• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହୋହଲ୍ଲା, ଯୁକ୍ତିତର୍କ । ସରଗରମ ଗ୍ରାମସଭା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ଯୋଗ୍ୟ ହିତାଧୀକାରୀଙ୍କ ନାଁ ନଥିବାରୁ ରାଜ୍ୟର ବିଭିନ୍ନ ପଂଚାୟତରେ ଆଜି ଗ୍ରାମସଭାରେ ଦେଖିବାକୁ ମିଳିଥିଲା ଘୋର ଅସନ୍ତୋଷର ଚିତ୍ର । ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଯଦିଓ ସବୁଠି ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଥିଲା କିନ୍ତୁ ଫୋକସରେ ଥିଲା ଆବାସ ଯୋଜନା ।

ଅନଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର (କ) ଗାଁରେ ଚରମରେ ଥିଲା ଅସନ୍ତୋଷର ଚିତ୍ର । ପିଏମ୍ଏଓ୍ୱାଇ ତାଲିକାରୁ ବାଦ୍ ପଡିଥିବା ହିତାଧିକାରୀ ପଂଚାୟତ ଅଫିସ୍‌ରେ ତାଲା ପକାଇଥିଲେ । ପୋଲିସ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ସେମିତି ବାଲେଶ୍ୱର ଜିଲ୍ଲା ନହରା ପଂଚାୟତରେ ତୀବ୍ର ଅସନ୍ତୋଷ ପରେ ପୂର୍ବ ପ୍ରକାଶିତ ଲିଷ୍ଟରୁ ୯ଜଣ ଅଯୋଗ୍ୟଙ୍କୁ ବାଦ୍ ଦିଆଯାଇଥିଲା ।

ସେପଟେ ସମ୍ବଲପୁରର କୁଚିଣ୍ଡାର ବିଭିନ୍ନ ସ୍ଥାନ ସହ ନୟାଗଡ଼ ଜିଲ୍ଲା ଗୋତିସାହି ପଂଚାୟତ ଗ୍ରାମସଭାରେ ଯୋଗ୍ୟ ହିତାଧୀକାରୀଙ୍କ ନାଁ ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ଯୋଗ୍ୟ ହିତାଧିକାରୀ । ସମ୍ଭାବ୍ୟ ତାଲିକାରେ ଅଯୋଗ୍ୟଙ୍କ ନାଁ ଥିବାରୁ ବଲାଙ୍ଗିର ଜିଲ୍ଲାର ସବୁ ପ୍ରଂଚାୟତରେ ଗ୍ରାମସଭା ବର୍ଜନ କରିଥିଲେ ଲୋକେ । ଜିଲ୍ଲା ସରପଞ୍ଚ ସଂଘ ଗ୍ରାମସଭା ବର୍ଜନ କରିବା ସହ ତାଲିକା ପ୍ରସ୍ତୁତିରେ ସରକାରୀ ବାବୁବମାନେ ମନମାନି କରିଥିବା ଅଭିଯୋଗ କରିଛି ।

ଅଧିକ ପଢ଼ନ୍ତୁ: ଆବାସକୁ ନେଇ ଗାଁ ଗାଁରେ କୁହୁଳୁଛି ଅସନ୍ତୋଷ, ପଞ୍ଚାୟତ ଅଫିସ୍‌ରେ ତାଲା ପକାଇଲେ ଗାଁ ଲୋକ

ଏଣେ ଆବାସ ତାଲିକାକୁ ନେଇ ଗ୍ରାମସଭାରେ ପ୍ରକାଶ ପାଇଥିବା ତୀବ୍ର ଅସନ୍ତୋଷକୁ ନେଇ ରାଜନିତୀ ବି ତେଜିଛି । ମୁହାଁମୁହିଁ ହୋଇଛନ୍ତି ବିଜେପି -ବିଜେଡି । କେନ୍ଦ୍ର ସରକାର ଯଦି ଏ ଯୋଜନା ବନ୍ଦ କରିଦିଅନ୍ତି ତାହାଲେ ରାଜ୍ୟ ସରକାର ଘର ଦେବେ ବୋଲି ବିଜେଡିର ମନ୍ତବ୍ୟକୁ ବିଜେପି କରିଛି କଡା ସମାଲୋଚନା । ଆବାସ ଯୋଜନାରୁ କାଳେ ମୋଦି ନାଁ ନେଇଯିବେ ତେଣୁ ବିଜେଡି ଏଭଳି ଭେଳିକି ଦେଖାଇଥିବା ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ସଭାପତି । ସେପଟେ କଂଗ୍ରେସ ବି ବହୁ ଅଯୋଗ୍ୟଙ୍କ ନାଁ ଆବାସ ଲିଷ୍ଟରେ ଥିବାରୁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ।

ଜବାବରେ ବିଜେଡି କହିଛି ଯେପରି ଉଚିତ୍ ହିତାଧିକାରୀ ଘର ପାଇବେ ସେଥିପାଇଁ ଗ୍ରାମସଭାରେ କ୍ରସ୍ ଚେକ୍ ହେଉଛି । ତେବେ ବିଜେପି ଯେଉଁ ୨ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ କଥା ଉଠାଉଛି ତାର ଲିଷ୍ଟ ଦେଉ ।

ଆସନ୍ତା ୩୦ ତାରିଖରେ ସବୁ ପଞ୍ଚାୟତରେ ପୁଣି ଆଉ ଥରେ ଗ୍ରାମ ସଭା ହେବ । ପିଏମ୍ ଆବାସ ଘର ହିତାଧିକାରୀ ତାଲିକାକୁ ନେଇ ଅଭିଯୋଗ ବାକ୍ସରେ ପଡିଥିବା ମତାମତ ଉପରେ ସେଦିନ ବିସ୍ତୃତ ଆଲୋଚନା ହେବ । ତାପରେ ଯାଇ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ଯେହେତୁ ବିଜେପି ଅଯୋଗ୍ୟ ତାଲିକାକୁ ନେଇ ଆନ୍ଦୋଳନ ତୀବ୍ର କରିବାକୁ ଚେତାବନୀ ଦେଇଛି, ତେଣୁ ସ୍ଥିତି କେଉଁ ମୋଡ଼ ନେବ ଏବେ ତା ଉପରେ ନଜର ।