ଆସନ୍ତା ଫେବୃଆରୀ ୯ (ରବିବାର)ରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ODI ମ୍ୟାଚ୍ । ଏହି ମ୍ୟାଚ୍ ପୂର୍ବରୁ ଆଜି ପୋଲିସ୍ ସେବା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ପୋଲିସ୍ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ପୋଲିସ୍ ବିଭାଗର ବରିଷ୍ଠ ଅଧିକାରୀ, ଓସିଏ, ହୋଟେଲ କର୍ମକର୍ତ୍ତା, ଏୟାରପୋର୍ଟ କର୍ତ୍ତୁପକ୍ଷ ଏବଂ ସିଆଇଏସ୍ଏଫ୍ର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
Also Read
ତେବେ ଏହି ବୈଠକ ପରେ ପୋଲିସ୍ କମିଶନର କହିଛନ୍ତି ଯେ, ଆସନ୍ତା ଫେବୃଆରୀ ୭ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ-ଇଂଲଣ୍ଡ ଦଳ । ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ତାରକା ହୋଟେଲରେ ଦୁଇ ଦଳ ରହିବା ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ତେବେ ଫେବୃଆରୀ ୮ ତାରିଖରେ ଦୁଇ ଦଳ କଡ଼ା ସୁରକ୍ଷ ମଧ୍ୟରେ ଅଭ୍ୟାସ ପାଇଁ କଟକ ଯିବେ ।
ଅଧିକ ପଢ଼ନ୍ତୁ: ବାରବାଟୀରେ ଟିକେଟ ପାଇଁ ଦଳାଚକଟା; ଧସେଇ ପଶିଲେ, ଧସ୍ତାଧସ୍ତି ହେଲେ
ସେପଟେ ୯ ତାରିଖରେ ମ୍ୟାଚ୍ ପାଇଁ ବ୍ୟାପକ ବନ୍ଦୋବସ୍ତ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଟୁଇନ ସିଟି ପୋଲିସ କମିଶନର । ସୁରକ୍ଷା ଦାୟିତ୍ୱରେ ମୋଟ ୫୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ । ସେହିପରି ଟ୍ରାଫିକ୍ ପାଇଁ ରୁଟ୍ ଲାଇନିଂ ପ୍ରସ୍ତୁତ ହୋଇଛି । ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥା ସହ ସୁରୁଖୁରୁରେ ମ୍ୟାଚ ସମ୍ପାଦନ ପାଇଁ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ପୋଲିସ କମିଶନର କହିଛନ୍ତି ।
ସୂଚନା ଅନୁସାରେ ପ୍ରାୟ ୫ ବର୍ଷ ପରେ କଟକ ବାରବାଟୀ ଷ୍ଟାଡିୟମକୁ ଫେରିଛି ODI ମ୍ୟାଚ୍ । ଏହି ହାଇଭୋଲଟେଜ୍ ମ୍ୟାଚ୍କୁ ଦେଖିବା ପାଇଁ ଉତ୍ସାହର ସହ ଚାହିଁ ରହିଛନ୍ତି ସବୁ କ୍ରିକେଟ୍ ପ୍ରେମୀ । ସେପଟେ ଏହି ମ୍ୟାଚ୍ ପାଇଁ ପ୍ରସ୍ତୁତି ଷ୍ଟାଡିୟମଠୁ ଆରମ୍ଭ କରି ସୁରକ୍ଷା ପର୍ଯ୍ୟନ୍ତ ସବୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ସେପଟେ ଫେବୃଆରୀ ୨ରେ ଅନଲାଇନ୍ରେ ଟିକେଟ୍ ବିକ୍ରି ହୋଇଥିବା ବେଳେ ଆଜିଠୁ ଅଫଲାଇନ୍ରେ ଟିକେଟ୍ ବିକ୍ରି ହୋଇଥିଲା । ନିଜ ପସନ୍ଦ ଖେଳାଳିଙ୍କୁ ପାଖରୁ ଦେଖିବା ପାଇଁ କାଲି ରାତିରୁ ଆସି ଧାଡ଼ିରେ ଠିଆ ହୋଇଥିଲେ କ୍ରିକେଟ୍ ପ୍ରେମୀ । କିନ୍ତୁ ଆଜି ଟିକେଟ୍ କାଉଣ୍ଟର ଖୋଲିବା ମାତ୍ରେ ଆରମ୍ଭ ହୋଇଯାଇଥିଲା ଠେଲାପେଲା ସ୍ଥିତି । ଏମିତି କି ଟିକେଟ୍ ପାଇଁ କିଛି ଦର୍ଶକ କାଉଣ୍ଟର ଆଡ଼କୁ ଧସେଇ ପଶିବା ଦ୍ୱାରା ଧସ୍ତାଧସ୍ତି ଓ ଦଳାଚକଟା ପରିସ୍ଥିତି ମଧ୍ୟ ଉପୁଜିଥିଲା । ଏମିତି କି ଦଳାଚକଟାରେ କିଛି ଲୋକଙ୍କର ଚେତା ବୁଡ଼ିଥିବା ମଧ୍ୟ ଦେଖିବାକୁ ମିଳିଥିଲା।