Who Will Be Maharashtra CM: ଫଡ଼ନାଭିସ୍, ସିନ୍ଦେ ନା ପାୱାର ? କିଏ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ?

ଏବେ ସମସ୍ତଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ କିଏ ହେବ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଦେବେନ୍ଦ୍ର ଫଡନାଭିସ୍, ଏକନାଥ ସିନ୍ଦେ ନା ଅଜିତ ପାୱାର ।

କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ?

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବୃହତ ବିଜୟ ଆଡକୁ ଅଗ୍ରସର ହେଉଛି ମହାୟୁତି ମେଣ୍ଟ । ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ୨୨୦ରୁ ଅଧିକ ଆସନରେ ଆଗୁଆ ରହିଛି ମହାୟୁତି । ଶିବସେନା, ବିଜେପି ଏବଂ ଏନସିପି ଅଜିତ ପାୱାର ଗୋଷ୍ଠୀକୁ ନେଇ ଗଠନ ହୋଇଛି ମହାୟୁତି ମେଣ୍ଟ । ଅପରପକ୍ଷରେ ବହୁ ପଛରେ ପଡିଯାଇଛି ମହା ବିକାଶ ଅଘାଡି । କଂଗ୍ରେସ, ଶିବସେନା (ୟୁବିଟି) ଏବଂ ଏନସିପି - ଶରଦ ପାୱାର ଗୋଷ୍ଠୀକୁ ନେଇ ହୋଇଛି ମହା ବିକାଶ ଅଘାଡି। ଏହି ମେଣ୍ଟ ପ୍ରାୟ ୬୯ ଆସନରେ ଆଗୁଆ ରହିଛି। ରାଜ୍ୟର ୨୮୮ଟି ବିଧାନସଭା ଆସନ ପାଇଁ ମ୍ୟାଜିକ ନମ୍ବର ରହିଛି ୧୪୫ ।

ତେବେ ଏହାରି ମଧ୍ୟରେ ଏବେ ସମସ୍ତଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ କିଏ ହେବ ମହାରାଷ୍ଟ୍ରର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ? ଦେବେନ୍ଦ୍ର ଫଡନାଭିସ୍, ଏକନାଥ ସିନ୍ଦେ ନା ଅଜିତ ପାୱାର । କାରଣ ଏଥର ପୁଣି ଥରେ ଏକାକୀ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଛି ବିଜେପି । ତୃତୀୟ ଥର ପାଇଁ ବିଜେପି ଏକୁଟିଆ ଭାବେ ୧୦୦ରୁ ଅଧିକ ସିଟ୍ ହାସଲ କରିବାକୁ ଯାଉଛି । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସରକାର ଗଠନ ପାଇଁ ୧୪୫ ଆସନ ଆବଶ୍ୟକ । ତେବେ ବର୍ତ୍ତମାନ ସୁଦ୍ଧା ଆସିଥିବା ଟ୍ରେଣ୍ଡରେ ବିଜେପି ଏକାକୀ ୧୩୧ ଆସନରେ ଆଗୁଆ ରହିଛି । ୨୦୧୯ରେ ୧୦୫ ଏବଂ ୨୦୧୪ରେ ୧୨୨ ସିଟ୍ ଆଣିଥିଲା ବିଜେପି । ଗଲା ତିନିଟି ନିର୍ବାଚନରେ ଦଳର ମଙ୍ଗ ଧରିଥିଲେ ଦେବେନ୍ଦ୍ର ଫଡନାଭିସ୍ । ତେଣୁ ଏଥର ପୁଣି ଥରେ ସେ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ଅଧିକ ରହିଛି ।

ଅଧିକ ପଢ଼ନ୍ତୁ: ବଢୁଛି ନେତାଙ୍କ ଉତ୍କଣ୍ଠା, ବିଜୟୀଙ୍କୁ ଏକାଠି ରଖିବାକୁ ଜବରଦସ୍ତ ଯୋଜନା

ସୂଚନା ଅନୁସାରେ ୩୧ ଅକ୍ଟୋବର ୨୦୧୪ରୁ ୮ ନଭେମ୍ବର ୨୦୧୯ ଓ ୨୦୧୯ ନିର୍ବାଚନ ପରେ ତିନି ଦିନ ପାଇଁ ମୁଖ୍ୟମନ୍ତ୍ରୀ ଚୌକିରେ ବସିଥିଲେ ଫଡ଼ନାଭିସ୍ । ପରେ ଶିବସେନାରୁ ଅଲଗା ହୋଇ ୫୦ ବିଧାୟକଙ୍କୁ ଧରି ବିଜେପିରେ ମିଶିଥିବା ରିବେଲ୍ ଷ୍ଟାର୍ ଏକନାଥ ସିନ୍ଦେ ୩୦ ଜୁନ୍‌ରୁ ୨୦୨୨ରୁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ଏଥର ସିନ୍ଦେଙ୍କ ଉପରେ ହାଇକମାଣ୍ଡ ମୋହର ମାରୁଛନ୍ତି ନା ନାହିଁ ତା ଉପରେ ସାରା ଦେଶର ନଜର ।

ଅଧିକ ପଢ଼ନ୍ତୁ: ଖୋଲିଲା EVM, ଆରମ୍ଭ ହେଲା ଗଣତି

ସେପଟେ କେବଳ ଫଡ଼ନାଭିସ୍‌ ଓ ସିନ୍ଦେ ନୁହଁନ୍ତି ମୁଖ୍ୟମନ୍ତ୍ରୀ ରେସ୍‌ରେ ଅଛନ୍ତି ଏନସିପି ନେତା ଅଜିତ ପାୱାର । ବର୍ତ୍ତମାନ ସୁଦ୍ଧା ଆସିଥିବା ଟ୍ରେଣ୍ଡ ଅନୁସାରେ ମହାରାଷ୍ଟ୍ରରେ NCP ୪୧ଟି ଆସନରେ ଆଗୁଆ ରହିଛି । ତେବେ ସବୁଠାରୁ ବଡ଼ କଥା ହେଉଛି ମହାରାଷ୍ଟ୍ରରେ ଭୋଟ୍‌ ଗଣତି ଚାଲୁଥିବା ବେଳେ ଅଜିତ ପାୱାର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ୨୫ ମିନିଟ୍ ଧରି କଥା ହୋଇଥିଲେ । ତେବେ ଅମିତ ଶାହଙ୍କ ସହ ଆଲୋଚନା ପୂର୍ବରୁ ଅଜିତ ପାୱାରଙ୍କ ପତ୍ନୀ ତଥା ଏନସିପି ସାଂସଦ ସୁନେତ୍ରା ପାୱାରଙ୍କ ଏକ ବୟାନ ସାମ୍ନାକୁ ଆସିଛି । ସାଂସଦ ସୁନେତ୍ରା କହିଛନ୍ତି ଯେ ‘ଏନସିପି, ମହାରାଷ୍ଟ୍ର ଏବଂ ବାରାମତି ପାଇଁ ଏହା ଏକ ସୌଭାଗ୍ୟର ଦିନ । ମୁଁ ସମାନ କଥା ଚାହୁଁଛି ଯାହା ମହାରାଷ୍ଟ୍ରର ଲୋକମାନେ ଚାହୁଁଛନ୍ତି ଯେ ଅଜିତ ପାୱାର ରାଜ୍ୟର ମୁଖ୍ୟମନ୍ତ୍ରୀ ହୁଅନ୍ତୁ’ । ଏହାରି ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ, କାହା ନାଁରେ ହାଇକମାଣ୍ଡ ମୋହର ମାରୁଛନ୍ତି ତାହା ଏବେ ଦେଖିବାର ବିଷୟ ।