ରାଜ୍ୟପାଳ ରଘୁବର ଦାସଙ୍କ ଅଚାନକ ଇସ୍ତଫାକୁ ନେଇ ଜୋରଦାର ରାଜନୈତିକ ଚର୍ଚ୍ଚା । ପୁଣିଥରେ ପ୍ରତ୍ୟକ୍ଷ ରାଜନୀତିକୁ ଆସିବେ କି ରଘୁବର ? ମାତ୍ର ୧୪ ମାସର କାର୍ଯ୍ୟକାଳ ବେଶ ଘଟଣା ବହୁଳ ରହିଥିଲା । ଗତକାଲି ରାଷ୍ଟ୍ରପତି ରଘୁବରଙ୍କ ଇସ୍ତଫାକୁ ଗ୍ରହଣ କରି ମିଜୋରାମ ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭମପତିଙ୍କୁ ଓଡ଼ିଶା ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି । ହେଲେ ରଘୁବରଙ୍କୁ ରାଜ୍ୟପାଳ ନିଯୁକ୍ତି ମିଳିନଥିବାରୁ ଚର୍ଚ୍ଚା ହେଉଛି ତାଙ୍କୁ ସାଂଗଠନିକ ସ୍ତରରେ ଏକ ବଡ଼ ଦାୟିତ୍ବ ଦଳ ଦେଇପାରେ । ହେଲେ ବିଜେଡି ଓ କଂଗ୍ରେସ କିନ୍ତୁ ଇସ୍ତଫାକୁ ନେଇ ରାଜନୀତି ଆରମ୍ଭ କରିଥିବାବେଳେ ଏହାକୁ ଖଣ୍ଡନ କରିଛି ବିଜେପି ।
Also Read
‘ମୋ ଭୂମିକା ସଂପର୍କରେ ଦଳ ନେବ ନିଷ୍ପତ୍ତି’ । ଇସ୍ତଫାର ଦିନକ ପରେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ବିଦାୟୀ ରାଜ୍ୟପାଳଙ୍କ ଏ ପ୍ରଥମ ବୟାନକୁ କଳ୍ପନାଜଳ୍ପନା । ରଘୁବରଙ୍କ ପାଇଁ କି ନିଷ୍ପତ୍ତି ନେଉଛି ଦଳ ? ରଘୁବରଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ କିଛି ଯୋଜନା କରିଛି କି କେନ୍ଦ୍ରୀୟ ବିଜେପି ? କାରଣ ୨୦୨୪ ନିର୍ବାଚନ ପୂର୍ବରୁ ଅକ୍ଟୋବର ୨୦୨୩ରେ ଓଡ଼ିଶା ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ଦାୟିତ୍ବ ଗ୍ରହଣ ପରେ ସେ ମାରାଥନ ଜିଲ୍ଲା ଗସ୍ତ କରିଥିଲେ । ଅନେକ ସଂଗଠନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଆଲୋଚନା କରିଥିଲେ । ଚର୍ଚ୍ଚା ହେଉଛି ଯେ ଓଡ଼ିଶାରେ ବିଜେପି ସରକାର ଆସିବାରେ ତାଙ୍କର ବଡ଼ ଭୂମିକା ଥିଲା ।
ଅଧିକ ପଢ଼ନ୍ତୁ: ନୂଆବର୍ଷରେ ନୂଆ ପିସିସି ସଭାପତି; ବରିଷ୍ଠ ନା ଯୁବ ଚେହେରା, କିଏ ସମ୍ଭାଳିବେ ରାଜ୍ୟ କଂଗ୍ରେସର ମଙ୍ଗ ?
ସେହିପରି ଝାଡ଼ଖଣ୍ଡ ନିର୍ବାଚନରେ ରଘୁବରଙ୍କ ବୋହୂଙ୍କ ବଡ଼ ବ୍ୟବଧାନରେ ବିଜୟ ପାଇଁ ରଘୁବର ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ। ଦଳକୁ ସାଂଗଠନିକ ସ୍ତରରେ ଅଧିକ ମଜବୁତ କରିଥିବାରୁ ରଘୁବରଙ୍କୁ ପୁଣିଥରେ ପ୍ରତ୍ୟକ୍ଷ ରାଜନୀତିକୁ ଆଣିପାରେ ଦଳ । ଏପରିକି ବିହାର ନିର୍ବାଚନ ପୂର୍ବରୁ ଜାତୀୟ ସ୍ତରରେ ଏକ ବଡ଼ ପଦବୀ ପାଇପାରନ୍ତି ରଘୁବର । ସେହିପରି ଝାଡ଼ଖଣ୍ଡ ବିଜେପି ସଂଗଠନକୁ ଅଧିକ ଶକ୍ତିଶାଳୀ କରିବାକୁ ବି ଦଳ ତାଙ୍କୁ ଗୁରୁ ଦାୟିତ୍ବ ଦେଇପାରେ ।
ଏପଟେ କିନ୍ତୁ ରଘୁବରଙ୍କ ଇସ୍ତଫାକୁ ବିରୋଧୀ ଭିନ୍ନ ଦୃଷ୍ଟିରେ ଦେଖି କଡ଼ା ସମାଲୋଚନା କରିଛନ୍ତି। ଆଉ ତାସହ ଖୋଲିଛନ୍ତି ରଘୁବରଙ୍କ ବିବାଦୀୟ ଫାଇଲ୍। ରାଜ୍ୟପାଳ ଥିବା ସମୟରେ ତାଙ୍କ ପୁଅ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ଓ ନିକଟରେ ବିଶ୍ବବିଦ୍ୟାଳୟ ବିଲ୍କୁ ଫେରାଇବା ଘଟଣା ଇସ୍ତଫାର ମୁଖ୍ୟ କାରଣ ବୋଲି କଂଗ୍ରେସ କହିଛି । ସେହିପରି ବିଜେଡି କହିଛି ସେ ବିଜେପି ପାଇଁ କାମ କରିଥିବାରୁ ହୁଏତ ଦଳ ତାଙ୍କୁ ବଡ଼ ପୁରସ୍କାର ଦେଇପାରେ । ବିଜେପି ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛି, ରଘୁବରଙ୍କ ସହ କେନ୍ଦ୍ରୀୟ ସ୍ତରରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଥିବ । ଏବେ ଦେଖିବାର କଥା ହେଉଛି ରଘୁବର ଦାସଙ୍କୁ ବିଜେପି କେନ୍ଦ୍ରୀୟ କମିଟି କି ଦାୟିତ୍ବ ଦେଉଛି ।
ଅଧିକ ପଢ଼ନ୍ତୁ: ଶଙ୍ଖକୁ ବାଏ ବାଏ !! ପଦ୍ମ ଧରିବେ ବିଜେଡି କର୍ପୋରେଟର ଅମରେଶ !!
- Reported by:
- RASHMIRANJAN DAS , JAGDISH DAS , SOUMYA RANJAN SAHOO