪ ଡିଗ୍ରୀ ଡେଇଁପାରେ । ୧୩ରୁ ୧୫ ଯାଏଁ ଆଭ୍ୟନ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି । ୧୩ରେ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଂଜବାଲେଶ୍ୱର କୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବାବେଳେ ୧୪ରେ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱରକୁ ବି ସମାନ ୱାର୍ଣ୍ଣିଂ ଦିଆଯାଇଛି । ୧୫ରେ ଝାରସୁଗୁଡ଼ାର ତାପମାତ୍ରା ୪୪ଡିଗ୍ରୀ ଛୁଇଁବା ପୂର୍ବାନୁମାନ କରାଯାଇଥିବାବେଳେ ସୁନ୍ଦରଗଡ଼, ବାରିପଦା, ବୌଦ୍ଦ ଓ ବଲାଙ୍ଗିରରେ ୪୩ ଓ ଅନୁଗୁଳ, ସମ୍ବଲପୁର, ଭବାନୀପାଟଣାରେ ୪୨ ଏବଂ ଭୁବନେଶ୍ୱର, କଟକ, ଭଦ୍ରକ ଓ କେନ୍ଦୁଝରରେ ତାତି ୪୧ ଡିଗ୍ରୀ ପାର୍ କରିପାରେ । ଦିନ ୧୧ଟାରୁ ୩ଟା ଯାଏଁ ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।

ସେପେଟ ପ୍ରଚଣ୍ଡ ରୌଦ୍ର କୋପ ଭିତରେ ଆଗାମୀ ମୌସୁମୀ ବର୍ଷାକୁ ନେଇ କିନ୍ତୁ ଆସିଛି ଭଲ ଖବର । ଏ ବର୍ଷ ସ୍ୱାଭାବିକ ମୌସୁମୀ ବର୍ଷା ନେଇ ଆଗୁଆ ଆକଳନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ବା IMD। IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି- ଚଳିତ ଥର ମୌସୁମୀ ବର୍ଷାର ପରିମାଣ ୯୬ ପ୍ରତିଶତ ରହିବ ।

ମୌସୁମୀ ଋତୁରେ ଦେଶରେ ହାରାହାରି ୮୭ ସେଣ୍ଟିମିଟର ବର୍ଷା ହୋଇଥାଏ । କିନ୍ତୁ ଏ ବର୍ଷ ୯୬ ପ୍ରତିଶତ ହିସାବରେ ୮୩.୫ ସେଣ୍ଟିମିଟର ବର୍ଷା ସମ୍ଭାବନା ରହିଛି । ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ବର୍ଷା ହେଲେ ତାକୁ ସ୍ୱାଭାବିକ ବୋଲି ଧରାଯାଏ । ତେବେ ମୌସୁମୀର ଦ୍ୱିତୀୟାର୍ଦ୍ଧରେ ଏଲ୍-ନିନୋ ସମସ୍ୟା ଆଶଙ୍କା କରିଛି ଆଇଏମଡି । ଏଲ୍-ନିନୋ ଆଶଙ୍କା ସତ୍ତ୍ୱେ ବର୍ଷା ପରିମାଣ କିନ୍ତୁ ସ୍ୱାଭାବିକ ରହିବ ବୋଲି କହିଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର ।

(ରିପୋର୍ଟ- ଭୁବନେଶ୍ୱରରୁ ବିବର୍ତ୍ତନ ପଣ୍ଡା, ନୂଆଦିଲ୍ଲୀରୁ ଶିବାନନ୍ଦ ରାଉତ, ଝାରସୁଗୁଡ଼ାରୁ ଭାଗିରଥୀ ସାହୁ)