/odishatv-khabar/media/post_attachments/uploadimage/library/16_9/16_9_0/starc_1744886063.jpg)
starc
ଆଇପିଏଲ ୨୦୨୫ର ପ୍ରଥମ ସୁପର ଓଭର ବୁଧବାର ଦେଖିବାକୁ ମିଳିଛି। ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚକୁ ସୁପର ଓଭରରେ ନାଟକୀୟ ଢଙ୍ଗରେ ଜିତି ନେଇଛି ଦିଲ୍ଲୀ। ନିର୍ଦ୍ଧାରିତ ସମୟରେ ଦିଲ୍ଲୀ କ୍ୟାପିଟାଲ୍ସ ୫ ୱିକେଟରେ ୧୮୮ ରନ କରିଥିଲା। ଜବାବରେ ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୪ ୱିକେଟ ହରାଇ ୧୮୮ ରନ କରିଥିଲା। ମ୍ୟାଚ ସୁପର ଓଭରକୁ ଯାଇଥିବା ବେଳେ ରାଜସ୍ଥାନ ମାତ୍ର ୧୧ ରନ କରିଥିଲା। ଜବାବରେ ଦିଲ୍ଲୀ ୪ ବଲ ମଧ୍ୟରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।
ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ପକ୍ଷରୁ ଅଭିଷେକ ପୋରେଲ ସର୍ବାଧିକ ୪୯ ରନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଲୋକେଶ ରାହୁଲ ୩୮ ରନ କରିଥିଲେ। ଶେଷ ଭାଗରେ ଅଧିନାୟକ ଅକ୍ଷର ପଟେଲ ଓ ଟ୍ରିଷ୍ଟାନ ଷ୍ଟବ୍ସ ୩୪ ରନ ଲେଖାଏ ସ୍କୋର କରିଥିବା ବେଳେ ଦିଲ୍ଲୀ ୧୮୮ ରନରେ ପହଞ୍ଚିଥିଲା। ଅକ୍ଷର ୧୪ ବଲରୁ ୪ ଚୌକା ଓ ୨ ଛକା ମାରିଥିବା ବେଳେ ଷ୍ଟବ୍ସ ୧୮ ବଲ ଖେଳି ୨ଟି ଲେଖାଏ ଛକା ଓ ଚୌକା ମାରିଥିଲେ। ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ୨, ୱନିନ୍ଦୁ ହସରଙ୍ଗା ଓ ମହୀଷ ତୀକ୍ଷଣା ଗୋଟିଏ ଲେଖାଏ ୱିକେଟ ନେଇଥିଲେ। ସନ୍ଦୀପ ଶର୍ମା ବୋଲିଂ କରିଥିବା ଅନ୍ତିମ ଓଭରରେ ୧୯ ରନ ସ୍କୋର ହୋଇଥିଲା ଯାହା ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା।
ଅଧିକ ପଢନ୍ତୁ:ଘୋଷଣା ହେଲା ଖେଳରତ୍ନ ପୁରସ୍କାର; ତାଲିକାରେ ଅଛନ୍ତି ଏହି ୪ ଖେଳାଳି
୧୮୯ ରନ ଲକ୍ଷ୍ୟର ପିଛା କରୁଥିବା ରାଜସ୍ଥାନ ଦୃଢ ଭାବେ ଇନିଂସ ଆରମ୍ଭ କରିଥିଲା। ସଞ୍ଜୁ ସାମସନ ୩୧ ଓ ଯଶସ୍ସୀ ଜୟସ୍ବାଲ ୫୧ ପ୍ରଥମ ୱିକେଟରେ ୬୭ ରନ ଯୋଡିଥିଲେ। ତେବେ ମାଂଶପେଶୀ ଟାଣି ହେବା କାରଣରୁ ସାମସନଙ୍କୁ ପଡିଆ ଛାଡିବାକୁ ପଡିଥିଲା। ଏହାପରେ ରାଜସ୍ଥାନର ବ୍ୟାଟିଂ ସାମାନ୍ୟ ଦିଗହରା ହୋଇଥିଲା। ତେବେ ନୀତିଶ ରାଣା ୨୮ ବଲରୁ ୫୧ ରନ କରି ବିଜୟ ଆଶା ସଞ୍ଚାର କରିଥିଲେ। ମାତ୍ର ୧୮ ବଲରୁ ୩୦ ରନ ଆକଶ୍ୟକ ଥିବେ ବେଳେ ରାଣା ଆଉଟ ହେବାରୁ ରାଜସ୍ଥାନ ସଙ୍କଟରେ ପଡିଥିଲା। ଶେଷ ଭାଗରେ ଧ୍ରୁବ ଜୁରେଲ ୨୬ ଓ ସିମରନ ହେଟମେୟର ୧୫ ରନ କରିଥିଲେ ମଧ୍ୟ ବିଜୟୀ କରି ପାରି ନ ଥିଲେ। ଦିଲ୍ଲୀ ପକ୍ଷରୁ ମିଚେଲ ଷ୍ଟାର୍କ, କୁଲଦୀପ ଯାଦବ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।
ମ୍ୟାଚ ସୁପର ଓଭରକୁ ଯାଇଥିବା ବେଳେ ପୁଣି ଥରେ ବୋଲିଂ କରିଥିଲେ ଷ୍ଟାର୍କ। ପ୍ରଥମ ବଲ ଡଟ ବଲ ରହିଥିବା ବେଳେ ପରବର୍ତ୍ତୀ ବଲରେ ଚୌକା ମାରିଥିଲେ ହେଟମେୟର। ତୃତୀୟ ବଲରୁ ସେ ସିଙ୍ଗଲ ନେଇଥିବା ବେଳେ ଚତୁର୍ଥ ବଲରେ ଷ୍ଟ୍ରାଇକକୁ ଆସିଥିଲେ ରିୟାନ ପରାଗ। ନୋ ବଲରେ ଚୌକା ମାରିଥିବା ବେଳେ ଫ୍ରି ହିଟ ବଲରେ ରନଆଉଟ ହୋଇଥିଲେ। ପଞ୍ଚମ ବଲରେ ୨ ରନ ନେବା ପ୍ରୟାସରେ ଯଶସ୍ବୀ ଜୟସ୍ବାଲ ରନଆଉଟ ହୋଇଥିଲେ।
ରୟାଲ୍ସ ପକ୍ଷରୁ ସନ୍ଦୀପ ଶର୍ମା ଏହି ଓଭର ବୋଲିଂ କରିଥିଲେ। ରାହୁଲ ପ୍ରଥମ ବଲରୁ ୨ ଓ ପରବର୍ତ୍ତୀ ବଲରେ ଚୌକା ମାରିଥିଲେ। ତୃତୀୟ ବଲରେ ସିଙ୍ଗଲ ନେବା ପରେ ଛକା ମାରି ଷ୍ଟାଇଲରେ ମ୍ୟାଚ ଶେଷ କରିଥିଲେ ଟ୍ରିଷ୍ଟାନ ଷ୍ଟବ୍ସ। ଅଗ୍ନିବର୍ଷୀ ବୋଲିଂ କରିଥିବା ମିଚେଲ ଷ୍ଟାର୍କଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଘୋଷଣା କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)