/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680361244.jpg)
Bbsr Metro
ରାଜଧାନୀ ଭୁବନେଶ୍ୱରରେ ଗଡ଼ିବ ମେଟ୍ରୋ ଟ୍ରେନ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ମେଟ୍ରୋ ରେଲ୍ ପ୍ରୋଜେକ୍ଟର ଅନୁମୋଦନ କରି ଏଇ ସୂଚନା ଦେଇଛନ୍ତି। ଏଥିସହ କଟକ ରୁ ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀ ଯାଏଁ ନିଜ ଅର୍ଥରେ ମେଟ୍ରୋ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଏୟାରପୋର୍ଟରୁ ଏଲିଭେଟେଡ୍ କରିଡର ଯୋଗେ କଟକ ନେତାଜୀ ସେତୁ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ ଘୋଷଣା କରାଯାଇଛି ।
ରାଜଧାନୀ ଭୁବନେଶ୍ୱରରେ ବି ଆଗକୁ ଏମିତି ଧାଇଁବ ମେଟ୍ରୋ ଟ୍ରେନ୍ । ଯାତାୟାତର ତ୍ୱରିତ, ସହଜ ଜୀବନ ଧାରା । ନା ଟ୍ରାଫିକର ଝିନ୍ଝଟ୍ ନା ସମୟ ଅପଚୟର ଭୟ । ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଆଜି ଏମିତି ଆଶା ଦେଖାଇ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ମେଟ୍ରୋ ରେଲ୍ ପ୍ରୋଜେକ୍ଟ ଫାଇଲର ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୁଳିଆ ସ୍ଥିତ କଟକ ନେତାଜୀ ସୁଭାଷ ବୋଷ ବ୍ରିଜ୍ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ଗଡ଼ିବ । ଭୁବନେଶ୍ୱର ରେଳ ଷ୍ଟେସନ୍, ବାଣୀବିହାର, ପଟିଆ ଓ ନନ୍ଦନକାନନ ଭଳି ପ୍ରମୁଖ ସ୍ଥାନ ଦେଇ ଏଇ ରୁଟ୍ ଯିବ । ଏଥିପାଇଁ ରହିବ ସ୍ୱତନ୍ତ୍ର ଏଲିଭେଟେଡ୍ କରିଡର ।
ଅର୍ଥାତ ମାଟି ତଳେ ନୁହେଁ, ମାଟି ଉପରେ ଏମିତି ପିଲାର ଉପରେ ରହିବ ମେଟ୍ରୋ ରେଲ ଲାଇନ୍ । କେବଳ ଭୁବନେଶ୍ୱର ସହର ଭିତରେ ନୁହେଁ, ରାଜ୍ୟ ସରକାରଙ୍କ ନିଜ ଅର୍ଥରେ କଟକରୁ ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀ ଯାଏଁ ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଯୁଦ୍ଧକାଳୀନ ଭିତ୍ତିରେ ଡିପିଆର ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ୱର ମେଟ୍ରୋ ରେଲ୍ ପ୍ରକଳ୍ପର ଅନୁମୋଦନ ପୂର୍ବରୁ ଆଜି ମୁଖ୍ୟ ଶାସନ ସଚିବ, ଫାଇଭ୍ ଟି ସଚିବ, ବାଣିଜ୍ୟ ଓ ପରିବହନ ଏବଂ ନଗର ଉନ୍ନୟନ ବିଭାଗର ସଚିବ ମାନେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସ୍ଥିତିର ଅନୁଧ୍ୟାନ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଏ ଘୋଷଣାକୁ ରାଜଧାନୀବାସୀ ସ୍ୱାଗତ କରିଛନ୍ତି ।
ଟୁଇନସିଟି ଭୁବନେଶ୍ୱର ଓ କଟକ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳକୁ ନେଇ ବିଧାନସଭାଠୁ ନେଇ ପାର୍ଲାମେଣ୍ଟ ଯାଏଁ, ବହୁବାର କଥା ଉଠିଛି । ପୂର୍ବରୁ ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ ରାଜ୍ୟ କୌଣସି ପ୍ରସ୍ତାବ ଦେଇ ନଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଏପରିକି ରାଜ୍ୟ ସରକାର ପକ୍ଷରୁ କରାଯାଇଥିବା ସର୍ଭେରୁ ମଧ୍ୟ ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ ଫିଜିବିଲିଟି ନଥିବା ଦର୍ଶାଯାଇଥିଲା ।
ଯେଉଁଥିରେ ଲୋକସଂଖ୍ୟା ଅନୁସାରେ ୨୦୪୧ ମସିହା ବେଳକୁ ମେଟ୍ରୋ ଟ୍ରେନ୍ ଚଳାଚଳ ସମ୍ଭବ ହେବ ବୋଲି କୁହାଯାଇଥିଲା । ହେଲେ ଏବେ ରାଜ୍ୟ ସରକାରଙ୍କ ଏ ଘୋଷଣା କେତେ ବାସ୍ତବ ରୂପ ନେବ ତାକୁ ନେଇ ପ୍ରଶ୍ନ ଉଠିଛି ।
ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀ, ଅତୁଲ୍ୟ ବାଉତଙ୍କ ସହ ହରିହର ଚାନ୍ଦଙ୍କ ରିପୋର୍ଟ, ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)