• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେଡିରେ ଏବେ ପଦ୍ମପୁର ମଡେଲ୍‌ର ମାନିଆ । ଆଗୁଆ ସାଧାରଣ ନିର୍ବାଚନ ଚର୍ଚ୍ଚା ଭିତରେ ଦଳ, ସମସ୍ତ ନିର୍ବାଚନ ମଣ୍ଡଳୀରେ ଏହି ଫର୍ମୁଲାରେ ମୈଦାନକୁ ଓହ୍ଲାଇବ ବୋଲି କୁହାଯାଉଛି । ଅର୍ଥାତ ନେତାମାନଙ୍କୁ ପ୍ରତି ଘର ଓ ପ୍ରତି ଭୋଟରଙ୍କୁ ଛୁଇଁବା ପାଇଁ ଦିଆଯିବ ଦାୟିତ୍ୱ । ଆଜି ପଦ୍ମପୁର ଉପନିର୍ବାଚନ ସମୀକ୍ଷା ବେଳେ ଏହି ମଡେଲ୍ ଉପରେ ଜୋର୍ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେପଟେ ସଂଗଠନକୁ ମଜଭୁତ୍ କରିବା ସହ ଚାଷୀ, ନାରୀ ନିର୍ଯାତନା, ବେରୋଜଗାରୀ ଭଳି ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ଗର୍ଜନ କରିବ ବିଜେପି । ତେଣେ କଂଗ୍ରେସ୍ ଆସନ୍ତା ନିର୍ବାଚନରେ ୮୦ ପ୍ରତିଶତ ଯୁବ ଚେହେରା ମୈଦାନକୁ ଓହ୍ଲାଇବ ବୋଲି ଇଶାରା ଦେଇଛି ।

୨୦୨୪ ନୁହେଁ ୨୩ରେ ହୋଇପାରେ ସାଧାରଣ ନିର୍ବାଚନ । ଆଗୁଆ ନିର୍ବାଚନ ଚର୍ଚ୍ଚା ଜୋର୍ ଧରିବା ପରେ ସବୁ ରାଜନୈତିକ ଦଳ ଭିତରେ ତତ୍ପରତା । ବିଜେଡି, ବିଜେପିକଂଗ୍ରେସ ସମସ୍ତେ ଏଥିପାଇଁ ପ୍ରସ୍ତୁତ କରୁଛନ୍ତି ଷ୍ଟ୍ରାଟେଜି । ଏହାରି ଭିତରେ ପଦ୍ମପୁର ଉପନିର୍ବାଚନର ପୋଷ୍ଟମର୍ଟମ ପାଇଁ ଆଜି ନବୀନ ନିବାସରେ ବସିଥିଲା ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଫୋକସ୍‌ରେ ଥିଲା ନେତାଙ୍କ ପ୍ରଦର୍ଶନ ଓ ୨୪ ଗଣିତ । ପଦ୍ମପୁରର ଜୋନ୍ଓ୍ୱାରୀ ହୋଇଥିଲା ଟିକିନିଖି ଆଲୋଚନା । ନିର୍ବାଚନ ପୂର୍ବରୁ ଯେଉଁ ଅଙ୍କ କଷା ଯାଇଥିଲା, ଫଳାଫଳ ସହ ତାର ମେଳ କରାଯାଇଥିଲା । କେଉଁ ଜୋନ୍‌ରେ କେତେ ଲିଡ୍ ମିଳିଲା, କେଉଁଠି ଦଳ କେଉଁ କାରଣରୁ ପଛରେ ପଡ଼ିଲା, ସେନେଇ ଦାୟିତ୍ୱରେ ଥିବା ନେତାଙ୍କୁ ପଚରା ଯାଇଥିଲା ପ୍ରଶ୍ନ ।

ଅଧିକ ପଢ଼ନ୍ତୁ: ଆଗୁଆ ହେବ ନିର୍ବାଚନ! ପ୍ରାର୍ଥୀ ଚୟନ ପାଇଁ ଏବେଠୁ ଅଙ୍କକଷା

ଆଉ ଶେଷରେ ପଦ୍ମପୁର ମଡେଲ୍‌କୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପ୍ରୟୋଗ କରିବାକୁ ଦିଆଯାଇଛି ପରାମର୍ଶ । ସଂଗଠନକୁ ଅଧିକ ମଜଭୁତ୍ କରିବା ଲାଗି ପ୍ରଥମେ ଓ୍ୱାର୍ଡ କମିଟି ଗଠନ, ତାପରେ ପ୍ରତ୍ୟେକ ଘର ଓ ପ୍ରତ୍ୟେକ ଭୋଟରଙ୍କୁ ଛୁଇଁବା ପାଇଁ କୁହାଯାଇଛି । ତାଛଡ଼ା ଭୋଟର୍ ଲିଷ୍ଟ ଅନୁଯାୟୀ ନିର୍ଦ୍ଦିଷ୍ଟ ସଂଖ୍ୟକ ଭୋଟରଙ୍କ ଦାୟିତ୍ୱ ଜଣେ ଜଣେ ନେତାଙ୍କୁ ଦିଆଯିବ । ଆସନ୍ତା ମାସରେ ଖୋଦ୍ ମୁଖ୍ୟମନ୍ତ୍ରୀ ପଦ୍ମପୁର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ବିଧିବଦ୍ଧ ଭାବେ ସାଧାରଣ ନିର୍ବାଚନ ପାଇଁ ଦଳ ବିଗୁଲ୍ ଫୁଙ୍କିବ ।

ଆଗୁଆ ନିର୍ବାଚନର ସମ୍ଭାବନାକୁ ଦେଖି ବିଜେପି ଓ କଂଗ୍ରେସ ବି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆସନ୍ତା ୧୭ ତାରିଖରେ ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ଓଡ଼ିଶା ଆସିବେ । ସେ ଜିଲ୍ଲା ସଭାପତି, ପ୍ରଭାରୀ, ରାଜ୍ୟ ପଦାଧିକାରୀ, କୋର୍ କମିଟି ସଦସ୍ୟଙ୍କ ସହ ସଙ୍ଗଠନ ଓ ରଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନର ରୂପରେଖ ନେଇ ଆଲୋଚାନ କରିବେ । ତୃଣମୂଳରୁ ସଂଗଠନ ମଜ୍‌ଭୁତ୍ ଉପରେ ଜୋର୍ ଦେଉଛି ଦଳ । ଚାଷୀ, ନାରୀ ନିର୍ଯାତନା ଓ ବେରୋଜଗାରୀ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ସରକାର ବିରୋଧରେ ବିଜେପି ଗର୍ଜନ କରିବ । ସେହିପରି ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ନେଇ ରଣନୀତି ପ୍ରସ୍ତୁତ କରୁଛି ବିଜେପି ।

ସେପଟେ ୧୮ ତାରିଖରେ କଂଗ୍ରେସର ଜିଲ୍ଲା ସଭାପତି, ବିଧାୟକ, ବରିଷ୍ଠ ନେତା ଓ ସାଂସଦଙ୍କ ବୈଠକ ବସି ଖସଡ଼ା ପ୍ରସ୍ତୁତ ହେବ । ଆଗାମୀ ନିର୍ବାଚନରେ ୮୦ ପ୍ରତିଶତ ଯୁବ ଓ ନୂଆ ମୁହଁକୁ ପ୍ରାର୍ଥୀ କରିବାକୁ ଚିନ୍ତା କରୁଛି କଂଗ୍ରେସ୍ ।

ନିର୍ବାଚନ ଆଗୁଆ ହେଉ କି ନିର୍ଦ୍ଧାରିତ ସମୟରେ । ନୂଆ ବର୍ଷରେ ନୂଆ ସଙ୍ଗଠନ ନେଇ ତିନି ଦଳ କାମ କରିବେ । ବିଜେଡି ଓ ବିଜେପିର ସଙ୍ଗଠନ ସ୍ତରରେ ବଡ଼ ପରବର୍ତ୍ତନ ବି ହେବାର ସୂଚନା ମିଳୁଛି ।