• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବୌଦ୍ଧରେ ସର୍ବାଧିକ ୩୯୦ ମିଲିମିଟର ବର୍ଷା । ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୩୯୦.୬ ମିମି ବର୍ଷା ରେକର୍ଡ କରାଯାଇଛି । ୨୦ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ୫୦ଟି ସ୍ଥାନରେ ଅତିପ୍ରବଳ, ୬୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ସୋନପୁରରେ ୨୧୩.୬, ଫୁଲବାଣୀରେ ୨୦୫.୬ ମିଲିମିଟର ବର୍ଷା ହୋଇଛି । ସେହିପରି ବଲାଙ୍ଗିରରେ ୧୭୩, କେନ୍ଦୁଝରରେ ୧୫୦.୨, ଅନୁଗୁଳରେ ୧୫୦ ମିଲିମିଟର, ତାଳଚେରରେ ୧୪୭, ଭବାନୀପାଟଣାରେ ୧୪୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ..

ଲଗାଣ ବର୍ଷାରେ ବେହାଲ ବୌଦ୍ଧ:

ତୁହାକୁ ତୁହା ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସହର ତଳି ଅଞ୍ଚଳରେ ବର୍ଷା ପାଣି ପଶି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଲହଡ଼ି ଭାଙ୍ଗୁଛି । ଫଳରେ ସାଧାରଣ ଯାତାୟତ ଏକ ପ୍ରକାର ଠପ୍ ହୋଇଛି । ଡ୍ରେନେଜ ସମସ୍ୟା ଯୋଗୁଁ ସହରର ବିଭିନ୍ନ ବସ୍ତିରେ ଅପରିଷ୍କାର ପାଣି ଘରେ ପଶି ଯିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗତକାଲି ଦିନ ତମାମ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ୟ ଲଗାଣ ବର୍ଷ ଜାରି ରହିଛି ।

ଲଗାଣ ବର୍ଷା ଯୋଗୁଁ ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ଅବସ୍ଥାରେ ରହିଛି । ଯେଉଁଆଡ଼େ ଦେଖିଲେ ପାଣି ଆଉ ପାଣି । କହିବାକୁ ଗଲେ ଏକ ପ୍ରକାର କୃତ୍ରିମ ନଦୀର ଭ୍ରମ ସୃଷ୍ଟି ହେଉଥିଲା । ସେପଟେ ଲଗାଣ ବର୍ଷାରେ ଭୁସୁଡ଼ିଲା ମହାନଦୀ ବନ୍ୟା ନିରୋଧକ ପାଚେରୀ । ଫଳରେ ସୃଷ୍ଟି ହୋଇଛି ୪୦ ଫୁଟର ଘାଇ ।

ବର୍ଷା ସ୍ଥିତି ନେଇ SRCଙ୍କ ସମୀକ୍ଷା:

ସେପଟେ ରାଜ୍ୟରେ ଲଗାଣ ବର୍ଷା ସ୍ଥିତି ନେଇ SRC ସମୀକ୍ଷା କରିଛନ୍ତି। ବିଭିନ୍ନ ଜିଲ୍ଲାର ସ୍ଥିତିକୁ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଏସଆରସି। ପ୍ରଭାବିତ ଲୋକଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ରାସ୍ତା କ୍ଲିଅର କରିବାକୁ ଟିମ୍ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।

 ସୋରରେ ସ୍ଥିତି ବେହାଲ:

ଅସରାଏ ବର୍ଷାରେ ବାଲେଶ୍ୱର ସୋରରେ ସ୍ଥିତି ବେହାଲ । ସ୍କୁଲ, ଘର ଓ ଦୋକାନ ବଜାରରେ ପଶିଲା ପାଣି, ଯାହାକୁ ନେଇ ଏବେ ଚିନ୍ତାରେ ସୋରବାସୀ । ସ୍କୁଲ ଓ ଘର ଭିତରେ ପାଣି ପଶିଥିବା ବେଳେ ଅନେକ ଗାଁ ପାଣି ଘେରରେ ରହିଛି । ଗତକାଲି ସନ୍ଧ୍ୟାରୁ ବର୍ଷା ହେଉଥିବାରୁ ପ୍ରବଳ ପାଣି ହୋଇଯାଇଥିଲା । ତେଣୁ ଏପରି ସ୍ଥିତି ଉପୁଜିଛି ।

ଘର ପିଣ୍ଡାକୁ ଲାଗି ପାଣି ଥିବା ବେଳେ ରୋଷେଇ କରିବା ସମ୍ଭବ ହୋଇପାରିନାହିଁ । ଏଭଳି ସ୍ଥିତିରେ ପ୍ରଶାସନ ମଧ୍ୟ ସେମାନଙ୍କ ନିକଟରେ ପହଞ୍ଚି ନଥିବା ଲୋକେ ଅଭିଯୋଗ କରିଛନ୍ତି ।..ଖଇରା ବ୍ଲକ ମହତିପୁର ପ୍ରାଥମିକ ବିଦ୍ୟାଳୟ ଭିତରେ ଆଣ୍ଠୁଏ ଉଚ୍ଚର ପାଣି । ସ୍କୁଲ ଭିତରେ ପାଣି ଭରି ଯାଇଥିବାରୁ ସ୍କୁଲକୁ ବନ୍ଦ କରି ଦିଆଯାଇଛି । ପାଣି ଭରି ରହିଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି ।

ପଦ୍ମପୁରରେ ବନ୍ୟା ସ୍ଥିତି:

ଲଗାଣ ବର୍ଷା ଯୋଗୁଁ ବରଗଡ଼ ପଦ୍ମପୁରରେ ବନ୍ୟା ସ୍ଥିତି । ବର୍ଷା ଯୋଗୁଁ ଜଳମଗ୍ନ ହୋଇଛି ଶହ ଶହ ଏକର ଚାଷ ଜମି। ଫଳରେ ଧାନ ତଳି ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ପଦ୍ମପୁର ନିକଟସ୍ଥ ଜମାଲା ଗ୍ରାମରୁ ପଦ୍ମପୁର ସଦରମହକୁମାକୁ ଆସିବା ପାଇଁ ଥିବା ରାସ୍ତାରେ ନାଳ ଉପରେ ପ୍ରାୟ ୫ ଫୁଟର ପାଣି ଚାଲୁଛି। ଫଳରେ ଏହି ରାସ୍ତା ଦେଇ ଯାୟାତାତ ଠପ୍ ହୋଇଯାଇଛି। ସେହିପରି ବିଜେପୁର-ପଦ୍ମପୁର ଘୋଷାଲି ନଦୀ ପୋଲ ଉପରେ ମଧ୍ୟ ୫ ଫୁଟର ପାଣି ଚାଲୁଛି। ଫଳରେ ବିଜେପୁର-ପଦ୍ମପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।..

ସମାକୋଇ ପୋଲ ଉପରେ ୫ ଫୁଟର ବନ୍ୟା ଜଳ:

ପ୍ରବଳ ବର୍ଷା ଯୋଗୁ ତେଲକୋଇରେ ବନ୍ୟା ସ୍ଥିତି । ସମାକୋଇ ନଦୀ ପୋଲ ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ବ୍ଲକ ମୁଖ୍ୟାଳୟରୁ ୧୦ଟି ପଞ୍ଚାୟତ ବିଛିନ୍ନ ହେବା ସହିତ ତାଳଚେର, ଢେଙ୍କାନାଳ, କଟକ, ଭୁବନେଶ୍ୱରକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଏହା ସହିତ ତେଲକୋଇ ପତ୍ର ଫଡି ପାଖରେ ପ୍ରବାହିତ ହେଉଥିବା ହନୁମନ୍ତିଆ ନାଳ ପୋଲ ଉପରେ ମଧ୍ୟ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ତେଲକୋଇ ଠାରୁ ରାଉରକେଲା, ସମ୍ବଲପୁର ସହିତ ଯୋଗାଯୋଗ ବିଛିନ୍ନ ହୋଇଛି । ଏହା ସହିତ ବ୍ଲକ ମୁଖ୍ୟାଳୟ ରୁ ୬ଟି ପଞ୍ଚାୟତ ମଧ୍ୟ ବିଛିନ୍ନ ହୋଇଛି । ବ୍ଲକର ଘୁରୁଡ଼ିଆ, ପିଟାନାଳୀ ପୋଲ ଉପରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେବାରୁ ଓଡିଶା ଆଦର୍ଶ ବିଦ୍ୟାଳୟ ଓ କରଦାଙ୍ଗି ପଞ୍ଚାୟତ ବିଛିନ୍ନ ହୋଇଛି । ବର୍ଷାର ପରିମାଣ ବଢୁଛି, ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ଆଜି ସବୁ ସରକାରୀ ଓ ବେସରକାରୀ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି ।

  • Reported by:
  • DEEPAK KUMAR ADAR