Special Story: ବିଜୁଙ୍କ ନାଁରେ ଚାଲିଛି ପଞ୍ଚାୟତି ପାଲା, ଲଢ଼ୁଛନ୍ତି ବିଜେଡି-ବିଜେପି

ଏଣିକି ମାର୍ଚ୍ଚ ୫ରେ ନୁହେଁ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ପାଣ୍ଡିଆନଙ୍କ ପାଇଁ ଲୁଚିଗଲେ ବିଜୁ

ବିଜୁ ନାଁକୁ ନେଇ ଚାଲିଛି ପଞ୍ଚାୟତ ପାଲା । ପଲିଟିକ୍ସ କରୁଛନ୍ତି ବିଜେଡି-ବିଜେପି । କଂଗ୍ରେସ ବି ଢାଳୁଛି ଘିଅ । ନିର୍ବାଚନ ସମୟରେ ବିଜୁଙ୍କ ଫଟୋକୁ ପୋଷ୍ଟରରୁ ହଟାଇଥିଲା ବିଜେଡି । ଏବେ ବିଜୁଙ୍କ ଜନ୍ମଦିନରୁ ବିଜେପି ହଟାଇଲା ସରକାରୀ ଛୁଟି । ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ । ଏହି ଦିନକୁ ତତ୍କାଳୀନ ସରକାର ବା ବିଜେଡି ସରକାର ପଞ୍ଚାୟତିରାଜ ଦିବସ ଭାବେ ଘୋଷଣା କରିଥିଲା । ହେଲେ ଏବେ ନୂଆକରି ରାଜ୍ୟରେ ବିଜେପି ସରକାର ଆସିବା ପରେ ମାର୍ଚ୍ଚ ୫କୁ କେବଳ ବିଜୁଙ୍କ ଜୟନ୍ତୀ ଭାବେ ମହାସମାରୋହରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ଏଣିକି ମାର୍ଚ୍ଚ ୫ରେ ନୁହେଁ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ: ବିଜୁ ଜୟନ୍ତୀ ପାଇଁ ମୋହନ କଲେ ନିମନ୍ତ୍ରଣ, ଆସିବେ ତ ନବୀନ ?

ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଚିହିଁକି ଉଠିଛି ବିଜେଡି । ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛି ଦଳ । ହେଲେ ୨୦୨୪ ସାଧାରଣ ନିର୍ବାଚନ ବେଳେ ବିଜୁଙ୍କ ନାଁକୁ ନେଇ ସରକାର ଗଢ଼ିଥିବା ଦଳ ବିଜୁ ବାବୁଙ୍କୁ ଭୁଲିଯାଇଥିଲା । ପ୍ରଚାର ବେଳେ ପୋଷ୍ଟର ବୟ ସାଜିଥିଲେ ପାଣ୍ଡିଆନ୍ । ଏମିତିକି ପୋଷ୍ଟରରେ ନବୀନଙ୍କ ଫଟୋ ଛୋଟ ଓ ପାଣ୍ଡିଆନଙ୍କ ଫଟୋ ବଡ଼ ଲାଗିଥିଲା । କିନ୍ତୁ ଏବେ ବିଜୁଙ୍କ ଜନ୍ମଦିନରେ ପଞ୍ଚାୟତିରାଜ ଦିବସ ପାଳନ ନ କରାଯିବାକୁ ନେଇ ବିଜେଡି ନେତା ଖୁବ୍ ଚଳଚଞ୍ଚଳ । ଦଳ ଏକ ପ୍ରେସ୍‌ ରିଲିଜ୍‌ ଜାରି କରିଥିବାବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି । ବିଜୁ ବାବୁ ରାଜନୀତିରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେଇଥିବାରୁ ସେତେବେଳର ସରକାର ତାଙ୍କ ଜନ୍ମଦିନକୁ ପଞ୍ଚାୟତିରାଜ ଦିବସ ଭାବେ ପାଳୁଥିବା ପ୍ରମିଳା କହିଛନ୍ତି ।

ସେପଟେ ଏହି ପ୍ରସଙ୍ଗରେ କଂଗ୍ରେସ ମଧ୍ୟ ମୁହଁ ଖୋଲିଛି । ପିସିସି ସଭାପତି ଏହାକୁ ନିନ୍ଦା କରିବା ସହ ଛୁଟି ବାତିଲ ନ କରିଥିଲେ ଭଲ ହୋଇଥାନ୍ତା ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି । ଅନ୍ୟପଟେ ଜୟଦେବ ଭବନରେ ବିଜୁ ବାବୁଙ୍କ ଜୟନ୍ତୀ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ନିମନ୍ତ୍ରଣ କରିଛନ୍ତି

ଅଧିକ ପଢ଼ନ୍ତୁ: ଟଙ୍କା ନେଇ ଅପେରା ମାଲିକକୁ ଠକିଦେଲେ ପୀୟୂଷ !