/odishatv-khabar/media/post_attachments/uploadimage/library/16_9/16_9_0/thala_1748183316.jpg)
thala
ଆଇପିଏଲ ୨୦୨୫କୁ ସମ୍ପୂର୍ଣ୍ଣ ଷ୍ଟାଇଲରେ ଶେଷ କରିଛି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପର କିଙ୍ଗ୍ସ। ଅନ୍ତିମ ମ୍ୟାଚରେ ଦଳ ଟେବୁଲ ଟପ୍ପର ଗୁଜରାଟ ଟାଇଟନ୍ସକୁ ୮୩ ରନରେ ପରାସ୍ତ କରିବା ସହିତ ବୃହତ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ସିଏସକେ ଚଳିତ ସିଜନରେ ନିଜର ସର୍ବାଧିକ ଦଳଗତ ସ୍କୋର ୨୩୦ ରନ କରିଥିଲା। ଜବାବରେ ଗୁଜରାଟ ୧୮.୩ ଓଭରରେ ୧୪୭ ରନରେ ଅଲଆଉଟ ହୋଇଥିଲା।
ଅଧିକ ପଢ଼ନ୍ତୁ: ବାପା ଅଟୋ ଚାଳକ, ପୁଅ ପ୍ରଥମ ମ୍ୟାଚ୍ରେ ବନିଗଲେ IPL ଷ୍ଟାର
ଟସ ଜିତି ଚେନ୍ନାଇ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ ଦୁଇ ଓପନର ଆୟୁଷ ମାହତ୍ରେ(୩୪) ଓ ଡେଭନ କନୱେ(୫୨) ଦଳକୁ ବିସ୍ଫୋରକ ଆରମ୍ଭ ପ୍ରଦାନ କରିଥିଲେ। ମାତ୍ର ୩.୪ ଓଭରରେ ୪୪ ରନ ଯୋଡିବା ପରେ ମାହତ୍ରେ ୧୭ ବଲରୁ ୩୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ତେବେ ପରବର୍ତ୍ତୀ ବ୍ୟାଟର ଉର୍ଭିଲ ପଟେଲ ମଧ୍ୟ ସମାନ ଢଙ୍ଗରେ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ। ଉର୍ଭିଲ ୧୯ ବଲରୁ ୩୭ ରନ କରିବା ସହ ୩୭ ରନ କରିଥିଲେ। ଅନ୍ୟ ପକ୍ଷରେ ଡେୱାଲ୍ଡ ବ୍ରେଭିସ ୨୩ ବଲରୁ ଦ୍ରୁତ ୫୭ ରନ କରିବାରୁ ଚେନ୍ନାଇ ୨୩୦ ରନରେ ପହଞ୍ଚିଥିଲା। ବ୍ରେଭିସଙ୍କ ଇନିଂସରେ ୪ ଚୌକା ଓ ୫ ଛକା ସାମିଲ ଥିଲା। ଗୁଜରାଟ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୨, ସାଇ କିଶୋର, ରଶିଦ ଖାନ ଓ ଶାହରୁଖ ଖାନ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।
୨୩୧ ରନର ପିଛା କରୁଥିବା ଟାଇଟନ୍ସର ଟପ ଅର୍ଡର ବିଫଳ ହୋଇଥିବା ବେଳେ ଏହାର ଇନିଂସ ତାସ ପତ୍ତା ପରି ଭୁଷୁଡି ପଡିଥିଲା ଦଳ ପକ୍ଷରୁ କେବଳ ସାଇ ସୁଦର୍ଶନ ସାମାନ୍ୟ ପ୍ରଭାବୀ ବ୍ୟାଟିଂ କରିଥିଲେ। ଟପ ସ୍କୋରର ରହିଥିବା ସାଇ ୨୮ ବଳ ଖେଳି ୪୧ ରନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନିମ୍ନକ୍ରମରେ ଅର୍ଶଦ ଖାନ ୨୦ ରନ କରିଥିଲେ। ଚେନ୍ନାଇ ପକ୍ଷରୁ ଅଂଶୁଲ କମ୍ବୋଜ ଓ ନୁର ଅହମ୍ମଦ ୩ଟ ଲେଖାଏ ୱିକେଟ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା, ଖଲିଲ ଅହମଦ ଓ ମଥିଶା ପଥିରାନା ଗୋଟିଏ ଲେଖାଏ ୱିକେଟ ନେଇଥିଲେ। ଏହା ସହ ଥାଲାଙ୍କୁ ବିଜୟ ସହିତ ଫେୟାରୱେଲ ଦେଇଥିଲା ସୁପର କିଙ୍ଗ୍ସ। ୧୪ ମ୍ୟାଚରୁ ଚେନ୍ନାଇ ୪ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଅନ୍ତିମ ସ୍ଥାନରେ ରହିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)